ସ୍ବତନ୍ତ୍ର ପ୍ରସଙ୍ଗ
ବଡ଼ ବ୍ୟାଙ୍କରେ କମ ଦରମା!

ପ୍ରତୀକାତ୍ମକ ଫଟୋ
ଦେଶର ସବୁଠୁ ବଡ଼ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)। ଏହାର ମୁଖ୍ୟ ରଜନୀଶ କୁମାରଙ୍କ ୨୦୨୦ରେ ବାର୍ଷିକ ଦରମା ଥିଲା ୩୦ ଲକ୍ଷ। ଘରୋଇ ବ୍ୟାଙ୍କ ଉପରେ ଟିକେ ନଜର ଦିଅନ୍ତୁ। ଏଚଡିଏଫସି ଏହାର ମୁଖ୍ୟ ଆଦିତ୍ୟ ପୁରୀଙ୍କୁ ବାର୍ଷିକ ୧୫ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଦେଇଥାଏ।
ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ଗୁଡ଼ିକରେ ପ୍ରଦାନ କରାଯାଉଥିବା ବେତନ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଣାଳୀରେ ବଡ଼ ଧରଣର ଫରକ ଦେଖିବାକୁ ମିଳିଥାଏ। ପବ୍ଲିକ ସେକ୍ଟର ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କ ବେତନ ଓ ପ୍ରୋତ୍ସାହନ ରାଶି ଠାରୁ ଘରୋଇ ବ୍ୟାଙ୍କର ପ୍ରୋତ୍ସାହନ ଓ ଦରମା ବହୁଗୁଣରେ ଅଧିକ ଥିବା ଦେଖାଯାଏ। ଭାରତୀୟ ଷ୍ଟେଟ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ବ୍ୟାଙ୍କ ଏହାର ମୁଖ୍ୟ ରଜନୀଶ କୁମାରଙ୍କୁ ବାର୍ଷିକ ୩୦ ଲକ୍ଷ ଟଙ୍କାର ଦରମା ଓ ଭତ୍ତା ପ୍ରଦାନ କରିଥାଏ। କିନ୍ତୁ ଅପରପକ୍ଷେ ଏଚଡିଏଫସି ତା’ର ମୁଖ୍ୟଙ୍କୁ ଦେଇଥାଏ ୧୫ କୋଟି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଟ୍ରେଣ୍ଡ ଏବଂ ବ୍ୟାଙ୍କିଙ୍ଗ ସମ୍ପର୍କିତ ଏକ ରିପୋର୍ଟ ଅନୁଯାୟୀ ଉଚ୍ଚ କାର୍ଯ୍ୟନିର୍ବାହୀଙ୍କ ଦରମା ବ୍ୟାଙ୍କର ଆକାର ସହିତ ଖାପ ଖୁଆଇ ନ ଥାଏ। ୨୦୧୯ ସୁଦ୍ଧା ସରକାରୀ ଅନୁବନ୍ଧିତ ବ୍ୟାଙ୍କ ଗୁଡ଼ିକରେ କାର୍ଯ୍ୟନିର୍ବାହୀ ମାନଙ୍କର ପାରିଶ୍ରମିକ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ କମ ଥିଲା। ଯଦିଓ ସେମାନେ ୫ ଟ୍ରିଲିଅନରୁ ଅଧିକ ଅର୍ଥର ପରିଚାଳନା ଦାୟିତ୍ବ ବୁଝନ୍ତି। ଅପରପକ୍ଷରେ ଘରୋଇ କ୍ଷେତ୍ର ଗୁଡ଼ିକର ଶୀର୍ଷ କାର୍ଯ୍ୟନିର୍ବାହୀମାନେ ୫ ଟ୍ରିଲିଅନରୁ କମ ଅର୍ଥ ପରିଚାଳନା ଦାୟିତ୍ବ ନେଇ ୩.୫ କୋଟିରୁ ଅଧିକ ଦରମା ପାଇଥାନ୍ତି।
ଘରୋଇ ଓ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଶୀର୍ଷ ସ୍ଥାନୀୟ ଅଧିକାରୀଙ୍କ ଦରମାରେ ବିସଙ୍ଗତି ଓ ତାରତମ୍ୟକୁ ନେଇ ଦୀର୍ଘକାଳୀନ ବିତର୍କ ଜାରି ରହିଛି। ଗତ ଜୁନ ମାସରେ ଏହାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା।
ବିଶ୍ବ ମହାମାରୀ କୋରୋନା ସଙ୍କଟ କାଳରେ ଦରମା କାଟ ସମ୍ପର୍କିତ ଚର୍ଚ୍ଚା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶୀର୍ଷ ଅଧିକାରୀଙ୍କ ଦରମାକୁ ନେଇ ବିତର୍କ ନଜରକୁ ଆସିଥିଲା। କମ ଦରମା ଥିବା ସତ୍ତ୍ବେ ପୁଣି ଦରମା କାଟକୁ ରଜନୀଶ କୁମାର ବିରୋଧ କରିଥିଲେ। ଘରୋଇ ବ୍ୟାଙ୍କର ଶୀର୍ଷ ଅଧିକାରୀ ହାଉସିଂ, ଗାଡ଼ି ବ୍ୟବହାର ଏବଂ ଅନ୍ୟାନ୍ୟ ସହାୟତା ଦ୍ଷ୍ଟିରୁ ଏସବିଆଇ ଅଧିକାରୀଙ୍କ ଠାରୁ କମ ସୁବିଧା ପାଉଥିଲେ ହେଁ ସେମାନଙ୍କର ମୂଳ ଦରମା ଓ ଅନ୍ୟାନ୍ୟ ଭତ୍ତା ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟନିର୍ବାହୀଙ୍କ ଠାରୁ ଢେର ଅଧିକ। ଘରୋଇ କ୍ଷେତ୍ର ତୁଳନାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଚାକିରିରେ ନିରାପତ୍ତା ଓ ଅବସରକାଳୀନ ସୁବିଧା ସୁଯୋଗ ଥିବା କାରଣରୁ କମ ଦରମା ସତ୍ତ୍ବେ ଏହା ଆକର୍ଷଣର ପ୍ରମୁଖ କାରଣ କୁହାଯାଉଛି।
ଅସଙ୍ଗତିକୁ ଦୂର ପାଇଁ ସରକାରଙ୍କ ବିଭିନ୍ନ କମିଟି ଏକାଧିକ ଥର ଚର୍ଚ୍ଚା କରିଛି ଓ ପରାମର୍ଶମାନ ଦେଇଛି। ବିଶେଷଜ୍ଞମାନେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ମାନବ ସମ୍ବଳର ନିୟୋଜନ କାମର ଚାପ ଓ ଆର୍ଥିକ ନେଣଦେଣ ତଥା ବ୍ୟବସାୟିକ ଲାଭକୁ ଦ୍ଷ୍ଟିରେ ରଖି ପାରିଶ୍ରମିକ ବ୍ୟବସ୍ଥା ସପକ୍ଷରେ ଥିବା ବେଳେ ୟୁନିଅନ ଗୁଡ଼ିକ କର୍ମଚାରୀଙ୍କ ଅଧିକାର, ମାନବିକ ଅଧିକାର ପ୍ରସଙ୍ଗ, ଟ୍ରେଡ ୟୁନିଅନ ଆଇନ ଓ ଅନ୍ତରାଷ୍ଟ୍ରୀୟ ଆଇନ ଅନୁଯାୟୀ ପାରିଶ୍ରମିକ ନିର୍ଦ୍ଧାରଣ ଦିଗରେ ଦାବି କରିଆସୁଛନ୍ତି। ଏବେ ଘରୋଇ ବ୍ୟାଙ୍କ ଗୁଡ଼ିକରେ ଅବସରକାଳୀନ ସୁବିଧା ସୁଯୋଗ ନ ଥିବା ବେଳେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଏଭଳି ସୁବିଧା ସୁଯୋଗ ରହିଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭାବେ କର୍ମଚାରୀମାନେ ଅଧିକ ସୁବିଧା କିଭଳି ପାଇପାରିବେ ତାହା ବର୍ତ୍ତମାନ ସମୟର ଏକ ପ୍ରମୁଖ ଆହ୍ବାନ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ