ଗାଙ୍ଗୁଲିଙ୍କୁ ଭେଟିଲେ ଅନୁରାଗ ଓ ଜୟ, ଆଉ ଏକ ଆଞ୍ଜିଓପ୍ଲାଷ୍ଟି ହେବ


କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି (ଫାଇଲ ଫଟୋ)
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋମବାରଉଡଲାଣ୍ଡସ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର। ବୋର୍ଡ ସମ୍ପାଦକ ଜୟ ଶାହ ମଧ୍ୟ ହସ୍ପିଟାଲ ଯାଇ ଗାଙ୍ଗୁଲିଙ୍କ ସହ ସ୍ବାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି। ମେଡିକାଲ ସିଇଓ ଡାକ୍ତର ରୂପାଲି ବସୁଙ୍କ ସୂଚନାନୁସାରେ ଏକ ୯ ଜଣିଆ ଡାକ୍ତରୀ ଦଳ ତାଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଆମେରିକାର ବିଶେଷଜ୍ଞଙ୍କ ସହ ମଧ୍ୟ ଏନେଇ ଆଲୋଚନା କରାଯାଇଛି। ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ଶେଟ୍ଟୀ ଓ ଡାକ୍ତର ଆରକେ ପଣ୍ଡା ଆମେରିକାର ହୃଦରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷଣ ନଜର ରଖିଛନ୍ତି।

ମେଡିକାଲ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଗାଙ୍ଗୁଲିଙ୍କ କୋରୋନାରୀ ଆର୍ଟେରିଜରେ ୩ଟି ସ୍ଥାନରେ ବ୍ଲକେଜ ହୋଇଛି। ଗୋଟିଏ ଷ୍ଟେଣ୍ଟ ଇନସର୍ଟ କରି ଗୋଟିଏ ବ୍ଲକେଜକୁ ଠିକ କରାଯାଇଛି। ଏବେ ସେ ଆଉ କୌଣସି ଯନ୍ତ୍ରଣା ଅନୁଭବ କରୁ ନାହାନ୍ତି। ମାତ୍ର ତାଙ୍କର ଆଉ ଏକ ଆଞ୍ଜିଓପ୍ଲାଷ୍ଟିର ଆବଶ୍ୟକତା ରହିଛି ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ଆଉ ଅଳ୍ପ ଦିନ ଭିତରେ କିମ୍ବା କିଛି ସପ୍ତାହ ପରେ ଏହି ଆଞ୍ଜିଓପ୍ଲାଷ୍ଟି କରିବା ପାଇଁ ଡାକ୍ତରମାନେ ଚିନ୍ତା କରୁଛନ୍ତି। ଯଦି ଆଞ୍ଜିଓପ୍ଲାଷ୍ଟି ବିଳମ୍ବିତ ହୁଏ, ତାହେଲେ ତାଙ୍କୁ ମେଡିକାଲରୁ ଦିନେ ଦୁଇ ଦିନ ଭିତରେ ଡିସଚାର୍ଜ କରି ଦିଆଯିବ। ଏହାପରେ ଡାକ୍ତର ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ଏକ ଛୋଟ ଧରଣର ହୃଦଘାତର ସମ୍ମୁଖୀନ ହୋଇଥିବା ଗାଙ୍ଗୁଲିଙ୍କୁ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ଜୟ ଶାହ ଭେଟିବା ପରେ କହିଛନ୍ତି ଯେ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଠାକୁର କହିଛନ୍ତି ଯେ ଦାଦା ଦେଶର ହିରୋ। କ୍ରିକେଟ ଦୁନିଆରେ ସେ ଅନେକ ଉତଥାନ ଓ ପତନ ଦେଇ ଗତି କରିଛନ୍ତି। ଅନେକ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାଜୟର ରାସ୍ତା ଦେଖାଇଛନ୍ତି। ସେ ଏଥର ମଧ୍ୟ ନିଶ୍ଚିତ ବିଜୟୀ ହୋଇ ଫେରିବେ ବୋଲି ଠାକୁର କହିଛନ୍ତି। ସୌରଭ ବେଡରେ ଶୋଇ ରହିଥିଲେ ବି ମୋତେ ଦେଖି ହସିଛନ୍ତି। ପ୍ରଥମେ କ୍ରିକେଟରେ ସୁନାମ ଅର୍ଜନ କରିଛନ୍ତି, ଖୁବ ଶୀଘ୍ର ସେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଫଳ ହେବାକୁ ଯାଉଛନ୍ତି। ବୋଲି ଠାକୁ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ବେଙ୍ଗଲ ବିଧାନସଭା ର୍ନିବାଚନରେ ବିଜେପି ତାଙ୍କୁ ରାଜନୈତିକ ମୈଦାନକୁ ଆଣିବା ପାଇଁ ଭରପୂର ଉଦ୍ୟମ ଜାରି ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ