ପନ୍ତ୍‌ଙ୍କ ଧୂଆଁଧାର ୯୭, ଶେଷ ଇନିଂସରେ ୧୩୧ ଓଭର୍ ଖେଳି ମ୍ୟାଚ୍ ଡ୍ର’ ରଖିଲା ଭାରତ


ପିଚରେ ଦୀର୍ଘ ସମୟ ଅବସ୍ଥାନ ଅବସରରେ ଫିଜିଓଙ୍କଠାରୁ ଚିକିତ୍ସା ନେଉଛନ୍ତି ବିହାରୀ
ଚଳିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜର ୩ୟ ମ୍ୟାଚଟି ସୋମବାର ଡ୍ର’ରେ ଶେଷ ହୋଇଛି। ମ୍ୟାଚର ଶେଷ ଦିନରେ ବିଜୟ ପାଇଁ ଭାରତ ୨୯୯ ରନର ଆବଶ୍ୟକ କରୁଥିବା ବେଳେ ହାତରେ ୮ଟି ୱିକେଟ୍ ବାକି ଥିଲା। ଶେଷ ଦିନରେ ଭାରତ ଆଉ ୩ଟି ୱିକେଟ୍ ହରାଇ ମ୍ୟାଚକୁ ଡ୍ର’ରେ ଶେଷ କରିବାରେ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ଆହତ ହୋଇଥିବା ଋଷଭ ପନ୍ତ୍ ଶେଷ ଦିନରେ ଚମତ୍କାର ବ୍ୟାଟିଂ କରି ୯୭ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହାଛଡ଼ା ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ୭୭ ରନ୍ କରିଥିବା ବେଳେ ଷଷ୍ଠ ୱିକେଟରେ ପ୍ରଶଂସନୀୟ ବ୍ୟାଟିଂ କରିଥିଲେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ବିନ୍। ଉଭୟ ୨୬୦ରୁ ଊର୍ଦ୍ଧ୍ବ ବଲ୍ ଖେଳିବା ସହ ୮୪ ରନ୍ ଯୋଡ଼ିବା ସହ ସିରିଜରେ ଅଷ୍ଟ୍ରେଲିଆକୁ ଅପରାଜେୟ ଅଗ୍ରଣୀ ନେବାରୁ ବଞ୍ଚିତ କରିଥିଲେ। ଏଥିସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ସମ୍ଭାବନା ଏବେ ବି କାଏମ ରହିଛି। ପ୍ରଥମ ଇନିଂସରେ ୧୩୧ ଓ ଦ୍ବିତୀୟ ଇନିଂସରେ ୮୧ ରନ୍ କରିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟଟି ଆସନ୍ତା ଜାନୁଆରୀ ୧୫ ତାରିଖଠାରୁ ବ୍ରିସବେନଠାରେ ଖେଳାଯିବ।

ପୂର୍ବ ଦିନର ସ୍କୋର୍ ୯୮/୨ରୁ ସୋମବାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଖେଳ ଆରମ୍ଭ କରିଥିଲେ। କିନ୍ତୁ ଅଧିନାୟକ ରାହାଣେ ମାତ୍ର ୪ ରନ୍ କରି ଆଉଟ୍ ହେବା ଫଳରେ ଶେଷ ଦିନରେ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ମିଳିଥିଲା। ତେବେ ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲୀୟ ବୋଲରଙ୍କ ଲୟ ଖରାପ କରିବାକୁ ଉଦ୍ୟମ କରିଥିଲେ। ପନ୍ତ୍ ଦ୍ରୁତ ଗତିରେ ରନ୍ କରିବା ସହ ପୂଜାରାଙ୍କ ସହ ୧୪୮ ରନ୍ ଯୋଡ଼ିଥିଲେ। ଇତିମଧ୍ୟରେ ଉଭୟ ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଶତକ ନିକଟତର ହୋଇଥିବା ପନ୍ତ୍ ସ୍ପିନର୍ ନାଥନ୍ ଲିଅନଙ୍କ ବଲରେ ପ୍ୟାଟ୍ କମିନ୍ସଙ୍କୁ କ୍ୟାଚ୍ ଦେଇ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ସେତେବେଳକୁ ସେ ୧୨ଟି ଚୌକା ଓ ୩ଟି ଛକା ସହ ୯୭ ରନ୍ କରିସାରିଥିଲେ। ତାଙ୍କ ପରେ ପରେ ପୂଜାରା ମଧ୍ୟ ଆଉଟ୍ ହୋଇଥିଲେ। ସେ ୧୨ଟି ଚୌକା ସହ ୭୭ ରନ୍ କରିଥିଲେ। ଏଥିସହ ଅଷ୍ଟ୍ରେଲିଆ ଭାରତର ଅନ୍ୟାନ୍ୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ଅଭିଯାନ ଜାରି ରଖିବ ବୋଲି ଘରୋଇ ଦର୍ଶକ ଆଶା କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ସିରିଜ୍ ଅଗ୍ରଣୀ ଆଶାକୁ ଅଶ୍ବିନ୍-ବିହାରୀ ଯୋଡ଼ି ପାଣିରେ ମିଶାଇ ଦେଇଥିଲେ। ଉଭୟ ବେଶ୍ ସହଜରେ ପ୍ରତିପକ୍ଷ ବୋଲରଙ୍କ ମୁକାବିଲା କରିବା ସହ ଶେଷ ଦିନରେ ଆଉ କୌଣସି ୱିକେଟ ପଡ଼ିବାକୁ ସୁଯୋଗ ଦେଇ ନ ଥିଲେ। ଦଳ ୧୩୧ ଓଭରରେ ୩୩୪ ରନ୍ କରିଥିବା ସମୟରେ ମ୍ୟାଚ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ବିହାରୀ ୧୬୧ ବଲ୍ ଖେଳି ୪ଟି ଚୌକା ସହ ୨୩ ଓ ଅଶ୍ବିନ୍ ୧୨୮ଟି ବଲ୍‌ରେ ୭ଟି ଚୌକା ସହ ୩୯ ରନ୍ କରିଥିଲେ। ଏଥିସହ ଚତୁର୍ଥ ଇନିଂସରେ ଭାରତ ପଞ୍ଚମ ସର୍ବାଧିକ ଓଭର୍ ଖେଳି ମ୍ୟାଚକୁ ଡ୍ର’ ରଖିଛି। ତା’ଛଡ଼ା ଭାରତ ପ୍ରଥମ ଏସୀୟ ଦେଶ ଭାବେ ଅଷ୍ଟ୍ରେଲିଆରେ ସର୍ବାଧିକ ଓଭର୍ ମଧ୍ୟ ଖେଳିପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ