ସେନ୍ସେକ୍ସର ଲମ୍ବାଡିଆଁ: ୪୯ ହଜାର ଟପିଲା, ୧୪୪୦୦ ଉପରେ ପହଞ୍ଚିଲା ନିଫ୍ଟି


ପ୍ରତୀକାତ୍ମକ ଫଟୋ
ସୋମବାର ଷ୍ଟକ୍ ବଜାରରେ ନିବେଶକମାନଙ୍କୁ ବେଶ୍ ଭଲ ଫାଇଦା ମିଳିଛି। କାରଣ ପ୍ରଥମ ଥର ପାଇଁ ବିଏସ୍ଇ ସେନ୍ସେକ୍ସ ୪୯ ହଜାର ପଏଣ୍ଟ୍ ଉପରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେନ୍ସେକ୍ସ ପଏଣ୍ଟ୍ ୪୯ ହଜାର ୪ ଶହ ଉପରେ ପହଞ୍ଚିଯାଇଥିବା ବେଳେ ନିଫ୍ଟି ମଧ୍ୟ ୧୪ ହଜାର ୪ ଶହ ଉପରେ ପହଞ୍ଚିଥିବା ଜଣାପଡ଼ିଛି। ସୋମବାର ଆଇଟି ଷ୍ଟକ୍‌ଗୁଡ଼ିକର ଦର ବ୍ୟାପକ ଭାବେ ବଢ଼ିଯିବା ଫଳରେ ସେନ୍ସେକ୍ସ ଓ ନିଫ୍ଟିରେ ଏପରି ଉନ୍ନତି ଆସିଥିବା ଜଣାପଡ଼ିଛି। ସେହିପରି ସୋମବାର ଷ୍ଟକ୍ ବଜାରରେ ବ୍ୟବସାୟ ଆରମ୍ଭ ହେବା ପରେ ପରେ ୩୦ ଶେୟାର୍ ବିଶିଷ୍ଟ ବିଏସ୍ଇ ଇଣ୍ଡେକ୍ସ ଇଣ୍ଟ୍ରାଡେ’ରେ ୪୯ ହଜାର ୨୫୨ରେ ପହଞ୍ଚିଥିଲା। ସୋମବାର ମୁଖ୍ୟତଃ ଆଇଟି ସେକ୍ଟର ସହ ଜଡ଼ିତ ଷ୍ଟକଗୁଡ଼ିକ ଦାମ୍ ଯଥେଷ୍ଟ ବଢ଼ିଛି। ଏଥି ମଧ୍ୟରେ ଇନଫୋସିସ୍, ଏଚସିଏଲ୍ ଟେକ୍, ଟିସିଏସ୍, ଭାରତୀ ଏୟାରଟେଲ୍, ଟେକ୍ ମହିନ୍ଦ୍ରା ଓ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଆଦି ପ୍ରମୁଖ। ଏହିସବୁ କମ୍ପାନୀଗୁଡ଼ିକର ଶେୟାର୍ ଦାମରେ ପାଖାପାଖି ସାଢ଼େ ୩ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।

ଅନ୍ୟପକ୍ଷରେ ସୋମବାର ବଜାର ଖୋଲିବା ପରେ ପୂର୍ବାହ୍ନ ବ୍ୟବସାୟରେ ଅଲଟ୍ରା କେମକୋ, ସନ୍ ଫାର୍ମା, ଆକ୍ସିସ୍ ବ୍ୟାଙ୍କ୍ ଓ ବଜାଜ୍ ଫାଇନାନ୍ସ ଆଦି ଶେୟାର୍ ଦାମ୍ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଏଗୁଡ଼ିକ ସୋମବାର ସବୁଠାରୁ କ୍ଷତିର ସମ୍ମୁଖୀନ ହୋଇଥିବା ଶେୟାର୍ ହୋଇଥିବା ବେଳେ ଏଗୁଡ଼ିକର ଦାମରେ ପାଖାପାଖି ୧ ପ୍ରତିଶତ ହ୍ରାସ ଘଟିଛି। କୋରୋନା ସଂକ୍ରମଣଜନିତ ସ୍ଥିତିରେ ଗତ କିଛି ସପ୍ତାହ ହେଲା କ୍ରମାଗତ ସୁଧାର ଆସିବା ପରେ ଷ୍ଟକ୍ ବଜାରରେ ଉନ୍ନତି ପରିଲକ୍ଷିତ ହୋଇଆସିଛି। ବିଶେଷକରି ଏକାଧିକ କୋଭିଡ୍ ଟିକା ବଜାରକୁ ଆସିବା ପରେ ଷ୍ଟକ୍ ବଜାରରେ ଦ୍ରୁତତା ପରିଲକ୍ଷିତ ହୋଇଛି। ଗତ ସପ୍ତାହ ସାରା ଷ୍ଟକ୍ ବଜାରର ନିବେଶକମାନଙ୍କ ପାଇଁ ଖୁସିର ଖବର ଆସିଥିଲା। ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଗତ ଡିସେମ୍ବର ମାସରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ୭.୨ ପ୍ରତିଶତ ଲାଭ ଅର୍ଜନ କରିଛି। କମ୍ପାନୀର ନେଟ୍ ଲଶାଭ ପରିମାଣ ୮ ହଜାର ୭୦୧ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ