ତାମିଲନାଡୁ ବିଧାନସଭା ନିର୍ବାଚନ ଆଉ ୪ ଦିନ ବାକି ରହିଥିଲା ବେଳେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ଝିଅ ଜ୍ବାଇଁଙ୍କ ଘରେ ଆୟକର ରେଡ୍ ଆରମ୍ଭ ହୋଇଛି। ସୂଚନାନୁସାରେ ଚେନ୍ନାଇ ଏକସଙ୍ଗେ ସେମାନଙ୍କର ପ୍ରାୟ ୮ଟି ଘରେ ଆୟକର ପକ୍ଷରୁ ଶୁକ୍ରବାର ସକାଳରୁ ରେଡ୍ ଆରମ୍ଭ ହୋଇଛି। ଝିଅ ସେନ୍ତାମାରାଇ ଓ ଜ୍ବାଇଁ ସବରିସାନଙ୍କ ଘର ରେଡ୍ ଚାଲିଛି। ଏହି ରେଡ୍ ବେଳେ ଅନେକ ଡକ୍ୟୁମେଣ୍ଟ ଓ ନଗଦ ଟଙ୍କା ମିଳିଥିବା ସୂଚନା ଆସିଛି। ମାତ୍ର ରେଡ୍ ଜାରି ରହିଥିବାରୁ କେତେ କ’ଣ ଜବତ ହେଲା ତାହା ସ୍ପଷ୍ଟ ହୋଇପାରିନି। ମାତ୍ର ଆୟକର ବିଭାଗର ସୂଚନା ଅନୁସାରେ ସେମାନେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ରେଡ୍ କରୁଛନ୍ତି।
ଗୁରୁବାର ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ହିଂସାକାଣ୍ଡ ଘଟିଛି। ଏହି ଆସନରେ ମମତା ଓ ବିଜେପିର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲାବେଳେ ବୁଥ୍ ଜବରଦଖଲ ନେଇ ଅଭିଯୋଗ ହୋଇଛି। ଗୁରୁବାର ଏଠାରେ ଭୋଟଗ୍ରହଣ ଚାଲିଥିବାବେଳେ ବିଜେପି କର୍ମୀମାନେ ମମତାଙ୍କୁ ୭ ନମ୍ବର ବୁଥରେ ପ୍ରାୟ ଦୁଇ ଘଣ୍ଟା ଧରି ଅଟକ ରଖିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ମମତା ସିଆରପିଏଫ୍ ଯବାନଙ୍କ ସହାୟତାରେ ଭୋଟ୍ ଗ୍ରହଣ କେନ୍ଦ୍ର ବାହାରକୁ ଆସିଥିଲେ। ମମତା ଉକ୍ତ ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରୁ ବୁଥରୁ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ କରାଇବା ସହ ନିର୍ବାଚନ କମିଶନ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ରାଜ୍ୟପାଳ ଟ୍ବିଟ୍ କରି ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବା ପରେ କମିଶନ ଦୁଇ ଜଣ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରୁ ଶୁକ୍ରବାର ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି।
ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ଗ୍ରହଣ। ପିପିଲି ଆସନ ହାତେଇବାକୁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୨ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ପିପିଲି ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରଚାର। ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ବୁଧବାର ଦଳର ସୁପ୍ରିମୋ ଦାୟିତ୍ବ ଦେଇଥିବା ବେଳେ ଆଜି ଆଉ ୭ ଜଣ ନେତାଙ୍କୁ ବିଭିନ୍ନ ବ୍ଲକ୍ର ଦାୟିତ୍ବ ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ୍, ଡେଲାଙ୍ଗ ବ୍ଲକ୍ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି।
୮୬ତମ ଉତ୍କଳ ଦିବସ ଅବସରରେ ଐତିହାସିକ କୋଲକାତାର ହୁଗୁଲି ନଦୀ ପଠାରୁ ଫେସବୁକ୍ ଲାଇଭ ମାଧ୍ୟରେ ଓଡ଼ିଆ ଭାଇ ଭଉଣୀଙ୍କ ସହ କଥାବାର୍ତ୍ତା ହୋଇ ଆନନ୍ଦିତ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବରପୂତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ୧ ଏପ୍ରିଲ ୧୯୩୬ ତାରିଖରେ ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ। ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ନ୍ୟାସନାଲ୍ ଫ୍ଲାଗସିପ ପୋଗ୍ରାମ। କେନ୍ଦ୍ର ସରକାରଙ୍କ ଫ୍ଲାଗ୍ସିପ ପୋଗ୍ରାମ୍ରେ ନୋମିନି କଲଚର ପରବର୍ତ୍ତନ ହେବା କଥା ନୁହେଁ। ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ। ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗ୍ସିପ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ବୟନ ବଦଳାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ବାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତ୍ତନ କରି ଧର୍ତ୍ତବ୍ୟ ଅପରାଧ କରିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର।
ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବା ପାଇଁ ଅଣବିଜେପି ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏକାଠି ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ବୁଧବାର ଏନେଇ ମମତା ଚିଠି ଲେଖି କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ଲଢ଼େଇ କରିବା ପାଇଁ ଅନୁରୋଧ ଜଣାଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଏକାଠି ହେବା ଦରକାର ବୋଲି ଦର୍ଶାଇଛନ୍ତି। କେନ୍ଦ୍ରରେ ଥିବା ବିଜେପି ସରକାର ଯେପରି ଭାବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ବାର୍ଥ ସାଧନ ପାଇଁ ବ୍ୟବହାର କରୁଛନ୍ତି ତାହା ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଦ ବୋଲି ମମତା ତାଙ୍କ ଚିଠିରେ ଦର୍ଶାଇଛନ୍ତି। ସେ ଲେଖିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ବିରୋଧରେ ବିଜେପି ସରକାର ସିବିଆଇ, ଇଡି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଛି। ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ଇଡି କେବଳ ଟିଏମସି, ଡିଏମକେ ଓ ଅନ୍ୟ ଦଳର ନେତାଙ୍କ ଘରେ ରେଡ୍ କରୁଛି ବୋଲି ଲେଖିଛନ୍ତି।
ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ ଆଜି ଭୋଟ୍ ପଡିବ। ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନନ୍ଦିଗ୍ରାମର ଭୋଟର। ମତଦାନର ଅବ୍ୟବହିତ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମମତାଙ୍କୁ ନନ୍ଦିଗ୍ରାମରେ ହରାଇ ଦେଲେ ପଶ୍ଚିମବଙ୍ଗରେ ଆପେ ଆପେ ପରିବର୍ତ୍ତନ ଆସିଯିବ। ତେଣୁ ନନ୍ଦିଗ୍ରାମବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ। ଏହି କାରଣରୁ ନନ୍ଦିଗ୍ରାମ ଏବେ ଉଭୟ ବିଜେପି ଓ ଟିଏମସି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ । ଆଜି ମୋଟ୍ ୩୦ ଆସନ ପାଇଁ ଭୋଟ୍ ହେଉଥିଲେ ମଧ୍ୟ ସମସ୍ତଙ୍କ ନଜର ନନ୍ଦିଗ୍ରାମ ଉପରେ ରହିଛି।
ପୁଣି ଭାରତମୁହାଁ ହେଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଓ ଚିନି ଆମଦାନି କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ ୩୦ ତାରିଖ ସୁଦ୍ଧା ଭାରତରୁ କପା ଆମଦାନି କରିବ। ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଭାରତରୁ ଚିନି ଆମଦାନି କରିବା ପାଇଁ ମଧ୍ୟ ଘରୋଇ କ୍ଷେତ୍ରକୁ ମଞ୍ଜୁରୀ ଦେଇଛି।
ପିପିଲି ଉପନିର୍ବାଚନ ପାଇଁ ମାହୋଲ ସରଗରମ ହେଉଛି। ଗତକାଲି ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଲଖ ଶେଷ ହୋଇଥିବା ବେଳେ ଜମିବା ଆରମ୍ଭ କରିଛି ପ୍ରଚାର। ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ମଧ୍ୟ ଆସନ ରେସ୍ରେ ସାମିଲ୍ ହୋଇଯାଇଛି। ଗତକାଲି ବିଜେପି ୩୦ ଜଣିଆ ଷ୍ଟାର୍ ପ୍ରଚାର ତାଲିକା ଘୋଷଣା କରିଥିବା ବେଳେ ଆଜି ଦଳର ୪ ଜଣ ବରିଷ୍ଠ ନେତାଙ୍କୁ ପିପିଲି ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦିଆଯାଇଛି ଦାୟିତ୍ୱ। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ବ ଦିଆଯାଇଥିବା ନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।
ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନାମାଙ୍କନ ଶେଷ ହୋଇଯାଇଥିବାରୁ ଏବେ ଆରମ୍ଭ ହେବାକୁ ଯାଇ ଲଢ଼େଇ। ଏଥିପାଇଁ ପ୍ରମୁଖ ୩ ଦଳ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେପି ଆଜି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବାବେଳେ ବିଜେଡି ଛାମୁଆ ସଂଗଠନର ନେତାଙ୍କୁ ଧରି ଗଡ଼ ଜଗିବା ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ନେଇ ମୁଖ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ଟିମ୍।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କ ଉପରେ ସମୀକ୍ଷା କରିଥିଲେ। ଉଭୟ ନେତୃତ୍ୱ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ, ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନନ୍ଦିଗ୍ରାମର ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଭୋଟ୍ ନିବେଦନ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟୁ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ମମତା ବାନାର୍ଜୀ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ନନ୍ଦିଗ୍ରାମର ଲୋକମାନଙ୍କ ନକରାତ୍ମକ ପ୍ରତିକ୍ରିୟା ମିଳୁଥିବା କାରଣରୁ ମମତା ଦିଦି ନିରାଶ ହୋଇଛନ୍ତି। ଏଥିରେ ବିଚଳିତ ହୋଇ କିଛି ବି କହୁଛନ୍ତି। ଜଣେ ବୃଦ୍ଧ ମହିଳାଙ୍କୁ ଟିଏମ୍ସିର କର୍ମୀମାନେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମମତା ବାନାର୍ଜୀ ସମବେଦନା ଜଣାଇବା ବଦଳରେ କଟାକ୍ଷ କରୁଛନ୍ତି। ଏଥିସହ ନିଜ ଦାୟିତ୍ୱରୁ ମଧ୍ୟ ଓହରି ଯାଉଛନ୍ତି। ମମତା ଦିଦିଙ୍କୁ ପରାଜୟର ଭୟ ଘାରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇପିଏସ୍ ପଲାନିସ୍ୱାମୀ ଏବଂ ତାଙ୍କ ମାଆଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ବରିଷ୍ଠ ଡିଏମ୍କେ ନେତା ଏ ରାଜାଙ୍କୁ ଭାରତର ନିର୍ବାଚନ କମିଶନ୍ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସେ ଦେଇଥିବା ମନ୍ତବ୍ୟର ଅର୍ଥ ବୁଝାଇ ଦେବା ଲାଗି ନିର୍ବାଚନ କମିଶନ୍ ଏ. ରାଜାଙ୍କୁ କହିଛନ୍ତି। ତା’ ନ ହେଲେ ବିନା କୌଣସି ସୂଚନାରେ ନିର୍ବାଚନ କମିଶନ୍ ତାଙ୍କ ବିପକ୍ଷରେ ନିଷ୍ପତ୍ତି ଗ୍ରହଣ କରିବେ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀଙ୍କ ଜନ୍ମ ଉପରେ ନକାରାତ୍ମକ ଟିପ୍ପଣୀ ଦେଇ ତାଙ୍କ ମାଆଙ୍କୁ ଅପମାନିତ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍କେ ନେତା ଏ ରାଜାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ଜବାବ ଦେଇଛନ୍ତି। ଧରମପୁରମ୍ଠାରେ ଏକ ନିର୍ବାଚନୀ ସଭାରେ ମୋଦୀ ରାଜାଙ୍କ ନାଁ ନ ନେଇ ତାଙ୍କୁ ପରୋକ୍ଷରେ ଏକ ସମୟ ଅତିକ୍ରାନ୍ତ ଟୁଜି କ୍ଷେପଣାସ୍ତ୍ର ବୋଲି କହିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚିଠି ରାଜନୀତି ସାମ୍ନାକୁ ଆସିଛି। ମାର୍ଚ୍ଚ ୨୯ ତାରିଖରେ ଇମ୍ରାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଇମ୍ରାନ ମାର୍ଚ୍ଚ ୨୩ରେ ପାକିସ୍ତାନ ଜାତୀୟ ଦିବସ ଅବସରରେ ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ପାକିସ୍ତାନବାସୀ ଭାରତ ସମେତ ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଶାନ୍ତି ଚାହାଁନ୍ତି ବୋଲି ଦର୍ଶାଇଛନ୍ତି। ଦୁଇ ଦେଶ ମଧ୍ୟରେ ଫଳପ୍ରଦ ଆଲୋଚନା ନେଇ ବି ସେ ଏହି ଚିଠିରେ ଦର୍ଶାଇଛନ୍ତି। ଆମେ ବିଶ୍ୱାସ କରୁ ଯେ ଦକ୍ଷିଣ ଏସିଆ ମହାଦେଶରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବି ସେ ଲେଖିଛନ୍ତି।
ଅଧିକ ଦେଖନ୍ତୁ