ବୁଲାବୁଲି
ଶୀତରେ ବୁଲନ୍ତୁ ଦକ୍ଷିଣ ଭାରତର ଆଗ୍ରା ‘ବୀଜାପୁର’

ବୀଜାପୁରର ଇବ୍ରାହିମ ରୋଜା
ବେଙ୍ଗାଳୁରୁ ଠାରୁ ପାଖାପାଖି ୫୩୦ କିମି ଦୂରରେ ଅବସ୍ଥିତ ବୀଜାପୁର। ଏହାର ପ୍ରାଚୀନ ନାମ ବିଜୟପୁର ଅଟେ। ଆଦିଲ ବଂଶର ରାଜଧାନୀ ଥିବା ଏହି ସହରର ଇତିହାସ ନିଜ ସ୍ବର୍ଣ୍ଣିମ ଅତୀତକୁ ମନେପକାଇ ଥାଏ। କନ୍ନଡ଼ ଭାଷାଭାଷୀ ରହୁଥିବା ଏହି ସହର ପର୍ଯ୍ୟଟକଙ୍କୁ ଜୋରଦାର ସ୍ବାଗତ କରିଥାଏ। ସଫାସୁତୁରା ସଡ଼କ ଓ ମୋଗଲକାଳୀନ ସ୍ଥାପତ୍ୟ କଳାର ଏହି ସହରରେ ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଦକ୍ଷିଣ ଭାରତର ଆଗ୍ରା ନାମରେ ଏହାର ଯଥେଷ୍ଟ ପରିଚିତି ରହିଛି।
ଦକ୍ଷିଣ ଭାରତର ଆଗ୍ରା
ଏଠାରେ ନିର୍ମାଣ ହୋଇଥିବା ସ୍ମାରକ ‘ଇବ୍ରାହିମ ରୋଜା’ରୁ ହିଁ ଶାହଜହାଁ ତାଜମହଲ ଡିଜାଇନ କରିବା ପ୍ରେରଣା ନେଇଥିବାରୁ ବୀଜାପୁରକୁ ଦକ୍ଷିଣ ଭାରତର ଆଗ୍ରା ବୋଲି କୁହାଯାଏ। ଇବ୍ରାହିମ ରୋଜା ଆଦିଲ ଶାହ ଦ୍ବିତୀୟ ଓ ତାଙ୍କ ରାଣୀଙ୍କ ସମାଧି ଅଟେ। ପାର୍ସି ମୁସଲିମ ବାସ୍ତୁକଳାରେ ନିର୍ମିତ ଏହି ଚମତ୍କାର ସ୍ମାରକ ଏକ ଚଟାଣ ଉପରେ ନିର୍ମାଣ କରାଯାଇଛି। ୩୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସ୍ମାରକଟି ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ଏହାର ସ୍ଥାପତ୍ୟ କଳା ପର୍ଯ୍ୟଟକଙ୍କୁ ଆଚମ୍ବିତ କରିଥାଏ। କାରୁକାର୍ଯ୍ୟ ଏଭଳି ହୋଇଛି ଯେ ଏହା ପଥରରେ ନିର୍ମିତ ହୋଇଥିଲେ ବି କପଡ଼ାର ଭ୍ରମ ସ୍ଷ୍ଟି କରେ।
ମାଲିକ ଏ ମୈଦାନ
ଏଠାରେ ଥିବା ମାଲିକ ଏ ମୈଦାନ ଏବେ ସଂଗ୍ରହାଳୟରେ ପରିବର୍ତ୍ତନ କରିଦିଆଯାଇଛି। ଏହାର ଦ୍ବାରରେ ଭଗ୍ନ ମୂର୍ତ୍ତି ଓ ଅବଶେଷ ରଖାଯାଇଛି। ଏହା ଅଷ୍ଟମରୁ ଷୋଳଶ ଶତାବ୍ଦୀର ଗାଥା ଗାଉଛି। ଅଷ୍ଟମ ଶତାବ୍ଦୀରେ ପଥରରେ ନିର୍ମିତ ହ୍ୟାଣ୍ଡଲଯୁକ୍ତ ଡମ୍ବଲରୁ ଜଣାପଡ଼ୁଛି ଯେ ସେହି ସମୟରେ ମଧ୍ୟ ଲୋକେ ସ୍ବାସ୍ଥ୍ୟ ଓ ଫିଟନେସ ପାଇଁ କେତେ ସଜାଗ ଥିଲେ। ଶିବଲିଙ୍ଗ, ଗଣପତି, ମହାବୀର ବୁଦ୍ଧଙ୍କ ମୂର୍ତ୍ତି ଆସ୍ଥାର ପ୍ରତୀକ ଭାବେ ଏଠାରେ ରଖାଯାଇଛି। ଏହି ସଂଗ୍ରହାଳୟର ଆକର୍ଷଣ ହେଉଛି ଏକ ଶିଳାଲିପି, ଯେଉଁଥିରେ ଆରବୀ-ପାର୍ସି ଓ କନ୍ନଡ଼ ଭାଷାରେ ଲେଖାଯାଇଛି।
କିପରି ଓ କେବେ ଯିବେ
ସୋଲାପୁର ବିମାନବନ୍ଦରରୁ ବୀଜାପୁର ୯୮ କିମି ଦୂରରେ ରହିଛି। ରେଳ ଓ ସଡ଼କ ମାର୍ଗ ଦ୍ବାରା ଏହା ପୂରା ଦେଶରେ ଯୋଡ଼ି ହୋଇ ରହିଛି। ସହରରେ ବୁଲିବା ପାଇଁ ଅଟୋ, ରିକ୍ସା, ବସ, ଟ୍ୟାକ୍ସି ଆଦି ଗମନାଗମନ ସୁବିଧା ରହିଛି। ବର୍ଷ ସାରା ଏଠା ପର୍ଯ୍ୟଟକ ଆଗମନକୁ ସ୍ବାଗତ କରିଥାଏ। କିନ୍ତୁ ଏଠାକୁ ଆସିବାର ସବୁଠାରୁ ଉପଯୁକ୍ତ ସମୟ ହେଉଛି ଫେବ୍ରୁଆରୀ ମାସ ମଧ୍ୟଭାଗ। ଏହି ସମୟରେ ଏଠାର ତାପମାତ୍ରା ୨୦ରୁ ୩୦ ଡିଗ୍ରୀ ରହିଥାଏ। ଜାନୁଆରୀ ମାସରେ ଏଠାରେ ସିଦ୍ଧେଶ୍ବର ଟେମ୍ପଲ ଫେଷ୍ଟିଭାଲର ଆୟୋଜନ କରାଯାଇଥାଏ। ଏହି ସମୟରେ ପୂରା ସହର ଉତ୍ସବ ମୁଖର ହୋଇଯାଏ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ