ବାଣିଜ୍ୟ ଓ ଅର୍ଥନୀତି

ରେକର୍ଡ ସ୍ତରରେ ସେନ୍ସେକ୍ସ: ପ୍ରଥମ ଥର ପାଇଁ ଟପିଲା ୪୫

ଶୁକ୍ରବାର ଭାରତର ଶେୟାର୍ ବଜାରରେ ରେକର୍ଡ ସ୍ତରର ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରଥମ ଥର ପାଇଁ ସେନ୍ସେକ୍ସ ସ୍ତର ୪୫ ହଜାର ପଏଣ୍ଟ୍ ଅତିକ୍ରମ କରିଛି। ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପକ୍ଷରୁ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମୁଦ୍ରାର ଦରରେ ଉନ୍ନତି ଘଟିବା ଫଳରେ ଏହାର ସିଧାସଳଖ ପ୍ରଭାବ ଶେୟାର୍ ବଜାର ଉପରେ ପଡ଼ିଛି। ଏହାଛଡ଼ା ଦେଶର ଅର୍ଥନୀତି କ୍ରମଶଃ କୋଭିଡ୍-୧୯ଜନିତ ଦୁଃସ୍ଥିତିରୁ କ୍ରମଶଃ ମୁକୁଳିବାରେ ଲାଗିଛି। ଏହି ଘାତକ ଭୂତାଣୁର ନିପାତ କରିବା ସକାଶେ ଖୁବଶୀଘ୍ର ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ଏହା ଦେଶର ଅର୍ଥନୀତିକୁ କ୍ରମଶଃ ପୁରୁଣା ସ୍ଥାନକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଆଶା କରିଥିଲେ। ଏହାଛଡ଼ା ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି) ବିଯୁକ୍ତ ସାଢ଼େ ୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ମଧ୍ୟ ଦାସ ପୂର୍ବାନୁମାନ କରିଛନ୍ତି। ତେଣୁ ଦେଶର ଶେୟାର୍ ବଜାରରେ ପୁଞ୍ଜି ନିବେଶ କରିଆସିଥିବା ନିବେଶକମାନେ ଏହାଦ୍ବାରା ବିଶେଷ ଭାବେ ଉତ୍ସାହିତ ହୋଇ ଷ୍ଟକ୍‌ରେ ଅଧିକ ପୁଞ୍ଜି ଖଟାଇଛନ୍ତି। ଫଳସ୍ବରୂପ ଶୁକ୍ରବାର ସେନ୍ସେକ୍ସରେ ୨୫୦ ପଏଣ୍ଟ୍ ବୃଦ୍ଧି ପାଇବା ଫଳରେ ପ୍ରଥମ ଥର ପାଇଁ ଶେୟାର୍ ବଜାରରେ ସେନ୍ସେକ୍ସ ସ୍ତର ୪୫ ହଜାରକୁ ଅତିକ୍ରମ କରି ଏନଏସଇରେ ୪୫୦୩୩.୧୯ରେ ପହଞ୍ଚିଯାଇଛି। ଶୁକ୍ରବାର ବଜାର ଖୋଲିବା ବେଳେ ସେନ୍ସେକ୍ସ ପଏଣ୍ଟ୍ ୪୪,୬୩୨.୬୫ରେ ରହିଥିଲା।

କ୍ରମାଗତ ୩ୟ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ, ବିଯୁକ୍ତ

କ୍ରମାଗତ ୩ୟ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ୪ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ବେଳେ ରିଭର୍ସ ରେପୋ ରେଟରେ ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ। ତେଣୁ ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଜାରି ରହିବ। ତା’ଛଡ଼ା ୨୦୨୧ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର ବିଯୁକ୍ତ ୭.୫ ପ୍ରତିଶତ ହେବ ବୋଲି ମଧ୍ୟ ଆରବିଆଇର ମନିଟାରୀ ପଲିସି କମିଟି (ଏମପିସି) ପକ୍ଷରୁ ଆକଳନ କରାଯାଇଛି। ଗତ ମାର୍ଚ୍ଚ ଶେଷ ଭାଗରେ ଆରବିଆଇ ପକ୍ଷରୁ ଅଭିବୃଦ୍ଧିକୁ ସହଯୋଗ କରିବା ସକାଶେ ରେପୋ ରେଟରେ ୧୧୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ଏମପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ କ୍ରମାଗତ ୩ୟ ଥର ପାଇଁ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ସକାଶେ ସହମତି ହୋଇଛି। ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଲକଡାଉନ୍ ଘୋଷଣା କରାଯିବା ଫଳରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ହାରକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଓ ମୁଦ୍ରାସ୍ଫୀତି ସଂକ୍ରାନ୍ତ ଲକ୍ଷ୍ୟ ହାସଲ ସକାଶେ ଏମପିସି ତା’ର ମନିଟାରୀ ପଲିସିରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଉଚିତ ମଣି ନ ଥିବା ଦାସ କହିଛନ୍ତି।

କୁଆଡେ ଗଲା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଟଙ୍କା: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଂଘୀୟ ବ୍ୟବସ୍ଥାକୁ କେନ୍ଦ୍ର ଧ୍ବଂସ୍ତ ବିଧ୍ବସ୍ତ କରି ଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। କୋରୋନା ମୁକାବିଲା ପାଇଁ ଯେଉଁ ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ ଏମର୍ଜେନ୍ସି ସିଚୁଏସନ (ପିଏମ କେୟାର୍ସ) ଗଠନ କରାଯାଇଥିଲା ସେହି ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଫଣ୍ଡର ଭବିଷ୍ୟତ କ’ଣ ? କୁଆଡ଼େ ଗଲା ଲକ୍ଷ ଲକ୍ଷ କୋଟିର ଟଙ୍କା ? କାହିଁକି ଏହି ଟଙ୍କା ବିନିଯୋଗର ଅଡିଟ ହେଉ ନାହିଁ ? ତାଙ୍କ ସରକାର କେନ୍ଦ୍ରର ବିଜେପି ସରକାର ପରି କାମ କରିବ ନାହିଁ। କୋରୋନା ମୁକାବିଲା ପାଇଁ କେବଳ ଭାଷଣ ଦେଲେ ଚଳିବ ନାହିଁ ବୋଲି ମମତା କହିଛନ୍ତି।

ନଭେମ୍ବର ୨୭ରୁ ଉଠିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି ମିଳିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆସନ୍ତା ୨୭ରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଇଁ ଲାଗୁ କରିଥିବା ମୋରାଟୋରିଅମ କଟକଣା ଉଠାଇ ନେବାକୁ ଘୋଷଣା କରିଛି। ପୂର୍ବରୁ ମୋରାଟୋରିଅମ କଟକଣା ଡିସେମ୍ବର ୧୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲେ ବି ଏହାକୁ ଆସନ୍ତା ୨୭ରୁ ଉଠାଇବା ପାଇଁ ବୁଧବାର ନିଷ୍ପତ୍ତି ହୋଇଛି। ବୁଧବାର କେନ୍ଦ୍ର ସରକାର ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ସହ ମିଶ୍ରଣ କରିବା ପରେ ପରେ ଆରବିଆଇ ପକ୍ଷରୁ ମୋରାଟୋରିଅମ ସମୟସୀମାକୁ ନଭେମ୍ବର ୨୭ରେ ଶେଷ କରିବା ପାଇଁ ଘୋଷଣା କରାଯାଇଛି। ଫଳରେ ୨୭ ତାରିଖ ପରଠାରୁ ଆଉ ଜମାକାରୀଙ୍କ ଟଙ୍କା ଉଠାଣ ନେଇ କୌଣସି କଟକଣା ରହିବ ନାହିଁ।

ଏଲନ ମସ୍କ ବିଶ୍ବର ନଂ ୨ ଧନୀ, ବିଲ୍‌ ଗେଟ୍‌ସଙ୍କୁ ପଛରେ

ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିବା ଓ ଗତ ୧୮ ବର୍ଷ ହେଲା ଆମେରିକାରେ ରହିଆସୁଥିବା ବିଶ୍ବର ଅନ୍ୟତମ ବିତ୍ତଶାଳୀ ଉଦ୍ୟୋଗପତି ଏଲନ୍ ମସ୍କ ଏବେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଟେସଲା ଇଙ୍କ୍‌ର ଏହି ସହପ୍ରତିଷ୍ଠାତା ସୋମବାର ଘୋଷିତ ସଦ୍ୟ ବିତ୍ତଶାଳୀ ତାଲିକାରେ ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବିଲ୍ ଗେଟ୍ସଙ୍କୁ ଅତିକ୍ରମ କରି ଏହି ସ୍ଥାନରେ ପହଞ୍ଚିଛନ୍ତି। ୪୯ ବର୍ଷୀୟ ମସ୍କଙ୍କ ସମ୍ପତ୍ତି ପରିମାଣ ୭.୨ ବିଲିୟନ୍ ଡଲାର୍‌ରୁ ବୃଦ୍ଧି ପାଇ ୧୨୭.୯ ବିଲିଅନ୍ ଡଲାରରେ ପହଞ୍ଚିଛି। ଫଳସ୍ବରୂପ ଟେସଲା କମ୍ପାନୀର ଶେୟାର୍ ଦାମ୍ ମଧ୍ୟ ଆକାଶଛୁଆଁ ହୋଇଛି। ଚଳିତ ବର୍ଷ ମସ୍କ ତାଙ୍କ ସମ୍ପତ୍ତିରେ ୧୦୦.୩ ବିଲିୟନ୍ ଡଲାର୍ ଯୋଗ କରିପାରିଛନ୍ତି। ବ୍ଲୁମବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସ ଅନୁସାରେ ମସ୍କ ଚଳିତ ବର୍ଷ ସବୁଠାରୁ ଅଧିକ ଆୟ କରିଛନ୍ତି। ଗତ ଜାନୁଆରୀରେ ପ୍ରକାଶିତ ସୂଚୀରେ ମସ୍କ ୩୫ତମ ସ୍ଥାନରେ ରହିଥିଲେ। ବ୍ଲୁମବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସ ପକ୍ଷରୁ ବିଶ୍ବର ୫ ଶହ ବିତ୍ତଶାଳୀଙ୍କ ଏକ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ମସ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଟେସଲା କମ୍ପାନୀର ମାର୍କେଟ୍ ଭାଲ୍ୟୁ ୫ ଶହ ବିଲିୟନ୍ ଡଲାର୍‌ର ନିକଟତର ହୋଇଛି। ତାଙ୍କ ମୋଟ ସମ୍ପତ୍ତି ମଧ୍ୟରୁ ତିନି-ଚତୁର୍ଥାଂଶ ହେଉଛି ଟେସଲାରେ ଥିବା ତାଙ୍କର ଶେୟାରର ଦାମ୍। ପୂର୍ବାପେକ୍ଷା ଚଳିତ ବର୍ଷ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକନୋଲୋଜିଜ୍ କର୍ପ ବା ସ୍ପେସ୍ଏକ୍ସ’ରେ ତାଙ୍କ ଶେୟାରର ଦାମ୍ ପାଖାପାଖି ୪ ଗୁଣ ବୃଦ୍ଧି ପାଇଛି।

ଶସ୍ତା ହେଲା ସୁନା, ଦିନକରେ ୧୦ ଗ୍ରାମ ପିଛା କମିଲା

ମଙ୍ଗଳବାର ସୁନା ଦରରେ ବ୍ୟାପକ ଅବନତି ଘଟିଛି। ଦୀର୍ଘ ଦିନ ଧରି ୧୦ ଗ୍ରାମ ସୁନାର ଦାମ୍ ପାଖାପାଖି ୫୦ ହଜାର ଟଙ୍କା ରହିଆସିଥିବା ବେଳେ ଏବେ ଏହା ୪୮ ହଜାର ୫୬୯ ଟଙ୍କାକୁ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ଏହି ଦର ରହିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଟଙ୍କାର ସୁନାର ଚାହିଦା ହ୍ରାସ ସହ ଟଙ୍କା ମୂଲ୍ୟରେ ଉନ୍ନତି ଘଟିବା କାରଣରୁ ଏପରି ଦର ହ୍ରାସ ଘଟିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୋମବାର ବଜାର ବନ୍ଦ ହେବା ବେଳକୁ ସୁନା ୧୦ ଗ୍ରାମ ପିଛା ଦର ୪୯ ହଜାର ୬୧୮ ଟଙ୍କା ରହିଥିଲା। ସୁନା ପରି ରୁପା ଦର ମଧ୍ୟ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଦିନକ ଭିତରେ ରୁପା କିଲୋଗ୍ରାମ୍ ପିଛା ଦର ୧ ହଜାର ୫୮୮ ଟଙ୍କା ହ୍ରାସ ପାଇଛି। ଫଳରେ ସୋମବାର ବଜାର ବନ୍ଦ ବେଳକୁ ରୁପାର ଦର ୬୦ ହଜାର ୮୮୯ ଟଙ୍କା ଥିଲେ ହେଁ ମଙ୍ଗଳବାର ଏହା ୫୯ ହଜାର ୩୦୧ ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧ ହଜାର ୮୩୦ ଆମେରିକୀୟ ଡଲାର୍ ରହିଛି। ସେହିପରି ରୁପା ଦର ମଧ୍ୟ ଆଉନ୍ସ ପିଛା ୨୩.୪୨ ଆମେରିକୀୟ ଡଲାର୍ ଥିବା ସୂଚନା ମିଳିଛି।

ଜମାକାରୀଙ୍କୁ ଫେରସ୍ତ ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଖରେ
ଘରୋଇ ଉତ୍ପାଦନ ବୃଦ୍ଧି ଓ ଆମଦାନି ନିର୍ଭରତା ହ୍ରାସ କରିବା

ନୂଆଦିଲ୍ଲୀଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଓପନ୍‍ ଏକରେଜ୍‍ ଲାଇସେନ୍ସି ପଲିସି(ଓଏଏଲ୍‌ପି)ର ପଞ୍ଚମ ବିଡ୍‌ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ୍‌ ବ୍ଲକ୍‌ ପାଇଁ ଚୁକ୍ତିସ୍ୱାକ୍ଷର କରିଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଅନ୍ୱେଷଣ ଏବଂ ଉତ୍ପାଦନ ସେକ୍ଟରରେ ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜନେସ୍‌କୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିଛି। ଆଗାମୀ ଦିନରେ ନୂତନ ଜ୍ଞାନକୌଶଳ ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନି ନିର୍ଭରତାକୁ ହ୍ରାସ କରିବା ନେଇ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲକ୍ଷ୍ମୀଛଡ଼ା, ଡିସେମ୍ବର ୧୬ ପର୍ଯ୍ୟନ୍ତ

ବିଗତ ଦିନରେ ଘରୋଇ ବ୍ୟାଙ୍କ୍ ୟେସ୍ ବ୍ୟାଙ୍କ୍ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରିଥିବା ବେଳେ ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଟକଣା ଲଗାଇଥିଲେ। ଏଥିସହ ୟେସ୍ ବ୍ୟାଙ୍କର ସ୍ଥିତି ସୁଧାରିବା ସକାଶେ ବ୍ୟାପକ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ଏବେ ଦେଶରେ ସକ୍ରିୟ ଥିବା ଅନ୍ୟତମ ଘରୋଇ ବ୍ୟାଙ୍କ୍ ଲକ୍ଷ୍ମୀବିଳାସ ବ୍ୟାଙ୍କ୍ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ତେଣୁ ଏହି ବ୍ୟାଙ୍କର ଜମାକାରୀଙ୍କ ପାଇଁ ରହିଥିବା ଉଠାଣ ସୀମାରେ ଆରବିଆଇ ପକ୍ଷରୁ କଟକଣା ଲଗାଯାଇଛି। ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। କଟକଣା ଅନୁସାରେ, ଏଣିକି ବ୍ୟାଙ୍କର ଗ୍ରାହକ ସର୍ବାଧିକ ୨୫ ହଜାର ଟଙ୍କା ଉଠାଣ କରିପାରିବେ। ଆରବିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ, ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଅନାଦେୟ ଋଣ ପରିମାଣ ବୃଦ୍ଧି ପାଇଥିବା ବେଳେ କ୍ଷତି ପରିମାଣ କ୍ରମଶଃ ଜାରି ରହିଛି। କିନ୍ତୁ ଜମାକାରୀମାନଙ୍କ ସମସ୍ତ ଅର୍ଥ ସୁରକ୍ଷିତ ରହିଛି ଓ କେହି ବି ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଆରବିଆଇ ପକ୍ଷରୁ ଜମାକାରୀମାନଙ୍କୁ ଭରସା ଦିଆଯାଇଛି। ଗତ ୩ ବର୍ଷ ମଧ୍ୟରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। କୌଣସି ଠୋସ୍ ରଣନୀତି ଅଭାବରୁ ଏହି ଧାରା ଆଗାମୀ ଦିନରେ ବି ଜାରି ରହିବ ବୋଲି ଆକଳନ କରାଯାଉଛି। ବ୍ୟାଙ୍କ ଏହାର ନେଟ୍ ମୂଲ୍ୟ ଓ ନିରନ୍ତର କ୍ଷତିର ସମାଧାନ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ସକ୍ଷମ ହୋଇନାହିଁ। ତା’ଛଡ଼ା ବ୍ୟାଙ୍କ ମଧ୍ୟ ଜମା ପ୍ରତ୍ୟାହାରର ସମ୍ମୁଖୀନ ହୋଇଚାଲିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ