ବଜେଟ ନ ହୁଡୁ ବାଟ


ପ୍ରତୀକାତ୍ମକ ଫଟୋ
କୋଭିଡ ସମୟରେ ସାମ୍ନାକୁ ଆସିଛି ବାସ୍ତବତା। ସୃଷ୍ଟି ହୋଇଛି ଅନେକ ଆହ୍ବାନ। ସେଗୁଡିକ ପ୍ରତି ସରକାର ଯତ୍ନବାନ ହେବା ସହିତ ଆଗାମୀ ବଜେଟରେ ଆବଶ୍ୟକୀୟ ବ୍ୟୟ ବରାଦର ପ୍ରାବଧାନ ରଖିବା ଉଚିତ ବୋଲି ମତ ରଖିଛନ୍ତି ବିଶିଷ୍ଟ ବ୍ୟକ୍ତି। କୋଭିଡ ଅନେକ ଘଟଣାକୁ ସୂଚାଇଦେଇଛି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ଦିଗରେ ରହିଥିବା ଅନେକ ତ୍ରୁଟିକୁ ଧରାପକାଇ ଦେଇଛି ଏହି ମହାମାରୀ। ସେସବୁ ତ୍ରୁଟି ବିଚ୍ୟୁତିକୁ ସଜାଡି ବଜେଟକୁ ବାସ୍ତବମୁଖୀ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅଗ୍ରଣୀ ସାମାଜିକ ସଂଗଠନ ସିୱାଇଏସଡ଼ି ପକ୍ଷରୁ ମଙ୍ଗଳବାର ହେବାକୁ ଥିବା ଭର୍ଚୁଆଲ କର୍ମଶାଳା ପୂର୍ବରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟର ବହୁ ଚାଷୀ, ଅଙ୍ଗନବାଡି କର୍ମୀ ଓ ତୃଣମୂଳ ସ୍ତରୀୟ ଲୋକପ୍ରତିନିଧି। ରାଜ୍ୟ ସରକାରଙ୍କ ବଜେଟର କଳେବର ବଡ଼ ହେଉଥିବା ବେଳେ ଅନେକ ଯୋଜନା ପ୍ରାଥମିକତା ପାଉ ନ ଥିବା ନେଇ ମୁହଁ ଖୋଲିଛନ୍ତି ରାଜ୍ୟର ବିଭନ୍ନ ଅଞ୍ଚଳରେ ଏ କ୍ଷେତ୍ରରେ କାମ କରୁଥିବା ନାଗରିକ ସମାଜ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ
କୋଭିଡ ସମୟରେ ତଳସ୍ତରରେ ଥିବା ଡାକ୍ତରଖାନା ଗୁଡିକର ନଗ୍ନ ଚିତ୍ର ବାରମ୍ବାର ଚର୍ଚ୍ଚାକୁ ଆସିଛି। କେଉଁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି ତ କେଉଁଠି ନାହିଁ ଉପକରଣ। ଜଳ ଓ ପରିମଳ ବ୍ୟବସ୍ଥା ବି ଅସଜଡ଼ା। ବାରମ୍ବାର ହାତ ଧୋଇବା ପାଇଁ କୁହାଯାଉଥିବା ବେଳେ ଅନେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସ୍ଵଚ୍ଛ ଜଳର ବ୍ୟବସ୍ଥା ନାହିଁ। ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ପ୍ରାୟତଃ ଦେଖିବାକୁ ମିଳୁଛି। ଆବଶ୍ୟକୀୟ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜନ କରାଯିବା ଲାଗି ବଜେଟରେ ପ୍ରାବଧାନ ନ ରହିଲେ ଚିକିତ୍ସା ଯୋଗାଇଦେବା ଅସମ୍ଭଵ ହେବ। ସେହିପରି ଅଙ୍ଗନବାଡି କେନ୍ଦ୍ରରେ ଆବଶ୍ୟକୀୟ ପରିମଳ ପାଇଁ ବଜେଟରେ ବ୍ୟବସ୍ଥା କରାଯିବ ଜରୁରୀ। ସରକାର ସ୍ୱାସ୍ଥ୍ୟକୁ ନେଇ ମାଳ ମାଳ ଯୋଜନା କରିଛନ୍ତି। ରୋଗୀ ଓ ସମ୍ପର୍କୀୟ ତ ଦୂରର କଥା ଡାକ୍ତର ବି ଜାଣିନାହାନ୍ତି କେତେ ପ୍ରକାର ଯୋଜନା ଅଛି। ସବୁ ଯୋଜନାକୁ ମିଶାଇ ଗୋଟିଏ ସ୍ୱାସ୍ଥ୍ୟ ଯୋଜନା କରାଯାଇ ପାରିଲେ ଏ କ୍ଷେତ୍ରରୁ ସାଧାରଣ ଜନତା ସୁଫଳ ପାଇପାରନ୍ତେ।

ସାମାଜିକ ସୁରକ୍ଷାକୁ ଉପେକ୍ଷା
ସାମାଜିକ ସୁରକ୍ଷା କ୍ଷେତ୍ରରେ ବ୍ୟୟବରାଦ ତୁଳନାତ୍ମକ ଭାବେ ହ୍ରାସ ପାଉଛି। ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରିନି ଯୋଜନା। ବଜେଟରେ ସମସ୍ତ ଯୋଗ୍ୟ ଲୋକଙ୍କ ପାଇଁ ପ୍ରାବଧାନ ରହୁନି। ଅଯୋଗ୍ୟ ପାଉଛନ୍ତି ଆଉ ଯୋଗ୍ୟଙ୍କୁ ମିଳୁନି। ଆବଶ୍ୟକୀୟ ଡାଟାବେସ ନ ଥିବାରୁ ଯୋଜନା ବାଟବଣା ହେଉଛି। ସେହିପରି ଶିକ୍ଷା, ପାନୀୟ ଜଳ, ପୁଷ୍ଟିସାଧନ, ଗ୍ରାମାଞ୍ଚଳରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅର୍ଥ ଖର୍ଚ୍ଚ ହୋଇପାରୁନି। ଏହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ରାଜ୍ୟର ବିକାଶ ପାଇଁ ସମ୍ବଳ ସଂଗ୍ରହର ଉତ୍ସ ବଢ଼ାଇବାକୁ ପଡ଼ିବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିର ସର୍ବାଙ୍ଗୀନ ବିକାଶ ସହିତ ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ। ତୃଣମୂଳ ସ୍ତରରେ ଲୋକଙ୍କ ରୋଜଗାର ବୃଦ୍ଧି ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ସହିତ ବଜେଟ ଅର୍ଥ ଠିକଣା ଭାବେ ଖର୍ଚ୍ଚ କରାଗଲେ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି।

କୃଷି ଓଡ଼ିଶାର ପ୍ରମୁଖ କ୍ଷେତ୍ର ହୋଇଥିବା ବେଳେ ଏଥିରେ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ସଂଖ୍ୟା ଅଧିକ। ଜଳସେଚନ, ସମବାୟ ଓ ଅନ୍ୟାନ୍ୟ ଅର୍ଥଯୋଗାଣକାରୀ ସଂସ୍ଥାକୁ ମଜଭୁତ କରିବା ସହିତ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦ୍ବାରା ଚାଷୀମାନଙ୍କୁ ଆତ୍ମନିଯୁକ୍ତି, ରୋଜଗାର ବୃଦ୍ଧି ଓ ସାମାଜିକ ନିରାପତ୍ତା ଯୋଗାଇହେବ। ରାଜ୍ୟର ପ୍ରଥମ ବଜେଟରେ ଯୋଜନା ଖର୍ଚ୍ଚ ୩ହଜାର କୋଟି ଥିବାବେଳେ ଏହା ଏବେ ୭୪ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି, ହେଲେ ମୋଟ ଘରୋଇ ଉତ୍ପାଦ ୬୦ ହଜାର କୋଟିରୁ ଏବେ ୫ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି। ଯୋଜନା ଖର୍ଚ୍ଚ ତୁଳନାରେ ମୋଟ ଘରୋଇ ଉତ୍ପାଦ ନବଢ଼ିବା ଉଦ୍‌ବେଗର ବିଷୟ। ବଜେଟକୁ ଅଧିକ ବାସ୍ତବମୁଖୀ କରାଯିବା ଆବଶ୍ୟକ। କୋଭିଡ ସମୟରେ ଦେଶ ତଥା ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ମୋଟ ଘରୋଇ ଉତ୍ପାଦରେ ହ୍ରାସ ନିଶ୍ଚୟ ଘଟିବ। ଏହାକୁ ଦୃଷ୍ଟିରେ ରଖି ସରକାର କୃଷକଙ୍କ ପାଇଁ ସେମାନଙ୍କ ଚାଷ ଜମିରେ ବିକାଶ କାମକୁ ଏମଜିଏନଆରଜିଏ ସହିତ ଯୋଡି ୧୦୦ ଦିନ ବଦଳରେ ୧୨୦ ଦିନ କାମ କରିବା ଦିଗରେ ବ୍ୟବସ୍ଥା ଗ୍ରହଣକଲେ ନିଯୁକ୍ତି ସୃଷ୍ଟି ଓ ସ୍ୱାବଲମ୍ବୀ ହେବାର ବଡ଼ ଧାରା ଦେଖିବାକୁ ମିଳିପାରନ୍ତା।

କୋଭିଡ କାଳରେ ପିଇବା ପାଣି, ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ କ୍ଷେତ୍ର ଉପରେ ଅଧିକ ଜୋର ଦିଆଯିବାର ଆବଶ୍ୟକତା ରହିଛି। ମନରେଗା ମିଶନ ଭିତ୍ତିରେ କାର୍ଯ୍ୟକାରୀ କରାଗଲେ ଗ୍ରାମାଞ୍ଚଳରେ ସମ୍ପତ୍ତି ସୃଷ୍ଟି ସହିତ ଶ୍ରମିକ ଦେଶାନ୍ତରୀ ରୋକାଯାଇପାରିବ। ମଡ଼େଲ ସ୍କୁଲ ବାଦ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦିଆଯିବା ସହିତ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧକ ଘର ନିର୍ମାଣ ଓ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର। ରାଜ୍ୟ ସରକାର ମିଲେଟକୁ ଯେଭଳି ମିଶନ ମୋଡ଼ରେ କରୁଛନ୍ତି ସେହିଭଳି ଭାବେ ପ୍ରାକୃତିକ ଚାଷକୁ ମିଶନ ମୋଡ଼ ଦେଲେ ନାମମାତ୍ର ଓ ଛୋଟ ଚାଷୀମାନେ ଚାଷରୁ ବଞ୍ଚିପାରିବେ। ସେହିଭଳି ପଣ୍ୟାଗାର, କୃଷି ବଜାର, ଶୀତଳଭଣ୍ଡାର, ସୋଲାର ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ