ବାଣିଜ୍ୟ ଓ ଅର୍ଥନୀତି

ଏୟାର୍‌ ଇଣ୍ଡିଆରୁ ସମସ୍ତ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

କ୍ଷତିରେ ଚାଲୁଥିବା ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର୍‌ ଇଣ୍ଡିଆରୁ କେନ୍ଦ୍ର ସରକାର ତାଙ୍କର ସମସ୍ତ ପୁଞ୍ଜି ପ୍ରତ୍ୟାହାର କରିବେ ଓ ଏହାର ଘରୋଇକରଣ କରାଯିବ। ଗୁରୁବାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତର ଉପସ୍ଥାପନ କରି କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ ବର୍ତ୍ତମାନ ଏୟାର୍‌ ଇଣ୍ଡିଆ ଉପରେ ୫୦ ହଜାର କୋଟି ଟଙ୍କାର ୠଣବୋଝ ରହିଥିବାରୁ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକିଦିଆଯିବା ସକାଶେ ନିଷ୍ପତ୍ତି ହୋଇଛି। ନୂଆ ସରକାର ଗଠନ ପରେ ଏୟାର୍‌ ଇଣ୍ଡିଆ ସ୍ପେସିଫିକ୍‌ ଅଲ୍‌ଟର୍‌ନେଟିଭ୍‌ ମେକାନିଜମ୍‌ (ଆଇସାମ୍‌)ର ପୁନର୍ଗଠନ ହୋଇଛି ଓ ଏହି କମ୍ପାନୀରୁ ସମସ୍ତ ପୁଞ୍ଜି ପ୍ରତ୍ୟାହାର କରାଯିବା ସକାଶେ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ପୁରୀ କହିଛନ୍ତି।

ରୁଷ-ଭାରତ ଭାଗିଦାରୀରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧି ହେବ

ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଦ ମେଡିସିନ୍ସ କୋ.କୁ ୯.୭ ବିଲିୟନ୍‌ ଡଲାର୍‌ରେ କିଣିବ

ସ୍ବିଜରଲାଣ୍ଡ୍‌ ଭିତ୍ତିକ ହେଲ୍‌ଥକେୟାର୍‌ କମ୍ପାନୀ ନୋଭାର୍ଟିସ୍‌ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍‌ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍‌କୁ ୯.୭ ବିଲିୟନ୍‌ ଡଲାର୍‌ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍‌ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍‌ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍‌ଗେନ୍‌ ଇଙ୍କ୍‌ର ରେପାଥା ଓ ସାନୋଫିସ୍‌ ଓ ରେଗିନେରୋନ୍‌ ଫାମାସ୍ୟୁଟିକାଲ୍ସ ଇଙ୍କ୍‌ ପ୍ରାଲୁଣ୍ଟ୍‌ ଆଦିକୁ ଚ୍ୟାଲେଞ୍ଜ୍‌ ଦେଇପାରିବ ବୋଲି ଆଶା କରିଛି।

ଟ୍ରମ୍ପଙ୍କ ଗଲ୍ଫ ସଉକ ପାଇଁ ଆମେରିକାକୁ ୭.୯ କୋଟି ଡଲାରର
ନୀତା ଅମ୍ବାନୀଙ୍କ କଳା ପ୍ରୀତି: ନ୍ୟୁୟର୍କ ମେଟ୍ରୋପଲିଟାନ୍‌ କଳା

ଏସିଆର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବିଶିଷ୍ଟ ସମାଜସେବୀ ନୀତା ଅମ୍ବାନୀଙ୍କୁ ଏବେ ଆମେରିକା କଳା ସଂଗ୍ରହାଳୟ ‘ମେଟ୍ରୋପଲିଟାନ୍‌ ମ୍ୟୁଜିୟମ୍‌ ଅଫ୍ ଆର୍ଟ’ର ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ ସେ ଭାରତର ପ୍ରମୁଖ ବ୍ୟକ୍ତିବିଶେଷ ହୋଇପାରିଛନ୍ତି। ନ୍ୟୁୟର୍କସ୍ଥିତ ଏହି କଳା ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଦର୍ଶନୀକୁ ୫୭ ବର୍ଷୀୟା ନୀତା ନିୟମିତ ଭାବେ ସମର୍ଥନ କରିଆସୁଛନ୍ତି। ନୀତାଙ୍କୁ ସଂଗ୍ରହାଳୟର ଅବୈତନିକ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଥିବା ବେଳେ ଏନେଇ କଳା ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ୍‌ ବ୍ରୋଡସ୍କାଏ କହିଛନ୍ତି ଯେ ନୀତା ନିୟମିତ ଭାବେ ଆମ ଦ୍ବାରା ଆୟୋଜିତ ହୋଇଆସୁଥିବା ପ୍ରଦର୍ଶନୀକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇଆସୁଥିବାରୁ ଏହା ଅଧିକ ଲୋକାଦ୍ରୁତ ହୋଇପାରିଛି। ତାଙ୍କ ପ୍ରଚ୍ଛନ୍ନ ଉଦ୍ୟମ ବଳରେ ସଂଗ୍ରହାଳୟ ବିଶ୍ବର କୋଣ ଅନୁକୋଣର ବିଭିନ୍ନ ପ୍ରକାର ଚିତ୍ର ଏଠାରେ ପ୍ରଦର୍ଶିତ କରିପାରିଛି ବୋଲି ଡାନିଏଲ୍‌ କହିଛନ୍ତି।

ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରେ ଭଟ୍ଟା!

ବିଗତ ଦିନରେ ଆମେରିକା ଓ ଚୀନ୍‌ ପରସ୍ପରଠାରୁ ଆମଦାନି କରୁଥିବା ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ଲାଗୁ କରିବା ପରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେବେ ନିକଟରେ ଆମେରିକା ଏହି କଟକଣାକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରିବା ସକାଶେ ଘୋଷଣା କରିଥିବା ବେଳେ ଏବେ ଚୀନ୍‌ ଏଥିରେ ସହମତ ହୋଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଚୀନ୍‌ ବାଣିଜ୍ୟିକ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅବଶ୍ୟ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ସମ୍ପର୍କରେ କିଛି ବି ସୂଚନା ଦିଆଯାଇନାହିଁ। କିନ୍ତୁ ଆଗାମୀ ଦିନରେ ଆମେରିକା ଓ ଚୀନ୍‌ ମଧ୍ୟରେ ଏକ ସାମୟିକ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ବଢ଼ିଯାଇଛି। ଏପରି ସ୍ଥିତିରେ ଆସନ୍ତା ଡିସେମ୍ବର ୧୫ ତାରିଖରେ ଆମେରିକା ଚୀନ୍‌ ସାମଗ୍ରୀ ଉପରେ ୧୨୧ ବିଲିୟନ୍‌ ଡଲାର୍‌ର ଅତିରିକ୍ତ ଟିକସ ଲଗାଇବା ପାଇଁ ଆମେରିକା ନେଇଥିବା ନିଷ୍ପତ୍ତିରୁ ବସ୍ତୁତଃ ଓହରିଯିବାର ସମ୍ଭାବନା ମଧ୍ୟ ରହିଛି।

ଏୟାର୍‌ଟେଲ୍‌ର ସ୍ବତନ୍ତ୍ର ଅଫର୍‌: ୫୯୯ ରିଚାର୍ଜରେ ୪ ଲକ୍ଷର

ଦେଶର ଅନ୍ୟତମ ପ୍ରମୁଖ ଘରୋଇ ଦୂରସଞ୍ଚାର କମ୍ପାନୀ ଏୟାର୍‌ଟେଲ୍‌ ସୋମବାର ତା’ର ପ୍ରିପେଡ୍‌ ଗ୍ରାହକମାନଙ୍କ ସକାଶେ ଏକ ସ୍ବତନ୍ତ୍ର ଅଫର୍‌ର ଘୋଷଣା କରିଛି। ଏହି ଅଫର୍‌ରେ ପ୍ରଥମ ଥର ପାଇଁ ଗ୍ରାହକଙ୍କୁ ଭାଉଚର୍‌ ରିଚାର୍ଜରେ ଜୀବନ ବୀମା ସୁବିଧା ମିଳିପାରିବ। ଏଥିପାଇଁ ଅତି କମ୍‌ରେ ଗ୍ରାହକମାନଙ୍କୁ ୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ସହ ଅଲ୍‌ଲିମିଟେଡ୍‌ କଲ୍‌ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଏହାର ଅବଧି ୮୪ ଦିନ ରହିଥିବା ବେଳେ ଗ୍ରାହକଙ୍କୁ ୪ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମଧ୍ୟ ମିଳିବ। ଏହି ଜୀବନ ବୀମା କଭର୍‌ ଭାରତୀ ଏକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ମିଳିବ ବୋଲି ଏୟାର୍‌ଟେଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏହି ସୁବିଧା ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ କେତେକ ହାତଗଣତି ରାଜ୍ୟରେ ଉପଲବ୍ଧ ହେଉଛି ବୋଲି ଭାରତୀ ଏୟାର୍‌ଟେଲ୍‌ର ଦିଲ୍ଲୀ-ଏନ୍‌ସିଆର୍‌ ସିଇଓ ବାଣୀ ଭେଙ୍କଟେଶ କହିଛନ୍ତି।

ଆଜିଠାରୁ ସଞ୍ଚୟ ଜମା ଉପରେ ଏସ୍‌ବିଆଇର ନୂଆ ଦର ଲାଗୁ

ନଭେମ୍ବର ୧ ତାରିଖଠାରୁ ଦେଶର ସର୍ବବୃହତ୍‌ ୠଣ ପ୍ରଦାନକାରୀ ବ୍ୟାଙ୍କିଂ ପ୍ରତିଷ୍ଠାନ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର ସଞ୍ଚୟ ଜମା ଉପରେ ସୁଧ ହାର ପରିବର୍ତ୍ତନ କରିବାକୁ ଯାଉଛି। ପୂର୍ବରୁ ଅକ୍ଟୋବର ପ୍ରାରମ୍ଭରେ ଏନେଇ ଏସ୍‌ବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାରଠାରୁ ଏହାକୁ ଲାଗୁ କରିବ। ଏହି ନୂଆ ନିୟମ ଦ୍ବାରା ସଞ୍ଚୟ ଖାତାର ଜମାକାରୀମାନେ ପ୍ରଭାବିତ ହେବେ। କାରଣ ସଞ୍ଚୟ ଖାତା ଜମା ଉପରେ ବ୍ୟାଙ୍କ ତା’ର ସୁଧ ହାରକୁ ପୂର୍ବ ତୁଳନାରେ .୨୫ ପ୍ରତିଶତ ହ୍ରାସ କରିବ। ଅର୍ଥାତ୍‌ ବ୍ୟାଙ୍କ୍‌ ଏଣିକି ସଞ୍ଚୟ ଖାତାରେ ୧ ଲକ୍ଷ ପର୍ଯ୍ୟନ୍ତ ଜମା ରଖିଥିବା ଗ୍ରାହକଙ୍କୁ ବାର୍ଷିକ ୩.୨୫ ପ୍ରତିଶତ ହାରରେ ସୁଧ ଦେବ। ସେହିପରି ଏକ ଲକ୍ଷରୁ ଅଧିକ ଜମା ଉପରେ ମିଳିବାକୁ ଥିବା ସୁଧ ହାରକୁ ରେପୋ ରେଟ୍‌ ସହ ଯୋଡ଼ି ଦିଆଯାଇଛି। ଅର୍ଥାତ୍‌ ଏହି ବର୍ଗର ଜମାକାରୀଙ୍କୁ ୩ ପ୍ରତିଶତ ସୁଧ ହାର ମିଳିବ।

କଳାଧନ ରୋକିବାକୁ ଖୁବ୍‌ଶୀଘ୍ର ଆସିବ ସ୍ବର୍ଣ୍ଣ କ୍ଷମା ଯୋଜନା

ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର କଳା ଧନ ରୋକିବା ପାଇଁ ଗତ ୨୦୧୬ ନଭେମ୍ବର ୮ ତାରିଖରେ ଅଚାନକ ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌ ଉପରେ କଟକଣା ଲଗାଇଥିଲା। ଏବେ କେନ୍ଦ୍ର ସରକାର କଳା ଧନ ରୋକିବା ସକାଶେ ଆଉ ଏକ ଯୋଜନା ଲାଗୁ କରିବା ଉପରେ ବିଚାରବିମର୍ଶ କରୁଛି। ଏହି ଯୋଜନାଟି ହେଲା ସ୍ବର୍ଣ୍ଣ କ୍ଷମା ଯୋଜନା। ଏହି ଯୋଜନାରେ ଯେଉଁମାନେ କଳା ଧନକୁ ଧଳା କରିବା ସକାଶେ ବିନା ରସିଦ୍‌ରେ ମୋଟା ଆକାରର ସୁନା କିଣିଛନ୍ତି, ସେମାନେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ଓ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଟିକସ ଦେଇ ସେମାନେ ନିଜର ଏହି ସୁନାକୁ ନିଜର ବୋଲି ଆଇନତଃ ସିଦ୍ଧ କରିପାରିବେ। ଅର୍ଥନୈତିକ ବ୍ୟାପାର ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ଏନେଇ ପ୍ରସ୍ତାବ ପ୍ରସ୍ତୁତି ଚାଲିଛି। କେନ୍ଦ୍ର କ୍ୟାବିନେଟ୍‌ ଖୁବ୍‌ଶୀଘ୍ର ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିବ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ