ଆରୋଗ୍ୟ ଭବନକୁ ଲୋକାର୍ପଣ କଲେ ଧର୍ମେନ୍ଦ୍ର


ଆରୋଗ୍ୟ ଭବନକୁ ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ ଜିଲ୍ଲା ନିଆଳି ବ୍ଲକ୍‌ ଠାରେ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍)ର ନବନିର୍ମିତ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର(ଆରୋଗ୍ୟ ଭବନ)କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ସ୍ୱାମୀ ବିବେକାନନ୍ଦଜୀଙ୍କ ପବିତ୍ର ଜନ୍ମଜୟନ୍ତୀ ଦିବସରେ ଏଠାରେ ରକ୍ତଦାନ ଶିବିର ଉଦ୍‌ଘାଟନ କରିବା ସହ ରାଷ୍ଟ୍ରଦ୍ୱୀପର ସ୍ୱତନ୍ତ୍ର ବିଶେଷାଙ୍କ ‘ସେବା’ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି ଧର୍ମେନ୍ଦ୍ର। ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ଓଏନ୍‌ଜିସି ତରଫରୁ ପ୍ରାୟ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ପାଖାପାଖି ୧୫ ହଜାର ସ୍କୋୟାର ଫୁଟ୍‌ରେ ୫ ମହଲା ବିଶିଷ୍ଟ ‘ଆରୋଗ୍ୟ ଭବନ’ ଏଠାରେ ନିର୍ମାଣ ହେବା ଫଳରେ କଟକ ଜିଲ୍ଲା ନିଆଳି ବ୍ଲକ୍‌ର ଓଲଟପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ନର ସେବା ହିଁ ନାରାୟଣ ସେବା’ ବିଚାରକୁ ଆଧାର କରି ଉତ୍କଳ ବିପନ୍ନ ସହାୟତା ସମିତି ଲମ୍ବା ସମୟ ଧରି ନିରନ୍ତର ଗରିବ, ଅସହାୟଙ୍କୁ ସହାୟତା କରି ଆସୁଛି। ଆଜି ସ୍ୱାସ୍ଥ୍ୟ ଭବନର ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓଏନ୍‌ଜିସି, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଓ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଗରିବ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ମୂଳଭୁତ୍ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମେଡିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହୋଇଛି।

ରାଷ୍ଟ୍ରୀୟ ସ୍ୱୟଂସେବୀ ସଂଗଠନ ପକ୍ଷରୁ କଅଁଳ ଶିଶୁଙ୍କ ଶରୀରର ବିକାଶ ପାଇଁ ସୁପୋଷଣ ଅଭିଯାନ, ଶିକ୍ଷା କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଗ୍ରାମୀଣ ବିକାଶ ପାଇଁ ଯୋଜନା କରାଯିବା ଅତି ଆନନ୍ଦ ଓ ଗୌରବର ବିଷୟ। ଏହି ସବୁ କାର୍ଯ୍ୟକ୍ରମକୁ ଜନଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ସମେତ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ତଥା ଇଜ୍ ଅଫ୍ ଲିଭିଂକୁ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ରାଷ୍ଟ୍ରୀୟ ବିଚାରଧାରାରେ ଭାରତୀୟ ଜୀବନଶୈଳି, ଭାରତୀୟ ପରମ୍ପରା ଓ ମୂଲ୍ୟବୋଧକୁ ଆମେ ସମସ୍ତେ ଆପଣାଇବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ