ଜଳକଷ୍ଟ ଦୂର କରୁଛି କମ୍ୟୁନିଟି ବୋରୱେଲ ଅଭିଯାନ


କମ୍ୟୁନିଟି ବୋରୱେଲ ଅଭିଯାନ
ରାୟଗଡା, ବଲାଙ୍ଗିର ଓ ବରଗଡ଼ର ଜଳକଷ୍ଟ ଅଞ୍ଚଳରେ ଆରମ୍ଭ ହୋଇଛି ନୂଆ ଏକ ମିଶନ। କମ୍ୟୁନିଟି ବୋରୱେଲ ଅଭିଯାନ ମାଧ୍ୟମରେ ଗରିବ ଲୋକଙ୍କୁ ଦିଆଯାଉଛି ଜଳ ଉପରେ ଅଧିକାର। ଅଧିକାର ନାମକ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗାଁ ମାନଙ୍କରେ ୫ରୁ ୧୦ ଜଣିଆ ଜଏଣ୍ଟ ଲାଏବିଲିଟି ଦଳ ଗଢି ପାଇପ ମାଧ୍ୟମରେ ସ୍ବଚ୍ଛ ପାନୀୟ ଜଳ ଘର ନିକଟରେ ପହଞ୍ଚାଇଦେବାର ନିଆରା ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଛନ୍ତି।

ଲୋକଙ୍କୁ ମିଳୁଛି ଜଳର ହକ
ପାଣି ପାଇଁ ଏବେ ଆଉ ଘର ଠାରୁ ଦୂର ନଦୀ ନାଳ କି ଚୂଆକୁ ଯିବାକୁ ପଡୁନି। ସରକାରୀ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡୁନି କି ପ୍ରଦୂଷିତ ପାଣି ପିଇବାକୁ ପଡୁନି। ଲୋକେ ଜଳଉତ୍ସ ଉପରେ ପାଇଛନ୍ତି ମାଲିକାନା। ଏହି ସୁନ୍ଦର ଓ ଚିରନ୍ତନ ଯୋଜନାର କାର୍ଯ୍ୟାନ୍ବୟନରେ ମଧ୍ୟ ଲୋକେ ସହଯୋଗ କରୁଛନ୍ତି। ବୋରୱେଲଟିଏ ଖୋଳିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ମାତ୍ର ୨୦ ହଜାର ଟଙ୍କାରେ ଏଭଳି ବୋରୱେଲର ମାଲିକ ହୋଇପାରୁଛନ୍ତି ଗ୍ରାମବାସୀ। ଏ କଥାକୁ ସମ୍ଭବ କରାଇଛି ଅଧିକାର ମାଇକ୍ରୋ ଫାଇନାନ୍ସ ସଂସ୍ଥା। ଏହି ୨୦ ହଜାର ଟଙ୍କା ମଧ୍ୟ ଗୃହକର୍ତ୍ତାଙ୍କୁ ହଠାତ ଦେବାକୁ ପଡୁନି। ସମ୍ପୃକ୍ତ ସଂସ୍ଥା ଋଣ ଆକାରରେ ଯୋଗାଇଦେଉଛି ଏଭଳି କାମ ପାଇଁ। ମୋଟାମୋଟି ଭାବେ କହିବାକୁ ଗଲେ ଜଳ କଷ୍ଟ ଭୋଗୁଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରେ କମ୍ୟୁନିଟି ବୋରୱେଲ ଯୋଜନା କରି ଲୋକଙ୍କୁ ମର୍ଯ୍ୟଦାପୂର୍ଣ୍ଣ ଜୀବନ ଜିଇବାରେ ସହାୟତା କରୁଛି ଅଧିକାର ମାଇକ୍ରୋ ଫାଇନାନ୍ସ। ସମ୍ପୃକ୍ତ ସଂଗଠନ ବରଗଡ଼, ବଲାଙ୍ଗିର ଓ ରାୟଗଡା ଜିଲ୍ଲାରେ ଏକାଧିକ ପରିବାରକୁ ନେଇ ଜଏଣ୍ଟ ଲାଏବିଲିଟି ଗ୍ରୁପ ଗଢିଛନ୍ତି। ଗୋଟିଏ ପରିବାରକୁ ୨୦ ହଜାର ଟଙ୍କାର ଋଣ ମଞ୍ଜୁର କରାଯାଉଛି। ଦଳରେ ଥିବା ପରିବାର ଏହି ଟଙ୍କା ମିଶାଇ ଖୋଳୁଛନ୍ତି ଗଭୀର କୂପ। ପାଇପ ସଂଯୋଗ କରାଇ ଘର ନିକଟକୁ ନେଉଛନ୍ତି ପିଇବା ପାଣି। ଛାତ ଉପରେ ପାଣି ଟାଙ୍କି ବସାଇ ମହଜୁଦ କରିରଖୁଛନ୍ତି। ବୋରୱେଲର ଜଳଧାରଣ କ୍ଷମତା ପାଇଁ ତା ଚାରିପଟେ ରିଚାର୍ଜ ହେବା ଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତ୍ୟେକ ସଦସ୍ୟଭୁକ୍ତ ପରିବାର ଦୈନିକ ଅନ୍ୟୁନ ୭୫୦ ଲିଟର ପାନୀୟ ଜଳ କିଭଳି ନିରନ୍ତର ପାଇପାରିବେ ସେ ବ୍ୟବସ୍ଥା ଦେଖୁଛନ୍ତି ଗ୍ରାମୀଣ ଓଡ଼ିଶାର ଏହି ମହିଳାମାନେ। ଲୋକଙ୍କ ଏହି ଜଳ ପ୍ରକଳ୍ପର ଦେଖାରଖା ଦାୟିତ୍ୱ ବି ଦଳ ନେଉଛି। ସରକାରୀ ବ୍ୟବସ୍ଥାକୁ ଅପେକ୍ଷା ନ କରି ଦ୍ୱାରମୁହଁରେ ପାନୀୟ ଜଳ ଯୋଗାଣର ଏହି ନିଆରା ଧାରା ଲୋକଙ୍କ ସ୍ୱାଭିମାନ ଓ ଆତ୍ମବିଶ୍ୱାସ ବଢ଼ାଉଛି।

ଅଧିକାର ମାଇକ୍ରୋ ଫାଇନାନ୍ସ ସଂସ୍ଥା ପକ୍ଷରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଓ ବଲାଙ୍ଗିର ସଦର ବ୍ଲକର ସରଗଡ଼ ପାଲୀ ଗାଁରେ ଏଭଳି (ଜେଏଲଜି) ଜଏଣ୍ଟ ଲାଇବିଲିଟି ଗ୍ରୁପ ଗଢାଯାଇ ପାଞ୍ଚ ଜଣିଆ ପରିବାରର ପ୍ରତ୍ୟେକ ପରିବାରକୁ ୨୦ ହଜାର ଟଙ୍କାର ଋଣ ସହାୟତା ଦିଆଯାଇ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଓ ପରିଚାଳନାର ନିଆରା ଧାରା ଆରମ୍ଭ କରାଯାଇଛି। ବରଗଡ଼ ଜିଲ୍ଲା ଭଟଲି ବ୍ଲକର ପଣ୍ଡିକି ମାଲ ଗାଁରେ ମଧ୍ୟ ଅନୁରୂପ ଭାବେ ଦଳ ଗଢାଯାଇ ଆରମ୍ଭ କରାଯାଇଛି ଜଳଯୋଗାଣର ନିଆରା ଉଦ୍ୟମ। ରାଜ୍ୟର ସବୁଠୁ ବେଶୀ ଜଳସମସ୍ୟା ଥିବା ଅଞ୍ଚଳରେ ଏଭଳି କାମକୁ ଅଧିକାର ମାଇକ୍ରୋ ଫାଇନାନ୍ସ ସଂସ୍ଥା ଫୋକସ କରିଥାଏ ବୋଲି ମତ ରଖିଛନ୍ତି ସଂସ୍ଥାର ମୁଖ୍ୟ ସଂସ୍ଥାପକ ମହମ୍ମଦ ଏମଏନ ଅମିନ। ତେବେ ଏଭଳି କମ୍ୟୁନିଟି ବୋରୱେଲ ନିର୍ମାଣ ପୂର୍ବରୁ ଆମେ ସ୍ଥାନୀୟ ଜଳଉତ୍ସ, ଆବଶ୍ୟକତା, ଭୂତଳ ଜଳର ସାରଣୀ, ସ୍ଥିତି ଓ ସମସ୍ୟା ସମ୍ପର୍କରେ ବିଶଦ ସର୍ଭେ କରିଥାଉ ବୋଲି କହିଛନ୍ତି ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ରବର୍ଟ।

ରବର୍ଟଙ୍କ ଅନୁଯାୟୀ ଜଳଶକ୍ତି ମନ୍ତ୍ରାଳୟ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୧୫ ଜିଲ୍ଲାରେ ଜଳ ପ୍ରଦୂଷିତ ନେଇ ତଥ୍ୟ ରଖୁଥିବା ବେଳେ ଏକ ସର୍ଭେ ଅନୁଯାୟୀ ବଲାଙ୍ଗିର ଜିଲ୍ଲାର ୪୦ ନମୁନା ଗାଁ ମଧ୍ୟରୁ ୩୨ ଗାଁରେ ଜଳ ଜହର ପାଲଟିଥିବା ଜଣାଯାଇଛି। ଗାଁ ଗାଁରେ ଏବେ ବି ଲୋକେ ଖୋଲା ପୋଖରୀ, ନଦୀ, ନାଳରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଲୋକେ ଦଳ ଗଢି କମ୍ୟୁନିଟି ବୋରୱେଲ ଜରିଆରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରିବା ଓ ତାର ପରିଚାଳନା କରିବା ସହିତ ଜଳର ମାନ ଯାଞ୍ଚ କରୁଥିବା ଏକ ସୁନ୍ଦର ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇ ପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ