ଓଡ଼ିଶାର ସାହସୀ ମହିଳା ଆପଣାଇଛନ୍ତି ଅଟୋ ଚାଳନା


ଅଟୋ ଚାଳକ ମଧୁମିତା ବିନ୍ଧାଣି ଏବଂ ଟ୍ରେନ ଚାଳକ ମୁନି ଟିଗା ଓ ରାଜେଶ୍ୱରୀ ବିଶ୍ୱାଳ
ଧୀରେ ଧୀରେ ବଦଳୁଛି ସାମାଜିକ ଜୀବନ ଓ ଚଳଣି। ମହିଳା ସଶକ୍ତିକରଣ ଧାରାରେ ଦେଖିବାକୁ ମିଳୁଛି ବଡ଼ ପରିବର୍ତ୍ତନ। ପରିବାରର ଚାରିକାନ୍ଥ ଚୌହଦି ଭିତରେ ନାରୀ ଆଉ ନିଜକୁ ସୀମିତ ରଖିବାକୁ ପସନ୍ଦ କରୁନି। ଜୀବିକା ପାଇଁ ପୁରୁଷ ସହ ତାଳ ଦେଇ ଆଗକୁ ଆସିଛି। ରାଜ୍ୟର ବିଭନ୍ନ ଅଞ୍ଚଳରେ ଏବେ ମହିଳା ଅଟୋ ଓ ଚାରିଚକିଆ ଯାନ ଚାଳିକା ମାନଙ୍କୁ ଦେଖିବାକୁ ମିଳୁଛି। ଗରିବ ପରିବାରରୁ ଏ କ୍ଷେତ୍ରରେ ପାଦ ଥାପିଥିବା କେତେକ ସାହସୀ ମହିଳାଙ୍କ ସମ୍ପର୍କରେ ଏ ଆଲେଖ୍ୟ।

ସାହା ହୋଇଛନ୍ତି ସୁଲତା
କୋରାପୁଟ କାମତା ଅଞ୍ଚଳର ଅଠର ବର୍ଷର ଆଦିବାସୀ ଯୁବତୀ ସୁଲତା ଗୋଲରୀଙ୍କ ଉପରେ ପଡିଛି ପରିବାରର ଵୋଝ। ଅଭାବୀ ପରିବାର ତାଙ୍କର। ଘରେ ପିତାମାତା ଓ ସାନଭାଇ ଆଦି ୪ ପ୍ରାଣୀ କୁଟୁମ୍ବଙ୍କ ସାହା ପାଲଟିଛନ୍ତି ସୁଲତା। ତାଙ୍କ ପିତା ଜଣେ ଅଟୋ ଚାଳକ ଥିଲେ। ସେ ରୋଗରେ ପଡିବା ପରେ ସୁଲତା ଧରିଛନ୍ତି ଅଟୋର ହ୍ୟାଣ୍ଡଲ। ବସ ଷ୍ଟାଣ୍ଡରୁ କଲେଜ ଛକ ଓ ବୋରିଗୁମାରୁ କାମତା ଯାଏଁ ତାଙ୍କ ଅଟୋ ଗଡ଼ିଲେ ୪ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଯାଉଛି ଆହାର। ବିଡ଼ମ୍ବନା ତାଙ୍କର ଯେ ନିଜର ଅଟୋଟିଏ ନାହିଁ। ଦିନକୁ ୨୦୦ ଟଙ୍କା ଲିଜରେ ଅଟୋ ଆଣି ସେ ପରିବାର ପୋଷୁଛନ୍ତି। ତାଙ୍କ ପିତା ମଧ୍ୟ ଦିନକୁ ୨୦୦ ଟଙ୍କାର ଲିଜ ସୂତ୍ରରେ ଅଟୋ ଆଣି ପରିବାର ପ୍ରତିପୋଷଣ କରୁଥିଲେ। ସୁଲତା ଆଦିବାସୀ ସମ୍ପ୍ରଦାୟର। ତାଙ୍କ ଅଟୋ ଚଳାଇବା ନେଇ ଜାତିଭାଇ ଆପତ୍ତି ଉଠାଇଥିଲେ। ହେଲେ ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସଂକଳ୍ପ ନେଇଥିବା ସୁଲତା ସେମାନଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିଥିଲେ।

ଗୃହିଣୀରୁ ପେସାଦାର ଡ୍ରାଇଭର
ବେଶରେ ଘରଣୀ। କିନ୍ତୁ ପେସାରେ ଜଣେ ସଫଳ ଅଟୋ ଚାଳକ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନହବେଡା ଗ୍ରାମର ଗୃହିଣୀ କବିତା ପ୍ରଧାନ। ନିଜ ସ୍ୱାମୀ ଶଙ୍କର୍ଷଣଙ୍କ ଠାରୁ ଅଟୋ ଚାଳନା ଶିଖି ସେ ଏବେ ପେସାଦାର ଚାଳକ ହୋଇଯାଇଛନ୍ତି। କବିତା କହନ୍ତି ତାଙ୍କ ବଡ଼ ପରିବାରରେ ଦିନେ ଆୟ ବହୁତ କମ ଥିଲା। ତେଣୁ ପରିବାରର ଆର୍ଥିକ ସମସ୍ୟା ତାଙ୍କୁ ଗାଡି ଚଳାଇବା ପାଇଁ ପ୍ରେରିତ କରାଇଥିଲା। ସ୍ବାମୀଙ୍କ ସ୍ୱଳ୍ପ ଆୟରେ ଏତେ ବଡ଼ ପରିବାର ଚଳାଇବା କଷ୍ଟ ହୋଇପଡ଼ିବାରୁ ସେ ମଧ୍ୟ ଅଟୋ ଚଳାଇବା କଥା ସ୍ୱାମୀଙ୍କୁ କହିଲେ ଓ ସ୍ବାମୀଙ୍କ ଠାରୁ ଅଟୋ ଚଳାଇବା ଶିଖି ସଡ଼କ ଉପରେ ଆରମ୍ଭ କଲେ ଜୀବିକାର ଯାତ୍ରା। କବିତାଙ୍କ ସହିତ ତାଙ୍କ ସ୍ୱାମୀ ଶଙ୍କର୍ଷଣ ଦୁଇ ନଣନ୍ଦ, ଦୁଇ ଝିଅ ଓ ଶାଶୁ ଅଛନ୍ତି। କବିତା ପ୍ରତିଦିନ ସକାଳ ହେଲେ ଶାଢ଼ି ପରିଧାନ କରି ଅଟୋ ନେଇ ବାହାରି ଯାଆନ୍ତି ଓ ସନ୍ଧ୍ୟା ପୂର୍ବରୁ ଫେରନ୍ତି।

ପାଠ ସହ ଚଳାଉଛନ୍ତି ଚାରିଚକିଆ
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଡୁଙ୍ଗୁରିକିଆ ଗ୍ରାମର କାଶୀନାଥ ପ୍ରଧାନ ଓ ରିତା ପ୍ରଧାନଙ୍କ ତୃତୀୟ କନ୍ୟା ମମତା ଏବେ ବାଲିଗୁଡା ଆଦିବାସୀ କଲେଜର ଯୁକ୍ତ ତିନି ଛାତ୍ରୀ। କିନ୍ତୁ ସେ ଏବେ ତାଲିମ ନେଇ ଚାରି ଚକିଆ ଯାନ ଚଳାଉଛନ୍ତି। ଚାକିରି ନ ମିଳିଲେ ଜଣେ ଡ୍ରାଇଭର ଭାବେ ନିୟୋଜିତ ହେବାର ସ୍ବପ୍ନ ଦେଖୁଛନ୍ତି ମମତା। ମମତାଙ୍କ ପରି କନ୍ଧମାଳ ଜିଲ୍ଲର ଏବେ ଶତାଧିକ ଯୁବତୀ ଡ୍ରାଇଭିଙ୍ଗ ଟ୍ରେନିଂ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗାଡି ଚାଳକ ଭାବେ ପେସାଦାର ଜୀବନ ଆରମ୍ଭ କରିଛନ୍ତି। ସେହିଭଳି ବାଲେଶ୍ୱରର ଜଣେ ୨୯ ବର୍ଷୀୟା ଗୃହିଣୀ ମଧୁମିତା ବିନ୍ଧାଣି ଅଟୋ ଚାଳକ ଭାବେ ବୃତ୍ତି ଆରମ୍ଭ କରି ପରିବାରର ଆର୍ଥିକ ସ୍ଥିତି ସଜାଡ଼ିବାର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକାର ୩୫ ବର୍ଷର ଝିଲି ସ୍ବାଇଁ ଆସିକା ସହରର ପ୍ରଥମ ଅଟୋ ଡ୍ରାଇଭରର ପରିଚୟ ନେଇ ଜୀବନ ସଂଘର୍ଷ ଅତ୍ୟନ୍ତ ସାହସିକତାର ସହ ଜାରି ରଖିଛନ୍ତି।

ସ୍ୱାବଲମ୍ବୀର ଏଭଳି ଯାତ୍ରାରେ ଏବେ ଆମେ ଅନେକ ମହିଳାଙ୍କୁ ଦେଖିବାକୁ ପାଉଛୁ। ଆମ ରାଜ୍ୟର ଅନେକ ଯୁବତୀ ଏବେ ଟ୍ରେନ ଡ୍ରାଇଭର ଭାବେ ସଫଳତା ସାଉଁଟିଲେଣି। ଆଦିବାସୀ ଯୁବତୀ ମୁନି ଟିଗା ଓ ରାଜେଶ୍ୱରୀ ବିଶ୍ୱାଳ ଟ୍ରେନ ଡ୍ରାଇଭର ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ସେଲଭି ମିଶ୍ର ପ୍ରଥମ ଓଡ଼ିଆ ଯୁବତୀ ଯିଏକି ପାଇଲଟ ହେବାର ସୁଯୋଗ ପାଇ ରାଜ୍ୟକୁ ଆଣିଦେଇଛନ୍ତି ଗର୍ବ।  ଏହି ବିହଙ୍ଗ କନ୍ୟା ବିକାଶ ପଥରେ ଯୋଡ଼ିଛନ୍ତି ନିଆରା ଯୋଗଦାନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ