ପାଟି ସୁଆଦ
ସନ୍ଧ୍ୟା ସ୍ନାକସରେ ଖାଆନ୍ତୁ ମଟନ ଶିଖ କବାବ

ମଟନ ଶିଖ କବାବ
ନନଭେଜ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କର ମଟନ ଶିଖ କବାବ ବହୁତ ପସନ୍ଦ ଆସିବ। ମଟନ ଶିଖ କବାବକୁ ସ୍ନାକସ ଭାବେ ବହୁତ ପସନ୍ଦ କରାଯାଇଥାଏ। ଫ୍ଲେବରରେ ଭରପୂର ଏହି ସ୍ନାକସ ଘରେ ତିଆରି କରିବା ସହିତ ପାର୍ଟିରେ ଷ୍ଟାର୍ଟର ଭାବେ ମଧ୍ୟ ପରଷି ପାରିବେ। ହୋମମେଡ ମଟନ ଶିଖ କବାବ ଖାଇବାକୁ ବହୁତ ସ୍ବାଦିଷ୍ଟ ହୋଇଥାଏ। ଏହାକୁ ବିଶେଷକରି ରୁମାଲି ରୁଟି ସହିତ ଖାଇପାରିବେ। ଏହାବ୍ୟତୀତ ଧନିଆ ଓ ପୁଦିନା ଚଟଣୀ ସହିତ ମଧ୍ୟ ଏହାର ମଜା ନେଇପାରିବେ।
କ’ଣ ଦରକାର
୨ କପ ମଟନ କିମା, ଆବଶ୍ୟକ ଅନୁସାରେ ତେଲ, ୧ ଚାମଚ ଭିନେଗାର, ୨ ଚାମଚ କଟା ମେଥି ପତ୍ର, ଅଧ ଚାମଚ ରସୁଣ ପେଷ୍ଟ, ଅଧ ଚାମଚ ଅଦା ପେଷ୍ଟ, ଆବଶ୍ୟକ ଅନୁସାରେ ଲୁଣ, ୨ ଚିମୁଟା ଗୋଲମରିଚ ଗୁଣ୍ଡ, ୨ ଚିମୁଟା ଗରମ ମସଲା, ୨ ଚାମଚ କଟା ଧନିଆ ପତ୍ର, ୧ ଚାମଚ କଟା କଞ୍ଚାଲଙ୍କା, କବାବ ଗ୍ରିଲ କରିବା ଲାଗି ବ୍ରଶିଙ୍ଗ ପାଇଁ ତେଲ, ଚାଟ ମସଲା ଓ ଲେମ୍ବୁ।
ପ୍ରସ୍ତୁତି ପ୍ରଣାଳୀ
ଏକ ବଡ଼ ପାତ୍ରରେ ମାଂସ ବାହାର କରନ୍ତୁ। ଏଥିରେ ଭିନେଗାର ଓ ମେଥିପତ୍ର ପକାନ୍ତୁ ଏବେ ଏଥିରେ ଅଦା, ରସୁଣ ପେଷ୍ଟ, ଲୁଣ ଓ ସ୍ବାଦାନୁସାରେ ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ୫ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ। ମଟନ ଶିଖ କବାବ ତିଆରି କରିବାର ୨୫ ମିନିଟ ପୂର୍ବରୁ ମାଂସ ମିଶ୍ରଣକୁ ଶିଖରେ ଲଗାନ୍ତୁ। ଏବେ ପ୍ରିହିଟ ଓଭାନରେ ୨୦ରୁ ୨୫ ମିନିଟ ପାଇଁ ବେକ କରନ୍ତୁ। ଏହା ଉପରେ ହାଲୁକା ତେଲ ଲଗାଇ ଆହୁରି ଦୁଇ ମିନିଟ ଯାଏ ଆହୁରି ବେକ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟନ ଶିଖ କବାବ। କବାବକୁ ଶିଖରୁ ବାହାର କରି ଚାଟ ମସଲା, ପିଆଜ ଓ କଟା ଲେମ୍ବୁରେ ସଜାଇ ଚଟଣୀ ସହିତ ଗରମ ଗରମ ପରଷନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ