କୃଷି ଆଇନ କାର୍ଯ୍ୟକାରିତା ଉପରେ ରୋକ, ପ୍ୟାନେଲ ଗଠନ କଲେ ସୁପ୍ରିମକୋର୍ଟ


ସୁପ୍ରିମକୋର୍ଟ ଓ ଆନ୍ଦୋଳନରତ ଚାଷୀ (ଫାଇଲ ଫଟୋ)
ମଙ୍ଗଳବାର ସୁପ୍ରିମକୋର୍ଟ ୩ଟି କୃଷି ଆଇନ କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଛନ୍ତି। କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକାଧିକ ପିଟିସନର ଏକାଠି ଶୁଣାଣି କରି ଏପରି ରହିତାଦେଶ ଜାରି କରିଛନ୍ତି। ଏଥିସହ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ପ୍ରଣୟନ ହୋଇଥିବା ୩ କୃଷି ଆଇନ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। ଏଥିସହ ସର୍ବୋଚ୍ଚ କୋର୍ଟ ଏକ ୪ ଜଣିଆ କମିଟି ଗଠନ କରି କେନ୍ଦ୍ର ଓ ଚାଷୀ ସଂଗଠନ ଭିତରେ ନୂଆ କୃଷି ଆଇନକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବର ସମୀକ୍ଷା କରି ରିପୋର୍ଟ ଦେବାକୁ କହିଛନ୍ତି। ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ନୂଆ କୃଷି ଆଇନରେ କେଉଁଠି ଭଲ ଓ କେଉଁଠି ମନ୍ଦ ରହିଛି, ତାହା ଉପରେ ମତଦେଇ ପାରିବେ। ଆଇନ ସପକ୍ଷରେ ଓ ବିପକ୍ଷରେ ମତଦେବାର ଅଧିକାର ଉଭୟ ପକ୍ଷଙ୍କୁ ଦିଆଯାଇଛି। ଗଠନ ହୋଇଥିବା କମିଟି କୌଣସି ନିଷ୍ପତ୍ତି ନେବ ନାହିଁ। ୪ ଜଣିଆ କମିଟି କେବଳ ରିପୋର୍ଟ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୪ ଜଣିଆ କମିଟି ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଏଚଏସ ମାନ, ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି ଓ ଅନୀଲ ଧନୱନ୍ତଙ୍କୁ କମିଟିର ସଦସ୍ୟ ଭାବେ ଖଣ୍ଡପୀଠ ନାମିତ କରିଛି। ଉଭୟ ପକ୍ଷ ଗଠନ ହୋଇଥିବା କମିଟି ପାଖରେ ସେମାନଙ୍କର ମତ ରଖନ୍ତୁ ଓ ସର୍ବୋଚ୍ଚ କୋର୍ଟ କମିଟି ରିପୋର୍ଟ ଆଧାରରେ କୃଷି ଆଇନ ବାବଦରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ କହିଛନ୍ତି। ଏଥିସହ ଖଣ୍ଡପୀଠଙ୍କ ପକ୍ଷରୁ ଚାଷୀ ସଂଗଠନକୁ ସହଯୋଗ କରିବା ପାଇଁ କୁହାଯାଇଛି। କମିଟି ପାଖରେ ଚାଷୀ ସଂଗଠନ ସେମାନଙ୍କର ମତ ରଖନ୍ତୁ ବୋଲି ଜଷ୍ଟିସ ବୋବଡେ ଅପିଲ କରିଛନ୍ତି। ଚାଷୀ ସଂଗଠନ କମିଟି ପାଖକୁ ଆସିବେ ନାହିଁ ବୋଲି କୌଣସି ଯୁକ୍ତିକୁ କୋର୍ଟ ଗ୍ରହଣ କରିପାରିବେ ନାହିଁ। ଆମେ ବିବାଦ ଦୂର କରିବା ପାଇଁ ଚାହୁଁଛୁ। ଯଦି ଆପଣମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ପାଇଁ ଚାହାନ୍ତି ତାହଲେ କରନ୍ତୁ, ଏଥିରେ କୋର୍ଟଙ୍କର କିଛି କରିବାର ନାହିଁ ବୋଲି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଭି. ରାମସୁବ୍ରମଣ୍ୟମ କହିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ନ୍ୟାୟପାଳିକା ଓ ରାଜନୀତି ଭିତରେ ବହୁତ ଫରକ ରହିଛି, ତେଣୁ ଚାଷୀ ସଂଗଠନ ଗଠନ ହୋଇଥିବା କମିଟି ପାଖକୁ ଆସି ମତ ରଖନ୍ତୁ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ