ଟେଷ୍ଟ ଟିମରେ ରୋହିତ ଉପଅଧିନାୟକ, ନଟରାଜନ ସାମିଲ


ଟି ନଟରାଜନ (ଫାଇଲ ଫଟୋ)
ସିନିଅର ଓପନର ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଦୁଇ ଟେଷ୍ଟ ପାଇଁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି। ବିରାଟ କୋହଲି ପିତୃତ୍ବ ଛୁଟିରେ ସ୍ବଦେଶ ଫେରିବା ପରେ ଦ୍ବିତୀୟ ଟେଷ୍ଟ ଆରମ୍ଭରେ ଅଧିନାୟକ ଦାୟିତ୍ବ ପାଇଥିବା ଅଜିଙ୍କ୍ୟ ରାହାଣେଙ୍କ ଡେପୁଟି ଭାବେ ଚେତେଶ୍ବର ପୂଜାରାଙ୍କୁ ଚୟନ କରାଯାଇଥିଲା। ମାତ୍ର ଦିନିକିଆରେ କୋହଲିଙ୍କ ଡେପୁଟି ଭାବେ ଦାୟିତ୍ବ ତୁଲାଉଥିବା ରୋହିତଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଟିମର ଉପଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି। ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ରାହାଣେ ଟେଷ୍ଟ ଟିମର ଅଧିନାୟକ ଓ ରୋହିତ ଉପଅଧିନାୟକ ଭାବେ କାର୍ଯ୍ୟ କରିବେ। କୋହଲି ଫେରିବା ପରେ ରାହାଣେ ଉପଅଧିନାୟକ ପଦକୁ ଫେରିବେ।

ଏହିପରି ସ୍ଥିତିରେ ଏବେ ବି ଭାରତର ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଟିମ ମ୍ୟାନେଜମେଣ୍ଟ ସ୍ପଷ୍ଟ କରି ନାହିଁ। ରୋହିତ ଶର୍ମା ୟଙ୍ଗ ଶୁବମନ ଗିଲଙ୍କ ସହ ଇନିଂସ ଓପନ କରିବେ ନା ହନୁମା ବିହାରୀଙ୍କ ସ୍ଥାନରେ ମିଡିଲ ଅର୍ଡରରେ ବ୍ୟାଟିଂ କରିବେ, ତାହା ସ୍ପଷ୍ଟ କରାଯାଇ ନାହିଁ। ଯଦି ରୋହିତ ଇନିଂସ ଓପନ ନ କରନ୍ତି ତାହେଲେ ଶୁବମନ ଗିଲଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ କରିପାରନ୍ତି। ସେହିପରି ଉମେଶ ଯାଦବଙ୍କ ସ୍ଥାନରେ କିଏ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ, ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ ନେଟ୍ସ ବୋଲର ଭାବେ ଦଳ ସହ ରହିଥିବା ତାମିଲନାଡୁର ଟି ନଟରାଜନଙ୍କୁ ଟେଷ୍ଟ ଦଳର ସଦସ୍ୟ ଭାବେ ବୋର୍ଡ ସମ୍ପାଦକ ଜୟ ଶାହ ଘୋଷଣା କରିଛନ୍ତି। ମହମ୍ମଦ ଶମୀ ଆହତ ହେବା ପରେ ତାଙ୍କ ସ୍ଥାନ ଶାର୍ଦ୍ଦୁଲ ଠାକୁର ଦଳରେ ସାମିଲ ହୋଇ ସାରିଥିଲା ବେଳେ ଶୁକ୍ରବାର ନଟରାଜନଙ୍କୁ ୧୫ ଜଣିଆରେ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଆସନ୍ତା ୭ରେ ସିଡନୀରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ୫ରେ ମେଲବର୍ଣ୍ଣରୁ ସିଡନୀ ଯାତ୍ରା କରିବ ବୋଲି ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ