ଖେଳକୁଦ

ଆଜିଠୁ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ: କୋହଲି କହିଲେ ହକି ବଲ୍‌
ପ୍ରଥମ ଟେଷ୍ଟ୍‌ରେ ପାକିସ୍ତାନ ୨୪୦ରେ ଧରାଶାୟୀ

ଚଳିତ ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ୍‌ ସିରିଜ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ପାକିସ୍ତାନ ୨୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆର ୩ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ, ଜୋଶ୍‌ ହେଜଲ୍‌ଉଡ୍‌ ଓ ପ୍ୟାଟ୍‌ କମିନ୍ସ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ବେଶୀ ସମୟରେ ପିଚ୍‌ରେ ତିଷ୍ଠିବାର ସୁଯୋଗ ଦେଇ ନ ଥିଲେ। ଦୁଇ ଓପନର ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେବଳ ଅସଦ୍‌ ଶଫିକ୍‌ଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ବଡ଼ ସ୍କୋର୍‌ କରିବାରେ ବିଫଳ ରହିବାରୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆର ଦଳର ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଦଳ ୮୬.୨ ଓଭର୍‌ରେ ୨୪୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିବା ବେଳେ ଶଫିକ୍‌ ୭ ଚୌକା ସହ ସର୍ବାଧିକ ୭୬ ରନ୍‌ କରିଥିଲେ।

କୋହଲିଙ୍କ ନାଁରେ ସର୍ବାଧିକ ଇନିଂସ ବିଜୟ ରେକର୍ଡ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଶନିବାର ତାଙ୍କର ଚମତ୍କାର କ୍ୟାରିଅର୍‌ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ୍‌ର ସର୍ବଶ୍ରେଷ୍ଠ ସ୍ବରୂପ ଟେଷ୍ଟ୍‌ କ୍ରିକେଟ୍‌ରେ ସେ ଅଧିନାୟକ ଭାବେ ଦେଶ ପାଇଁ ସର୍ବାଧିକ ଇନିଂସ ବିଜୟ ହାସଲ କରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିଛନ୍ତି। ଶନିବାର ଏଠାରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ଏକ ଇନିଂସ ଓ ୧୩୦ ରନ୍‌ରେ ପରାସ୍ତ କରିବା ଫଳରେ କୋହଲି ସର୍ବାଧିକ ଇନିଂସ ବିଜୟର ରେକର୍ଡ ନିଜ ନାମରେ ଦରଜ କରିପାରିଛନ୍ତି। ଅର୍ଥାତ୍‌ ଇନିଂସ ବିଜୟ କ୍ଷେତ୍ରରେ ସେ ଭାରତର ସବୁଠାରୁ ସଫଳ ଅଧିନାୟକ ହୋଇପାରିଛନ୍ତି। ଅଧିନାୟକ ଭାବେ ସେ ଅଦ୍ୟାବଧି ଭାରତର ୧୦ଟି ଇନିଂସ ବିଜୟର ନେତୃତ୍ବ ନେଇ ବିଶ୍ବରେ ସପ୍ତମ ସ୍ଥାନରେ ରହିଛନ୍ତି। ଇନିଂସ ବିଜୟର ବିଶ୍ବରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ଙ୍କ ନାମରେ ରହିଛି, ଯିଏକି ଦେଶ ପକ୍ଷରୁ ୨୨ଟି ଇନିଂସ ବିଜୟ ମ୍ୟାଚ୍‌ରେ ନେତୃତ୍ବ ନେଇସାରିଛନ୍ତି।

ତିନି ଦିନରେ ସରିଲା ଇନ୍ଦୋର୍‌ ଟେଷ୍ଟ୍‌; ଭାରତର ଇନିଂସ ବିଜୟ

ଇନ୍ଦୋର୍‌ଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଭାରତ ବୃହତ୍‌ ଏକ ଇନିଂସ ଓ ୧୩୦ ରନ୍‌ରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୧୫୦ରେ ବାଂଲାଦେଶ ଅଲ୍‌ଆଉଟ୍‌ ହୋଇଯିବା ପରେ ଭାରତ ୬ ୱିକେଟ୍‌ ହରାଇ ୪୯୩ ରନ୍‌ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଇନିଂସ ଘୋଷଣା କରିଥିଲେ। ଏହାପରେ ବାଂଲାଦେଶ ଶନିବାର ତା’ର ଦ୍ବିତୀୟ ଇନିଂସ ଆରମ୍ଭ କରି ୨୧୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯିବା ଫଳରେ ମ୍ୟାଚ୍‌ଟି ତିନି ଦିନ ଭିତରେ ହିଁ ଶେଷ ହୋଇଯାଇଛି। ଭାରତୀୟ ଓପନର ମୟଙ୍କ ଅଗରୱାଲ୍‌ ୨୪୩ ରନ୍‌ର ବଳିଷ୍ଠ ଇନିଂସ ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିବାରୁ ତାଙ୍କୁ ପ୍ଲେୟର୍‌ ଅଫ୍ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ସିରିଜ୍‌ର ଦ୍ବିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ୍‌ ଆସନ୍ତା ୨୨ରୁ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସଠାରେ ଖେଳାଯିବ। ଏହି ମ୍ୟାଚ୍‌ଟି ଦିବାରାତ୍ର ବିଶିଷ୍ଟ ହେବାକୁ ଥିବା ବେଳେ ଉଭୟ ଦଳ ସେମାନଙ୍କର ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଖେଳିବେ।

ମୟଙ୍କଙ୍କ ଆଉ ଏକ ଦ୍ବିଶତକ, ଇନ୍ଦୋର୍‌ ଟେଷ୍ଟ୍‌ରେ ଭାରତର

ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଭାରତ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ନିଜର ସ୍ଥିତିକୁ ବେଶ୍‌ ମଜଭୁତ କରିପାରିଛି। ପ୍ରଥମ ଦିନରେ ଦଳର ବୋଲର୍‌ମାନେ ଭ୍ରମଣକାରୀ ବାଂଲାଦେଶକୁ ମାତ୍ର ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିବା ବେଳେ ଦ୍ବିତୀୟ ଦିନରେ ବ୍ୟାଟ୍ସମ୍ୟାନ୍‌ମାନେ ସେମାନଙ୍କ ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ଫଳରେ ଭାରତ ତା’ର ପ୍ରଥମ ଇନିଂସରେ ୬ ୱିକେଟ୍‌ ହରାଇ ୪୯୩ ରନ୍‌ କରିଛି। ଦଳକୁ ବଡ଼ ଅଗ୍ରଣୀ ଦେବାରେ ଓପନର ମୟଙ୍କ ଅଗରୱାଲ୍‌ଙ୍କର ପ୍ରମୁଖ ଭୂମିକା ରହିଛି। ଗତ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ପ୍ରଥମ ଦ୍ବିଶତକ ଅର୍ଜନ କରିଥିବା ମୟଙ୍କ ସାଥୀ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ସଅଳ ହରାଇଥିଲେ ମଧ୍ୟ ଶୁକ୍ରବାର ଦୃଢ଼ତାର ସହ ବ୍ୟାଟିଂ କରି ପୁଣି ଥରେ ଦ୍ବିଶତକ ଅର୍ଜନ କରିଛନ୍ତି। ସେ ୨୪୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଜିଙ୍କ୍ୟ ରାହାଣେ ୮୬ ଓ ଚେତେଶ୍ବର ପୂଜାରା ୬୦ ରନ୍‌ର ଯୋଗଦାନ ଦେଇଛନ୍ତି। ଏହାଛଡ଼ା ବାମହାତୀ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ଅପରାଜିତ ୬୦ ରନ୍‌ କରିଥିବା ବେଳେ ଶୁକ୍ରବାରର ଖେଳ ଶେଷ ସୁଦ୍ଧା ଭାରତ ୩୪୩ ରନ୍‌ରେ ଆଗୁଆ ରହିଛି ଓ ଦଳ ହାତରେ ଏବେ ବି ୪ଟି ପ୍ରଥମ ଇନିଂସ ୱିକେଟ୍‌ ବାକି ରହିଛି।

ଇଣ୍ଡିଜ୍‌ ବ୍ୟାଟିଂ ଫେଲ୍‌: ମହିଳା ଟି-୨୦ ସିରିଜ୍‌ ଜିତିଲା ଭାରତ

ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ଭାରତୀୟ ମହିଳା ଦଳ ଟି-୨୦ ସିରିଜ୍‌ରେ ବି ବିଜୟୀ ହୋଇଛି। ଶୁକ୍ରବାର ଭୋର୍‌ ସମୟରେ ଏଠାରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ବେଶ୍‌ ଶୃଙ୍ଖଳିତ ପ୍ରଦର୍ଶନ ଜରିଆରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌ ନିଜ ନାମରେ କରିନେଇଛନ୍ତି। ଭାରତୀୟ ସ୍ପିନର୍‌ଙ୍କ ଯାଦୁକରୀ ପ୍ରଦର୍ଶନ କାଏମ ରହିବା ଫଳରେ ଘରୋଇ ଇଣ୍ଡିଜ୍‌ ଦଳର ବ୍ୟାଟିଂ ଫେଲ୍‌ ମାରିଥିଲା ଓ ଦଳ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ମାତ୍ର ୫୯ ରନ୍‌ କରିଥିଲା। ଜବାବରେ ଭାରତ ମାତ୍ର ୩ଟି ୱିକେଟ୍‌ ହରାଇ ହାତରେ ୨୨ଟି ବଲ୍‌ ବାକି ଥିବା ବେଳେ ବିଜୟୀ ହୋଇଛି। ଅପରାଜିତ ୪୦ ରନ୍‌ କରିଥିବା ଭାରତର ମଧ୍ୟମକ୍ରମ ବ୍ୟାଟ୍ସଓମ୍ୟାନ୍‌ ଜେମିମା ରଡରିଗ୍ସ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ ଏଠାରେ ଖେଳାଯିବ।

ଭାରତର ଶାଣିତ ବୋଲିଂ: ପ୍ରଥମ ଟେଷ୍ଟ୍‌ରେ ବାଂଲାଦେଶ

ଇନ୍ଦୋର୍‌ଠାରେ ଗୁରୁବାରଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ଆରମ୍ଭ ହୋଇଛି। ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଭ୍ରମଣକାରୀ ଦଳ ମାତ୍ର ୧୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲର୍‌ମାନେ ଘରୋଇ ପରିବେଶର ଭରପୂର ଫାଇଦା ଉଠାଇ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳକୁ ବେଶ୍‌ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛନ୍ତି। ବାଂଲାଦେଶର ପ୍ରଥମ ଇନିଂସ ଶେଷ ହେବା ପରେ ଭାରତ ତା’ର ପ୍ରଥମ ଇନିଂସରେ ୨୬ ଓଭର୍‌ ଖେଳି ଓପନର୍‌ ରୋହିତ ଶର୍ମାଙ୍କ ମୂଲ୍ୟବାନ ୱିକେଟ୍‌ ହରାଇ ୮୬ ରନ୍ କରିଛି। ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍‌ ୩୨ ଓ ଚେତେଶ୍ବର ପୂଜାରା ୪୧ ରନ୍‌ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶମୀ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଚହର ଓ ଦୁବେଙ୍କ କମାଲ: ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ହରାଇ

ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ରବିବାର ୩ୟ ତଥା ଶେଷ ଟି-୨୦ରେ ଦୀପକ ଚହରଙ୍କ ଘାତକ ବୋଲିଂ ଓ ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ବଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି। ଭାରତ ଏହି ଶୃଙ୍ଖଳାକୁ ୨-୧ରେ ଜିତିଛି। ଭାରତ ଦେଇଥିବା ୧୭୫ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍‌ ହୋଇଯାଇଛି। ଏଥିସହ ଭାରତ ବିପକ୍ଷରେ ପ୍ରଥମ ଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି। ଦୀପକ ଚହର ମାତ୍ର ୭ ରନ୍‌ ଦେଇ ୬ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ ୩ଟି ୱିକେଟ ଦଖଲ କରି ଭାରତର ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦୀପକ ଚହର ପ୍ଲେୟର୍‌ ଅଫ୍ ଦ ମ୍ୟାଚ୍‌ ଓ ପ୍ଲେୟର୍‌ ଅଫ୍ ଦ ସିରିଜ୍‌ ବିବେଚିତ ହୋଇଛନ୍ତି।

ସଚିନ୍‌ଙ୍କୁ ଟପିଲେ ଶେଫାଲି: ଅନ୍ତର୍ଜାତୀୟ ଅର୍ଦ୍ଧଶତକରେ

ବର୍ତ୍ତମାନ ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟି-୨୦ରେ ଦଳ ଘରୋଇ ଇଣ୍ଡିଜ୍‌କୁ ୮୪ ରନ୍‌ରେ ପରାସ୍ତ କରି ବୃହତ୍‌ ବିଜୟ ହାସଲ କରିଛି। ଦଳର ଏହି ବିଜୟରେ ଓପନିଂ ବ୍ୟାଟ୍ସଓମ୍ୟାନ୍‌ ତଥା ଯୁବ ଖେଳାଳି ଶେଫାଲି ବର୍ମାଙ୍କ ଜବରଦସ୍ତ ୭୩ ରନ୍‌ର ଇନିଂସ ମୁଖ୍ୟ ଭୂମିକା ନିର୍ବାହ କରିଛି। ସେ ମାତ୍ର ୪୯ ବଲ୍‌ରେ ଟି-୨୦ କ୍ରିକେଟ୍‌ରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ କରିବା ସହ ଓପନିଂ ଯୋଡ଼ିରେ ସ୍ମୃତି ମନ୍ଧାନାଙ୍କ ସହ ରେକର୍ଡ ୧୪୩ ରନ୍‌ର ଭାଗିଦାରୀ ମଧ୍ୟ କରିଥିଲେ। ତେବେ ଏହି ଇନିଂସରେ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କୁ ବି ପଛରେ ପକାଇ ଦେଇଛନ୍ତି। ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ କରିବାରେ ଭାରତ ପକ୍ଷରୁ ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି।

ରୋହିତଙ୍କ ଛକା, ଚୌକାରେ ହଜିଗଲା ବାଂଲାଦେଶ: ସିରିଜ
ଶେଷ ଟି-୨୦ରେ ଶ୍ରୀଲଙ୍କା ପରାସ୍ତ: କ୍ଲିନ୍‌ସୁଇପ୍‌ କଲା

ଚଳିତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଘରୋଇ ଅଷ୍ଟ୍ରେଲିଆ। ଦଳ ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌କୁ ଜିତି ସିରିଜ୍‌ ହାତେଇସାରିଥିବା ବେଳେ ଶୁକ୍ରବାର ଏଠାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ୬ ୱିକେଟ୍‌ ହରାଇ ୧୪୨ ରନ୍ କରିଥିଲା। ଦଳ ପକ୍ଷରୁ କୁଶଲ ପରେରା ସର୍ବାଧିକ ୫୭ (୪୫ ବଲ୍‌, ୪ ଚୌକା, ୧ ଛକା) ରନ୍‌ କରିଥିବା ବେଳେ ପି. ରାଜପକ୍ଷ ୧୧ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ଅପରାଜିତ ୧୭ ରନ୍‌ କରିଥିଲେ। ଏହାଛଡ଼ା ଆବିଷ୍କା ଫର୍ଣ୍ଣାଣ୍ଡୋ ୨୦ ଓ ଓପନର କୁଶଲ ମେଣ୍ଡିସ୍‌ ୧୩ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ, କେନ୍‌ ରିଚାର୍ଡସନ୍‌ ଓ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଆଇସିସି ଟି-୨୦ ବିଶ୍ବକପ୍‌ ପାଇଁ ୧୬ ଦଳ ଚୂଡ଼ାନ୍ତ

ଆସନ୍ତା ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌ ପାଇଁ ପୂର୍ବରୁ ଆଇସିସି ରାଙ୍କିଙ୍ଗ୍‌ର ଶୀର୍ଷ ୧୦ ସ୍ଥାନରେ ଥିବା ଦଳଗୁଡ଼ିକ ଯୋଗ୍ୟତା ହାସଲ କରିସାରିଥିବା ବେଳେ ଗୁରୁବାର ସୁଦ୍ଧା ବାକି ୬ଟି ଦଳ ମଧ୍ୟ କ୍ବାଲିଫାୟର୍ସ ମାଧ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବା ସକାଶେ ଯୋଗ୍ୟତା ପାଇଛନ୍ତି। ସେହି ଦଳଗୁଡ଼ିକ ହେଲା ପପୁଆ ନ୍ୟୁ ଗିନି, ଆୟରଲାଣ୍ଡ୍‌, ନେଦରଲାଣ୍ଡ୍‌ସ, ନାମ୍ବିଆ, ସ୍କଟ୍‌ଲାଣ୍ଡ୍‌ ଓ ଓମାନ୍‌। ପୂର୍ବରୁ ୫ଟି ଟିମ୍‌ ଯୋଗ୍ୟତା ପାଇଥିବା ବେଳେ ଶେଷ ଦଳ ଭାବେ ବୁଧବାର ହଂକଂକୁ ୧୨ ରନ୍‌ରେ ହରାଇ ଓମାନ୍‌ ବିଶ୍ବକପ୍‌ ଖେଳିବା ପାଇଁ ଯୋଗ୍ୟତା ପାଇଛି। ଏଥିସହ ଦଳ ଲଗାତର ଦ୍ବିତୀୟ ଥର ପାଇଁ ଟି-୨୦ ବିଶ୍ବକପ୍‌ରେ ସାମିଲ୍‌ ହୋଇପାରିଛି। ଉକ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓମାନ୍‌ ଓପନର ଯତୀନ୍ଦର ସିଂହଙ୍କ ୬୭ ରନ୍‌ ସହାୟତାରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା। ଜବାବରେ ହଂକଂ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ଏସ୍‌ଏସ୍‌ ମ୍ୟାକ୍‌କେଞ୍ଜିଙ୍କ ୪୪ ରନ୍‌ର ଇନିଂସ ସତ୍ତ୍ବେ ୯ ୱିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ