ଅପରାଧ
ଆପ ବିଧାୟକ ସୋମନାଥ ଭାରତୀଙ୍କୁ କାଳିମାଡ଼ ପରେ ଗିରଫଦାରି

ଆପ ବିଧାୟକ ସୋମନାଥ ଭାରତୀଙ୍କୁ କାଳିମାଡ଼
ଦିଲ୍ଲୀର ଆପ ବିଧାୟକ ସୋମନାଥ ଭାରତୀଙ୍କୁ ଉତ୍ତର ପ୍ରଦେଶରେ ଜଣେ ଯୁବକ କାଳିମାଡ଼ କରିଛନ୍ତି। ଏଥିସହ ଭାରତୀଙ୍କୁ ଏକ ଏତଲା ଭିତ୍ତିରେ ଉତ୍ତର ପ୍ରଦେଶ ପୋଲିସ ଗିରଫ ମଧ୍ୟ କରିଛି। ଜାମିନ ନାମଞ୍ଜୁର ପରେ ଭାରତୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର ସକାଳେ ସୋମନାଥ ଭାରତୀ ରାଏ ବରେଲୀ ଜୈଶରେ ଏକ ସରକାରୀ ସ୍କୁଲକୁ ଯିବା ବେଳେ ଏପରି ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ସରକାରୀ ସ୍କୁଲମାନଙ୍କର ଦୁରାବସ୍ଥା ଦେଖିବା ପାଇଁ ସେ ଯାଉଥିଲା ବେଳେ ତାଙ୍କୁ ବାଟରେ ପୋଲିସ ବାଧା ଦେଇଥିଲା। ଏହିପରି ସ୍ଥିତିରେ ଜଣେ ଯୁବକ ଭାରତୀଙ୍କ ମୁହଁକୁ କାଳିମାଡ଼ କରି ଜୟ ଶ୍ରୀରାମ ନାରା ଦେଇଥିଲା। ପୋଲିସ ତତକ୍ଷଣାତ ଯୁବକ ଜଣକୁ ମଧ୍ୟ କାବୁ କରି ନେଇଥିଲା।
ଏଠାରେ ସୂଚନାଯୋଗ୍ୟ ଉତ୍ତର ପ୍ରଦେଶରେ ସରକାରୀ ସ୍କୁଲ ଅବ୍ୟବସ୍ଥାକୁ ଟାର୍ଗେଟ କରି ଆପ ପକ୍ଷରୁ ବ୍ୟାପକ ପ୍ରଚାର ଚାଲିଥିଲା ବେଳେ ଭାରତୀ ଉତ୍ତର ପ୍ରଦେଶ ଗସ୍ତରେ ଆସି ସରକାରୀ ସ୍କୁଲ ବୁଲି ଟିପ୍ପଣୀ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ତାଙ୍କୁ ପୋଲିସ ସ୍କୁଲ ପରିସରକୁ ଯିବାକୁ ଦେଇ ନ ଥିଲା। ଅନ୍ୟପକ୍ଷରେ ଅମେଠୀ ଜଗଦିଶପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ ହୋଇଥିବା ଏତଲା ପରିପ୍ରେକ୍ଷୀରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଭାରତୀଙ୍କ ଗିରଫଦାରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରୀ ସ୍କୁଲର ଅବ୍ୟବସ୍ଥା କଳେ ପଦାରେ ପଡ଼ିବ, ସେହି ଡରରେ ଯୋଗୀ ଆଦିତ୍ୟନଥା ଏହା କରାଇଛନ୍ତି। ଏହି କାଳିମାଡ଼ କରିବା ଓ ଗିରଫଦାରି ବନ୍ଦ କରି ଶିକ୍ଷାନୁଷ୍ଠାନକୁ ସଜାଡ଼ନ୍ତୁ। ଯଦି ଜାଣି ନାହାନ୍ତି ତାହେଲେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଠାରୁ ଶିଖନ୍ତୁ ବୋଲି କେଜରିୱାଲ ସମାଲୋଚନା କରି ଟ୍ବିଟ କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ