ସ୍ବତନ୍ତ୍ର ପ୍ରସଙ୍ଗ

ପଲିଥିନ୍‌ ପ୍ରହସନ: କଟକଣା ବାଟବଣା, ଶୋଇଛି ପ୍ରଶାସନ

ଭୁବନେଶ୍ବର: ସାରା ବିଶ୍ବରେ ମୁଣ୍ଡବିନ୍ଧାର କାରଣ ପାଲଟିଛି ପ୍ରଦୂଷଣ। ଏହା କେବଳ ଶିଳ୍ପ ଜନିତ ନୁହେଁ, ବରଂ ସ୍ବଚ୍ଛତା ଓ ସଚେତନତାର ଅଭାବରୁ ମଧ୍ୟ ହେଉଛି। ତନ୍ମଧ୍ୟରେ ମାଟିରେ ମିଶିପାରୁ ନ ଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ର ବ୍ୟବହାର ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଲଗାତର ବିଭିନ୍ନ ଦେଶମାନଙ୍କୁ ସତର୍କ ଓ ସଚେତନ କରାଇ ଆସୁଛି। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଥିବା ବେଳେ ଏନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ ଇଛାଶକ୍ତି, କାର୍ଯ୍ୟାନ୍ବୟନ ଓ ସଚେତନତା ସୃଷ୍ଟି କରାଯିବାର ଘୋର ଅଭାବ ହେତୁ ଏହା କାର୍ଯ୍ୟକାରୀ ହୋଇ ପାରୁନି। ଓଡ଼ିଶା ଏହାର ସତ୍ୟତମ ନମୂନା ପାଲଟିଛି। ରାଜ୍ୟରେ ବିଜେଡି ସରକାରର ୧୯ ବର୍ଷ ମଧ୍ୟରୁ ୧୪ ବର୍ଷରେ ଦୁଇ ଦୁଇ ଥର ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ କଟକଣା ନେଇ ଘୋଷଣା ହୋଇଥିଲେ ହେଁ ଏଯାବତ୍‌ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇଛି। ଖାଲି ଘୋଷଣା ଓ କାଗଜ କଲମରେ ରହିଛି ଏହି କଟକଣା। ସାଧାରଣରେ ଏଥିପ୍ରତି ସଚେତନତା ସୃଷ୍ଟି ହୋଇ ପାରି ନ ଥିବାରୁ ଏବେ ପଲିଥିନ୍‌ କଟକଣା ଏକ ପ୍ରହସନ ପାଲଟିଛି। କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ଶୋଇଥିବା ବେଳେ ଘୋଷଣାର କାର୍ଯ୍ୟକାରିତା ସମ୍ପର୍କରେ ତିଳେମାତ୍ର ନିଘା ନାହିଁ। ଆଗାମୀ ଦିନରେ ଏହା କିଭଳି ଭୟଙ୍କର ବିପଦକୁ ନିମନ୍ତ୍ରଣ କରୁଛି, ସେ ସମ୍ପର୍କରେ କେହି ଚିନ୍ତା କରୁନାହାନ୍ତି।

ବିଶ୍ବକପ୍‌ରେ ବିରଳ: ଯୁବରାଜଙ୍କ ପରେ ଶାକିବ୍‌ଙ୍କ ଅଲ୍‌ରାଉଣ୍ଡ୍‌
ଦିଦିଙ୍କ ଦାଦାଗିରି ସୃଷ୍ଟି କରିଛି ବ୍ୟାଡ୍‌ ପ୍ରଶାସନିକ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ରାଜ୍ୟ ସରକାରମାନେ ଚାଲିଲେ, ଏଥିରେ ସଂଘୀୟ ବ୍ୟବସ୍ଥାର ଶୁଦ୍ଧତା ବଜାୟ ରହିବା ସହ ରାଜ୍ୟର ଜନସାଧାରଣ ଉପକୃତ ହୋଇଥାନ୍ତି। ଏହି କାରଣରୁ ରାଜ୍ୟ ମୁଖ୍ୟମାନେ ଦଳ ମତ ନିର୍ବିଶେଷରେ କେନ୍ଦ୍ର ସରକାରଙ୍କ ସହଯୋଗ ମନୋଭାବ ପୂର୍ବକ କାର୍ଯ୍ୟ କରିଥାନ୍ତି। ଅନ୍ୟପକ୍ଷରେ ଯେଉଁ ସରକାରମାନେ କେନ୍ଦ୍ରରେ କ୍ଷମତାସୀନ ସରକାର ବିରୋଧରେ ଅହରହ ଯୁଦ୍ଧଂଦେହି ଡାକରା ଦେଇଥାନ୍ତି, ସେମାନେ ସମସ୍ତ ପ୍ରକାର ସମସ୍ୟାରେ ପଡ଼ିଥାନ୍ତି। କିନ୍ତୁ ନିଜର ଅହଂକାର, ଔଦ୍ଧତ୍ୟ ଓ ନଛୋଡ଼ବନ୍ଧା ପ୍ରକୃତିକୁ ଅଗ୍ରାଧିକାର ଦେଇ ଯେଉଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଉପଯୁକ୍ତ ସମନ୍ବୟ ସ୍ଥାପନ ନ କରନ୍ତି, ଉକ୍ତ ରାଜ୍ୟର ଜନସାଧାରଣ କେନ୍ଦ୍ରୀୟ ଯୋଜନାରୁ ଫାଇଦା ପାଆନ୍ତି ନାହିଁ। ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ବଲୀ କା ବକ୍‌ରା ବନିଯାଆନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଏହି ଯୁକ୍ତି ଲାଗୁ ହେଉଛି। କାରଣ ଏଠାକାର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଗତ କିଛି ମାସ ହେଲା ଯେପରି ଭାବେ ଅଧିକ ହିଂସ୍ର ଓ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି, ତାହା ସମଗ୍ର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତାଙ୍କର ଏପରି ପ୍ରତିଶୋଧମୂଳକ ଆଚରଣ ଲାଗି ଦିଗହରା ହୋଇପଡ଼ିଛି ରାଜ୍ୟ ପ୍ରଶାସନ। ଫଳରେ ରାଜ୍ୟବାସୀ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେବା ସହ ଦେଶରେ ଏହା ଏକ ବ୍ୟାଡ୍‌ ପ୍ରଶାସନିକ ଟ୍ରେଣ୍ଡ୍‌ ସୃଷ୍ଟି କରିଛି ଆଉ ଏହି ଧାରା ବଳବତ୍ତର ରହିଲେ ନିଶ୍ଚିତ ରୂପେ ଏହା ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ।

ନବୀନଙ୍କ ୟୁଟର୍ଣ୍ଣ: ପୁଣି ବିଜେପି-ବିଜେଡି ରୋମାନ୍ସ ଆରମ୍ଭ
ବିଜୟଙ୍କ ପ୍ରତି ନବୀନଙ୍କ ଏତେ ଅସୂୟା ଭାବ କାହିଁକି?

ଘୋଷଣା ହୋଇନି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ। ମାତ୍ର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେଠାରେ ସମରସଜ୍ଜା ସୃଷ୍ଟି କରିଛି ଭିନ୍ନ ଏକ ପରିସ୍ଥିତି। ୧୧୨ ଆସନ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଥିବା ବିଜେଡି ଏହି ଆସନକୁ କାହିଁକି ଏତେ ଗୁରୁତ୍ବ ଦେଉଛି ? ତାରିଖ ଘୋଷଣା ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳଦେବ ଜୀଉଙ୍କ ଦର୍ଶନ କରିବା ବାହାନାରେ କେନ୍ଦ୍ରାପଡ଼ା ବୁଲି ଆସିଛନ୍ତି। ଏଥିସହ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରି ତାଙ୍କ ରାଜନୈତିକ ଅଭିପ୍‌ସାକୁ ପୂରଣ କରିବା ପାଇଁ ପ୍ରଥମ ଗୋଟି ଚାଳନା କରିଛନ୍ତି। ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ନେତାଏ ଏକାଠି ହେବାର ଅନେକ ନଜିର ରହିଛି। ମାତ୍ର ରାଜ୍ୟ ରାଜନୀତିରେ ବେଶ୍‌ ପୋଖତ ବିଜୟ ମହାପାତ୍ରଙ୍କୁ ବିଧାନସଭା ପୂରାଇ ନ ଦେବା ପାଇଁ ନବୀନ ଓ ତାଙ୍କ କୋଟେରୀ ଯେଉଁ ଯୋଜନା ସବୁ କରିଛନ୍ତି, ତାହାକୁ ବୁଝିବା ବଡ଼ ମୁସ୍କିଲ ହୋଇପଡ଼ିଛି। ଫଳରେ ବିଜୟ ମହାପାତ୍ର ୨ ହଜାର ମସିହା ପୂର୍ବରୁ ୪ ଥର ପାଟକୁରାରୁ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଅପ୍ରତିଦନ୍ଦ୍ବୀ ନେତା ଭାବେ ଯେଉଁ ପରିଚୟ ସୃଷ୍ଟି କରିଥିଲେ, ସେଥିରେ ବ୍ରେକ୍‌ ଲାଗିଛି। ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକଙ୍କ ପରି ନୂଆ ପିଢ଼ିର ନେତା ଏବେ କେନ୍ଦ୍ରାପଡ଼ା ରାଜନୀତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛନ୍ତି।

ରାଜ୍ୟସଭାରେ କିଏ କରିବ ରାଜ୍‌ ?

ଭୁବନେଶ୍ବର: ରାଜ୍ୟସଭାରେ ଓଡ଼ିଶାର ଖାଲିଥିବା ୩ଟି ଆସନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ବାସ୍ତବରେ ଯଦିଓ ୪ଟି ରାଜ୍ୟସଭା ସିଟ୍ ଖାଲି ହୋଇଛି, କିନ୍ତୁ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ବର୍ଷେରୁ କମ୍ ସମୟ ଥିବାରୁ ସେହି ଖାଲି ପଦବୀ ପାଇଁ ନିର୍ବାଚନ ହେଉନି। ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ବିଧାନସଭା ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ସହ ରିଟର୍ଣ୍ଣିଙ୍ଗ ଅଫିସର ନିଯୁକ୍ତି କରାଯାଇଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ବହୁ ଆଗରେ ଥିବାରୁ ୩ଟି ଯାକ ଆସନ ହାତେଇବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ବିଜେପି ଓ କଂଗ୍ରେସର ସଂଖ୍ୟା ନ ଥିବାରୁ ସେମାନେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବେନି। ସେଥିପାଇଁ ବିଜେପି ଓ କଂଗ୍ରେସ କ୍ୟାମ୍ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ନ ଥିବା ବେଳେ ବିଜେଡିରେ ଜୋର୍‌ଦାର୍‌ ଛକାପଞ୍ଝା ଲାଗି ରହିଛି। ସେଥିପାଇଁ ସମସ୍ତଙ୍କ ନଜର ଏବେ ବିଜେଡି ଉପରେ ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସନ୍ତୁଳନ ରକ୍ଷା କରିବାକୁ ନବୀନ କେତେକ ନେତାଙ୍କୁ ରାଜ୍ୟସଭା ଲଡୁ ଖୁଆଇଥିଲେ। ସେମାନେ ଏବେ ସେହି ଲଡ଼ୁ ଆଶାରେ ଅଛନ୍ତି। ନିର୍ବାଚନରେ ହାରିଥିବା ଆଉ କେତେକ ହେଭିୱେଟ୍‌ ନେତା ବି ଭାଗ ବସାଇବାକୁ ହାତ ପୂରାଇଲେଣି। ଏହାବାଦ୍ ସଂଗଠନ କାମ ବୁଝୁଥିବା କେତେକ ନେତା ବି ରାଜ୍ୟସଭା ପାଇଁ ଆଶାବାଦୀ ଅଛନ୍ତି। ତେବେ ଏହି ୩ଟି ଆସନ ପାଇଁ ୩୩ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି କୁଆଡ଼େ ରାଜ୍ୟସଭାକୁ କିଏ ଯିବ, ତାହା ଦଳର ସୁପ୍ରିମୋ ସ୍ଥିର କରି ସାରିଛନ୍ତି। ବିଜେଡିର ୩ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଜୁନ୍ ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏଥର ୨ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ରାଜ୍ୟସଭା ପଠାଯିବାକୁ ସ୍ଥିର ହୋଇଥିବା ତୃତୀୟ ମହଲା ସୁତ୍ରରୁ ଜଣାପଡ଼ିଛି। ତଥାପି ମଧ୍ୟ ଆଶାୟୀଙ୍କ ଲବି କମ୍ ନାହିଁ। ୨୫ ତାରିଖ ନାମାଙ୍କନ ଦାଖଲ ଶେଷ ଦିନ ଥିବାରୁ ତା’ର ୨/୩ ଦିନ ପୂର୍ବରୁ ନବୀନ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଖାଲିଥିବା ୩ଟି ସିଟ୍ ରୁ ପ୍ରତାପ ଦେବଙ୍କ ସ୍ଥାନରେ ଯିଏ ରାଜ୍ୟସଭା ଯିବ, ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। କିନ୍ତୁ ସୌମ୍ୟରଞ୍ଜନ ପଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଯେଉଁ ୨ଜଣ ରାଜ୍ୟସଭା ଯିବେ, ସେମାନେ ୫ ବର୍ଷ ପାଇଁ ରହିପାରିବେ।

ପଶ୍ଚିମ ଓଡ଼ିଶାରେ ଜଳଯନ୍ତ୍ରଣା: ଫୋକସ୍‌ରେ ବଲାଙ୍ଗିର
ଓଡ଼ିଆ ପିଲାଙ୍କୁ ଇଂରାଜୀ ଅଡୁଆ

ଓଡ଼ିଆ ପିଲାଙ୍କୁ ଅଡୁଆ ହୋଇଛି ଇଂରାଜୀ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୬୦ ହଜାର ପରୀକ୍ଷାର୍ଥୀ ଇଂରାଜୀ ପେପରରେ ଫେଲ୍‌ ହୋଇଛନ୍ତି। ସ୍କୁଲରେ ଇଂରାଜୀ ଶିକ୍ଷକଙ୍କ ତ୍ରୁଟି ନା ପିଲା ଇଂରାଜୀ ପଢିଲେନି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କାହାର ରହିଲା ତ୍ରୁଟି? ଏତେ ସଂଖ୍ୟକ ପିଲା ଇଂରାଜୀରେ ଫେଲ୍‌ ହେବା କଦାପି ଶୁଭ ସୂଚକ ନୁହେଁ। କେବଳ ଏତିକି ନୁହେଁ ଚଳିତ ଥର ରାଜ୍ୟର ୮୨ ଟି ବିଦ୍ୟାଳୟରେ ଫଳ ଶୂନ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ ମାନେ କାରଣ ଖୋଜୁଛନ୍ତି। ଜଣେ ପିଲା ପାସ୍‌ କରି ନ ଥିବା ୮୨ଟି ଉଚ୍ଚ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କାହିଁକି ନିଲମ୍ବନ କରା ନ ଯିବ ବୋଲି ପ୍ରଶ୍ନ କରାଯାଇଛି। ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅନୁଦାନ ପ୍ରତ୍ୟାହାର କରିବାକୁ ବି ଧମକ ଦିଆଗଲାଣି। ତେବେ ରେଜଲ୍ଟ ଖରାପ ଲାଗି କ’ଣ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ନା ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ବିଭାଗୀୟ ଅଧିକାରୀମାନେ ଅନ୍ୟ ମୁଣ୍ତରେ ଦୋଷ ଦେଇ ଖସିଯିବାକୁ ବସିଛନ୍ତି? ତାକୁ ନେଇ ମାନସ ମନ୍ଥନ ଆରମ୍ବ ହୋଇଛି। କେତେକ କହୁଛନ୍ତି ଶିକ୍ଷକ ଦାୟୀ। ଆଉ କେତେକ କହୁଛନ୍ତି ସରକାର ଦାୟୀ।

ମହାକାଶ ପର୍ଯ୍ୟଟନ: ରାତିକୁ ଭଡା ୩୬ ହଜାର ଡଲାର

ପର୍ଯ୍ୟଟକମାନେ ଆଗାମୀ ବର୍ଷ ଠାରୁ ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ପର୍ଯ୍ୟଟକ ଭାବେ ଯାଇପାରିବେ ବୋଲି ଆମେରିକା ଘୋଷଣା କରିଛି। ଏଥିପାଇଁ ଗୋଟିଏରାତିକୁ ଭଡ଼ା ୩୬ ହଜାର ଡ଼ଲାର ଦେବାକୁ ହେବ। ଆମେରିକା ମହାକାଶ ସଂସ୍ଥା କହିଛି ଯେ ସେ ସ୍ପେସ ଷ୍ଟେସନକୁ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଖୋଲିବାକୁ ଯାଉଛନ୍ତି। ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନର ଉପନିର୍ଦେଶକରବୀନ ଗେଟସଙ୍କ ମତରେ ଏଠାକୁ ପ୍ରତିବର୍ଷ କମ୍‌ ଅବଧିରେ ଦୁଇଟି ପ୍ରାଇଭେଟ ଅନ୍ତରୀକ୍ଷ ମିଶନ ପଠାଯିବ।ଏହି ମିଶନର ଖର୍ଚ୍ଚ ଘରୋଇ କମ୍ପାନୀମାନେ ବହନ କରିବେ। ନାସା କହିଛି ଯେ ଘରୋଇ ମହାକାଶ ଯାତ୍ରୀଙ୍କୁ ସ୍ପେସ ଷ୍ଟେସନ ପର୍ଯ୍ୟନ୍ତ ଯିବା ଲାଗି ୩୦ ଦିନର ସମୟ ମିଳିବ ଓ ସେମାନେ ଆମେରିକାର ସ୍ପେସକ୍ରାଫ୍ଟରେ ଯାତ୍ରା କରିବେ। ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନଟି ମହାକାଶର ବାହାର ଭାଗରେ ଅବସ୍ଥିତ। ଏଠାରେ ସ୍ପେସ ଷ୍ଟେସନକୁ ମହାକାଶ ସମ୍ପର୍କିତ ଗବେଷଣା ପାଇଁ ବିକଶିତ କରାଯାଇଛି। ଏହା ପୃଥିବୀର ନିକଟତମ କକ୍ଷରେ ସ୍ଥାପିତ। ଯେଉଁଠି ଲୋକମାନେ ରହି କାମ କରିପାରନ୍ତି। ମୁଖ୍ୟ ଆର୍ଥିକ ଅଧିକାରୀ ଜେଫ ଡେବିଟ କହିଛନ୍ତି ଯେ ନାସା ଅନ୍ତର୍ରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ବ୍ୟବସାୟିକ ଲାଭ ପାଇଁ ଖୋଲୁଛି। ପ୍ରଥମ କରି ଏପରି ପଦକ୍ଷେପ ନିଆଯାଉଛି। ପ୍ରାଇଭେଟ କମ୍ପାନୀ କ୍ରୁ ମେମ୍ବରଙ୍କ ସଂଖ୍ୟା ସ୍ଥିର କରିବ ଏବଂ ଘରୋଇ ମହାକାଶ ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ତାଲିମ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ। ପ୍ରତିବର୍ଷ ୧୨ଜଣ ଘରୋଇ ମହାକାଶଯାତ୍ରୀ ସ୍ପେସ ଷ୍ଟେସନ ଯାଇପାରିବେ। ନାସା ଏହି କାମ ପାଇଁ ଦୁଇଟି କମ୍ପାନୀ ଇଲୋନମସ୍କ ଏବଂ ବୋଇଙ୍ଗ ସ୍ପେସ ଏକ୍ସକୁ ନିୟୋଜିତ କରିଛି। ଏହି କମ୍ପାନୀ ଗୁଡିକ ନାସା ନେଉଥିବା ଦରରେ ଯାତ୍ରୀଭଡ଼ା ଅସୁଲ କରିପାରିବ। ପ୍ରତି ଫ୍ଲାଇଟ ଏଥିପାଇଁ ୬ କୋଟି ଡ଼ଲାର ଦେବେ। ଏହା ପୂର୍ବରୁ ନାସା ମହାକାଶରେ ସମସ୍ତ ପ୍ରକାର ବ୍ୟବସାୟିକ ଗତିବିଧିକୁ କଟକଣାଯୁକ୍ତ କରିଥିଲା। ଏହି କାରଣରୁ ଗବେଷଣା କ୍ଷେତ୍ରରେ ମଧ୍ୟ ଘରୋଇ କମ୍ପାନୀ ଗୁଡିକ ଯୋଡି ହୋଇ ପାରୁ ନ ଥିଲେ। ଯଦିଓ ନାସା ଏହି ଷ୍ଟେସନର ମାଲିକ ନୁହେଁ, ୧୯୯୮ରେ ଆମେରିକା ସହିତ ରୁଷ ମିଶି ଏହାକୁ ନିର୍ମାଣ କରିଥିଲେ।

ବଢୁଛି ଫୁଡ ଡେଲିଭରୀ ବଜାର: ୧୧ ଲକ୍ଷ କୋଟିର ବେପାର

ଏବେ ଘରେ ବସି ମୋବାଇଲ ଆପ୍‌ସ ଜରିଆରେ ଗରମାଗରମ ଖାନା ମଗାଇ ଖାଇବାର ସମୟ ଆସିଛି। ଗୁଗୁଲ ସମେତ ଅନେକ ନାମିଦାମୀ କମ୍ପାନୀ ଏବେ ଖାଦ୍ୟ ଡେଲିଭରି ବ୍ୟବସାୟରେ ବିପୁଳ ପୁଞ୍ଜିନିବେଶ କରିଛନ୍ତି। କମ୍ପାନୀମାନେ କୋଟି କୋଟି ଟଙ୍କାର ଅସଂଗଠିତ ନେଟୱର୍କକୁ ଯୋଡି ଗୁରୁଗ୍ରାମ, ବେଙ୍ଗାଳୁରୁ, ମୁମ୍ବାଇରେ ନିଜର ପାଦ ଥାପିଛନ୍ତି। ସମୟ ସହିତ ଦ୍ରୁତଗତିରେ ଦୌଡୁଛି ଦୁନିଆ। ଯିଏ ଯେଉଁଠି ଅଛି ନିଜ ନିଜ ସ୍ତରରେ ବ୍ୟସ୍ତରେ ଅଛି। ଡାଇନିଂ ଟେବୁଲ ଉପରେ ଭଲରେ ବସି ଖାଇବା ପାଇଁ ଅନେକଙ୍କ ନିକଟରେ ସମୟନାହିଁ। ହଁ, ଯଦି ଫଟାଫଟ ଆପ୍‌ସ ସହାୟତାରେ କେହି ଘରକୁ ଖାଦ୍ୟ ଯୋଗାଇ ପରଷି ପାରିଲା ତ ତେବେ ସହଜ ହୋଇଯାଇଥାଏ ଦିନଚର୍ଯ୍ୟା। ଯଦିଓ ଏହି ସୁବିଧା ପାଇଁ ପ୍ରଥମରୁ ଅନେକ ସହରରେ ପାରମ୍ପରିକ ଡବାବାଲା ବା ଟିଫିନ ସପ୍ଲାଏର୍ସ ବ୍ୟବସ୍ଥା ଥିଲା କିନ୍ତୁ ବର୍ତ୍ତମାନର ଆପ୍‌ସ ଭଳି ଏତେଟା ବିସ୍ତାରିତ ନ ଥିଲା। ଏବେ ଏହି କାମ ଦେଶର ଅଧିକାଂଶ ସହରରେ ପହଞ୍ଚିଯାଇଛି। ଏହି ବ୍ୟବସାୟ ପାଇଁ କମ୍ପାନୀ ଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଉପଭୋକ୍ତାଙ୍କ ନିକଟରେ ଭିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହୋଇପାରୁଛି। ଏଭଳି ଫୁଡ ଡେଲିଭରି କାମରେ ନିୟୋଜିତ ପ୍ରମୁଖ ଆପ ମଧ୍ୟରେ ଅଛନ୍ତି ଫ୍ରେଶ ମେନ୍ୟୁ, ଫୁଡ ଫଣ୍ଡା, ଜୋମାଟୋ, ଉବର ଇଟ୍‌ସ ଭଳି ଅନେକ ଆପ୍‌ସ। କ୍ୟାବ ସର୍ଭିସ ପ୍ରଦାନକାରୀ ଉବର କମ୍ପାନୀ ଗତବର୍ଷ ଠାରୁ ଫୁଡ ଡେଲିଭରି ବ୍ୟବସାୟରେ ପାଦ ଥାପିଛି। କମ୍ପାନୀର କହିବା କଥା ସେ ଅନ୍ୟ କମ୍ପାନୀ ଗୁଡିକ ଠାରୁ ଶୀଘ୍ର ଖାଦ୍ୟ ପହଞ୍ଚାଇଥାଏ। ସ୍ବିଗ ଡେ଼ଲି ଆପ୍‌ସ ତାର ଗ୍ରାହକମାନଙ୍କୁ ଅନେକ କ୍ଷେତ୍ରରେ କ୍ୟାସ୍‌ବ୍ୟାକ ଅଫର ଦେଇଥାଏ।

ଗାଁରୁ ରାଜଧାନୀ ଏବେ ସବୁଠି ରାଜ କରିବ ମାଟିର ପର୍ବ ‘ରଜ’
ଅଟୋମୋବାଇଲ କ୍ଷେତ୍ରରେ ଭାଳେଣି: ବିକ୍ରି ହୋଇପାରୁନି ୩୫

ଏବେ ଧୀରେ ଧୀରେ କାର ଓ ୨ ଚକିଆ ଯାନଗୁଡିକର ବିକ୍ରି କମିଯାଇଛି। ଫଳରେ ଅଟୋମୋବାଇଲ କମ୍ପାନୀ ଗୁଡିକ ପାଇଁ ଠିଆ ହୋଇଛି ନୂଆ ସମସ୍ୟା। ଚାହିଦା ନ ଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର କାର ଓ ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇପାରୁନାହିଁ। ଏବେ କମ୍ପାନୀ ଗୁଡିକ ଆଉ ନୂଆ ଗାଡ଼ି ଉତ୍ପାଦନ କରିବାକୁ ଚାହୁନାହାନ୍ତି। ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସମେତ ୧୦ଟି କାର ଉତ୍ପାଦନ କମ୍ପାନୀ ଆଗାମୀ ମାସରେ କେତେଦିନ ଯାଏ ଉତ୍ପାଦନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୁନ ମାସ ଆରମ୍ଭରୁ ଡିଲରମାନଙ୍କ ନିକଟରେ ବିପୁଳ ସଂଖ୍ୟକ ଗାଡ଼ି ବିକ୍ରି ହୋଇ ନ ପାରି ଜମାହୋଇ ରହିଛି। ପ୍ରାୟ ୧୭ ହଜାର କୋଟି ଟଙ୍କାର ୩୦ ଲକ୍ଷ ଟୁ ହୁଇଲର (ଦୁଇ ଚକିଆ ଯାନ)ଓ ଅନ୍ୟ ଯାତ୍ରୀବାହୀ ଯାନ ଭାରି ସଂଖ୍ୟାରେ ଗଛିତ ରହିଯାଇଛି। ଗାଡ଼ି ଗୁଡିକ ବିକ୍ରି ହେଇ ନ ଥିବାରୁ କିଛିଦିନ ପାଇଁ ଉତ୍ପାଦନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। କେତେକ କମ୍ପାନୀ ଉତ୍ପାଦନ ବନ୍ଦ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଆଉ କେତେକ ଅତି ଶୀଘ୍ର କରିବାକୁ ଯାଉଛନ୍ତି। ଗାଡ଼ି ଗୁଡିକ ବିକ୍ରି ନ ହେଲେ ବି ଡ଼ିଲରକୁ ଜିଏସଟି ଦେବାକୁ ପଡୁଛି। ଜୁନ ମାସରେ ପ୍ଲାଣ୍ଟ ବନ୍ଦ ରହିଲେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦ରୁ ୨୫ ପ୍ରତିଶତ କମ୍‌ ହୋଇଯିବ। ବିକ୍ରି ହ୍ରାସର ସବୁଠୁ ବଡ଼ କ୍ଷତି ଡିଲର ଉପରେ ପଡିବ। ପ୍ରଥମତଃ ବିକ୍ରି ନ ହେଲେ ଲାଭ ହ୍ରାସ ହେବ। ଦ୍ୱିତୀୟତଃ ଗାଡ଼ି ବିକ୍ରି ନ ହେଲେ ବି ଜିଏସ୍‌ଟି ଦେବାକୁ ପଡିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ