ରାଜନୀତିର ପଶାପାଲିରେ ଟଳିପଡୁଛି ମଣିଷ


ବିଜେପି ନେତା କୁଳମଣି ବରାଳଙ୍କୁ ନିର୍ମମ ହତ୍ୟା
ରକ୍ତମୁଖା ପାଲଟିଛନ୍ତି ରାଜନେତା। ଅନୁଗତଙ୍କ ଦ୍ୱାରା ଭିଆଉଛନ୍ତି ହିଂସା। ରାଜନୀତି ପାଇଁ ଘଟୁଛି ଆକ୍ରମଣ ଓ ହତ୍ୟା ଭଳି ନିଷ୍ଠୁର ଘଟଣା। ରାଜନୈତିକ କାରଣରୁ ହେଉଛି ହିଂସା। ଆଉ ପଶ୍ଚିମବଙ୍ଗରେ କେବଳ ସୀମିତ ହୋଇ ରହିନାହିଁ ଏଭଳି ମାମଲା। ଓଡିଶାର ମାଟି ଏବେ ସାଧାରଣ ଜନତାଙ୍କ ରକ୍ତରେ ଭିଜିଲାଣି। ନୂଆବର୍ଷ ଆରମ୍ଭରୁ ରାଜ୍ୟରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ। କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ବିଜେପି ନେତା କୁଳମଣି ବରାଳ (୬୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦) ମାହାଙ୍ଗା ଥାନା ଯଁକୋଟି ଗ୍ରାମ ରାସ୍ତା ଦେଇ ବାଇକ୍‌ରେ ନୃତ୍ତାଙ୍ଗ ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ। ଯଁକୋଟି ବ୍ରାହ୍ମଣ ସାହି ନିକଟରେ ଏକାଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ। ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି ପଶ୍ଚିମବଙ୍ଗ ପରି କାର୍ଯ୍ୟ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ନ୍‌ତ୍ତାଙ୍ଗ ପଞ୍ଚାୟତରେ ଜଣେ ଧନୀ ବିଜେଡି କାର୍ଯ୍ୟକର୍ତ୍ତା ଆବାସ ଯୋଜନାରେ ଘର ନେଇଥିଲେ। ଏଥିପାଇଁ ସେହି ବ୍ୟକ୍ତିଙ୍କ ବିରୋଧରେ ଏତଲା ମଧ୍ୟ ହୋଇଛି। ସେଥିପାଇଁ ଆକ୍ରୋଶ ରଖି ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଗୋଲଖ। ୨୦୧୮ରେ ମାହାଙ୍ଗାରେ ବିକାଶ ଜେନା ହତ୍ୟାକାଣ୍ଡ ଘଟିଥିଲା। ବିକାଶଙ୍କ ହତ୍ୟାକାରୀକୁ କାହିଁକି ସରକାର ଧରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜନୀତିର ନିଆଁ
ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବିଭନ୍ନ ଅଞ୍ଚଳରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ବି ଥମି ନ ଥିଲା ଏଭଳି ଘଟଣା। ଶାସକ ଦଳର କର୍ମୀମାନେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରୁଥିବାର ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଥିଲେ। ଖୋର୍ଦ୍ଧା ମଙ୍ଗୁଳି ଜେନାଙ୍କ ହତ୍ୟାକାଣ୍ଡ ପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏବଂ ସୋରଡ଼ାରେ ଯାଇଛି ଦୁଇ ବିଜେପି କର୍ମୀଙ୍କ ଜୀବନ। ନିର୍ବାଚନରେ ଭୋଟ ପାଇଁ କର୍ମୀଙ୍କୁ ଡରାଇବାକୁ ଏଭଳି କରଯାଉଥିବା ଅଭିଯୋଗ ହୋଇଛି। ରାଜଧାନୀ ସମେତ ପୂର୍ବ, ପଶ୍ଚିମ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସବୁଆଡ଼େ ରାଜନୈତିକ ହିଂସା କାୟା ବିସ୍ତାର କରୁଥିବା ଦେଖାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଅତ୍ୟଧିକ ମାତ୍ରାରେ ହିଂସାକାଣ୍ଡ ଘଟିଛି। ଏ ସବୁଥିରେ ଶାସକ ଦଳ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରୁଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶାସକ ବିଜେଡି ଦଳର ହାତବାରିସୀ ପୋଲିସ ସାଜିଥିବାରୁ ସାଧାରଣରେ ବିଜେଡି ଦଳ ପ୍ରତି ଲୋକଙ୍କ ଭୟ ସୃଷ୍ଟି ହୋଇଥିବା କୁହାଯାଉଛି। ଶାସକ ବିଜେଡି ଦଳର କୁଶାସନ ବିରୋଧରେ ଲୋକଙ୍କ ଆକ୍ରୋଶ ବଢୁଥିବା ସହିତ ବିଜେପି ପ୍ରତି ଜନସମର୍ଥନ ବୃଦ୍ଧି ବିଜେଡି ନେତାଙ୍କୁ ରକ୍ତମୁଖା କରାଇଛି। ପ୍ରତିଦିନ ବିଜେପି କର୍ମୀ ତଥା ସମର୍ଥକଙ୍କ ଉପରେ ଆକ୍ରମଣ ହେଉଛି। ରାଜନୈତିକ ଆକ୍ରୋଶରେ ଶିକାର ହେଉଛନ୍ତି ବିଜେପି ନେତା ଓ କର୍ମୀ। ଚଳିତ ନିର୍ବାଚନରେ ବିଭିନ୍ନ ସମୟରେ ହେଉଥିବା ରାଜନୈତିକ ହିଂସାକୁ ସମୀକ୍ଷା କଲେ ଜଣାପଡ଼ୁଛି। ଏ ରାଜନୈତିକ ହିଂସା କେବଳ ବିଜେପି ନେତା ଓ କର୍ମୀଙ୍କୁ ଟାର୍ଗେଟ କରି କରାଯାଉଛି। ୧୪ ଏପ୍ରିଲ ୨୦୧୯ ରାତିରେ ଖୋର୍ଦ୍ଧାରେ ବିଜେପିର ବିଧାନସଭା ପ୍ରାର୍ଥୀ କାଳୁ ଖଣ୍ଡାୟତରାୟକୁ ହତ୍ୟା କରିବାକୁ ଆସିଥିବା ଗୁଣ୍ଡାମାନେ ବିଜେପିର ମଣ୍ଡଳ ସଭାପତି ଓ ପ୍ରଚାରରେ ସକ୍ରିୟ ମଙ୍ଗୁଳି ଜେନାଙ୍କୁ ହତ୍ୟା କଲେ। ମାତ୍ର ମୁଖ୍ୟମନ୍ତ୍ରୀ ନିର୍ବାଚନ କମିଶନ ତଦନ୍ତ କରିବ କହି ନିଜ ଦାୟିତ୍ୱ ସାରିଦେଇଥିଲେ। ସେହି ବର୍ଷ ଏପ୍ରିଲ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତା ସନ୍ତୋଷ ପତିଙ୍କୁ ହତ୍ୟା କରାଯାଇଥିଲା। ଭଞ୍ଜନଗର ଅଞ୍ଚଳରେ ବିଜେପି କର୍ମୀ ସଦାଶିବ ପ୍ରଧାନ ମଧ୍ୟ ରାଜନୈତିକ ହିଂସାର ଶିକାର ହୋଇଥିଲେ। ଚିକିଟି ବିଧାନ ସଭା ପ୍ରାର୍ଥୀ ମନୋରଞ୍ଜନ ସାମନ୍ତରାୟଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏପ୍ରିଲ ୧୩ରେ ରାଜଧାନୀ ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ଓ ମଧ୍ୟ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ରାଲି ଉପରେ ବିଜୁ ଯୁବ ବାହିନୀ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୟୁନିଟ୍ ୮ କାର୍ଯ୍ୟା ଳୟ ଉପରେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ବାରିମୁଳା ପଞ୍ଚାୟତର ସରପଞ୍ଚ ଏବଂ ବିଜେଡ଼ି କର୍ମୀଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ସେମାନେ ବିଜେପିର ଏକ ରାଲିରେ ଯୋଗ ଦେବାକୁ ଯାଇଥିଲେ। ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେପି କାର୍ଯ୍ୟ କର୍ତ୍ତାଙ୍କୁ ବିଜେଡ଼ି ଗୁଣ୍ଡାଙ୍କ ଆକ୍ରମଣର ଖବର ମଧ୍ୟରାଜ୍ୟର ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା।

ବ୍ରଜରାଜନଗରରେ ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ବିଜେଡି ସମର୍ଥକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ନିର୍ବାଚନ ପ୍ରଚାରରେ ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳକୁ ଯାଇଥିବା ପୁର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଚପଲରେ ମାଡ଼ ମାରିଥିବା ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିଲେ ସୁଦ୍ଧା ସେ ଜାମିନରେ ଛାଡ଼ ପାଇଯାଇଥିଲେ। ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ବେଳେ ଶାସକଦଳ କର୍ମୀ ଆକ୍ରମଣ କରିଥିବା ଘଟଣା ବିଜେଡିର ଅସଲ ମୁଖା ଖୋଲିଦେଇଥିଲା। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡ଼ାରେ ସୁଶାନ୍ତ ନାୟକଙ୍କ ହତ୍ୟା ପଛରେ ବିଜେଡି ନେତାଙ୍କ ହାତ ଥିବା ନେଇ ମଧ୍ୟ ସଂଗୀନ ଅଭିଯୋଗ ହୋଇଥିଲା। ଏ ସମସ୍ତ ଘଟଣାରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚି ନ ପାରିବା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନ ଠିଆ କରାଇଛି। ସଦ୍ୟ ସଂଘଟିତ ମାହାଙ୍ଗା ଡବଲ ମର୍ଡରକୁ ନେଇ ଆଇନ ମନ୍ତ୍ରୀଙ୍କ ସମ୍ପ୍‌କ୍ତି ଅଭିଯୋଗ ବିଜେଡି ପ୍ରତି ଜନତାଙ୍କ ଆସ୍ଥା ଉପରେ କୁଠାରାଘାତ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ