ରାଜନୀତି

କୋଣାର୍କ ସୂର୍ଯ୍ୟ ମନ୍ଦିର ମାନବ ସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ: ଧର୍ମେନ୍ଦ୍ର

ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କୋଣାର୍କ ସ୍ଥିତ ଭବ୍ୟ ସୂର୍ଯ୍ୟ ମନ୍ଦିର ଏବଂ ଇଣ୍ଡିଆନ୍‌ ଫାଉଣ୍ଡେସନ୍‌ ଦ୍ୱାରା ନିର୍ମିତ ବିଶ୍ୱସ୍ତରୀୟ ବାଖ୍ୟାନ କେନ୍ଦ୍ରକୁ ସୋମବାର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭବ୍ୟ ସୂର୍ଯ୍ୟ ମନ୍ଦିରର ଅନନ୍ୟ କୀର୍ତ୍ତିରାଜି, ଉତ୍କୃଷ୍ଟ କଳା ତଥା ବୈଜ୍ଞାନିକ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଏହି ବାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଛି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସମୃଦ୍ଧ ଇତିହାସ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପର୍ଯ୍ୟଟକ ତଥା ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବା ଦିଗରେ ଏହା ନର୍ମାଣ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ତାମିଲନାଡୁରେ ୫୦ ଲକ୍ଷ ନିଯୁକ୍ତି, ଘରେ ରାସନ ପହଞ୍ଚାଇବାକୁ ବିଜେପିର ପ୍ରତିଶ୍ରୁତି

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବିଧିବଦ୍ଧ ଭାବେ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ନିର୍ବାଚନ ଇସ୍ତାହାରରେ ବେଶ କିଛି ଲୋଭନୀୟ ପ୍ରତିଶ୍ରୁତି ରଖିଛି। ସବୁଠାରୁ ବଡ଼ ପ୍ରତିଶ୍ରୁତି ଅନୁଯାୟୀ ୫୦ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ଏହାବାଦ ଘରେ ଘରେ କିପରି ରାସନ ପହଞ୍ଚିପାରିବ, ତାହାର ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ରଖିଛି। କ୍ଷମତା ଆସିଲେ ଗୋମାତାକୁ ହତ୍ୟା ରୋକିବାକୁ ସ୍ବତନ୍ତ୍ର ଭାବେ ଆଇନ ପ୍ରଣୟନ କରିବ ବୋଲି ମଧ୍ୟ କହିଛି। କେରଳର କଂସେଇଖାନାକୁ କିପରି ଭାବେ ଗୋଚାଲାଣ ବନ୍ଦ କରାଯିବ, ତାହା ଉପରେ ମଧ୍ୟ ନିର୍ବାଚନୀ ଇସ୍ତାହାରରେ ଗୁରୁତ୍ବାରୋପ କରାଯାଇଛି।

ସପତ୍ନୀକ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ପ୍ରାୟ ୯ଟା ୧୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇଥିଲେ। ଶ୍ରୀମନ୍ଦିର ଭିତରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଥିଲେ ରାଷ୍ଟ୍ରପତି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାପ୍ରଭୁଙ୍କ ଫଟୋ ଚିତ୍ରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ପାଣ୍ଠିକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଚିଠି ଲେଖିଲେ ଅଠାୱଲେ

ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର୍ ପରମବୀର ସିଂହ ନିକଟରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ରାଜନୀତିରେ ଏକ ଭୂକମ୍ପ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ସକାଶେ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ। ଏନେଇ ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଏହି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ମୁଖ୍ୟ ଦର୍ଶାଇଛନ୍ତି ଯେ ମହାରାଷ୍ଟ୍ର ଜନସାଧାରଣ ଉଦ୍ଧବ ଠାକରେ ସରକାର ଉପରୁ ବିଶ୍ବାସ ହରାଇଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବାରୁ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯିବାର ଆବଶ୍ୟକତା ରହିଛି ବୋଲି ଅଠାୱଲେ ଟ୍ବିଟ୍ କରିଛନ୍ତି। ଏହି ପ୍ରସଙ୍ଗ ସୋମବାର ଲୋକସଭାରେ ମଧ୍ୟ ବିଜେପି ସାଂସଦମାନେ ଉପସ୍ଥାପନ କରିଥିଲେ। ଲୋକସଭାରେ ଶୂନ୍ୟକାଳରେ ଶିବସେନା ଓ ଏନସିପି ପକ୍ଷରୁ ବିରୋଧ କରାଯିବା ପରେ ବିଜେପି ସାଂସଦ ମନୋଜ କୋଟକ୍ କହିଥିଲେ ଯେ ପରମବୀର ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଲେଖିଥିବା ଚିଠି ଅନୁସାରେ, ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଆସିଷ୍ଟାଣ୍ଟ୍ ପୋଲିସ୍ ଇନ୍ସପେକ୍ଟର (ଏପିଆଇ) ସଚିନ୍ ବାଜେଙ୍କୁ ୧ ହଜାର ୭୪୨ ବାର୍ ଓ ରେସ୍ତୋରାଁ ପାଇଁ ମାସିକ ଶହେ କୋଟି ଟଙ୍କାର ଚାନ୍ଦା ଆଦାୟ କରିବାକୁ କହିଥିବା ସ୍ପଷ୍ଟ ହୋଇଛି।

ରାଷ୍ଟ୍ରପତି ଲୋକାର୍ପିତ କଲେ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଜେଏମ୍‌ଏମ୍‌ରେ ଯୋଗଦେଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା

ବିଜେଡି ଛାଡ଼ିବାର ଦିନକ ପରେ ଶନିବାର ଜେଏମ୍‌ଏମ୍‌ରେ ଯୋଗ ଦେଇଛନ୍ତି ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦା। ଶନିବାର ଦିନ ରାଇରଙ୍ଗପୁର ବ୍ଲକ୍‌ ପଡ଼ିଆରେ ଆୟୋଜିତ ଜେଏମ୍‌ଏମ୍‌ ପ୍ରଦେଶ କମିଟି କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବରେ ହାଁସଦା ଦଳରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ‌ରେ ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ତର କ୍ୟାବିନେଟ ମନ୍ତ୍ରୀ ତଥା ଦଳର କେନ୍ଦ୍ରୀୟ କମିଟି ଉପାଧ୍ୟକ୍ଷ ଚାମ୍ପାଇ ସୋରେନ, ମୁଖ୍ୟବକ୍ତା ଭାବେ ଝାଡ଼ଖଣ୍ତର ପୋଟକା ନିର୍ବାଚନ ମଣ୍ତଳୀର ବିଧାୟକ ସଞ୍ଜୀବ ସର୍ଦ୍ଦାର, ସମ୍ମାନିତ ଅତିଥି ଭାବେ ବହରାଗୋଡ଼ା ନିର୍ବାଚନ ମଣ୍ତଳୀର ବିଧାୟକ ସମୀର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଅଞ୍ଜନି ସୋରେନ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ଦଳୀୟ ନେତୃବୃନ୍ଦ।

ଓଡ଼ିଆ ପିଲାଙ୍କ ବୌଦ୍ଧିକ କ୍ଷମତାରେ ବ୍ୟବସାୟର ପେଣ୍ଠସ୍ଥଳୀ ହେବ ଓଡ଼ିଶା: ଧର୍ମେନ୍ଦ୍ର

ଆମ ରାଜ୍ୟରେ ବହୁଭାଷୀ ଛାତ୍ରଛାତ୍ରୀ ଅଛନ୍ତି। ଆଇଟି ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତାସମ୍ପନ୍ନ ଓଡ଼ିଆ ପିଲାମାନେ କାମ କରୁଛନ୍ତି। ତେଣୁ ଏହି ମାନଙ୍କୁ ନେଇ ସେମାନଙ୍କ ବୌଦ୍ଧିକ କ୍ଷମତାକୁ ଉପଯୋଗ କରି ବ୍ୟବସାୟର ସମ୍ଭାବନାର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ହେବ। ରେଳ, ସଡ଼କ ପଥ, ଆକାଶ ପଥ, ସାମୁଦ୍ରିକ ଅର୍ଥନୀତିର ଓଡ଼ିଶା ରାଜ୍ୟରେ ଥିବା ସମ୍ଭାବନା କେବଳ ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ନୁହେଁ ବରଂ ସମଗ୍ର ପୂର୍ବ ଭାରତର ଆବଶ୍ୟକତାକୁ ପୂରଣ କରିବା ପାଇଁ। ଭାରତ ପାଇଁ ଏହି ଦଶକ ରୋରିଂ-୨୦ ହେବାକୁ ଯାଉଥିବା ବେଳେ ଓଡ଼ିଶା ବ୍ୟବସାୟ କ୍ଷେତ୍ରର ପେଣ୍ଠସ୍ଥଳୀ ହେବ, ଏହା ନିଃସନ୍ଦେହ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଦୈନିକ ଖବରକାଗଜ ଓଡ଼ିଶା ପୋଷ୍ଟ୍‌ ଏବଂ ଧରିତ୍ରୀ ପକ୍ଷରୁ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜନୈତିକ ସ୍ବାର୍ଥ ପାଇଁ ନୁହେଁ ବରଂ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର: ଧର୍ମେନ୍ଦ୍ର

ବିକାଶ ପାଇଁ ଡବଲ୍‌ ଇଞ୍ଜିନର ସରକାର ଦରକାର। ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ଓଡ଼ିଶାର ସାଧାରଣ ନାଗରିକଙ୍କ କଲ୍ୟାଣ, ସମସ୍ତଙ୍କୁ ଟୀକା ଯୋଗାଇବା, ମୌଳିକ ସୁବିଧା ଦେବା, ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ସରକାରଙ୍କ ପ୍ରାଥମିକତା ହେବା ଦରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଭାରତୀୟବାସୀଙ୍କ ବିଶ୍ୱାସନୀୟତା ବଢିଛି। ପଶ୍ଚିମବଙ୍ଗରେ ବିକାଶର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ନେଇଛନ୍ତି। ଆଜିର ଦିନରେ ଆମେ ପଶ୍ଚିମବଙ୍ଗରେ ଶତପ୍ରତିଶତ ସରକାର କରିବୁ ବୋଲି ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭର୍‌ ୫ମ ସଂସ୍କରଣ’ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ଇସ୍ତାହାର ପ୍ରକାଶ: ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି

ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରବିବାର ଅପରାହ୍ନରେ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଏହି ଇସ୍ତାହାରରେ ବିଜେପି ରାଜ୍ୟରେ କ୍ଷମତା ଦଖଲ ସକାଶେ ରାଜ୍ୟ ଭୋଟରମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଛି। ଏହି ପ୍ରତିଶ୍ରୁତି ମଧ୍ୟରେ ପ୍ରମୁଖ ହେଉଛି, କ୍ଷମତାକୁ ଆସିଲେ ବିଜେପି ରାଜ୍ୟର ମହିଳାମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ଦେବ। ଏହାଛଡ଼ା ରାଜ୍ୟରେ ନାଗରିକ ସଂଶୋଧନ ଆଇନ (ସିଏଏ) ଲାଗୁ କରିବା ସକାଶେ ବିଜେପି ପ୍ରତିଶ୍ରୁତି ଦେଇଛି। ସେହିପରି କ୍ଷମତା ଦଖଲ କରିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ୍ ଯୋଜନାର ହିତାଧିକାରୀ ଭାବେ ଘୋଷଣା କରିବାକୁ ମଧ୍ୟ ଦଳ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ‘ସୋନାର ବାଙ୍ଗଲା ସଂକଳ୍ପ ପତ୍ର ୨୦୨୧’ ଶୀର୍ଷକ ଏହି ନିର୍ବାଚନୀ ଇସ୍ତାହାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ପ୍ରକାଶ କରିଛନ୍ତି। ସେହିପରି ଏହି ସଂକଳ୍ପପତ୍ରରେ ଆହୁରି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ଯେ ଆଗାମୀ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କଲେ, ରାଜ୍ୟର ମହିଶ୍ୟ, ତିଲି ଓ ଅନ୍ୟାନ୍ୟ ପଛୁଆ ବର୍ଗ ସଂପ୍ରଦାୟକୁ ସଂରକ୍ଷଣ କୋଟାରେ ସାମିଲ୍ କରାଯିବ।

ଅଧିକାରୀଙ୍କ ପରିବାରକୁ ଚିହ୍ନିପାରି ନ ଥିବାରୁ ନିଜକୁ ଗଧ ବୋଲି କହିଲେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଗଧ ବୋଲି କହିଛନ୍ତି। ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମରୁ ଟକ୍କର ଦେବାକୁ ଯାଉଛନ୍ତି। ତେବେ ପୂର୍ବ ମେଦିନିପୁର ଜିଲ୍ଲାର ଏହି ଶୁଭେନ୍ଦୁ ଅଧିକାରୀଙ୍କ ପରିବାରକୁ ଠିକ୍ ଭାବେ ଚିହ୍ନିପାରି ନ ଥିବାରୁ ମମତା ନିଜକୁ ଗଧ ବୋଲି କହିଛନ୍ତି। ପୂର୍ବରୁ ଶୁଭେନ୍ଦୁ ବିଜେପିରେ ଯୋଗ ଦେଇଥିବା ବେଳେ ରବିବାର ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ଏହି ଦଳରେ ଯୋଗ ଦେଇଛନ୍ତି। ଏପରି ସ୍ଥିତିରେ ଅଧିକାରୀ ପରିବାରକୁ ଠିକ୍ ଭାବେ ଚିହ୍ନିପାରି ନ ଥିବାରୁ ନିଜକୁ ଦୋଷୀ ବୋଲି କାନ୍ଥି ଦକ୍ଷିଣଠାରେ ଆୟୋଜିତ ଏକ ରାଲିରେ ଯୋଗଦେବା ଅବସରରେ ମମତା କହିଛନ୍ତି। ମମତା କହିଛନ୍ତି ଯେ ଅଧିକାରୀ ପରିବାର ପାଖାପାଖି ୫ ହଜାର କୋଟି ଟଙ୍କାର ଅର୍ଥ ଠୁଳ କରିଥିବା ଗୁଜବ ପ୍ରଚାର ହେଉଥିବା ତାଙ୍କ କାନକୁ ଆସିଛି। ଆଗାମୀ ନିର୍ବାଚନରେ ଟିଏମସି ବିଜୟ ଲାଭ କରି କ୍ଷମତା ବଜାୟ ରଖିବା ପରେ ସେ ଏହି ମାମଲାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗରେ ଅଧିକାରୀ ପରିବାରର ଅଧିକାଂଶ ସଦସ୍ୟ ବିଶେଷ ପ୍ରଭାବଶାଳୀ ପଦରେ ଅବସ୍ଥାପିତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଜେପିରେ ଯୋଗଦେଇସାରିଥିବା ବେଳେ ଆଉ କେତେକ ଆଗାମୀ ଦିନରେ ଯୋଗଦେବା ଅପେକ୍ଷାରେ ଥିବା ଜଣାପଡ଼ିଛି।

ଦୁର୍ନୀତି ଅଭିଯୋଗ ପରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ଫଡନବୀସ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀସ ରବିବାର ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛନ୍ତି। ତାଙ୍କ ବିରୋଧରେ ବରିଷ୍ଠ ପୋଲିସ୍ ଅଧିକାରୀ ପରମବୀର ସିଂହ ଦୁର୍ନୀତି ଅଭିଯୋଗ ଆଣିବା ପରେ ନୈତିକତା ଦ୍‌ଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ଫଡ଼ନବୀସ କହିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯୋଗର ତଦନ୍ତ ଠିକ୍ ଭାବେ ଆଦୌ ହୋଇପାରିବ ନାହିଁ। ଯେ ପର୍ଯ୍ୟନ୍ତ ମହାରାଷ୍ଟ୍ର ଗୃହ ମନ୍ତ୍ରୀ କ୍ଷମତାରେ ଅଛନ୍ତି, ସେ ପର୍ଯ୍ୟନ୍ତ ପରମବୀରଙ୍କ ଅଭିଯୋଗର ସତ୍ୟତା ପ୍ରମାଣିତ କରିବା କଷ୍ଟକର ବ୍ୟାପାର ହେବ। ତେଣୁ ନିରପେକ୍ଷ ଓ ଅବାଧ ତଦନ୍ତ ପାଇଁ ଦେଶମୁଖ ତାଙ୍କ ପଦବୀରୁ ଇସ୍ତଫା ଦେବା ଜରୁରୀ ବୋଲି ଫଡ଼ନବୀସ କହିଛନ୍ତି। ସେହିପରି ଫଡ଼ନବୀସ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ପରମବୀର ଦୁର୍ନୀତି ଅଭିଯୋଗ ଆଣିବା ପରେ ପାୱାର୍ ଦେଶମୁଖଙ୍କୁ ସମର୍ଥନ କରିଥିବାରୁ ଏହି ବରିଷ୍ଠ ନେତା ଜଣକ ସତ୍ୟଠାରୁ ଦୂରକୁ ପଳାୟନ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଫଡ଼ନବୀସ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ