ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୪୫ ପଇସା ହୋଇଥିଲା ବେଳେ ମୁମ୍ବାଇରେ ଏହା ୯୦ ଟଙ୍କା ପାର କରିଛି। ଅଶୋଧିତ ତୈଳ ବ୍ୟାରେଲ ପିଛା ୫୭ ଡଲାର ବଢ଼ିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ପୁଣି ଥରେ ଉପରମୁହାଁ ହୋଇଛି। ୨୦୨୦ ଫେବ୍ରୁଆରୀ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଆଶୋଧିତ ତୈଳ ଦର ଏତେ ପରିମାଣରେ ବଢ଼ିଛି। ସେହିପରି ଡିଜେଲ ଦାମ ମଧ୍ୟ ଅଧିକ ହୋଇଛି। ମୁମ୍ବାଇରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୩୪ ପଇସାରେ ପହଞ୍ଚିଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୪ ଟଙ୍କା ୬୩ ପଇସା ହୋଇଥିଲା ବେଳେ ସର୍ବକାଳୀନ ଅଧିକ ଦାମ ଠାରୁ ୮୨ ପଇସା କମ ରହିଛି।
ଦେଶରେ ମେଡିକାଲ କୋଚିଂ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଜଣାଶୁଣା ଶିକ୍ଷାନୁଷ୍ଠାନ ଆକାଶ ଇନଷ୍ଟିଚ୍ୟୁଟକୁ କିଣିପାରେ ଦେଶର ସର୍ବବୃହତ ଅନଲାଇନ ଲର୍ଣ୍ଣିଙ୍ଗ କମ୍ପାନୀ ବାଇଜୁ। ଇଂଜିନିୟରିଂ, ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ଦେଉଥିବା ଆକାଶ ଟ୍ୟୁଟୋରିଆଲ୍ ସର୍ଭିସେସକୁ ହାସଲ କରିବା ପାଇଁ ବାଇଜୁ ଯୋଜନା ପ୍ରସ୍ତୁତ କରିଛି। ମିଳିଥିବା ସୂଚନା ମୁତାବକ ପ୍ରାୟ ଏକ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୩୧୫ କୋଟି ଟଙ୍କା)ରେ ଆକାଶ ଇନଷ୍ଟିଚ୍ୟୁଟକୁ ବାଇଜୁ ଅଧିଗ୍ରହଣ କରିପାରେ।
ବିଗତ କିଛି ବର୍ଷ ଧରି ମୋଦି ସରକାରଙ୍କ ଅମଳରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଇଲା ଖଣିର ସଞ୍ଚାଳନକୁ ସହଜ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ୍ ଆରମ୍ଭ ହେବା ଦ୍ବାରା ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହୋଇପାରିବ। ଏଥିସହ କୋଇଲା ଖଣିର କାର୍ଯ୍ୟକାରିତା ମଧ୍ୟ ସହଜ ହେବ। ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସ୍କୁ ମଧ୍ୟ ପ୍ରାଥମିକତା ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ସୋମବାର ଷ୍ଟକ୍ ବଜାରରେ ନିବେଶକମାନଙ୍କୁ ବେଶ୍ ଭଲ ଫାଇଦା ମିଳିଛି। କାରଣ ପ୍ରଥମ ଥର ପାଇଁ ବିଏସ୍ଇ ସେନ୍ସେକ୍ସ ୪୯ ହଜାର ପଏଣ୍ଟ୍ ଉପରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେନ୍ସେକ୍ସ ପଏଣ୍ଟ୍ ୪୯ ହଜାର ୪ ଶହ ଉପରେ ପହଞ୍ଚିଯାଇଥିବା ବେଳେ ନିଫ୍ଟି ମଧ୍ୟ ୧୪ ହଜାର ୪ ଶହ ଉପରେ ପହଞ୍ଚିଥିବା ଜଣାପଡ଼ିଛି। ସୋମବାର ଆଇଟି ଷ୍ଟକ୍ଗୁଡ଼ିକର ଦର ବ୍ୟାପକ ଭାବେ ବଢ଼ିଯିବା ଫଳରେ ସେନ୍ସେକ୍ସ ଓ ନିଫ୍ଟିରେ ଏପରି ଉନ୍ନତି ଆସିଥିବା ଜଣାପଡ଼ିଛି। ସେହିପରି ସୋମବାର ଷ୍ଟକ୍ ବଜାରରେ ବ୍ୟବସାୟ ଆରମ୍ଭ ହେବା ପରେ ପରେ ୩୦ ଶେୟାର୍ ବିଶିଷ୍ଟ ବିଏସ୍ଇ ଇଣ୍ଡେକ୍ସ ଇଣ୍ଟ୍ରାଡେ’ରେ ୪୯ ହଜାର ୨୫୨ରେ ପହଞ୍ଚିଥିଲା। ସୋମବାର ମୁଖ୍ୟତଃ ଆଇଟି ସେକ୍ଟର ସହ ଜଡ଼ିତ ଷ୍ଟକଗୁଡ଼ିକ ଦାମ୍ ଯଥେଷ୍ଟ ବଢ଼ିଛି। ଏଥି ମଧ୍ୟରେ ଇନଫୋସିସ୍, ଏଚସିଏଲ୍ ଟେକ୍, ଟିସିଏସ୍, ଭାରତୀ ଏୟାରଟେଲ୍, ଟେକ୍ ମହିନ୍ଦ୍ରା ଓ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଆଦି ପ୍ରମୁଖ। ଏହିସବୁ କମ୍ପାନୀଗୁଡ଼ିକର ଶେୟାର୍ ଦାମରେ ପାଖାପାଖି ସାଢ଼େ ୩ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।
ଆପଣ ୨ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ସୁନା କି ରୁପା ଗହଣା କିଣୁଛନ୍ତି କି? ଯଦି ହଁ ତା’ହେଲେ ଆପଣଙ୍କୁ ଏଥିପାଇଁ ବାଧ୍ୟତାମୂଳକ ଭାବେ କେଓ୍ବାଇସି ଦେବାର ଆବଶ୍ୟକତା ପଡ଼ିବ ନାହିଁ। କାରଣ କେନ୍ଦ୍ର ରାଜସ୍ବ ବିଭାଗ (ଡିଓଆର୍) ପକ୍ଷରୁ ଏନେଇ ନୂଆ ନିୟମ ଜାରି ହୋଇଛି। ପିଏମଏଲ୍ ଆଇନ, ୨୦୦୨ ଅନୁସାରେ ଗତ ଡିସେମ୍ବର ୨୮ ତାରିଖରେ ସଦ୍ୟ ବିଜ୍ଞପ୍ତି ଜାରି ହୋଇଛି। ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫଏଟିଏଫ୍) ପକ୍ଷରୁ ସୁନା କି ରୁପା ସୁନାଗହଣା ଖରିଦାରୀ ପାଇଁ କେୱାଇସି ବାଧ୍ୟତାମୂଳକ ଥିବା ବେଳେ ଏଥିପାଇଁ ପାନ୍ କିମ୍ବା ଆଧାର କାର୍ଡ ଦାଖଲ କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ନିୟମରେ ସଂଶୋଧନ କରାଯାଇଛି ଓ କେବଳ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା କିମ୍ବା ରୁପା ଗହଣା କିଣିଲେ, ଏଥିପାଇଁ ପାନ୍ କିମ୍ବା ଆଧାର କାର୍ଡ ଦାଖଲ କରିବାକୁ ପଡ଼ିବ ବୋଲି ଡିଓଆର୍ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ମୂଲ୍ୟବାନ ଧାତୁ ବା ରତ୍ନପଥର ବ୍ୟବସାୟ କରୁଥିବା ଡିଲରମାନଙ୍କୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଖରିଦାରୀ କରିବାରେ ହିଁ କେୱାଇସି ଦେବାକୁ ହେବ।
ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ ବୋଲି ଘୋଷଣା କରିଥିଲେ। ଏହି ଅନୁସାରେ, ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ନିଜର ସମ୍ପତ୍ତି ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ, ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସର୍ବମୋଟ ୧୩ କୋଟି ଟଙ୍କା ଜମା ରହିଥିବା ବେଳେ ସେ ମୋଟ ୬୫ କୋଟି ଟଙ୍କାର ମାଲିକ। ମୂଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) ୱେସାଇଟ୍ରେ ନବୀନଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ସ୍ଥାନ ପାଇଛି। ନବୀନଙ୍କ ନାମରେ ୭ଟି ବ୍ୟାଙ୍କରେ ସମୁଦାୟ ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା ରହିଥିବା ବେଳେ ସେଥି ମଧ୍ୟରୁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ଜମା ରହିଛି। ଆହୁରି ତାଙ୍କ ନାମରେ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କର ସୁନାଗହଣା ରହିଛି। ନବୀନଙ୍କ ପାଖରେ ଏବେ ବି ୧୯୮୦ ମଡେଲ୍ର ଏକ ଆମ୍ବାସାଡର କାର୍ ରହିଛି, ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ।
ନୂଆ କୃଷି ଆଇନ ବଳରେ ପ୍ରଥମ କରି ରିଲାଏନ୍ସ ଚାଷ କ୍ଷେତ୍ରରେ ପ୍ରବେଶ କରିଛି। ଏପିଏମସି ଆକ୍ଟ ବଳରେ ରିଲାଏନ୍ସ କର୍ଣ୍ଣାଟକ ରାଇଚୁର ଜିଲ୍ଲାର ସିନ୍ଧନୁର ତାଲୁକ ଅଞ୍ଚଳରୁ ୧ ହଜାର କ୍ବିଣ୍ଟାଲ ସୋନା ମସୁରୀ ଧାନ ସଂଗ୍ରହ କରିବା ପାଇଁ ଚୁକ୍ତି କରିଛି। ସ୍ବାସ୍ଥ୍ୟ ଫାର୍ମସ ପ୍ରଡ୍ୟୁସିଙ୍ଗ କମ୍ପାନୀ (ଏସଏଫପିସି) ସହ ରିଲାଏନ୍ସ ଏପରି ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତିରେ ୧୧ ଶହ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ କରିଥିବା ଚାଷୀ ରିଲାଏନ୍ସକୁ ଧାନର କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୫୦ ଟଙ୍କାରେ ବିକିବା ପାଇଁ ଚୁକ୍ତି କରିଛନ୍ତି। ସରକାର ଏମଏସପି ୧୮୬୮ ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ରିଲାଏନ୍ସ କ୍ବିଣ୍ଟାଲ ପିଛା ଅଧିକ ୮୨ ଟଙ୍କା ଦେବାକୁ ଚୁକ୍ତି କରିଛି।
ସରକାର ଦୁଇ ପ୍ରକାର କୋରୋନା ଟିକାର ଜରୁରୀ ବ୍ୟବହାର ନେଇ ଅନୁମତି ଦେବା ପରେ ସେନ୍ସେକ୍ସ ସୋମବାର ରେକର୍ଡ ୩୦୮ ପଏଣ୍ଟ ବୃଦ୍ଧି ଘଟିଛି। ଦିନର ଶେଷ ସୁଦ୍ଧା ବିଏସଇ ସେନ୍ସେକ୍ସ ୩୦୮ ବା ୦.୪୬ ପ୍ରତିଶତ ବଢ଼ି ରେକର୍ଡ ୪୮,୧୭୭ ପଏଣ୍ଟରେ ଶେଷ ହୋଇଛି। ସେହିପରି ଏନଏସଇ ନିଫ୍ଟି ୧୧୪ ପଏଣ୍ଟ ବା ୦.୮୨ ପ୍ରତିଶତ ବଢ଼ି ୧୪,୧୩୩ ପଏଣ୍ଟରେ ଶେଷ ହୋଇଛି। କେନ୍ଦ୍ର ସରକାର ଆଷ୍ଟ୍ରାଜେନେକା ଓ ଅକ୍ସୋଫୋର୍ଡ ୟୁନିର୍ଭସିଟି ପ୍ରସ୍ତୁତ କୋଭିଶିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀ ବ୍ୟବହାର ନେଇ ଅନୁମତି ଦେବା ପରେ ବିଏସଇ ସୂଚକାଙ୍କ ହଠାତ ବଢ଼ିଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ୍ ଅଏଲ୍ର ବୃହତ ଏମ୍ଇଜି(ମୋନୋ ଏଥିଲିନ୍ ଗ୍ଲାଇକୋଲ୍) ପ୍ଲାଣ୍ଟ୍ ପାଇଁ ପାରାଦୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ ଉପକରଣ (କ୍ରିଟିକାଲ୍ ଇକ୍ୟୁଇପ୍ମେଣ୍ଟ୍) ଯଥା ଏଥିଲିନ୍ ଅକ୍ସାଇଡ୍ ରିଆକ୍ଟର, ୱାଶୱାର୍ ଏବଂ ଡିଥାଇଲେନାଇଜର ପଠାଇବାର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ସାମଗ୍ରୀର ଯୋଗାଣ ସହିତ ପାରାଦୀପ ଏମଇଜି ପ୍ରକଳ୍ପ ଏହାର କାର୍ଯ୍ୟକ୍ଷମ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ତଥା ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡିକର ଆର୍ଥିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ସରକାର ଦେଶରେ ଏକକ ଟିକସ ବ୍ୟବସ୍ଥା ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ କରିଥିବା ବେଳେ ଗତ ଡିସେମ୍ବରରେ ଆଦାୟ ହୋଇଥିବା ରାଜସ୍ବ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ଗୁରୁବାର ଶେଷ ହୋଇଥିବା ୨୦୨୦ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବରରେ ସର୍ବମୋଟ ୧.୧୫ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି ବୋଲି ଶୁକ୍ରବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୦୧୯ ଡିସେମ୍ବରରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଗତ ଡିସେମ୍ବରରେ ୧୨ ପ୍ରତିଶତ ଅଧିକ ରାଜସ୍ବ ଆଦାୟ ହୋଇଛି। ସେହିପରି ଗତ ନଭେମ୍ବରରେ ଦେଶରେ ଜିଏସଟି ଆଦାୟ ହାର ପ୍ରଥମ ଥର ପାଇଁ ଲକ୍ଷେ କୋଟି ଅତିକ୍ରମ କରିଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଦାୟ ହୋଇଥିବା ଜିଏସଟି ସମ୍ପର୍କରେ ଆଲୋଚନା କଲେ ଦାଦ୍ରା ଓ ନଗରହାବେଳିରେ ସର୍ବାଧିକ ରାଜସ୍ବ ଆଦାୟ ହୋଇଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୦୧୯ ବର୍ଷ ତୁଳନାରେ ୨୦୨୦ ବର୍ଷରେ ୬୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି। ଗତ ୨୦୧୯ ଡିସେମ୍ବରରେ ଏହା ୧୫୪ କୋଟି ଟଙ୍କା ଥିବା ବେଳେ ଗତ ୨୦୨୦ ଡିସେମ୍ବରରେ ଏହା ୧୨୫୯ କୋଟି ଟଙ୍କାରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆର ଉପହାର ସ୍ବରୂପ ଆଜିଠାରୁ ଆହୁରି ସହଜ ହୋଇଛି ଗ୍ୟାସ୍ ବୁକିଂ ଓ ନୂଆ ସଂଯୋଗ। ଏଣିକି ମିସଡ୍ କଲ୍ କଲେ ଗ୍ୟାସ୍ ବୁକିଂ ସହ ନୂଆ ସଂଯୋଗ ମିଳିପାରିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ୍ ଅଏଲ୍ର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ୍ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ୍ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ୍ ଅଏଲ୍ର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସଡ୍ କଲ୍ ଦେଲେ ଘରେ ଗ୍ୟାସ୍ ପହଞ୍ଚିଯିବ ଓ ନୂଆ ଗ୍ୟାସ୍ ସଂଯୋଗ ପାଇଁ ପଞ୍ଜୀକରଣ ହୋଇପାରିବ ଧର୍ମେନ୍ଦ୍ର କହିଛନ୍ତି।
ନୂଆବର୍ଷରେ ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ କେନ୍ଦ୍ର ସରକାର ମହଙ୍ଗା ମାଡ଼ର ଝଟକା ଦେଇଛନ୍ତି। ଅବଶ୍ୟ ତୈଳ କମ୍ପାନୀ ଘରୋଇ ସିଲିଣ୍ଡରର ଦାମ ବଢ଼ାଇନାହାନ୍ତି। କିନ୍ତୁ ସେମାନେ କମର୍ସିଆଲ ଅର୍ଥାତ୍ ଅଣସବସିଡିଯୁକ୍ତ ଗ୍ୟାସର ଦର ବଢ଼ାଇଛନ୍ତି। ଇଣ୍ଡିଆନ୍ ଅଏଲ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜାନୁଆରୀ ୧ରୁ ୧୯ କିଲୋଗ୍ରାମ ଓଜନ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ଦାମ ୧୭ ଟଙ୍କା ଅଧିକ ହୋଇଛି। ଦାମ ବଢ଼ିବା ପରେ ଦିଲ୍ଲୀରେ ଏହି ଓଜନ ବର୍ଗର ଗ୍ୟାସ୍ ଦାମ୍ ସିଲିଣ୍ଡର୍ ପିଛା ୧ ହଜାର ୩୪୯ ଟଙ୍କାରେ ପହଞ୍ଚିଛି। ଏହି ଦର ପୂର୍ବରୁ ୧ ହଜାର ୩୩୨ ଟଙ୍କା ଥିଲା। ସେହିପରି କୋଲକାତାରେ ଏହି ସିଲିଣ୍ଡରର ଦାମ ୧ ହଜାର ୪୧୦ ଟଙ୍କା, ଚେନ୍ନାଇରେ ୧ ହଜାର ୪୬୩ ଟଙ୍କା ୫୦ ପଇସା ଏବଂ ମୁମ୍ୱାଇରେ ୧ ହଜାର ୨୯୭ ଟଙ୍କା ୫୦ ପଇସାରେ ପହଞ୍ଚିଛି।
କେନ୍ଦ୍ର ସରକାର ହାଇୱେ ଟୋଲପ୍ଲାଜାରେ ଲାଗୁ କରିଥିବା ଫାସଟାଗ ଡେଡଲାଇନକୁ ଦେଢ଼ମାସ ବଢ଼ାଇ ଦେଇଛନ୍ତି। ଡିସେମ୍ବର ୩୧କୁ ଥିବା ଡେଡଲାଇନକୁ ୨୦୨୧ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି। ଟୋଲପ୍ଲାଜାରେ ସବୁ ଟ୍ରାଞ୍ଜାକସନକୁ କ୍ୟାଶଲେସ କରିବା ପାଇଁ ଓ ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏହି ନିୟମ ୨୦୧୭ରୁ ଲାଗୁ କରିଥିଲେ ବି ଏହାକୁ ଆଜି ପର୍ଯ୍ୟନ୍ତି କଡ଼ାକଡ଼ି କରାଯାଇପାରି ନାହିଁ। କୋରୋନା ପାଇଁ ସରକାର ପୁଣି ଥରେ ଡେଡଲାଇନ ବଢ଼ାଇବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।
ବୁଧବାର ସରକାର ଆୟକର ରିଟର୍ଣ୍ଣ (ଆଇଟିଆର) ଅବଧି ବଢ଼ାଇଛନ୍ତି। ପୂର୍ବରୁ ସରକାର ୩ ଥର ଅବଧି ବଢ଼ାଇଥିଲେ ବି କୋରୋନା ପାଇଁ ପୁଣି ଥରେ ଏହାକୁ ବୁଧବାର ବଢ଼ାଇଛନ୍ତି। ୨୦୧୯-୨୦ ପାଇଁ ବ୍ୟକ୍ତିଗତ ଆଇଟିଆର ପୈଠ ଅବଧି ୧୦ ଦିନ ବଢ଼ାଇଛନ୍ତି। ଫଳରେ ଡିସେମ୍ବର ୩୧ ଡେଡଲାଇନକୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି କମ୍ପାନୀମାନଙ୍କ ପାଇଁ ମଧ୍ୟ ଆଇଟିଆର ପୈଠ ଅବଧିକୁ ଆଉ ୧୫ ଦିନ ବଢ଼ାଇଛନ୍ତି। ପୂର୍ବରୁ କମ୍ପାନୀମାନଙ୍କ ପାଇଁ ଡେଡଲାଇନ ୨୦୨୧ ଜାନୁଆରୀ ୩୧ ରହିଥିଲା ବେଳେ ଏବେ ତାହାକୁ ୨୦୨୧ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଆୟକର ମନ୍ତ୍ରାଳୟ ଜୁଲାଇ ୩୧ର ଡେଡଲାଇନକୁ ନଭେମ୍ବର ୩୦ ଓ ପରେ ଏହାକୁ ଡିସେମ୍ବର ୩୧କୁ ବଢ଼ାଯାଇଥିଲା।
ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର। ଏହାର କଳେବର ପରିବର୍ତ୍ତନ ପାଇଁ ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା। ପାରାଦୀପରୁ ପୂର୍ବ ଭାରତକୁ ମିଳିବ ବିକାଶର ପଥ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଦୀପକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପାରାଦୀପରେ ଓ୍ବେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା ସମ୍ପର୍କିତ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ। ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଭାରତ ସରକାର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି।
ଅଧିକ ଦେଖନ୍ତୁ