ସ୍ବତନ୍ତ୍ର ପ୍ରସଙ୍ଗ

ଦେଶର ଟପ୍‌ ସ୍ମାର୍ଟ ସିଟି: ଭୁବନେଶ୍ୱର ଆଜି କେଉଁଠି?

ୟୁକେ ସ୍ଥିତ ଜୁନିପେରରିସର୍ଚ୍ଚ ନାମକ ଏକ ଅଗ୍ରଣୀ ମାର୍କେଟିଙ୍ଗ ଗବେଷଣା ସଂସ୍ଥା ୨୦୧୭ରେ ଭୁବନେଶ୍ୱର ସହରକୁ ବିଶ୍ୱର ଶ୍ରେଷ୍ଠ -୨୦ ସ୍ମାର୍ଟ ସିଟି ଭାବେ ମାନ୍ୟତା ପ୍ରଦାନ କରିଥିଲା। ଭୁବନେଶ୍ୱର ଏକମାତ୍ର ଭାରତୀୟ ସହର ଭାବେ ପୃଥିବୀର ଅନେକ ବଡ଼ବଡ଼ ସହର ସହିତ ପ୍ରତିଯୋଗିତା କରିଥିବାରୁ ଏହାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ଖୁସିକୁ ଜାହିର କରିବାକୁ ଯାଇ ବାଜା, ବାଣଓ ମିଠା ବଣ୍ଟନରେ ମସ୍‌ଗୁଲ ହୋଇଥିବା ଦେଖିବାକୁ ମିଳିଥିଲା। ଯାତାୟାତ, ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ଉତ୍ପାଦନ ଆଦି ଚାରୋଟି କ୍ଷେତ୍ରକୁ ଆଧାରଶୀଳ ଭାବେ ନେଇ ଶ୍ରେଷ୍ଠ ସହର ତାଲିକା ପ୍ରସ୍ତୁତ କରିଥିଲା ସମ୍ପୃକ୍ତ ସଂସ୍ଥା। ଗ୍ଲୋବାଲ ସ୍ମାର୍ଟସିଟି ପରଫରମାନ୍ସ ଇଣ୍ଡେକ୍ସ-୨୦୧୭ ଶୀର୍ଷକରେ ଏହି ଅଧ୍ୟୟନ କରାଯାଇଥିଲା। ଆମର ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ବଳରେ ଭୁବନେଶ୍ୱର ପସନ୍ଦର ବାସୋପଯୋଗୀ ଶ୍ରେଷ୍ଠ ସହର ହୋଇଛି ଏବଂ ଭବିଷ୍ୟତରେଏହା ବୟସ୍କ ଓ ଶିଶୁ ଅନୁକୂଳ ସହର ଭାବେ ନିଜକୁ କିଭଳି ଯୋଗ୍ୟ କରିପାରିବ ସେ ଦିଗରେ ପ୍ରୟାସ ଜାରିରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର କିଷାନ କୁମାର ସୁଚାଇଥିଲେ। ସିଙ୍ଗାପୁର, ଲଣ୍ଡନ, ସାନଫ୍ରାନସିସ୍କୋ, ବର୍ଲିନ, ଦୁବାଇ, ମେଲବୋର୍ଣ୍ଣ, ସିଓଲ, ଟୋକିଓ ଭଳି ସହର ଗୁଡିକ ସହିତ ଭୁବନେଶ୍ୱର ଯେ ପ୍ରତିଦ୍ବନ୍ଦିତାକୁ ଆସିଲା ତାକୁ ନେଇ ରାଜ୍ୟ ସରକାର ମଧ୍ୟ ଖୁସି ପ୍ରକଟ କରିଥିଲେ। ସ୍ମାର୍ଟ ସିଟି ତାଲିକାର ଶୀର୍ଷରେ ସିଙ୍ଗାପୁର ଥିବା ବେଳେ ଲଣ୍ଡନ ଥିଲା ଦ୍ୱିତୀୟ ସ୍ଥାନରେ। ନ୍ୟୁୟର୍କ ତୃତୀୟ ସ୍ଥାନ ପାଇଥିବା ବେଳେ ସାନଫ୍ରନସିସ୍କୋ ଚତୁର୍ଥ, ଚିକାଗୋ ପଞ୍ଚମ ଓ ସିଓଲ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି। ୧୯ ନମ୍ବର ସ୍ଥାନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିଥିବା କାରଣରୁ ଭୁବନେଶ୍ୱର ଚର୍ଚ୍ଚାକୁ ଆସିଥିଲା। ଯାତାୟାତ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଉତ୍ପାଦନଶୀଳତା ଆଦି ୪ ଟି ମାପକରେ ସିଙ୍ଗାପୁର ପ୍ରଥମ ଥିଲା। ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରର ଇଏ ପ୍ରଥମ ସଫଳତା ନ ଥିଲା, ଆଗରୁ ବି ଭୁବନେଶ୍ୱର ୨୦୧୬ ନଭେମ୍ବରରେ ବାର୍ସିଲୋନା ସ୍ମାର୍ଟ ସିଟି ଏକ୍ସପୋରେ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ପ୍ରଥମ ପାଳିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ସ୍ମାର୍ଟ ସିଟି ପ୍ରକଳ୍ପର ଅୟମାରମ୍ଭ କରିଥିଲେ। ଏଥିରେ ସାମିଲ ହେବା ପରେ ଭୁବନେଶ୍ୱର ଦ୍ରୁତ ଅଭିବୃଦ୍ଧି କରୁଥିବା ନେଇ ରାଜ୍ୟ ସରକାର ଏକାଧିକ ରିପୋର୍ଟ ପ୍ରଦାନ କରିଥିଲେ।

ବେରୋଜଗାରୀ ପାଲଟିଛି ମୁଣ୍ଡବ୍ୟଥାର କାରଣ

ଦେଶରେ ୩ କୋଟିରୁ ଅଧିକ ଲୋକ ଚାକିରି ଅନ୍ୱେଷଣରେ ଅଛନ୍ତି। ଏଥିପାଇଁ ନୂଆ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମେ ୩୦ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଉଥିବା ବେଳେ ତାଙ୍କ ନିକଟରେ ଥିବା ସବୁଠୁ ବଡ ଆହ୍ବାନ ହେଉଛି ବେରୋଜଗାରୀ। ରାଷ୍ଟ୍ରବାଦର ସ୍ରୋତରେ ନିର୍ବାଚନୀ ନଦୀ ପାର ହୋଇଥିବା ମୋଦିଙ୍କୁ ଏବେ ନିଯୁକ୍ତି ସୃଷ୍ଟି ପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ଦେଶରେ ଏବେ କୋଟି କୋଟି ଯୁବକ କାମଧନ୍ଦା ଅନ୍ୱେଷଣରେ ଅଛନ୍ତି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସେମାନଙ୍କୁ ନିଯୁକ୍ତି ଦେଇପାରୁନି କି ଦକ୍ଷତା ଦେଇପାରୁନି। ଭାରତୀୟ ସ୍କୁଲ କଲେଜ ଗୁଡିକରେ ଯେଉଁ ଶିକ୍ଷା ଦିଆଯାଉଛି, ସେଥିରେ ବଜାରରେ କିଛି ଗୋଟାଏ କରିବାର ସାହସ ହେଉନାହିଁ। ଖର୍ଚ୍ଚବହୁଳ ଶିକ୍ଷା ପରେ ନିଯୁକ୍ତି ନ ମିଳିଲେ ଯୁବକମାନଙ୍କ ମନ ଯେପରି ବିଦ୍ରୋହୀ ହେବା କଥା ଆମ ଦେଶରେ ସେପରି ଦେଖିବାକୁ ମିଳୁ ନ ଥିବାରୁ ନିଯୁକ୍ତି ପ୍ରସଙ୍ଗ ନିର୍ବାଚନୀ ଇସ୍ତାହାରରେ ପ୍ରତିଫଳିତ ହେଉନାହିଁ। ଅନେକ କାରଣରୁ ଏହି ପ୍ରସଙ୍ଗ ନିର୍ବାଚନ ସମୟରେ ନିଷ୍ପ୍ରଭ ହୋଇଯାଉଛି।

ସପ୍ତାହେ ବିତିଲା, ମିଳୁନାହିଁ ବାୟୁସେନାର ନିଖୋଜ ବିମାନ

ଭାରତୀୟ ବାୟୁସେନାର ପରିବହନ ବିମାନ ନିଖୋଜ ହେବାର ୭ ଦିନ ପରେ ବି ଏ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରି ନାହିଁ। ସୋମବାର ଆସାମର ଜୋରହାଟ ଏୟାରବେସ ଠାରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଅଦୃଶ୍ୟ ହୋଇଯାଇଛି। ନିଖୋଜ ବିମାନଟିକୁ ଖୋଜିବା କାମରେ ଜଳ, ସ୍ଥଳ ଓ ଆକାଶ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଏହି ବିମାନରେ ଜଣେ ଓଡ଼ିଆ ପାଇଲଟଙ୍କ ସମେତ ସମୁଦାୟ ୧୩ ଜଣ ଯାତ୍ରୀ ଥିବା ଜଣାଯାଇଛି। ବାୟୁସେନାର ପ୍ରବକ୍ତା ୱିଙ୍ଗ କମାଣ୍ଡର ରତ୍ନାକର ସିଂଙ୍କ ସୂଚନା ଅନୁଯାୟୀ ତିନି ବାହିନୀର ଯବାନମାନଙ୍କ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଖୋଜ ବିମାନର ସନ୍ଧାନ ପାଇଁ ମିଳିତ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଜନଗଣଙ୍କ ସମେତ ଭାରତୀୟ ସେନା ବିଭିନ୍ନ ବଣଜଙ୍ଗଲ ଖୋଜୁଥିବା ବେଳେ ନୌସେନା ପି ୮ ଆଇ ଦ୍ୱାରା ଅନ୍ୱେଷଣ ପ୍ରକ୍ରିୟା ଜାରିରଖିଛି। ୩ ଜଣ ସ୍ଥାନୀୟ ଗ୍ରାମବାସୀ କହିଥିଲେ ଯେ ପାହାଡ଼ ପାଖରେ କଳାଧୂଆଁ ଉଠୁଥିବା ସେମାନେ କୁଆଡେ ଦେଖିଛନ୍ତି। ଏହା ପରେ ସେସବୁ ଅଞ୍ଚଳ ତନ୍ନ ତନ୍ନ କରି ଦେଖାଗଲା, କିନ୍ତୁ କିଛି ବି ସୂଚନା ଆଖିରେ ପଡ଼ି ନ ଥିଲା ବୋଲି ଜଣେ ଯବାନ କହିଛନ୍ତି।

ସଶକ୍ତ ହେଉଛି ଭାରତୀୟ ଗଣତନ୍ତ୍ର: ସଂସଦରେ ବଢ଼ୁଛି

ନୂଆଦିଲ୍ଲୀ: ଦେଶରେ ମହିଳାମାନେ ପୁରୁଷଙ୍କ ସହ କାନ୍ଧ ମିଳାଇ ଆଗେଇଯିବା ସକାଶେ ସବୁ ସ୍ତରରେ ପଦକ୍ଷେପ ନିଆଯାଉଥିବା ବେଳେ ଜନପ୍ରତିନିଧି ନିର୍ବାଚନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ମହିଳାମାନଙ୍କୁ ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବା ସକାଶେ ପ୍ରମୁଖ ରାଜନୈତିକ ଦଳମାନେ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି। ଘର କୋଣରୁ ବାହାରି ହଜାର ହଜାର ଜନସାଧାରଣଙ୍କ ଦାବିକୁ ସର୍ବସମକ୍ଷରେ ଉପସ୍ଥାପନ କରିବା ଓ ଦେଶର ଆଇନକାନୁନ ନିର୍ମାଣରେ ମହିଳାମାନେ ଭାଗ ନେବା ସକାଶେ ଆଗେଇ ମଧ୍ୟ ଆସିଛନ୍ତି। ସେଥିପାଇଁ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ କ୍ରମଶଃ ବୃଦ୍ଧି ପାଇଆସିଛି। ନିକଟରେ ସମାପ୍ତ ହୋଇଥିବା ସପ୍ତଦଶ ଲୋକସଭା ନିର୍ବାଚନ ମଧ୍ୟ ବ୍ୟତିକ୍ରମ ହୋଇନାହିଁ। ବରଂ ଏଥର ରେକର୍ଡ ପରିମାଣର ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ବିରାଟ ବାହିନୀ ବନିବ ବିଶ୍ବ ବିଜେତା!

ବୁଧବାର ଅପରାହ୍ନରୁ ଚଳିତ ଆଇସିସି ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣରେ ଅନ୍ୟତମ ଟାଇଟଲ୍‌ ଫେବରିଟ୍‌ ଭାରତ ତା’ର ଅଭିଯାନ ଆରମ୍ଭ କରୁଛି। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ଏଥର ୮ ବର୍ଷ ତଳର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଦଳ ପାଖରେ ଟାଇଟଲ୍‌ ହାସଲ କରିବା ଭଳି ଦକ୍ଷତା ମଧ୍ୟ ରହିଛି। ଗତ ୮ ବର୍ଷ ଭିତରେ ଦଳ ପ୍ରତିଟି ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିଛି। ୨୦୧୧ରେ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ୨୮ ବର୍ଷର ବ୍ୟବଧାନ ପରେ ପୁଣିଥରେ ବିଶ୍ବବିଜେତା ହୋଇପାରିଥିବା ବେଳେ ସେବେଠାରୁ ଅଦ୍ୟାବଧି ଦଳରେ ଯଦିଓ ଏକାଧିକ ଖେଳାଳି ବଦଳିଛନ୍ତି, କିନ୍ତୁ ଦଳର ପ୍ରଦର୍ଶନରେ ନିୟମିତ ଭାବେ ସୁଧାର ଆସିଛି। ତା’ଛଡ଼ା ଦଳ ପାଖରେ ପୂର୍ବରୁ ଇଂଲିଶ୍‌ କଣ୍ଡିସନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ପରି ଦୁର୍ଦ୍ଧର୍ଷ ଟିମ୍‌କୁ ମାତ୍‌ ଦେବାର ଦୃଢ଼ ମାନସିକତା ବି ରହିଛି। ଏହାକୁ ନେଇ ଏଠାରେ ଆମର ଏକ ସଂକ୍ଷିପ୍ତ ବିଶ୍ଳେଷଣ।

ଆୟୁଷ୍ମାନକୁ ନେଇ ନୂଆ ଆଶା

‘ଆୟୁଷ୍ମାନ ଭାରତ’ ଯୋଜନାରେ ଓଡ଼ିଶା ସାମିଲ ହେବାକୁ ନେଇ ସୃଷ୍ଟି ହୋଇଛି ନୂଆ ଆଶା। ଏ ନେଇ ମଙ୍ଗଳବାର ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ସହ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଲୋଚନା ସକାରାତ୍ମକ ହୋଇଥିବା କହିଛନ୍ତି। ସେ ସୂଚାଇଛନ୍ତି କି ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏଭଳି ଯୋଜନା ନେଇ ଆହୁରି ୨ରୁ ୩ ରାଉଣ୍ଡ ଆଲୋଚନା କରାଯିବ। ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି ଯାହା ଆଜି ଆମେ ଆୟୁଷ୍ମାନ ଭାରତ ସିଇଓଙ୍କୁ ଅବଗତ କରାଇଛୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେପଟେ ‘ଆୟୁଷ୍ମାନ ଯୋଜନା’ ଲାଗୁ ପାଇଁ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୂଷଣ କହିଛନ୍ତି। ଓଡ଼ିଶାରେ ଏହି ଯୋଜନା ଲାଗୁ ହେବା ନେଇ ସେ ଆଶାବାଦୀ ଅଛନ୍ତି। ଯୋଜନା ପାଇଁ ରାଜ୍ୟ ସରକାରଙ୍କ ରହିଥିବା ସର୍ତ୍ତ ଉପରେ ଆଲୋଚନା ଚାଲିଥିବା ଇନ୍ଦୁ ଭୁଷଣ କହିଛନ୍ତି।

ଫୋନି ମଇଲମ କେବେ, ଅଣ୍ଟା ସଳଖିବ କେମିତି?

ଭୁବନେଶ୍ବର: ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ମାସେ ପୂରିଲାଣି। ଠିକ୍ ମାସକ ତଳେ ପ୍ରକୃତି ଯାହା ତାଣ୍ଡବ ରଚିଥିଲା, ତାହା ଭାବିବା ବେଳକୁ ଛାତି ଥରି ଉଠିବା ସହ ଲୋମ ଟାଙ୍କୁରି ଉଠୁଛି। ଅଶୁଭ ଶୁକ୍ରବାର ଆଣିଦେଇଥିଲା ଫୋନି ତାଣ୍ଡବ। ଫୋନିର ୮ ଘଣ୍ଟିଆ ତାଣ୍ଡବ ଲୀଳାରେ ପୂରା ଛାରଖାର୍‌ ହୋଇଥିଲା ଉପକୂଳ ଓଡ଼ିଶା। ଫୋନି ମାଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ପୁରୀ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବର, କଟକ, ଜଗତ୍‌ସିଂପୁର ଅଞ୍ଚଳବାସୀଙ୍କ ମେରୁଦଣ୍ଡ। ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନ ଜୀବନ। ମାସକ ପରେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକେ ଏ ବେବି ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି। ଏହାରି ଭିତରେ ସହରରେ ସ୍ଥିତି କେତେକାଶଂରେ ସ୍ୱାଭାବିକ ହୋଇଥିବା ବେଳେ ଏବେବି ସଂଘର୍ଷ କରୁଛନ୍ତି ବାତ୍ୟା ପ୍ରଭାବିତ ଗାଁ ଲୋକେ। ବେଶୀ କ୍ଷତି ସହିଥିଲା ଶ୍ରୀକ୍ଷେତ୍ର ପୁରୀ। ମାସକ ପରେ ବି ପୁରୀରେ ଅଧାରୁ ଅଧିକ ଅଞ୍ଚଳ ଆଲୁଅ ଦେଖିନି। ସବୁକିଛି ଅସଜଡ଼ା, ବିପର୍ଯ୍ୟସ୍ତ। ଏବେ ବି ଫୋନି ମାଡ଼ରେ ବିପନ୍ନ ଜୀବନ। ଟ୍ରାକ୍‌କୁ ଫେରିବାକୁ ଚାଲିଛି କସରତ। ରାଜଧାନୀ ଭୁବନେଶ୍ବର ମଧ୍ୟ ଫୋନି ମାଡ଼ରେ ମକଚି ହୋଇଯାଇଥିଲା। ଶ୍ରୀହୀନ ହୋଇଗଲା ରାଜଧାନୀ ରାଜରାସ୍ତା, ଘରଦ୍ବାର ସବୁକିଛି। ଫୋନି ମାଡ଼କୁ ମାସେ ବିତିଥିଲେ ମଧ୍ୟ କେତେକ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା କି ପହଞ୍ଚି ପାରିନାହିଁ ପ୍ରଶାସନିକ ସହାୟତା। ଆଜି ବି ଅନେକ ନିଜ ଭିଟାମାଟିକୁ ଫେରି ପାରିନାହାନ୍ତି। କେଉଁଠି ଘରକୁ ମାଡ଼ି ବସିଛି ଗଛ ତ ଆଉ କେଉଁଠି ଦାଉ ସାଧିଛି ଦାରିଦ୍ର୍ୟ। ଚାଳିଆ ଉଠାଇବାକୁ ଅର୍ଥ ବଳ ନାଇଁ। ଜୀବନ ବଞ୍ଚିଛି ସିନା, ହେଲେ ଜୀବିକା ବୁଡ଼ି ଯାଇଛି। କେହି କେହି ଚାଳିଆରେ ମାଟି ଲେସି ମୁଣ୍ଡ ଗୁଞ୍ଜିବାକୁ ବ୍ୟବସ୍ଥା କରିଥିଲେ ହେଁ ତାକୁ ଏବେ ଜୀବିକା ଚିନ୍ତା ଘାରିଛି। ଯିଏ ରୋଜଗାର ଦେଉଥିଲା, ସେ ଡଙ୍କ ମୋଡ଼ି ହୋଇ ପଡ଼ିଛି। ନା ପୁନଃନିର୍ମାଣ କାମ ହୋଇପାରିଛି, ନା ହୋଇପାରିଛି ଥଇଥାନ। ସହାୟତା ପାଇଁ କ୍ଷୟକ୍ଷତିର ଆକଳନ ବି ସରିନାହିଁ। ଫଳରେ ଦୟନୀୟ ସ୍ଥିତିରେ ରହୁଛନ୍ତି ଲୋକେ। କ୍ଷତ ସେମିତି ତାଜା ଅଛି। ଦିନ ତ ଯେମିତି ହେଲେ କଟି ଯାଉଛି, ହେଲେ ରାତି କଟୁନି। ମଶା ଉତ୍ପାତକୁ ଅସହ୍ୟ ଗରମ ଅଥୟ କରୁଛି। ବିଦ୍ୟୁତ ଏବେ ବି ସ୍ବପ୍ନ ହୋଇଛି। ସଞ୍ଜ ନଇଁଲେ ପଡ଼ୁଛି ତାଟି କବାଟ। ରାଜୁତି କରୁଛି କିଟିମିଟି ଅନ୍ଧାର। ଦିନେ କି ଦୁଇଦିନ ନୁହେଁ, ମାସେ ହେଲାଣି ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ବତ୍ୟା ପ୍ରଭାବିତ ଗାଁ ବାସୀ। ତେବେ ଏସବୁରୁ କେବେ ମିଳିବ ଉପଶମ, ଫୋନି ଦେଇଯାଇଥିବା ଘା’ରେ କେବେ ଲାଗିବ ମଇଲମ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା କ୍ଷତିଗ୍ରସ୍ତ କିଭଳି ନିଜର ଅଣ୍ଟା ସଳଖିବେ ତାକୁ ନେଇ ମଧ୍ୟ ସନ୍ଦିହାନ ହୋଇ ପଡ଼ିଛନ୍ତି।

ଧୂରୀଣ ଧର୍ମେନ୍ଦ୍ରଙ୍କ କର୍ତ୍ତବ୍ୟନିଷ୍ଠାକୁ ଶ୍ରେୟ

ଜନ୍ମବେଳୁ ତାଙ୍କ ରକ୍ତରେ ବହୁଥିଲା ରାଜନୀତିର ହାୱା। ପିତା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ କଲେଜରେ ଶିକ୍ଷାଲାଭ କରିବା ବେଳୁ ତାଙ୍କ ପାଖରେ ନେତୃତ୍ବ ନେବାର ଦମ୍ଭ ଦେଖାଦେଇଥିଲା। ୧୯୮୫ରେ ତାଳଚେର କଲେଜରେ ଛାତ୍ର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଜୀବନରେ ଗୋଟିଏ ପରେ ଗୋଟିଏ ରାଜନୀତିକ ପାହାଚରେ ଉପରକୁ ଚଢ଼ିଚାଲିଛନ୍ତି। ରାଜନୀତିରେ ଧୂରୀଣ ଏହି ଉଦୀୟମାନ ରାଜନେତା ଜଣକ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୯୯୫ରେ ସେ ଏବିଭିପିର ଜାତୀୟ ସମ୍ପାଦକ ହେବା ସହ ୨୦୦୦ରେ ପାଲଲହଡ଼ାରୁ ବିଧାୟକ ହେବାର ସୌଭାଗ୍ୟ ପାଇଲେ। ବିଧାୟକ ଥିବା ସମୟରେ ସେ ୨୦୦୪ରେ ବିଜେପି ଯୁବମୋର୍ଚ୍ଚାର ଜାତୀୟ ସଭାପତି ଭାବେ କାର୍ଯ୍ୟ କଲେ। ଉକ୍ତ ବର୍ଷ ମଧ୍ୟ ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଯୁବମୋର୍ଚ୍ଚାର ମୁଖ୍ୟ ଭାବେ ଦୁଇ ବର୍ଷ ସଫଳତାର ସହ ଏହି ପଦ ସମ୍ଭାଳିବା ପରେ ୨୦୦୭ରେ ବିଜେପିର ଜାତୀୟ ସମ୍ପାଦକ ପଦ ପାଇଲେ। ଏହି ପଦରେ ୩ ବର୍ଷ ରହିବା ସହ ଧର୍ମେନ୍ଦ୍ର ଛତିଶଗଡ଼ ପ୍ରଭାରୀ ଦାୟିତ୍ବରେ ରହିଥିଲେ। ଏହାପରେ ସେ ଉତ୍ତରାଖଣ୍ଡ ଦାୟିତ୍ବ ମଧ୍ୟ ସମ୍ଭାଳିଲେ। ଉକ୍ତ ଦୁଇ ରାଜ୍ୟ ଦାୟିତ୍ବରେ ଧର୍ମେନ୍ଦ୍ର ଥିବା ବେଳେ ବିଜେପି ବେଶ୍‌ ସଫଳତା ହାସଲ କରିଥିଲା। ୨୦୧୧ରେ ତାଙ୍କୁ କର୍ଣ୍ଣାଟକ ବିଜେପି ପ୍ରଭାରୀ ଦାୟିତ୍ବ ମିଳିଥିଲା ଓ ସେଠାରେ ମଧ୍ୟ ସେ ତାଙ୍କ ଦମ୍‌ଦାର ନେତୃତ୍ବର ପରିଚୟ ଦେଇଥିଲେ। ସେହିପରି ୨୦୧୦ରୁ ସେ ଅଦ୍ୟାବଧି ବିହାର ଦାୟିତ୍ବରେ ରହିଆସିଛନ୍ତି।

ପ୍ରତାପଙ୍କ ପ୍ରତାପ: ସଚ୍ଚୋଟ ସୈନିକରୁ ରାଷ୍ଟ୍ରମନ୍ତ୍ରୀ ସମ୍ମାନ

ଦିନେ ସନ୍ୟାସୀ ହେବାକୁ ମନ ଚାହିଁଥିଲା। ସେଥିପାଇଁ ସେ କୋଲକାତାର ରାମକୃଷ୍ଣ ମଠକୁ ଚାଲିଯାଇଥିଲେ। ହେଲେ ତାଙ୍କ ମା’ଙ୍କ ସେବା କରିବା ପାଇଁ ସେ ମଠରେ ସନ୍ନାସୀ ହୋଇପାରି ନ ଥିଲେ। ଶେଷରେ ସେ ସନ୍ୟାସୀ ହେବା ଛାଡ଼ି ସମାଜସେବାକୁ ଆପଣାଇ ନେଇଥିଲେ। କଥା ନୁହେଁ, କାମକୁ ଜୀବନର ମନ୍ତ୍ର କରିଥିଲେ। ଏହାପରେ ସାଧାରଣ ପରିବାରରୁ ଆସି ପାଇଛନ୍ତି ଅସାଧାରଣ ସଫଳତା। ଅଗ୍ନିବର୍ଷୀ ନେତା ଭାବେ ତାଙ୍କର ଯେତିକି ସୁନାମ, ସରଳ ଓ ନିରଳସ ଜୀବନଯାପନ ପାଇଁ ବି ସେ ସେତିକି ଚର୍ଚ୍ଚିତ। ଲୋକଙ୍କ ପାଇଁ କିଛି କରିବାର ନିଷ୍ଠା ଆଜି ତାଙ୍କୁ ଆଣି ପହଞ୍ଚାଇ ଦେଇଛି ଶୀର୍ଷରେ। ୨୦୦୪ରୁ ନୀଳଗିରିରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ତାଙ୍କୁ ଆଣି କେନ୍ଦ୍ରମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇ ପାରିଛି। ଅଦମ୍ୟ ନିଷ୍ଠା ଓ କିଛି କରିବାର ଝୁଙ୍କ୍‌ ତାଙ୍କୁ ଆଣି ପହଞ୍ଚାଇଛି ସଫଳତାର ଶୀର୍ଷରେ। ମାତ୍ର ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଚାଲିଚଳଣି, ବେଶଭୂଷା, ଆଚାର ବ୍ୟବହାର ଏବଂ ନିରାମୟ ଜୀବନଯାପନ ପାଇଁ ସେ ଆଜି ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆମେ ଏଠାରେ କହୁଛୁ ଅତି ସାଧାରଣ ମଣିଷ ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀଙ୍କ କଥା। ଯିଏ କି ନିଜ ତଥା ଆଖପାଖ ଅଞ୍ଚଳରେ ‘ନନା’ ବୋଲି ବେଶ୍‌ ପରିଚିତ। କଥା ନୁହେଁ, କାମକୁ ଜୀବନର ମନ୍ତ୍ର କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିଭାକୁ ଚିହ୍ନି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଶପଥ ଗ୍ରହଣ ପରେ ହୋଇଥିବା ମୋଦିଙ୍କ ଦ୍ବିତୀୟ ସରକାରର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନରେ ତାଙ୍କୁ ଏମ୍‌ଏସ୍‌ଏମ୍‌ଇ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।

ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପାଇଁ ସାହସ ଦେଖାଇବେ କି

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନର ଫଳାଫଳ ଆସିବା ପରେ ଏବେ ବିଭିନ୍ନ ପଦପଦବୀ ପାଇଁ ଆରମ୍ଭ ହୋଇଯାଇଛି କସରତ। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ଏହା ପୂର୍ବରୁ ସେ ନିଜ ଟିମ୍‌ ତିଆରି କରିବେ। ତେବେ ବିଭିନ୍ନ ପଦପଦବୀ ପାଇଁ ପାଗ ଭିଡ଼ିଥିବା ଆଶାୟୀମାନେ ଏବେ ଫୁଲତୋଡ଼ା ଧରି ନବୀନ ନିବସ ସମ୍ମୁଖରେ ପଇଁତରା ମାରୁଛନ୍ତି। କାହାକୁ ମନ୍ତ୍ରି ଗାଦି ମିଳିବ, କେଉଁ ଅଞ୍ଚଳରୁ କିଏ ସାମିଲ୍‌ ହେବେ, ସେ ସମ୍ପର୍କରେ ନାନା କଳ୍ପନାଜଳ୍ପନା ଲାଗି ରହିଛି। କ୍ୟାବିନେଟ୍‌ରେ କାହାକୁ ମିଳିବ ଗୁରୁତ୍ୱ, ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଗତ ଥର ଯିଏ ମନ୍ତ୍ରୀ ପଦ ପାଇଥିଲେ, ସେମାନେ ଏଥର ରହିବେ ତ? ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଏସବୁ ଭିତରେ କିଏ ହେବ ବାଚସ୍ପତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌। ଷୋଡ଼ଶ ବିଧାନସଭାର କିଏ ହେବେ ବାଚସ୍ପତି? କାହା ଉପରେ ଭରସା କରିବ ବିଜେଡି? ସରକାରଙ୍କ ମନ ବୁଝିବା ସହ ବିରୋଧୀଙ୍କୁ ଅସନ୍ତୁଷ୍ଟ ନ କରି କିଏ ଚଳାଇ ପାରିବେ ଗୃହ? ଖାଲି ସେତିକି ହେଲେ ଚଳିବନି ଆଇନକାନୁନ ବି ମାଲୁମ ଥିବା ଦରକାର। ଏଭଳି ଜଣେ ନେତାଙ୍କୁ ଖୋଜୁଛି ବିଜେଡି। ସର୍ବମାନ୍ୟ ବାଚସ୍ପତି ପଦ ପାଇଁ ଅଭିଜ୍ଞ ଓ ଯୋଗ୍ୟ ନେତା ଦଳରେ ଥିବାବେଳେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ପାୱାର କରିଡର୍‌ରେ ଟୁପୁରୁଟାପର ଶୁଣିବାକୁ ମିଳୁଛି। ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି ଉଠାଇ ନବୀନ ତାଙ୍କର ପ୍ରଥମ ଅଭିଯାନରେ ଲୋକସଭା ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ନବୀନ କ’ଣ ଏଥର ରାଜ୍ୟର ପ୍ରଥମ ମହିଳା ବାଚସ୍ପତିଙ୍କ ପାଇଁ ରାସ୍ତା ପ୍ରଶସ୍ତ କରିବାର ସାହସ ଦେଖାଇବେ? ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ମତେ ଯେତେ ମାଠିବୁ ମାଠ . . .

କଥାରେ ଅଛି ସିଏ ହେଉଛି ଅସଲ ମଣିଷ, ଯିଏ ନିଜର ପୂର୍ବ ତ୍ରୁଟିରୁ କିଛି ଶିଖି ପରବର୍ତ୍ତୀ ସମୟରେ ତାହାକୁ ସୁଧାରି ନେଇଥାଏ। ଯିଏ ନିଜର ପୂର୍ବ ତ୍ରୁଟିରୁ କିଛି ବି ନ ଶିଖି ବାରମ୍ବାର ସେଇ ଭୁଲ୍‌ର ପୁନରାବୃତ୍ତି କରିଚାଲେ, ସେ ଜୀବନରେ କଦାପି ସଫଳ ହୁଏ ନାହିଁ। ଏହା ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ ସଦୃଶ। ଗତ ସପ୍ତଦଶ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ କ୍ଷେତ୍ରରେ ଏହା ବେଶ୍‌ ପ୍ରଯୁଜ୍ୟ। କାରଣ ଦେଶର ଜନସାଧାରଣ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଉପରେ ପୂରା ଭରସା ଦେଖାଇଥିବା ବେଳେ ଗତ ସ୍ବାଧୀନ ଭାରତରେସବୁଠାରୁ ଅଧିକ ସମୟ ଶାସନ ଡୋର ନିଜ ହାତରେ ରଖିଥିବା କଂଗ୍ରେସଠାରୁ ମୁହଁ ଫେରାଇନେଇଛନ୍ତି। ତେବେ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଯେପରି ସମୁଦାୟ ଆସନରୁ ମାତ୍ର ୧୦ ପ୍ରତିଶତ ହାସଲ କରି ବିରୋଧୀ ଦଳର ଭୂମିକାରୁ ବି ଯିବା ଅବସ୍ଥାରେ ପହଞ୍ଚିଛି, ସେଥିପାଇଁ ଅନ୍ୟ କେହି ଦାୟୀ ନୁହନ୍ତି। ବରଂ ନିଜେ କଂଗ୍ରେସ ଏଥିପାଇଁ ଦାୟୀ ବୋଲି କେହି ବି କହିପାରିବେ। କାରଣ ଦେଶର ସର୍ବପୁରାତନ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏହି ଦଳ ନିଜର ପୂର୍ବ ଭୁଲ୍‌ରୁ କିଛି ବି ଶିଖିପାରିନାହିଁ।

ବିଜେପି ପାଇଁ ଭାରୀ ପଡିଲେ ବିଜେଡି ଚାଣକ୍ୟ

ଅନେକ ରାଜ୍ୟରେ ମୋଦି ସୁନାମୀ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ପୁଣି ପଞ୍ଚମ ଥର ପାଇଁ ବିଜେଡି ସରକାର କ୍ଷମତାକୁ ଆସିଛି। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଓଡିଶାବାସୀ ବିଜେପିକୁ ବିଧାନସଭା ପାଇଁ ଅଧିକ ୧୪ ପ୍ରତିଶତ ଭୋଟ୍‌ ଓ ଲୋକସଭା ପାଇଁ ଅଧିକ ୧୭ ପ୍ରତିଶତ ଭୋଟ୍‌ ଦେବା ସତ୍ତ୍ବେ ଓଡ଼ିଶାରେ ଯେଉଁ ପ୍ରମୁଖ କାରଣ ପାଇଁ ବିଜେପି ଆଶା କରୁଥିବା ଫଳ ପାଇଲା ନାହିଁ ସେ ମଧ୍ୟରେ ରହିଛି ପ୍ରମୁଖ ୫ ଟି କାରଣ। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ପ୍ରତି ଆଦୌ ଅବହେଳା କରିନାହାନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଆରମ୍ଭ କରି ରାଜନାଥ ସିଂଙ୍କ ଯାଏ କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ଓଡିଶା ଆସିଛନ୍ତି। ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାରେ ମୋ ବୁଥ୍‌ ମଜଭୁତ ଠାରୁ ବିସ୍ତାରକ ନିଯୁକ୍ତି ତଥା ପାନ୍ନା ପ୍ରଭାରୀ, ବୁଥ୍‌ କମିଟି ଯାଏ ନିଯୁକ୍ତି କରାଯାଇଥିଲା। ଦଳିତ ପରିବାରରେ ଭୋଜନ ଠାରୁ ମିଶନ ୧୨୦ ପ୍ଲସ ଅଭିଯାନ ଯାଏ ବିଜେପି ବିଜେଡିକୁ ଗାଦିଚ୍ୟୁତ କରାଇବା ପାଇଁ ନାନା ପ୍ରକାର କୌଶଳ ଆପଣାଇଥିଲା। କିନ୍ତୁ ଏସବୁ କୌଶଳ ନିରର୍ଥକ ହେଲା।

ଉଚ୍ଚଜାତି ଭୋଟ୍‌ରେ ବିଜେପି ବଳୀୟାନ୍‌

ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରରେ ନିର୍ବାଚନ ମାଧ୍ୟମରେ ସାଧାରଣ ଜନତା ଦିଲ୍ଲୀ ଆସନରେ ନିଜର ପସନ୍ଦ ପ୍ରାର୍ଥୀଙ୍କୁ ବସାଇଆସିଛନ୍ତି। ତେବେ ଦିଲ୍ଲୀ ଦରବାରରେ ପହଞ୍ଚିବାର ରାସ୍ତା ଉତ୍ତର ପ୍ରଦେଶ ଦେଇ ଯାଇଛି। କାରଣ ଏହା ଦେଶର ସର୍ବବୃହତ୍‌ ରାଜ୍ୟ ଓ ଏଠାରେ ପାଖାପାଖି ୭ ପ୍ରତିଶତ ଲୋକସଭା ଆସନ ରହିଛି। ତେଣୁ ଏହି ୮୦ ଆସନ ବିଶିଷ୍ଟ ରାଜ୍ୟରେ ଅଧିକ ଆସନ ହାତେଇପାରିଲେ, କୌଣସି ଦଳ ପକ୍ଷରେ କେନ୍ଦ୍ରରେ ସରକାର ଗଠନ କରିବା ବେଶ୍‌ ସହଜ ହୋଇଥାଏ। ଗତ ୨୦୧୪ରେ ବିଜେପି ଏଠାରେ ୭୧ଟି ଓ ଏହାର ସହଯୋଗୀ ଦଳ ଅପ୍‌ନା ଦଳ ୨ଟି ଏହିପରି ସର୍ବମୋଟ ୭୩ଟି ଆସନ ପାଇ ୧୫ ବର୍ଷ ପରେ ପୁନର୍ବାର କ୍ଷମତାକୁ ଫେରିଥିଲା। ଦଳ ୫ ବର୍ଷ ପରେ ମଧ୍ୟ ତା’ର ସଫଳତା ଧାରା ଜାରି ରଖିପାରିଛି। ଏହି କ୍ରମରେ ଚଳିତ ନିର୍ବାଚନରେ ବିଜେପି ୬୨ଟି ଓ ସହଯୋଗୀ ଅପ୍‌ନା ୨ଟି ମିଶାଇ ମୋଟ ୬୪ଟି ଆସନ ହାତେଇଥିବା ବେଳେ ଦେଶରେ ବିଜେପି ଏକାକୀ ୩ ଶହରୁ ଊର୍ଦ୍ଧ୍ବ ଆସନ ଏବଂ ଏନ୍‌ଡିଏ ୩୪୯ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବିଜେପିକୁ ଚେକ୍‌ ଦେବା ସକାଶେ ବାଘ-ଛେଳି ଗୋଟିଏ ତୁଠରେ ପାଣି ପିଇଥିଲେ। ମହାମେଣ୍ଟ ଭାବେ ଏସ୍‌ପି-ବିଏସ୍‌ପି ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେମାନଙ୍କ ମେଣ୍ଟକୁ ଉତ୍ତର ପ୍ରଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଚର୍ଚ୍ଚା ସରଗରମ: ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ?

୨୦୧୪ ଲୋକସଭା ନିର୍ବାଚନ ଅପେକ୍ଷା ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିଛି ଆଶାତୀତ ସଫଳତା। ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେପି ଗୋଟିଏ ମାତ୍ର ଲୋକସଭା ଆସନ ପାଇଥିଲା। ସୁନ୍ଦରଗଡ଼ ଲୋକସଭା ଆସନରୁ ଜୁଏଲ ଓରାମ ଜିତିଥିଲେ ଏବଂ ମୋଦିଙ୍କ ପ୍ରଥମ ପାଳି ସରକାରରେ ମନ୍ତ୍ରିପଦ ହାତେଇଥିଲେ। ସେହିପରି ବିଧାନସଭାରେ ଦଳର ମାତ୍ର ୧୦ ଜଣ ସଦସ୍ୟ ଥିବାରୁ ରାଜ୍ୟସଭାକୁ କାହାକୁ ପଠାଇ ପାରି ନ ଥିଲା ଦଳ। ଏ ପରିପ୍ରେକ୍ଷୀରେ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଯୋଡ଼ି ଅଭୂତପୂର୍ବ ସଫଳତା ହାସଲ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ସଦସ୍ୟ ସଂଖ୍ୟା ୮କୁ ବୃଦ୍ଧି ପାଇବା ପରେ ଏବେ କେନ୍ଦ୍ରରେ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି।

ବଢୁଛି ନୋଟା ପସନ୍ଦ

ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ବିହାରର ମତଦାତା ନୋଟାର ବଟନ ଦବାଇ ପ୍ରାର୍ଥୀମାନଙ୍କୁ ନାକଚ କରାଇଛନ୍ତି। ବିହାରର ୮.୧୭ ଲକ୍ଷ ମତଦାତା ନୋଟାର ବ୍ୟବହାର କରିଥିବା ଜଣାଯାଇଛି। ଏପରି ଭାବେ ରାଜସ୍ଥାନରେ ୩.୨୭ ଲକ୍ଷ ଭୋଟ୍‌ର ନୋଟାକୁ ବିକଳ୍ପ ଭାବେ ବାଛିଛନ୍ତି। କୌଣସି ପ୍ରାର୍ଥୀଙ୍କ ଉପରେ ଆସ୍ଥା ନ ଥିବା ସୂଚିତ କରାଇ ଦେଇଛନ୍ତି ୩.୨୭ ଲକ୍ଷ ମତଦାତା। ରାଜସ୍ଥାନରେ ନୋଟାକୁ ପ୍ରଦାନ କରାଯାଇଥିବା ଭୋଟ୍‌ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀମାନଙ୍କୁ ମିଳିଥିବା ଭୋଟ୍‌ ଠାରୁ ଅଧିକ। ଗତ ଲୋକସଭା ନିର୍ବାଚନରେ ପାଖାପାଖି ୩,୨୭,୯୦୨ ଭୋଟ୍‌ର ନୋଟାର ବ୍ୟବହାର କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ୩ ଲକ୍ଷ ୨୭ ହଜାର ୫୫୯ ମତଦାତା ନୋଟା ବଟନ ଉପରେ ଙ୍ଗୁଳି ଦବାଇଥିଲେ। ଏହା ରାଜ୍ୟର ୨୫ ଲୋକସଭା ଆସନରେ ପ୍ରଦତ୍ତ ସମୁଦାୟ ଭୋଟ୍‌ର ୧.୦୧ ପ୍ରତିଶତ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ