ଏସଏଚଜିର ସୁଧ ସାମ୍ରାଜ୍ୟ: ଶୋଷିତ ହେଉଛନ୍ତି ଗାଁର ଗରିବ


ପ୍ରତୀକାତ୍ମକ ଫଟୋ
ରାଜ୍ୟର ଗାଁ ଗଣ୍ଡାରେ ବ୍ୟାଙ୍କ ଖୋଲିନି। ସଡ଼କ, ବିଜୁଳି, ଇଣ୍ଟରନେଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବା କାରଣରୁ ବ୍ୟାଙ୍କ ସେବା ଅପହଞ୍ଚ ଅନେକ ଗାଁରେ। ଯେଉଁଠି ବ୍ୟାଙ୍କ ପହଞ୍ଚିନି, ସେଠାରେ ଲୋକେ ନିଜର ଆବଶ୍ୟକତା ପାଇଁ ଗାଁ ସାହୁକାର ଉପରେ ନିର୍ଭରଶୀଳ ଥିଲେ। ଅଧିକ ସୁଧ ସତ୍ତ୍ବେ ଅନ୍ୟ ବିକଳ୍ପ ନ ଥିବାରୁ ମହାଜନୀ କାରବାରରେ ଲାଗି ପାରୁ ନ ଥିଲା ରୋକ। ଗାଁଗଣ୍ଡାରେ ଚଢ଼ା ସୁଧର ବେପାରରେ ମହିଳା ଓ ଚାଷୀମାନେ ଶୋଷିତ ହେଉଥିବା ଦେଖାଯିବା ପରେ ବାଂଲାଦେଶରେ ସଫଳ ହୋଇଥିବା ଏସଏଚଜି ମଡେଲକୁ ୮୦ ଦଶକରେ ଆମ ଦେଶରେ ଆରମ୍ଭ କରାଯାଇଥିଲା। ଆଇଆରଡିପି କାର୍ଯ୍ୟକ୍ରମର ଅଂଶ ଥିବା ଡୋକ୍ରା ଏକ ଅଭିଯାନ ଭାବେ ସାରା ଦେଶରେ ଆରମ୍ଭ ହେଲା। ଏଥିରେ ମହିଳା ସ୍ବାବଲମ୍ବୀ ଆଭିମୁଖ୍ୟ ପୋଷଣ କରାଯାଇଥିଲା। ନବେ ଦଶକରେ ନାବାର୍ଡ ସମେତ ବିଭିନ୍ନ ବ୍ୟାଙ୍କ, ଏନଜିଓ, ଆଇସିଡିଏସ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶାର ପୁରପଲ୍ଲୀରେ ସ୍ବୟଂ ସହାୟକ ଦଳ ଗଠନ କଲେ। ଶୋଷିତ, ଅବହେଳିତ, ନିଷ୍ପେସିତ ଗାଁର ଗରିବ ମହିଳାଙ୍କୁ ସ୍ବାବଲମ୍ବୀ କରାଯିବା ପାଇଁ ସ୍ବୟଂ ସହାୟକ ଦଳ ଏକ ନିରବ ବିପ୍ଳବ ଆରମ୍ଭ କରୁଥିବା କୁହାଗଲା। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିଜର ଭୋଟ ବ୍ୟାଙ୍କ ଭାବେ ପରିଚାଳନା କରିବାରୁ କ୍ରମଶଃ ଦଳ ଗୁଡ଼ିକର ଆଭିମୁଖ୍ୟ ବଦଳିବାରେ ଲାଗିଲା।

ନବେ ଦଶକରେ ପଶ୍ଚିମ ଓଡ଼ିଶାର ଚାଷୀ ଉତ୍କଟ ମରୁଡ଼ିର ଶିକାର ହୋଇ ସ୍ବୟଂ ସହାୟକ ଦଳ ଗୁଡ଼ିକ ଉପରେ ଋଣ ପାଇଁ ନିର୍ଭର କଲେ। ଧାର୍ଯ୍ୟ ସମୟରେ ଏସଏଚଜି ଋଣ ସୁଝି ନ ପାରିବାରୁ ଚାପରେ ଆସି ଚାଷୀମାନେ ଆତ୍ମହତ୍ୟାର ରାସ୍ତା ବାଛିନେଲେ। ଚାଷୀ ଆତ୍ମହତ୍ୟା ପଛରେ ଏସଏଚଜି ଋଣର ଭୂମିକାକୁ ନେଇ ପ୍ରଶ୍ନ ଉଠିଲା। ରାଜ୍ୟ ସରକାର ଏ ଦିଗରେ ନୀରବତା ଅବଲମ୍ବନ କଲେ। ଏସଏଚଜି ଗୁଡ଼ିକୁ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନ କରୁଥିବା ବେଳେ ସେହି ଏସଏଚଜି ଗୁଡ଼ିକ ବାର୍ଷିକ ୩୬ ପ୍ରତିଶତ ସୁଧରେ ଋଣ ଦେବାର ଚିତ୍ର ବାରମ୍ବାର ସାମନାକୁ ଆସିଛି। ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଅନୁଭବ କରି ସରକାର ଏହାକୁ ଚାପି ଦେଉଥିବାରୁ ମାମଲା ଏବେ ଗମ୍ଭୀର ରୂପ ଧାରଣ କରିଛି।

ଲକଡାଉନ ସମୟରେ ଏସଏଚଜିର ଜୁଲମ
ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଯଶିପୁର ପଞ୍ଚାୟତର ପରିବାର ଚାଷୀ ଅଜି ଦେହୁରି ଗାଁରେ ଥିବା ମା’ ମଙ୍ଗଳା ସ୍ବୟଂ ସହାୟକ ଦଳ ଠାରୁ ପରିବାର ଚାଷ ପାଇଁ ଋଣ ଆଣିଥିଲେ। କୀଟ ସଂକ୍ରମଣ ତଥା ବଜାରରେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ କ୍ଷତିରେ ପଡ଼ି ଏସଏଚଜି ଋଣ ଧାର୍ଯ୍ୟ ସମୟରେ ସୁଝି ପାରିଲେ ନାହିଁ। ସଦସ୍ୟ ମହିଳାମାନେ ଦାଣ୍ଡ ଦୁଆରେ ବସିଲେ। ବାଟରେଘାଟରେ ମାଗିଲେ। ଚାପରେ ଆସି ଦେହୁରି ଆତ୍ମହତ୍ୟା କଲେ। ବିଡିଓ ଏସଏଚଜି ଋଣ କଥା ମାନିଲେ। କିନ୍ତୁ ଏହା ଯେ ଆତ୍ମହତ୍ୟାର କାରଣ, ତାହା ସ୍ବୀକାର କଲେ ନାହିଁ। ସାଧାରଣ କରଦାତାଙ୍କ କଷ୍ଟାର୍ଜିତ ଅର୍ଥକୁ ରାଜ୍ୟ ସରକାର ଯେଉଁ ଏସଏଚଜି ମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି, ତାହା ସମୀକ୍ଷା ହେବାର ବେଳ ଆସିଛି। ରିଜର୍ଭ ବ୍ୟାଙ୍କ ଠାରୁ ଆବଶ୍ୟକ ଅନୁମୋଦନ ନ ଆଣି ରାଜ୍ୟରେ ମାଳମାଳ ଅର୍ଥ ଲଗାଣକାରୀ ସଂସ୍ଥା ଏସଏଚଜି ଜରିଆରେ କୋଟି କୋଟି ଟଙ୍କାର ସୁଧ ବ୍ୟବସାୟର ସାମ୍ରାଜ୍ୟ ଚଳାଇଛନ୍ତି।

ଏସଏଚଜି ଦଖଲ କଲା ଘର
ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଚ୍ୟୁତରାଜ ପୁରରେ ଥିବା କପିଳ ନାଥ ଦେବ ଏସଏଚଜିର ଉତ୍ପାତରେ ଗାଁ ଛାଡ଼ିଛନ୍ତି ଜଣେ ବିଧବା ମହିଳା ଓ ତାଙ୍କ ଝିଅ। ନିଜ ସ୍ବାମୀଙ୍କ କ୍ୟାନସର ଚିକିତ୍ସା ପାଇଁ ଦଳରୁ ଋଣ କରିଥିବା ୯ ଲକ୍ଷ ଟଙ୍କାର କିସ୍ତି ଲକଡାଉନ କାରଣରୁ ପରିଶୋଧ କରି ପାରି  ନ ଥିବାରୁ ତାଙ୍କ ଘରେ ତାଲା ପକାଇ ଦେଇଛି ଏସଏଚଜି। ଏହା ବେଆଇନ ବୋଲି ଆମେ ଜାଣିଛୁ। ଆମକୁ ଜେଲ ଦିଅ ପଛେ କିନ୍ତୁ ଆମେ ସେ ଘରର ତାଲା ଖୋଲିବୁନି ବୋଲି ଓଲଟି ଚେତାବନୀ ଦେଇଛନ୍ତି ସ୍ବୟଂ ସହାୟକ ଦଳର ମୁରବିମାନେ। ସେପଟେ ଋଣ ଓ ସୁଧ ଦେଇ ନ ପାରି ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ମିନତି ନାମ୍ନୀ ବିଧବା ମହିଳା।

ମିନତି ଓ ଦେହୁରିଙ୍କ କରୁଣ କାହାଣୀ ସରକାରଙ୍କ କାନରେ ପହଞ୍ଚୁଛି ସତ କିନ୍ତୁ ଏସଏଚଜି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ ମଣୁ ନାହାନ୍ତି। ଗାଁ ଗଣ୍ଡାରେ ଲକ୍ଷ ଲକ୍ଷ ଟଙ୍କା ସୁନା, ଘରବାଡ଼ି ବନ୍ଧକ ରଖି ଏସଏଚଜିମାନେ ବିପୁଳ ସୁଧ ଆଦାୟ କରୁଥିବାର ଅଭିଯୋଗମାନ ଆସିବାରେ ଲାଗିଛି। ମିଶନ ଶକ୍ତି ବିନା ସୁଧରେ ଏସଏଚଜିକୁ ଯେଉଁ ଋଣ ଦେଉଛନ୍ତି, ତାହାର ବ୍ୟବହାର କିଭଳି ହେଉଛି ସେ ଦିଗରେ ସମୀକ୍ଷା ହେଉ ନ ଥିବାରୁ ଏଭଳି ଘଟଣା ବଢ଼ୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ