ସ୍କୁଲ୍ ଫି’ ହ୍ରାସ ପ୍ରସଙ୍ଗ: ନିର୍ଦେଶର ତର୍ଜମା ପରେ ନିଷ୍ପତ୍ତି

ସ୍କୁଲ୍ ଫି’ ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ସରକାର: ହାଇକୋର୍ଟ

ଫଟୋ-ପ୍ରତିନିଧି
ଘରୋଇ ସ୍କୁଲ୍‌ ଫି’ ହ୍ରାସ ପ୍ରସଙ୍ଗରେ ହାଇକୋର୍ଟରେ ହୋଇଛି ଶୁଣାଣି। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ସ୍କୁଲ୍ ଫି’ ହ୍ରାସ ନେଇ ଯେକୌଣସି ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ ବୋଲି କହିଛନ୍ତି ହାଇକୋର୍ଟ। ଏହାଛଡ଼ା କୌଣସି ଘରୋଇ ସ୍କୁଲ୍‌ ନିର୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ଫି’ କୁ ନେଇ କୌଣସି ଘରୋଇ ସ୍କୁଲ୍ ଲାଭଖୋର ହୋଇପାରିବେ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ହାଇକୋର୍ଟଙ୍କ ନିର୍ଦେଶ ଆସିବା ପରେ ତାକୁ ତର୍ଜମା କରାଯିବ। ଏହାପରେ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୋରୋନା ସଂକ୍ରମଣ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ସ୍କୁଲ୍‌ ଯିବା ପୂର୍ବରୁ ଶିକ୍ଷକମାନଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ତେଣୁ ଭୟ କରିବାର କିଛି ନାହିଁ। ଯେଉଁମାନେ ପଜିଟିଭ୍‌ ହୋଇଛନ୍ତି ସେମାନେ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
 
ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର କରାଯାଇଥିବା ଏମ୍‌ଓୟୁକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସମ୍ପର୍କିତ ଏମ୍‌ଓୟୁକୁ ନେଇ ଯଦି କୌଣସି ଅନୁଷ୍ଠାନ ବା ପକ୍ଷଙ୍କ ଭିନ୍ନ ମତ ରହୁଥାଏ ତେବେ ସେମାନେ ପ୍ରତିକାର ପାଇଁ ଆଇନ ଅନୁସାରେ ପୃଥକ୍‌ ଭାବେ ମାମଲା ଦାଏର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।  ହାଇକୋର୍ଟ କହିଛନ୍ତି, ୨୩ ସେପ୍ଟେମ୍ବର ୧୯୯୬ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ରିଜୋଲ୍ୟୁସନ୍‌ ଆଧାରରେ ରାଜ୍ୟ ସରକାର ଫି’ ଧାର୍ଯ୍ୟ କରିପାରିବେ। ଯେକୌଣସି ଫି’ ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫି’ ବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନ୍‌ରେ ଦର୍ଶାଯାଇଥିଲା। ଏ ସମ୍ପର୍କିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦେଶକୁ ଉଠାଇ ଦିଆଯାଇଛି। ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବେଳେ ଉଦ୍ଦେଶ୍ୟ ଲାଭ ହେବା ଉଚିତ୍‌ ନୁହେଁ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ୍‌ଗୁଡ଼ିକର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସୁପ୍ରିମ୍‌କୋର୍ଟଙ୍କ ବିଭିନ୍ନ ରାୟ ସଙ୍ଗତ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌ ମୁରଲୀଧର ଓ ଡକ୍ଟର ଜଷ୍ଟିସ୍‌ ବି ଆର୍‌ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। ଏପରି ନିର୍ଦେଶ ଦେବା ସହିତ ହାଇକୋର୍ଟ ଏ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ