ଐତିହାସିକ ଉଡ଼ାଣ ପରେ ଭାରତରେ ପହଞ୍ଚିଲା ଭାରତୀୟ ମହିଳା ପାଇଲଟ୍ ଟିମ୍


ଉଡ଼ାଣ ଭରିବା ପରେ ପାଇଲଟ୍ ଟିମର ୪ ସଦସ୍ୟା
ସୋମବାର ଭାରତର ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ କମ୍ପାନୀ ଏୟାର୍ ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ ଇତିହାସ ପୃଷ୍ଠାରେ ନିଜର ନାମକୁ ଦରଜ କରିପାରିଛି। ଏହି ଟିମ୍ ରବିବାର ଆମେରିକାର ସାନଫ୍ରାନସିସକୋରୁ ଆସି ବେଙ୍ଗାଳୁରୁରେ ପହଞ୍ଚିଛି। ଏହି ଟିମର ପାଇଲଟମାନେ କଷ୍ଟସାଧ୍ୟ ଉତ୍ତର ମେରୁ ଉପର ଦେଇ ପାଖାପାଖି ୧୬ ହଜାର କିମି ଉଡ଼ାଣ ଭରିବା ପରେ ଏଠାକାର କେମ୍ପେଗୌଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏହି ଟିମରେ ସମୁଦାୟ ୪ ଜଣ ମହିଳା ପାଇଲଟ୍ ଥିବା ବେଳେ ସେମାନଙ୍କ ନେତୃତ୍ବ ନେଇଥିଲେ କ୍ୟାପଟେନ୍ ଜୋୟା ଅଗରୱାଲ୍। ଏଥିସହ ଏୟାର୍ ଇଣ୍ଡିଆର କୌଣସି ବିମାନ ପ୍ରଥମ ଥର ପାଇଁ ଏକକାଳୀନ ୧୬ ହଜାର କିମିରୁ ଊର୍ଦ୍ଧ୍ବ ରାସ୍ତା ଅତିକ୍ରମ କରିପାରିଛି। ପୂର୍ବରୁ ଭାରତର ପୁରୁଷ ପାଇଲଟ୍ ଟିମ୍ ଏପରି ସଫଳତା ପାଇଥିଲେ ହେଁ ସୋମବାର ଭାରତର ମହିଳା ପାଇଲଟ୍ ଟିମ୍ ଏହି ଐତିହାସିକ ସଫଳତା ହାସଲ କରିପାରିଛି। ଏ ସମ୍ପର୍କରେ କ୍ୟପଟେନ୍ ଜୋୟା କହିଛନ୍ତି, ଆମେ ଆଜି ଉତ୍ତର ମେରୁ ଉପର ଦେଇ ଉଡ଼ାଣ ଭରିଛୁ। ଏହାଦ୍ବାରା ଆମେ ଐତିହାସିକ ସଫଳତା ପାଇଛୁ, ଯାହାକୁ ନେଇ ଆମେ ଗର୍ବିତ। ବିଶେଷକରି ଏହି ଟିମର ସମସ୍ତ ସଦସ୍ୟ ମହିଳା ହୋଇଥିବାରୁ ଏହା କମ୍ ଗୌରବର ବିଷୟ ନୁହେଁ। ତା’ଛଡ଼ା ଏହି ସିଧାସଳଖ ଉଡ଼ାଣ ଦ୍ବାରା ଆମେ ୧୦ ଟନରୁ ଊର୍ଦ୍ଧ୍ବ ଇନ୍ଧନ ମଧ୍ୟ ବଞ୍ଚାଇପାରିଛୁ ବୋଲି ଜୋୟା କହିଛନ୍ତି।

ଏହି ଟିମର ଐତିହାସିକ ସଫଳତା ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ବିଭାଗ ମନ୍ତ୍ରୀ ହରଦୀପ ସିଂ ପୁରୀ ସଦସ୍ୟାମାନଙ୍କୁ ବଧେଇ ଜଣାଇବା ସହ ଦେଶର ନାରୀ ଶକ୍ତି ପ୍ରଥମ ଥର ପାଇଁ ଉତ୍ତର ମେରୁ ଉପରେ ସଫଳତା ପୂର୍ବକ ଉଡ଼ାଣ ଭରି ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏଥିସହ ଦେଶର ନାରୀମାନଙ୍କ ପାଇଁ ଏହି ଟିମ୍ ପ୍ରେରଣା ବୋଲି ପୁରୀ କହିଛନ୍ତି। ସୁଦୂର ସାନ୍ ଫ୍ରାନସିସକୋରୁ ଆସି ବେଙ୍ଗାଳୁରୁରେ ପହଞ୍ଚିଥିବା ଏହି ଟିମ୍ ନିଜର ପେସାଦାର ମନୋବୃତ୍ତିର ପରିଚୟ ଦେବା ସହ ଆତ୍ମବିଶ୍ବାସର ନୂଆ ଉଦାହରଣ ସୃଷ୍ଟି କରିଥିବା ପୁରୀ ଟ୍ବିଟ୍ କରି କହିଛନ୍ତି। ସେହିପରି ଏୟାର୍ ଇଣ୍ଡିଆ ପକ୍ଷରୁ ଏହାକୁ ବିଶ୍ବର ଦୀର୍ଘତମ ବ୍ୟାବସାୟିକ ବିମାନ ଉଡ଼ାଣ ବୋଲି କୁହାଯାଇଛି। ପ୍ରଥମ ଥର ପାଇଁ ଏୟାର୍ ଇଣ୍ଡିଆ ପକ୍ଷରୁ ଏପରି ଏକ ଅଭିଯାନକୁ ସାକାର ରୂପ ଦିଆଯାଇପାରିଛି ବୋଲି ମଧ୍ୟ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ