ବ୍ରିସବେନରେ ଖେଳିବେନି ସିଡନୀ ହିରୋ ହନୁମା, ଜାଡେଜା ବି ଆଉଟ୍


ପିଚରେ ଦୀର୍ଘ ସମୟ ଅବସ୍ଥାନ ଅବସରରେ ଫିଜିଓଙ୍କଠାରୁ ଚିକିତ୍ସା ନେଉଛନ୍ତି ସିଡନୀ ହିରୋ ହନୁମା ବିହାରୀ
ସିଡନୀ: ଆସନ୍ତା ୧୫ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ସିରିଜ ନିର୍ଣ୍ଣାୟକ ମୁକାବିଲାରୁ ବାଦ ପଡ଼ିଛନ୍ତି ସିଡନୀ ମ୍ୟାଚ ହିରୋ ହନୁମା ବିହାରୀ। ଅନ୍ତିମ ଦିନ ତମାମ ପିଚରେ ରହି ଅଷ୍ଟ୍ରେଲିଆର ଶାଣିତ ବୋଲିଂକୁ ସାମ୍ନା କରି ୱିକେଟ ବଞ୍ଚାଇଥିବା ହନୁମା ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଦିନ ତମାମ ବ୍ୟାଟି କରିବା ବେଳେ ସେ ୧୬୧ଟି ବଲର ସାମ୍ନା କରି ମାତ୍ର ୨୩ ରନ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନେକ କ୍ରିକେଟ ବିଶାରଦ ହନୁମାଙ୍କ ଚମତ୍କାର ଇନିଂସକୁ ତାରିଫ କରିଛନ୍ତି। ହନୁମାଙ୍କ ୨୩ ରନ କୌଣସି ଗୁଣରେ ଶତକୀୟ ଇନିଂସ ଠାରୁ ବି କମ ନୁହେଁ ବୋଲି କହିଛନ୍ତି। ବେଳେ ବେଳେ ବ୍ୟାଟ୍ସମ୍ୟାନ ଶତକ କଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରନ୍ତି ନାହିଁ। ମାତ୍ର ହନୁମା ଯେପରି ଭାବେ ଆହତ ସତ୍ତ୍ବେ ଖେଳୁଆଡ ମନୋଭାବର ପରିଚୟ ଦେଇ ଲଢ଼େଇ କଲେ, ତାହା ତାଙ୍କ ପାଇଁ ସ୍ମରଣୀୟ ହେବାକୁ ଯାଉଛି। ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ବ୍ୟାଟିଂ ବେଳେ ଯେପରି ପ୍ରତିଜ୍ଞାବଦ୍ଧତା ଦେଖାଇଲେ ସେଥିପ୍ରତି ମଧ୍ୟ ପ୍ରଶଂସା ଅଜାଡ଼ି ହୋଇପଡ଼ିଛି।

ଏହିପରି ସ୍ଥିତିରେ ହନୁମା ବିହାରୀଙ୍କୁ ୪ର୍ଥ ଟେଷ୍ଟ ସମେତ ଆସନ୍ତା ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ ଦିଆଯିବା ନିଶ୍ଚିତ ହୋଇଛି। ତାଙ୍କର ସ୍କାନିଂ ରିପୋର୍ଟ ମିଳିବା ପରେ ହିଁ ତାଙ୍କ ଆହତଜନିତ ସମସ୍ୟା କେତେ ତାହା ଜଣାପଡ଼ିବ। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ରିସବେନରେ ମ୍ୟାଚ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଖେଳିବା ଆଶା କରାଯାଉଛି। ବ୍ରିସବେନର ଗାବା ପିଚ ଅଧିକ ବାଉନ୍ସ ଥିବାରୁ ଭାରତୀୟ ଦଳ ଜଣେ ଅଧିକ ସିମରଙ୍କୁ ନେଇ ଖେଳିବ ବୋଲି କୁହାଯାଉଛି। ମାତ୍ର ହନୁମାଙ୍କ ସ୍ଥାନରେ ଦଳ କାହାକୁ ଖେଳାଇବା, ତାହା ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯେତେଦୂର ସମ୍ଭବ ମୟଙ୍କ ଅଗ୍ରୱାଲ ମିଡିଲ ଅର୍ଡରରେ ତାଙ୍କ ସ୍ଥାନ ପୂରଣ କରିବା ଆଶା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ