ସ୍ବତନ୍ତ୍ର ପ୍ରସଙ୍ଗ

ମୋଦିଙ୍କୁ ଶ୍ରେୟ: ଭାରତ ଏବେ ବିଶ୍ବର ତୃତୀୟ ଷ୍ଟାର୍ଟଅପ୍‌ ହବ୍‌

ଦ୍ୱିତୀୟ ଥର କ୍ଷମତାକୁ ଆସିଥିବା ମୋଦି ସରକାର ସିଧାସଳଖ ନିଯୁକ୍ତି ଦେବା ବଦଳରେ ଷ୍ଟାର୍ଟଅପ୍‌ ଉପରେ ପ୍ରାଥମିକତା ଦେଇଆସୁଛନ୍ତି। ମାତ୍ର ୪ ବର୍ଷ ପୁରୁଣା ଷ୍ଟାର୍ଟଅପ୍‌ ଇଣ୍ଡିଆ ଏବେ କ୍ରମଶଃ ସୁଦୃଢ ହେବାରେ ଲାଗିଛି। ଭାରତୀୟ ଯୁବାବର୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ବାନକୁ ଫଳବତୀ କରାଇବା ପାଇଁ ବିଶେଷ ଯତ୍ନ ନେଇଛନ୍ତି। ସାରା ଦେଶରେ ଏବେ ୨୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଠିଆହୋଇଛି। ଦିନେ ଯେଉଁମାନେ ନିଯୁକ୍ତି ପାଇଁ ବିଭିନ୍ନ ସଂସ୍ଥା ଆଗରେ ବେକ ଭାଙ୍ଗି ଠିଆ ହେବାର ଚିନ୍ତାରେ ଥିଲେ, ସେମାନେ ଏବେ ନିଯୁକ୍ତିଦାତା ଭାବେ ନିଜସ୍ୱ ପରିଚୟ ତିଆରି କଲେଣି। ସରକାରଙ୍କ ଲକ୍ଷ୍ୟ ମଧ୍ୟ ଏବେ ନିଯୁକ୍ତି ସୃଷ୍ଟି କରିବା ଅପେକ୍ଷା ନିଯୁକ୍ତିଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ ଫୋକସ ରହିଛି।

ତାତି ଛଡ଼ାଇନେବ ୩.୪ କୋଟି ଚାକିରି!

ନିକଟରେ ମିଳିତ ଜାତିସଙ୍ଘ ଏକ ରିପୋର୍ଟ ପ୍ରକାଶ କରିଛି। ସେଥିରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଶେଷ କରି ଭାରତରେ ବଢୁଥିବା ରୌଦ୍ରତାପ ଆଗାମୀ ଦିନରେ ଗରିବ ଓ ମେହନତୀ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଇଛି। ରୌଦ୍ରତାପ କାରଣରୁ ୨୦୩୦ ମସିହା ସୁଦ୍ଧା ୩.୪ କୋଟି ଚାକିରିର ପରିସମାପ୍ତି ଘଟିବ ବୋଲି ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ବଢୁଥିବା ରୌଦ୍ରତାପ ଶ୍ରମ ସମୟ ଓ ଉତ୍ପାଦନକୁ କମାଇ ଦେଇଛି। ଧୁ ଧୁ ତାତିରେ ୪୫-୫୦ ଡ଼ିଗ୍ରୀ ତାତିରେ ଶ୍ରମଜୀବୀ ମାନେ କାମ କରିବାକୁ ଯାଇପାରୁ ନାହାନ୍ତି। ନିର୍ଦ୍ଧାରିତ ସମୟରେ କାମ କରି ନ ପାରିଲେ ସେମାନଙ୍କ ଆୟ କମିଯାଉଛି ଓ ସ୍ୱାସ୍ଥ୍ୟ ବ୍ୟୟ ବଢ଼ିଯାଉଛି। ୪୦ ବର୍ଷ ତଳେ କୋରାପୁଟର ସେମିଳିଗୁଡ଼ା ପାହାଡ଼ ଉପରେ ଜଣେ ଶ୍ରମିକଙ୍କୁ ମେ ଓ ଜୁନ ମାସରେ ଦିନ ୧୨ଟା ବେଳକୁ କାମ କରୁଥିବାର ଦେଖାଯାଉଥିଲା। ଏବେ ଦିନ ୧୧ଟାରେ ଘରବାହାରେ ଦେଖିବାକୁ ମିଳୁନାହାନ୍ତି ଶ୍ରମିକ। ଚଳିତ ବର୍ଷ ଓଡ଼ିଶାର ତତଲାଗଡ଼ ବୋଲି କୁହାଯାଉଥିବା ଟିଟିଲାଗଡ଼ରେ ଏଭଳି ଦୃଶ୍ୟକୁ ସାମ୍ନା କରାଯାଇଛି।

ଜମୁଛି ପାଟକୁରା ପାଲା: ବିଜେଡି-ବିଜେପି ଶତ୍ରୁ ନା ମିତ୍ର?

ଭୁବନେଶ୍ବର: ଗତ ଦୁଇ ମାସ ଧରି ଲାଗିଥିବା ଚର୍ଚ୍ଚାର ଅବସାନ ଘଟିଛି। ପାଟକୁରା ପାଇଁ ବାଜିଛି ରଣଦୁନ୍ଦୁଭି। ମଇଦାନରେ ହେବ ଲଢେଇ। ବହୁଚର୍ଚ୍ଚିତ ପାଟକୁରା ଆସନରେ ହେବ ନିର୍ବାଚନ। ତାରିଖ ଘୋଷଣା ପରେ ପ୍ରାର୍ଥୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଓ ଉତ୍କଣ୍ଠା ରହିଛି, ତା’ଠାରୁ କେତେ ଗୁଣ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି ଭୋଟର୍‌। ଦୀର୍ଘ ଦିନର ବିରାମ ପରେ ତୃତୀୟ ଥର ପାଇଁ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କେନ୍ଦ୍ରାପଡ଼ା ରାଜନୀତି ପୁଣି ସରଗରମ୍‍ ହେବା ସହ ଅପେକ୍ଷାରତ ପ୍ରାର୍ଥୀଙ୍କ ଭିତରେ ଜୋଶ୍‌ ଭରିଛି। ପାଟକୁରା ବିଜେଡିର ଥିଲା ଓ ରହିବ ବୋଲି ଏହି ଦଳର ନେତାମାନେ ଆଶାବ୍ୟକ୍ତ କରୁଥିବା ବେଳେ କଂଗ୍ରେସ ଓ ବିଜେପି ବି ଏହି ଆସନ ଅକ୍ତିଆର କରିବେ ବୋଲି ଦାବି କରୁଛନ୍ତି। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ଭିତରେ ଥିବା ସମ୍ପର୍କ ମଧୁରରୁ ଅତି ମଧୁର ହେଉଥିବାରୁ ପାଟକୁରା ଲଢ଼େଇ କେତେ ଜମିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ କଂଗ୍ରେସ ଏହାକୁ କଟାକ୍ଷ କରି ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଛି। ଏପରି ଗୋଳିଆ ନିର୍ବାଚନୀ ବାତାବରଣରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଜିଦ୍‌ରେ ଅଟଳ ରହି ବିଜେପି ନେତା ବିଜୟ ମହାପାତ୍ରଙ୍କ ବାଟ ଓଗାଳୁଛନ୍ତି ନା ପରିବର୍ତ୍ତିତ ରାଜନୈତିକ ସମୀକରଣ ଅନୁଯାୟୀ ତାଙ୍କୁ ବାଟ ଛାଡ଼ୁଛନ୍ତି, ତାହା ସଭିଁଙ୍କ ଅପେକ୍ଷା। ଅପରପେକ୍ଷ ପାଟକୁରା ନିର୍ବାଚନରେ ଏବେ ବିଜେଡି ବିଜେପିର ଅସଲରେ ଶତ୍ରୁ ନା ମିତ୍ର ଏହା ମଧ୍ୟ ପ୍ରମାଣିତ ହେବାକୁ ଯାଉଛି। କିନ୍ତୁ ଏହାକୁ ନେଇ ପାଟକୁରା ଭୋଟର ତଥା ରାଜ୍ୟବାସୀଙ୍କର ନାହିଁ ନ ଥିବା ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ନୋମୋଫୋବିଆ କବଳରେ ଯୁବପିଢ଼ି: ଡ଼ିଜିଟାଲ କର୍ଫ୍ୟୁ ଜରୁରୀ
ଓଡ଼ିଶାରେ ନ୍ୟାୟ ବିଳମ୍ବିତ: ବିଚାରାଧୀନ ମାମଲାରେ ଶୀର୍ଷରେ
ବଢ଼ିଛି ବଜେଟ୍‌, କମିଛି ସାମାଜିକ ବିକାଶ

ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନୂତନ ଯୋଜନା ପ୍ରଣୟନ କରାଯିବାରେ ଅସୁବିଧା ନାହିଁ। କିନ୍ତୁ ଏଥିଯୋଗୁ ଆବଶ୍ୟକ ସାମାଜିକ ବିକାଶ ବଳି ପଡ଼ିବା ଅନୁଚିତ। ସ୍ବତନ୍ତ୍ର ଯୋଜନା ପାଇଁ ଅର୍ଥ କେଉଁଠୁ ଆସିବ ଏବଂ କେଉଁ ଉପାୟରେ ଏହାର ପ୍ରଭାବକୁ ବଜେଟ୍‌ରେ ସର୍ବନିମ୍ନ କରାଯାଇପାରିବ, ସେଥି ନିମନ୍ତେ ବୁଦ୍ଧି ବିବେକ ଖଟାଇବା ଆବଶ୍ୟ। ନଚେତ୍‌ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଣୟନ ହେଉଥିବା ଯୋଜନାସବୁ ପାଇଁ ରାଜ୍ୟବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ସ୍ବାଭାବିକ। ନିକଟରେ ଉପସ୍ଥାପିତ ରାଜ୍ୟ ସରକାରଙ୍କ ବଜେଟ୍‌ରେ ଏହାର ନମୁନା ଦେଖିବାକୁ ମିଳିଛି। ସରକାର ପୂର୍ବରୁ ଘୋଷଣା କରିଥିବା ଯୋଜନାସବୁ ରୂପାୟନ ପାଇଁ ବଜେଟ୍‌ର ସିଂହଭାଗ ବ୍ୟୟବରାଦ କରିଛନ୍ତି। ଯଦ୍ଦ୍ବାରା ସାମାଜିକ ବିକାଶ ବାଧାପ୍ରାପ୍ତ ହେବା ସହିତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ମଧ୍ୟ ସେପରି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନି, ଯାହାକି ଚିନ୍ତାର ବିଷୟ।

ରୋହିତଙ୍କ ରୟାଲ୍‌ ରନ୍‌: ବିଶ୍ବକପ୍‌ ଟପ୍‌ ସ୍କୋରର୍‌ଙ୍କ ଏକାଧିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ହିଟ୍‌ମ୍ୟାନ୍‌ ଭାବେ ପରିଚିତ ରୋହିତ ଶର୍ମାଙ୍କ ରୟାଲ୍‌ ରନ୍‌ ଏବେ ଚାଲିଛି। ଚଳିତ ବିଶ୍ବକପ୍‌ରେ ତାଙ୍କ ବ୍ୟାଟ୍‌ରୁ ଅବିଶ୍ରାନ୍ତ ରନ୍‌ ବର୍ଷା ହୋଇ ଚାଲିଛି। ଫଳରେ ଚାମ୍ପିଅନ୍‌ ହେବା ଲକ୍ଷ୍ୟରେ ଭାରତ ତା’ର ଦବ୍‌ଦବା ଜାରି ରଖିଛି। ଚଳିତ ବିଶ୍ବକପ୍‌ ପୂର୍ବରୁ ରୋହିତ ଇଂଲିଶ୍‌ ବାତାବରଣରେ ପ୍ରଦର୍ଶନ କରିପାରିବେ କି ନାହିଁ ବୋଲି କେତେକ ଆଶଙ୍କା ପ୍ରକାଶ କରୁଥିଲେ ହେଁ ସେ ତାହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏପରିକି ତାଙ୍କର ନିୟମିତ ଓପନିଂ ଯୋଡ଼ିଦାର ଶିଖର ଧୱନ୍‌ଙ୍କ ଅନୁପସ୍ଥିତିରେ ମଧ୍ୟ ସେ ପରିସ୍ଥିତି ସହ ଖାପ ଖୁଆଇ ନିଜକୁ ଢାଳିପାରିଛନ୍ତି। ଫଳସ୍ବରୂପ ଲିଗ୍‌ରେ ୮ଟି ମ୍ୟାଚ୍‌ ସୁଦ୍ଧା ସେ ଟପ୍‌ ସ୍କୋରର୍‌ ହେବା ସହ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ବିଜୟ ସମ୍ଭାବନାକୁ ବହୁଗୁଣିତ କରିପାରିଛନ୍ତି।

ଆଳୁ ଖୋଳୁ ଖୋଳୁ ମହାଦେବ: ମିଶନ୍ ଏକ ଗପ ପେଡ଼ି

ଭୁବନେଶ୍ୱର: କର୍ଣ୍ଣାଟକ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠି ସାଧାରଣ ବଜେଟ୍‌ ସହ ଏକ ସ୍ୱତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ ହୋଇ ଆସୁଛି। ତେବେ କୃଷି ବଜେଟ୍‌ର ଆକାର ୭ ହଜାର ୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୯-୨୦ରେ ୨୦ ହଜାର ୭୧୪ କୋଟି ଟଙ୍କାରେ ପହଞ୍ଚିଲାଣି। ରାଜ୍ୟ ସରକାର କୃଷିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହି ଡିଣ୍ଡିମ ପିଟୁଥିବା ବେଳେ ପ୍ରତିବର୍ଷ କୃଷି ବଜେଟ୍‌ରେ ନୂଆ ନୂଆ ମନଲୋଭା ଯୋଜନା ପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ମାତ୍ର କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଦାବି କରୁଥିବା ସରକାର କେବଳ ଯୋଜନା ମାଧ୍ୟମରେ ସୁନେଲି ସ୍ୱପ୍ନ ଦେଖାଇ ଆସୁଛନ୍ତି। କାରଣ ଏହାର ସଦ୍ୟତମ ଉଦାହରଣ ହେଉଛି ରାଜ୍ୟରେ ଘୋଷଣା ହୋଇଥିବା ଆଳୁ ମିଶନ୍‌। ଆଳୁ ମିଶନ ଘୋଷଣାକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ତାହାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଆଳୁ ଚାଷକୁ ୧୫ ହଜାର ହେକ୍ଟରରୁ ବଢ଼ାଇ ୬୦ ହଜାର ହେକ୍ଟର କରିବା ସହ ଉତ୍ପାଦନକୁ ଅଢ଼େଇ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବଢ଼ାଇ ପାଖାପାଖି ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସମ୍ପ୍ରସାରଣ ଓ ଗବେଷଣା, ବିହନ ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇ ମୋଟ୍‌ ୨୬୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଆଳୁ ଉତ୍ପାଦନ ହେଉ ବା ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁ ମିଶନର କୌଣସି ଗୋଟିଏ ଲକ୍ଷ୍ୟ ପୂରଣ ହୋଇ ନ ଥିବାରୁ ଓଡ଼ିଶାରେ ଆଳୁ ମିଶନ୍‌ ଯେ ପୂରା ଫେଲ୍‌, ତାହା ପ୍ରମାଣିତ ହୋଇସାରିଛି। କୌଣସି ମିଶନ ବା ନୂଆ ଯୋଜନା ଘୋଷଣା ହେବା ପରେ ତାହା ସରକାରଙ୍କ ପ୍ରାଥମିକତା ପାଲଟିବା ଆଶା କରାଯାଏ। ହେଲେ ବିଗତ ଛଅ ବର୍ଷର କୃଷି ବଜେଟ୍‌ରେ ଘୋଷିତ ଏହିପରି କେତେକ କାର୍ଯ୍ୟକ୍ରମ ଅଲୋଡ଼ା ହୋଇଯାଇଛି। ତେବେ କୌଣସି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟ୍ରାକ୍‌ ରେକର୍ଡ ସେତେଟା ଉତ୍ସାହଜନକ ହୋଇ ନ ଥିବାରୁ ଭବିଷ୍ୟତରେ ‘କାଳିଆ’ ଯୋଜନାର କାର୍ଯ୍ୟକାରିତା ପ୍ରତି ସେହିଭଳି ଆନ୍ତରିକତାର ଅଭାବ ଯେ ଦେଖା ନ ଦେବ, ତାହା କିଏ କହିବ?

ଶିକ୍ଷାରେ ସୁଧାର ପାଇଁ କେବଳ ପାସ୍‌ ଫେଲ୍‌ ବ୍ୟବସ୍ଥା କ’ଣ

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ବିଚ୍ୟୁତି ନିକଟରେ ସାମ୍ନାକୁ ଆସିଛି। ମାଟ୍ରିକ, ଯୁକ୍ତ ଦୁଇ ଓ ଅନ୍ୟାନ୍ୟ ପରୀକ୍ଷାରେ କପି ଯୋଗାଣ ପ୍ରସଙ୍ଗ ଶିକ୍ଷା ବିଭାଗକୁ ଅଡ଼ୁଆରେ ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ଇଂରାଜୀ ଭଳି ବିଷୟରେ ଛାତ୍ରଛାତ୍ରୀଙ୍କ ଦଖଲ ନ ଥିବା ମଧ୍ୟ ଦୃଷ୍ଟିଗୋଚର ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଏବେ ସରକାର ପୁଣିଥରେ ପୂର୍ବବତ୍‌ ପାସ୍‌ ଫେଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ କେବଳ ପାସ୍‌ ଫେଲ ବ୍ୟବସ୍ଥା କ’ଣ ଯଥେଷ୍ଟ କି ବୋଲି ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କିମାରିଛି। କାରଣ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଲେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମଧ୍ୟ ଅଣଦେଖା କରାଯାଉଛି। ଏପରିସ୍ଥଳେ ହୁଏତ ପାସ୍‌ ଫେଲ ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇପାରେ। କିନ୍ତୁ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନ ହୋଇ ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଅନ୍ୟ ଆବଶ୍ୟକୀୟ ପ୍ରସଙ୍ଗ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଆସୁଛି ନୂଆ ମୋଟର ଆଇନ, ବଦଳିବ ଭାରତୀୟ ସଡ଼କର

ସଡ଼କ ଦୁର୍ଘଟଣାରେ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଥିବାବେଳେ ଏଯାବତ୍‌ ୩୦ ବର୍ଷ ତଳର ମୋଟର ଆଇନ ଦେଶରେ ବଳବତ୍ତର ରହିଛି। ଖାସ୍‌ ଏଥିପାଇଁ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରଚଳିତ ଏହି ଆଇନରେ ସଂଶୋଧନ ଅଣାଯାଇ ୨୦୧୭ରେ ନୂଆ ମୋଟରଯାନ ଆଇନ ଲୋକସଭାରେ ପାରିତ ହେବା ସତ୍ତ୍ବେ ରାଜ୍ୟସଭାରେ ଅନୁମୋଦନ ନ ପାଇ ପଡ଼ିରହିଥିଲା। ଏଥିରେ ସଡ଼କ ପରିବହନ ବିଭାଗ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ପ୍ରମୁଖ ଭୂମିକା ରହିଥିଲା। ସଡ଼କ ସୁରକ୍ଷା, ତୃତୀୟ ପକ୍ଷ ବୀମା ଓ ସଡ଼କ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏହି ନୂଆ ଆଇନ ଫୋକସ କରୁଛି। ୨୦୧୯ରେ ପୁଣିଥରେ ପୂର୍ଣ୍ଣ ବହୁମତରେ ଏନ୍‌ଡିଏ କ୍ଷମତାସୀନ ହେବା ପରେ ମଧ୍ୟ ଗଡ଼କରୀ ଏହି ବିଭାଗ ଦାୟିତ୍ବରେ ରହିଛନ୍ତି। ଏବେ ପୁଣି ଥରେ ଲୋକସଭାରେ ଏହି ବିଲ୍‌ ପାରିତ ହୋଇଛି। ଏଣୁ ଗଡ଼କରୀଙ୍କ ସଡ଼କ ସୁରକ୍ଷା ଭିଜନ ସାକାର ହେବ ବୋଲି ଆଶା କରାଯାଉଛି।

ଭୋଟରଙ୍କୁ ମନାଇବାରେ ସବୁଠୁ ଆଗରେ ନବୀନଙ୍କ ଟେକ୍‌ନିକ୍‌

ଚଳିତ ନିର୍ବାଚନରେ ସାରା ଦେଶରେ ସୃଷ୍ଟି ହୋଇଥିବା ମୋଦି ଲହରିରେ ଭାରତୀୟ ରାଜନୀତିର ଅନେକ ବଡ଼ ମୁଣ୍ଡ ଚିତ୍‌ପଟାଙ୍ଗ ମାରିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ରାଜ୍ୟଭାର ସମ୍ଭାଳି ରେକର୍ଡର ସମକକ୍ଷ ହୋଇଛନ୍ତି। ଯୋଜନା ମାଷ୍ଟର ଭାବେ ଜଣାଶୁଣା ନବୀନ ଏଥର କିନ୍ତୁ ମୋଦିଙ୍କ ଭଳି ଡିଜିଟାଲ ଅଭିଯାନର ସହାୟତା ନେଇ ସଫଳତା ପାଇଛନ୍ତି। ହାଇଦ୍ରାବାଦର ଇନୋଭେଟର ଗ୍ରୁପ ଅବନ୍ତରୀର ଅଗ୍‌ମେଣ୍ଟେଡ ରିଅଲିଟି (ଏଆର୍‌) ପ୍ରୋଜେକ୍ଟର ପ୍ରୟୋଗ କରି ନବୀନ ମୁଖ୍ୟତଃ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ବହୁଥିବା ସରକାର ବିରୋଧୀ ହାୱାକୁ ବଦଳାଇବାରେ ସକ୍ଷମ ହୋଇଛନ୍ତି। ଏହି ପ୍ରଯୁକ୍ତି ବିଦ୍ୟା ଆଧାରରେ ନବୀନ ମିଲିଅନ ସଂଖ୍ୟକ ପରିବାରରେ ପହଞ୍ଚିବା ସହ ୫ ମିଲିଅନ ଲୋକ ତାଙ୍କ ସହ ଫଟୋ ଉଠାଇଛନ୍ତି। ଗରିବଙ୍କ ନିକଟରେ ନବୀନ ଅପହଞ୍ଚ ନୁହେଁ ବୋଲି ପ୍ରମାଣିତ କରିଛନ୍ତି। ମୋଦି ଓ ଫଡ଼ନବୀସଙ୍କ ପରେ ନବୀନ ଏହି ଞାନକୌଶଳ ବ୍ୟବହାର କରିଥିଲେ ହେଁ ଏହାକୁ ଭିନ୍ନ ଢଙ୍ଗରେ ନିର୍ବାଚନରେ ପ୍ରୟୋଗ କରିବାରେ ସେ ବିଶ୍ବର ପ୍ରଥମ ରାଜନେତା ହୋଇଛନ୍ତି।

ପରିମଳ ଓ ସ୍ବାସ୍ଥ୍ୟସେବାରେ ଆଣ୍ଠେଇଛି ଓଡ଼ିଶା

ରାଜ୍ୟରେ ଅସୁସ୍ଥ ହୋଇପଡିଛି ସ୍ୱାସ୍ଥ୍ୟ ସେବା। ପରିମଳ ସ୍ଥିତିରେ ବି ଅଣାଯାଇ ପାରୁନି ସୁଧାର। ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଦ୍ୱିତୀୟ ରାଉଣ୍ଡ ହେଲ୍‌ଥ ଇଣ୍ଡେକ୍ସରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ଚପରାସୀଙ୍କ ଠାରୁ ଚିଫ ସେକ୍ରେଟାରୀଙ୍କ ଯାଏ ସମସ୍ତେ ପରିମଳର ଚିତ୍ର ବଦଳାଇବାର ଶପଥ ନେଲେ। ମିଶନ ମୋଡ୍‌ରେ ଆରମ୍ଭ ହେଲା ସ୍ଵଛ ଭାରତ ମିଶନ। ସ୍ଥିତି ବଦଳାଇବାର ପ୍ରତିଶ୍ରୁତି ପାଇଁ ରାଜ୍ୟ ସରକାର ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆରମ୍ଭ କଲେ । ସମୟ ବିତିଲା, ଖର୍ଚ୍ଚ ସରିଲା, ହେଲେ ଗ୍ରାମୀଣ ପରିମଳ ଓ ସ୍ୱାସ୍ଥ୍ୟ ସେବାର ଆକାଂକ୍ଷିତ ଲକ୍ଷ୍ୟ ପୂରଣ ହେଲାନି। କାହିଁକି ଓଡ଼ିଶାର ଗ୍ରାମାଞ୍ଚଳରେ ଏବେ ବି ମୁକ୍ତାକାଶ ଶୌଚାଳୟ ସଂଖ୍ୟାଧିକଙ୍କ ପସନ୍ଦ ପାଲଟିଛି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ଓ ପୁଷ୍ଟିହୀନତାରେ ଓଡ଼ିଶା କାହିଁକି ସାରା ଦେଶର ତାଲିକାରେ ତଳ ଆଡ଼ୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ