ସମ୍ବଲପୁରରେ ଫଳୁଛି ସ୍ୱାଦିଷ୍ଟ ସେଓ


ସମ୍ବଲପୁରରେ ଫଳିଛି ସ୍ୱାଦିଷ୍ଟ ସେଓ
ଲାଲ ଟହଟହ ଲିଚୁ ଓ ସବୁଠୁ ରାଗ ଲାଲଲଙ୍କା ପାଇଁ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ସମ୍ବଲପୁରର କୁଚିଣ୍ଡା ଉପଖଣ୍ଡ ଏବେ ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଭଳି ସେଓ ଅମଳ କରି କୃଷି ଅଭ୍ୟାସରେ ନୂଆ ଯୋଗଦାନ ଦେଇଛି।

କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକର ଗମ୍ଭାରିମୁଣ୍ଡା ଗାଁରେ ଏବେ ଫଳିଛି ସେଓ। ଗାଁର ଗଉନ୍ତିଆ ଆନନ୍ଦ ନାୟକ ଓ ଉମାକାନ୍ତ କଉଡ଼ି ପ୍ରଥମେ ୟୁ ଟ୍ୟୁବରୁ ଆପଲ ଚାଷ ବିଷୟରେ ଦେଖିବା ପରେ ଏହାକୁ ନିଜ ଘରବାଡିରେ ଲଗାଇବା ଯୋଜନା କରିଥିଲେ। ଉମାକାନ୍ତ ଓ ତାଙ୍କର ଅନ୍ୟ ଦୁଇଭାଇ ଏଥିରେ ସହଯୋଗ କଲେ। ହିମାଚଳରୁ ମଗାଗଲା ଚାରା। ପାଖାପାଖି ୧୦୦ଟି ଆପଲ ଚାରା ମଗାଇ ଉମାକାନ୍ତ ନିଜର ଘର ପଛ ପଟେ ଆରମ୍ଭ କଲେ ଆପଲର ଏକ ବଗିଚା। ଗଛଗୁଡିକ ହେବ କି ନାହିଁ ମନରେ ଥିଲା ଦ୍ଵନ୍ଦ୍ବ। ଗଛ ମୂଳେ କଞ୍ଚା ଗୋବର, ହରମୋନ ଓ ଆବଶ୍ୟକୀୟ ପାଣି ଏବଂ କୀଟନାଶକ ପ୍ରୟୋଗ ସହ ଦେଖାରଖା କରାଯିବା ପରେ ସବୁଜ ସେଓରେ ବୋଝେଇ ହୋଇଗଲା ବଗିଚା। ଗାଁରେ ପ୍ରଥମ କରି ମୂଲ୍ୟବାନ ଫଳ ଫଳିଥିବାରୁ ଉମାକାନ୍ତଙ୍କ ସେଓ ବଗିଚାରେ ଆଖପାଖ ଅଞ୍ଚଳର ଚାଷୀଙ୍କ ଭିଡ଼ ବଢ଼ିଲା। ପୂରା ଗାଁ ଏଥିରେ ଖୁସିଥିବା ଦେଖାଯାଇଥିଲା।

କୁଚିଣ୍ଡାର ଗ୍ରାମାଞ୍ଚଳରେ ଶୀତ ଟିକେ ଅଧିକ। ଏଠାକାର ବଡ଼ବାହାଳ ଗାଁ ଲିଚୁ ଉତ୍ପାଦନରେ ରାଜ୍ୟରେ ଆଗରେ ରହିଥିବା ବେଳେ ଏବେ ଗମ୍ଭାରମୁଣ୍ଡା ଗାଁରେ ସେଓ ଅମଳ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଉମାକାନ୍ତଙ୍କ ବଗିଚାରେ ହୋଇଥିବା ସେଓ ବହୁତ ମିଠା ଓ ଆକାର ୧୦୯ ଗ୍ରାମରୁ ଅଧିକ ଥିବା ଜଣାଯାଇଛି। ଥଣ୍ଡା ଜଳବାୟୁରେ ଭଲ ଅମଳ ଦେଉଥିବା ଏହି ସ୍ୱାଦିଷ୍ଟ ଆପଲ ଏବେ ୪୦ ଡିଗ୍ରୀ ତାପମାତ୍ରାରେ ବି ହୋଇପାରୁଥିବା କହିଛନ୍ତି ଉମାକାନ୍ତ। ଆଗକୁ ୫୦୦ ଚାରା ରୋପଣ ପାଇଁ ଉମାକାନ୍ତ ଓ ତାଙ୍କର ଅନ୍ୟ ଦୁଇଭାଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ