ବାହାଘର ଶୋଭାଯାତ୍ରା ଉପରୁ ଉଠିଲା କଟକଣା


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: କୋରୋନା ମହାମାରୀ ପାଇଁ ବିବାହ ଉତ୍ସବ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଏଣିକି ବାହାଘର ବେଳେ ବାଜା, ବାଣ ଓ ରୋଷଣୀ କରି ଶୋଭଯାତ୍ରାରେ ଯାଇପାରିବେ ବର ଏବଂ ବରଯାତ୍ରୀ। ତେବେ ଉତ୍ସବରେ ସାମିଲ୍‌ ହେଉଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ ବୋଲି କୁହାଯାଇଛି। ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ ପରିବର୍ତ୍ତନ କରି ସ୍ବତନ୍ତ୍ର ରିଲିଫ୍ କମିଶନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ମଙ୍ଗଳବାର ଏ ନେଇ ସମସ୍ତ ଜଲ୍ଲାପାଳ, ଏସ୍‌ପି, ମ୍ୟୁନିସପାଲ୍‌ କମିଶନର ଓ ପୋଲିସ୍‌ କମିଶନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡ୍‌ଲାଇନ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ ସମସ୍ତଙ୍କୁ ମିଶାଇ ଏହି ସଂଖ୍ୟା ୨୦୦ ରହିବ ବୋଲି କହିଛନ୍ତି। ସେହିପରି ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ୍‌ ହେବା ପାଇଁ ଅନୁମତି ମିଳିବ।

ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ। କୌଣସି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଏବଂ ଖୋଲା ସ୍ଥାନରେ ପଡ଼ିଆର ଆକାର ହିସାବରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି। ଉଭୟ ବର ଓ କନ୍ୟା ପକ୍ଷର କୋଭିଡ୍-୧୯ ନିୟମ ମାନି ବାହାଘର ଆୟୋଜନ କରିବେ। ଏହି ନିୟମ ଅବମାନନା କଲେ ଉଭୟ ବର ଓ କନ୍ୟ ପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ