ପଦ୍ମିନୀଙ୍କ ସ୍ବପ୍ନ ସାକାର: ଫୁଲଟାଇମ ଚାକିରି ଓ ଗର୍ଭଧାରଣ ସତ୍ତ୍ବେ ଆଇଏଏସ


ପରିବାର ଲୋକଙ୍କ ସହ ପଦ୍ମିନୀ
ଯଦି ଇକ୍ତା ଶକ୍ତି ରହିଛି, ତେବେ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ନୁହେଁ। ଏହା ପୂରାପୂରି ସତ ପ୍ରମାଣିତ ହୋଇଛି ପଦ୍ମିନୀ ନାରାୟଣଙ୍କ ପାଖରେ। ପଦ୍ମିନୀ ଗର୍ଭବତୀ ହେବା ସତ୍ତ୍ବେ ନିଜ ଫୁଲ ଟାଇମ ସରକାରୀ ଚାକିରି ଛାଡ଼ି ନ ଥିଲେ। ସାରାଦିନର ଧାଁଧପଡ଼ ତଥା ଶାରୀରିକ ଓ ମାନସିକ ଥକାପଣ ସତ୍ତ୍ବେ ସେ ତାଙ୍କର ଆଇଏଏସ ହେବାର ସ୍ବପ୍ନକୁ ଛାଡ଼ି ନ ଥିଲେ। ସେ ସକାଳେ ଡ୍ୟୁଟି ଯିବା ପୂର୍ବରୁ ଓ ରାତିରେ ଘରକୁ ଫେରିବା ପରେ କାମ ସାରି ପ୍ରସ୍ତୁତି କରୁଥିଲେ। ଏଥିରେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଖୁବ ସହଯୋଗ କରୁଥିଲେ। ପ୍ରେଗ୍ନାନ୍ସି କାରଣରୁ ଅନେକ ଶାରୀରିକ ପ୍ରତିବନ୍ଧକ ଆସିଥାଏ। କିନ୍ତୁ ପଦ୍ମିନୀ ଆଶା କି ପ୍ରସ୍ତୁତି କିଛି ବି ଛାଡ଼ି ନ ଥିଲେ। ଶେଷରେ ପଦ୍ମିନୀଙ୍କ ପରିଶ୍ରମର ଫଳ ମିଳିଥିଲା। ୟୁପିଏସସିରେ ୧୫୨ତମ ରାଙ୍କ ହାସଲ କରି ସେ ଆଇଏଏସ ଅଫିସର ପାଲଟିଛନ୍ତି। ଚାଲନ୍ତୁ ଜାଣିବା ଏହି ମହିଳାଙ୍କ ସମ୍ପର୍କରେ।

ଦ୍ବାରକା ସେକ୍ଟର ୧୩ସ୍ଥିତ ଗୁଲିସ୍ତାଁ ଆପାର୍ଟମେଣ୍ଟରେ ପତି ଓ ଶାଶୁ ଶ୍ବଶୁରଙ୍କ ସହିତ ରହୁଥିବା ପଦ୍ମିନୀଙ୍କ ବାହାଘରକୁ ୪ ବର୍ଷ ବିତିଗଲାଣି। ଏବେ ସେ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରାଳୟରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଶାଶୁ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି। ପଦ୍ମିନୀଙ୍କ ପତି ରିୟଲ ଇଷ୍ଟେଟ ବିଜନସ କରୁଥିବା ବେଳେ ଶ୍ବଶୁର ଜଣେ ଅବସରପ୍ରାପ୍ତ କର୍ମଚାରୀ। ପଦ୍ମିନୀ ଗତ କିଛି ବର୍ଷ ହେଲାଣି ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ। ପ୍ରଥମ ଦୁଇଟି ପ୍ରୟାସରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ପାସ କରିପାରି ନ ଥିଲେ। କିନ୍ତୁ ଏଥିରେ ସେ ହତାଶ ହୋଇ ନ ଥିଲେ। ତୃତୀୟ ପ୍ରଚେଷ୍ଟାରେ ସେ ପାଠ ପଢ଼ିବାର ପଦ୍ଧତି ବଦଳାଇ ଦେଇଥିଲେ ଓ ଦୃଢ଼ ଲକ୍ଷ୍ୟ ସ୍ଥିର କରି ୧୫୨ତମ ସ୍ଥାନ ପ୍ରାପ୍ତ କରିଛନ୍ତି।

ପତି ପଢ଼ୁଥିଲେ ପୁସ୍ତକ
ପଦ୍ମିନୀଙ୍କ ମୁତାବକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସମୟରେ ତାଙ୍କୁ ପରିବାରର ଭରପୂର ସହଯୋଗ ମିଳିଥିଲା। ଗର୍ଭବତୀ ଥିବା କାରଣରୁ ଅନେକ ସମସ୍ୟା ହୋଇଥିଲା। ଲଗାତର ବହି ପଢ଼ିବା ତାଙ୍କ ପାଇଁ ସମ୍ଭବ ହେଉ ନ ଥିଲା। ତେଣୁ ତାଙ୍କ ପତି ତାଙ୍କୁ ବହି ପଢ଼ାଇ ଶୁଣାଉ ଥିଲେ। ପ୍ରାରମ୍ଭିକ ପରୀକ୍ଷାଠାରୁ ଆରମ୍ଭ କରି ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାର ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ସହଯୋଗ କରିଥିଲେ।

ପଦ୍ମିନୀ କହିଛନ୍ତି ଯେ ସକାଳ ୯ଟାରୁ ସେ ଲାଇବ୍ରେରୀ ଚାଲିଯାଉଥିଲେ। ଯାହାଫଳରେ ପାଠପଢ଼ାରେ ତାଙ୍କୁ କେହି ଡିଷ୍ଟର୍ବ କରିବେ ନାହିଁ। ଗର୍ଭବତୀ ଥିବାରୁ ତାଙ୍କୁ ତାଙ୍କର ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନଶୀଳ ହେବାକୁ ପଡ଼ୁଥିଲା। ପରୀକ୍ଷା ପାସ କରିବା ପାଇଁ ଶାରୀରିକ ଓ ମାନସିକ ଭାବେ ଫିଟ ରହିବା ମଧ୍ୟ ଦରକାର। ଯଦି ଆପଣ ତ୍ୟାଗ ଓ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛନ୍ତି, ତେବେ ସଫଳ ହେବାରୁ କେହି ଆପଣଙ୍କୁ ରୋକିପାରିବେ ନାହିଁ ବୋଲି ପଦ୍ମିନୀ କହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ