ରାଜନୀତି

ଫେରିଲା ନବୀନଙ୍କ ଓଡ଼ିଆ ଭାଷା ଅବଞା ପ୍ରସଙ୍ଗ

ଓଡ଼ିଆ ଭାଷା ଜାଣିନାହାନ୍ତି ମୁଖ୍ୟମନ୍ତୀ। ଏଭଳି ଏକ ପ୍ରସଙ୍ଗ ବିଗତ ସତର ବର୍ଷ ମଧ୍ୟରେ ସତର ଶହ ଥର ଉଠିଛି। ହେଲେ ଖାତିର କରି ନାହାନ୍ତି ନବୀନ। ଓଡ଼ିଆ ଭାଷା ନ ଜାଣି ସ୍ବତନ୍ତ୍ର ଭାଷା ଭିତ୍ତିରେ ସୃଷ୍ଟି ହୋଇଥିବା ଏକ ରାଜ୍ୟରେ ଯଦି ସତର ବର୍ଷ କାଳ ନିରଙ୍କୁଶ ଶାସନ କରି ହେଉଛି ତେବେ ଓଡ଼ିଆ ଭାଷା ଜାଣିବାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି ନବୀନପ୍ରେମୀ। ଫଳରେ କିଛି ସମୟ ଧରି ପ୍ରସଙ୍ଗଟି ଗୁରୁତ୍ବ ହରାଇ ପୁଣି ଥରେ ଉଜ୍ଜୀବିତ ହେଉଛି। ନବୀନ ଓଡ଼ିଆ ପ୍ରତି ଆନ୍ତରିକତା ଦେଖାଉନାହାନ୍ତି କି ବିରୋଧୀ ଏଭଳି ପ୍ରଶ୍ନରୁ ହଟୁନାହାନ୍ତି। ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିନାହାନ୍ତି ବୋଲି ବିରୋଧୀ ହିଁ ପ୍ରଶ୍ନ ଉଠାଇ ଆସୁଥିଲେ ହେଲେ ପ୍ରଥମଥର ପାଇଁ ଏଭଳି ସମାନ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ନବୀନଙ୍କ ଓଡ଼ିଆ ଭାଷା ନ ଜାଣିବାକୁ ନେଇ ବୈଷ୍ଣବ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ନବୀନ ଓଡ଼ିଆ ନ ଜାଣିବା ଏକ ଲଜ୍ଜା, ମୁଁ ତାଙ୍କ ସହ ଦୁଃଖରେ ଇଂରାଜୀରେ କଥା ହୁଏ।

ଜୟଙ୍କ ସମ୍ପତ୍ତି ନେଇ ଓଡ଼ିଶାରେ ରାଜନୀତି

‘ଦ ୱାୟାର’ ନାମକ ଏକ ୱେବ ସାଇଟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଅମିତ ଭାଇ ଶାହଙ୍କ ସମ୍ପତ୍ତିକୁ ନେଇ ଏକ ଖବର ପ୍ରକାଶନ ପରେ କଂଗ୍ରେସ ଏହାକୁ ନେଇ ରାଜନୀତିର ମଇଦାନକୁ ଲମ୍ଫ ପ୍ରଦାନ କରିଛି। ଜୟଙ୍କ ସମ୍ପତ୍ତିର ଚିଠା କଂଗ୍ରେସକୁ ଦିଲ୍ଲୀ ସିଂହାସନର ନିକଟତର କରିପାରିବ ବୋଲି ରାହୁଲ ବାବା ବିଚାର କରୁଛନ୍ତି। ୱାୟାରର ରବିବାର ଦ ଗୋଲଡେନ ଟଚ ଅଫ ଜୟ ଅମିତ ଶାହ ଶୀର୍ଷକ ଲେଖାରେ ଜୟ ନିଜ କମ୍ପାନୀ ଦ ଟେମ୍ପଲ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡର କାରବାର ୨୦୧୪-୧୫ରେ ମାତ୍ର ୫୦ ହଜାର ଟଙ୍କା ଥିବା ବେଳେ ହଠାତ୍‌ ବର୍ଷକ ମଧ୍ୟରେ ୧୬ ହଜାର ଗୁଣା ହୋଇ କିଭଳି ଲମ୍ବଡିଆଁ ମାରିଛି ତାକୁ ନେଇ ସ୍ତମ୍ଭକାର ରୋହିଣୀ ସିଂ ନିଜ ଲେଖାରେ ପ୍ରଶ୍ନ ଉଠାଇଥିବା ପରେ ଆପ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସିବିଆଇ ତଦନ୍ତ ଦାବି କରାଯାଇଥିଲା।

ନିର୍ବାଚନକୁ ନେଇ ତନାଘନା

ବିଧାନସଭା ସହିତ ଲୋକସଭା ନିର୍ବାଚନ କରାଇବା ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ନିର୍ବାଚନ ଆୟୋଗ ୨୦୧୮ ସେପ୍ଟେମ୍ବର ସୁଦ୍ଧା ଦୁଇଟି ନିର୍ବାଚନ ଏକା ସହ କରିବା ପାଇଁ ସକ୍ଷମ ଥିବା ଜଣାଇବା ପରେ ସିପିଆଇ ଏବଂ ସିପିଆଇ(ଏମ) କହିଛନ୍ତି ଯେ ସରକାର ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ। କଂଗ୍ରେସର କହିବା କଥା ହେଲା ସମୟ ପୂର୍ବରୁ ନିର୍ବାଚନ ହେଲେ ଦଳର କିଛି କହିବାର ନାହିଁ। କଂଗ୍ରେସ ଦଳ ପୂରା ପ୍ରସ୍ତୁତ। ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତିକୁ ନେଇ ନିର୍ବାଚନ କମିଶନଙ୍କ ଅଭିମତ ପରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ତନାଘନା ହେଲାଣି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ ନିର୍ବାଚନ ପାଇଁ ବିଜେଡି ସଦା ପ୍ରସ୍ତୁତ। ଦଳ ପ୍ରବକ୍ତା ତଥା ସାଂସଦ ପ୍ରତାପ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡି ସବୁ ପ୍ରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଓ ଦଳ ଡିଷ୍ଟିଙ୍କସନ ସହ ପ୍ରଥମ ଶ୍ରେଣୀରେ ହିଁ ଉତ୍ତୀର୍ଣ୍ଣ ହେବ।

ବିଜେପିର ବିଜେପୁରରୁ ବିଗୁଲ୍‌

କଂଗ୍ରେସର ହାଟ୍ରିକ ବିଧାୟକ ସୁବଳ ସାହୁଙ୍କ ତିରୋଧାନ ପରେ ତାଙ୍କ ପରିବାର ବିଜେଡିରେ ସାମିଲ ହେଲେ। କହିଲେ ଦିବଂଗତ ବିଧାୟକଙ୍କ ଏହା ହିଁ ଥିଲା ଶେଷ ଇଚ୍ଛା। ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ବିଜେଡିରେ ମିଶ୍ରଣ ଫଳରେ ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତି ବୃଦ୍ଧି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଆଣିଲେ ସାଂଘାତିକ ଅଭିଯୋଗ। କହିଲେ ବିଜେଡି ସ୍ବର୍ଗତ ସାହୁଙ୍କ ପତ୍ନୀ ରୀତାଙ୍କୁ ବିଜେଡିକୁ ଆଣିବା ଲାଗି ଭୁବନେଶ୍ବର ଏମ୍‌ସ ନିକଟରେ ଜମି ଓ ବିପୁଳ ଟଙ୍କା ଉତ୍କୋଚ ଦେଇଛି। ସ୍ବର୍ଗତ ବିଧାୟକଙ୍କ ପୁଅ ଜଣେ ବରିଷ୍ଠ ନେତାଙ୍କ ମୁହଁରୁ ଏଭଳି କଥା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଥିବା ବେଳେ ରୀତାଙ୍କ ବିଜେଡିରେ ମିଶ୍ରଣକୁ ନେଇ ଦଳ ଭିତରୁ ଶୁଭିଛି ଆନ୍ଦୋଳନର ସ୍ବର।

ଜନ ସମ୍ପର୍କ ରାଜନୀତି

ବିଜେଡି ପୁଣି ତାର ବାର୍ଷିକ ଗାଁ ମୁହାଁ ଜନ ସମ୍ପର୍କ ଯାତ୍ରାରେ ଲାଗିପଡ଼ିଛି। ଆଉ ମାତ୍ର ଦିନ କେଇଟା। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ପୂରା ରାଜ୍ୟରେ ହେବ ଏହି ଅଭିଯାନ। ଏହା ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ଯାଏ ଚାଲିବ। ବିଜେଡିରେ ସବୁ କର୍ମୀ, ନେତା, ମନ୍ତ୍ରୀ ଏଥିରେ ସାମିଲ ହେବାକୁ ହୁଇପ ଜାରି କରିଛନ୍ତି ସୁପ୍ରିମୋ। ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲାସ୍ତରୀୟ କର୍ମକର୍ତ୍ତା ଓ ତୃଣମୂଳ ସ୍ତରର ଲୋକ ପ୍ରତିନିଧିଙ୍କ ସହ କର୍ମୀ ସମସ୍ତେ ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବା ନେଇ ପର୍ଯ୍ୟବେକ୍ଷକମାନେ ଯତ୍ନବାନ ହେବାକୁ ନବୀନ ପରାମର୍ଶ ଦେଇଛନ୍ତି। କୌଣସି ଗାଁ କିମ୍ବା ସହରର କୌଣସି ୱାର୍ଡ ଯେମିତି ଏ ପଦଯାତ୍ରାରୁ ବାଦ୍‌ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ ନବୀନ କହିଛନ୍ତି। ଏହି ପଦଯାତ୍ରାରେ ଦଳର ନେତା ଓ କର୍ମୀ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କ ସଫଳତାକୁ ଯେମିତି ପ୍ରଚାର କରିବେ କେନ୍ଦ୍ରର ଅବହେଳାକୁ ସେମିତି ଟାର୍ଗେଟ କରିବାକୁ କୁହାଯାଇଛି।

ବଦଳିବ ବିଜେପୁର ବିଜେଡି ଗଣିତ

ବିଜେପୁରର କଂଗ୍ରେସ ନେତା ସ୍ବର୍ଗତ ସୁବଳ ସାହୁ ଏବେ ଆରପାରିରେ। ଜୀବଦ୍ଦଶାରେ ଯେଉଁ ଦଳ ସୁବଳଙ୍କୁ ଜିଲା ପରିଷଦ ଆସନ ପାଇଁ ଟିକେଟ ଦେବାକୁ ସଫା ସଫା ଦିନେ ମନାକରିଦେଇଥିଲା, ସେହି ବିଜେଡି ପରିବାରରେ ସାମିଲ ହୋଇ ଦିବଂଗତ ସୁବଳଙ୍କ ପତ୍ନୀ ସ୍ବାମୀଙ୍କ ସ୍ବପ୍ନ ପୂରା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। କଂଗ୍ରେସ ଦଳରୁ ଦୁଇ ଦଶନ୍ଧିର ସନ୍ଧି ତୁଟାଇ କିଛି ନେତା ଓ କର୍ମୀ ସୁବଳଙ୍କ ପତ୍ନୀଙ୍କୁ ନବୀନ ଦରବାରରେ ପହଞ୍ଚାଇ ଆଶ୍ବସ୍ତ ହୋଇଛନ୍ତି। ହଜାରରୁ ଊର୍ଦ୍ଧ୍ବ କର୍ମୀ ଓ ସମର୍ଥକଙ୍କୁ ନେଇ ସୁବଳଙ୍କ ପତ୍ନୀ ରୀତା ବିଜେଡି କାର୍ଯ୍ୟାଳୟରେ ନବୀନଙ୍କୁ ଭେଟି ଆନୁଷ୍ଠାନିକ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସୁବଳଙ୍କ ପତ୍ନୀଙ୍କୁ ବିଜେଡିରେ ଗ୍ରହଣ କରାଯାଉଛି ସତ ହେଲେ ଉପନିର୍ବାଚନରେ ତାଙ୍କୁ ଶଙ୍ଖ ଦଳ ପ୍ରାର୍ଥୀ ଦେବ କି ନାହିଁ ସ୍ପଷ୍ଟ କରି ନାହିଁ। ତେବେ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହେଉଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ସୂଚାଇ ସାରିଛନ୍ତି।

ଦିଦିଙ୍କୁ ଧକ୍କା

ପଶ୍ଚିମବଙ୍ଗର ପ୍ରସିଦ୍ଧ ଦୁର୍ଗା ବିସର୍ଜନକୁ ନେଇ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଗୋଟିଏ ଦିନରେ ଦୁର୍ଗା ମୂର୍ତ୍ତି ଭସାଣି ଓ ମହରମ ଶୋଭାଯାତ୍ରା ହୋଇପାରିବ ବୋଲି ସ୍ପଷ୍ଟ ଶୁଣାଇଦେଇଛନ୍ତି ଅଦାଲତ। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୁର୍ଗାପୂଜା ବିସର୍ଜନ ଦିନ ମହରମ ପଡ଼ୁଥିବାରୁ ମୂର୍ତ୍ତିଗୁଡ଼ିକର ବିସର୍ଜନ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତାଙ୍କୁ କହିଥିଲେ ମନମାନୀ କରିପାରିବେ ନାହିଁ। ଏହା ପୂର୍ବରୁ ବୁଧବାର ମଧ୍ୟ କୋଲକାତା ଉଚ୍ଚ ନ୍ୟାୟାଳୟ ରାଜ୍ୟର ମମତା ସରକାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ଏବଂ ପ୍ରଶ୍ନ କରିଥିଲେ ଯେ ଆପଣ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ କାହିଁକି ବାଧା ସୃଷ୍ଟି କରୁଛନ୍ତି?



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ