ଶେଷ ଟେଷ୍ଟରୁ ଜାଡେଜା ଆଉଟ୍, ଭାରତର ପିଛା ଛାଡ଼ୁନି ଆହତ ସମସ୍ୟା


ଅଷ୍ଟ୍ରେଲୀୟ ପେସର୍ ମିଚେଲ୍ ଷ୍ଟାର୍କଙ୍କ ବାଉନ୍ସରରେ ଆହତ ହୋଇଛନ୍ତି ଜାଡେଜା
ଚଳିତ ସିଡନୀ ଟେଷ୍ଟର ତୃତୀୟ ଦିନର ବ୍ୟାଟିଂରେ ଭାରତ ପ୍ରଥମ ଇନିଂସ ଭିତ୍ତିରେ ପଛୁଆ ରହିବା ସହ ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଆହତ ହୋଇଛନ୍ତି। ବ୍ୟାଟିଂ ବେଳେ ଓ୍ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ କହୁଣୀରେ ଆଘାତ ପାଇଥିବା ବେଳେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ତାଙ୍କ ବାମ ହାତ ବୃଦ୍ଧାଙ୍ଗୁଳିରେ ଆଘାତ ପାଇଛନ୍ତି। ଭାରତର ପ୍ରଥମ ଇନିଂସ୍‌ରେ ପ୍ୟାଟ୍ କମିନ୍ସଙ୍କ ଏକ ବାଉନ୍ସର୍ ପନ୍ତଙ୍କ କହୁଣିରେ ବାଜିଥିଲା। ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ବେଳେ ତାଙ୍କ ନିକଟରେ ଫିଜିଓ ପହଞ୍ଚିଥିଲେ। ପନ୍ତ୍ ପେନ୍ କିଲିଙ୍ଗ୍ ସ୍ପ୍ରେ ଲଗାଇବା ସହ ଏଲ୍‌ବୋ ବ୍ୟାଣ୍ଡେଜ୍ ବାନ୍ଧି ବ୍ୟାଟିଂ ପିଚକୁ ଫେରିଥିଲେ। କିନ୍ତୁ ସେ ବେଶୀ ସମୟ ତିଷ୍ଠି ପାରି ନ ଥିଲେ ଓ ଜୋଶ୍ ହେଜଲଉଡଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ତେବେ ଦଳକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଛି ଓ ଦଳର ପ୍ରମୁଖ ଅଲ୍‌ରାଉଣ୍ଡର୍ ଜାଡେଜା ଆଉଟ୍ ହୋଇଯାଇଛନ୍ତି। ଅଷ୍ଟ୍ରେଲୀୟ ପେସର୍ ମିଚେଲ୍ ଷ୍ଟାର୍କଙ୍କ ଏକ ବାଉନ୍ସର ଜାଡେଜାଙ୍କ ବୃଦ୍ଧାଙ୍ଗୁଳିରେ ଲାଗିଥିଲା ସେ ମଧ୍ୟ ପେନ୍ କିଲିଙ୍ଗ୍ ସ୍ପ୍ରେ ଲଗାଇବା ସହ ବ୍ୟାଣ୍ଡେଜ୍ ବାନ୍ଧି ବ୍ୟାଟିଂ ଜାରି ରଖିଥିଲେ।

କିନ୍ତୁ ପରେ ସେ ଓ ପନ୍ତ୍ କେହି ବି ପଡ଼ିଆକୁ ଫିଲ୍ଡିଂ ପାଇଁ ଆସି ନ ଥିଲେ। ପନ୍ତଙ୍କ ସ୍ଥାନରେ ଓ୍ୱିକେଟ୍‌କିପିଙ୍ଗ୍ ଦାୟିତ୍ୱ ଋଦ୍ଧିମାନ ସାହା ତୁଲାଇଥିଲେ। ଉଭୟଙ୍କ ଆଘାତର ସ୍କାନ୍ କରାଯିବା ପରେ ଜାଡେଜା ପୁଣିଥରେ ସିରିଜ୍‌ରୁ ବାଦ୍ ପଡ଼ିଥିବା ଟିମ୍ ମ୍ୟାନେଜମେଣ୍ଟ୍‌ ପକ୍ଷରୁ କୁହାଯାଇଛି। ପୂର୍ବରୁ ସେ ଚଳିତ ଗସ୍ତରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଷ୍ଟାର୍କଙ୍କ ବାଉନ୍ସରରେ ଆହତ ହୋଇ ଉକ୍ତ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍ ଖେଳିପାରି ନ ଥିଲେ। କିନ୍ତୁ ସେ ଗତ ମେଲବର୍ଣ୍ଣ ଟେଷ୍ଟ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଆସନ୍ତା ୧୫ରୁ ବ୍ରିସବେନଠାରେ ଆରମ୍ଭ ହେଉଥିବା ଶେଷ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଜାଡେଜାଙ୍କ ବାମହାତର ଆଙ୍ଗୁଠିରେ ଫାଟ ସୃଷ୍ଟି ହୋଇଛି ଏହି ଫାଟ ଭରିବା ପାଇଁ ତାଙ୍କୁ ଅତି କମରେ ୩ ସପ୍ତାହ ସମୟ ଲାଗିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଅବଶ୍ୟ ପନ୍ତଙ୍କ ଆଘାତ ସେତେଟା ଗମ୍ଭୀର ନୁହେଁ ଓ ସେ ଚତୁର୍ଥ ଇନିଂସରେ ବ୍ୟାଟିଂ କରିପାରନ୍ତି ବୋଲି ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ୍‌ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଜାଡେଜା ସିରିଜ୍‌ରୁ ବାଦ୍ ପଡ଼ିବା ଭାରତ ପାଇଁ ସବୁଠାରୁ ବଡ଼ ଝଟ୍‌କା ହୋଇଛି। ବିଶେଷକରି ପ୍ରଥମ ଇନିଂସରେ ସେ ସର୍ବାଧିକ ଓ୍ୱିକେଟ୍ ନେବା ସହ ଚମତ୍କାର ରନ୍ଆଉଟ୍ ମାଧ୍ୟମରେ ଷ୍ଟିଭେନ୍ ସ୍ମିଥଙ୍କ ଶତକୀୟ ଇନିଂସର ପରିସମାପ୍ତି ଘଟାଇଥିଲେ। ଅଧିକନ୍ତୁ ତୃତୀୟ ଟେଷ୍ଟରେ ଅଦ୍ୟାବଧି ଭାରତ ଯଥେଷ୍ଟ ପଛରେ ଥିବାରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କର ଆବଶ୍ୟକତା ଅନୁଭୂତ ହୋଇଥିଲେ ମଧ୍ୟ ସେ ଆହତ ଥିବାରୁ ଏହା ଅଧିନାୟକ ରାହାଣେଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଠାରେ ବିଜୟୀ ହୋଇ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିଲେ ହେଁ ବର୍ତ୍ତମାନ ଏହା ଦୁରୁହ ବ୍ୟାପାର ପରି ମନେ ହେଉଛି। ପୂର୍ବରୁ ସିରିଜରେ ମହମ୍ମଦ ଶମୀ, ଉମେଶ ଯାଦବ ଆହତ କାରଣରୁ ବାଦ୍ ପଡ଼ିସାରିଛନ୍ତି। ତେଣୁ ସିରିଜରେ ଆଘାତଜନିତ ସମସ୍ୟା ଭାରତୀୟ ଟିମର ପିଛା ଛାଡ଼ିବାର ନାଁ ଧରୁନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ