ଚଳିତ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜର ଦ୍ୱିତୀୟ ମ୍ୟାଚଟି ଏଠାକାର ଏମ୍ଏ ଷ୍ଟାଡିୟମଠାରେ ଚାଲିଥିବା ବେଳେ ଏଥିରେ ଘରୋଇ ଦଳ ତା’ର ସ୍ଥିତିକୁ ବେଶ ସୁଦୃଢ଼ କରିପାରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳ ୨୪୯ ରନ୍ରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରିବା ପରେ ଇଂଲିଶ୍ ଟିମକୁ ମାତ୍ର ୧୩୪ ରନ୍ ମଧ୍ୟରେ ଅଲଆଉଟ୍ କରିଦେଇଥିଲା। ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚମତ୍କାର ବୋଲିଂ କରି ୫ଟି ଓ୍ୱିକେଟ୍ ନେଇଥିଲେ। ଜବାବରେ ଭାରତ ରବିବାର ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ଖେଳ ଶେଷ ବେଳକୁ ୫୪ ରନରେ ଗୋଟିଏ ଓ୍ୱିକେଟ୍ ହରାଇଛି। ପିଚରେ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଯଥାକ୍ରମେ ୨୫ ଓ ୭ ରନ୍ କରି ଅପରାଜିତ ଅଛନ୍ତି।
ଚଳିତ ଚେନ୍ନାଇ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୫୭୮ ରନ୍ କରିଥିବା ବେଳେ ୩ୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୨୫୭ ରନ୍ କରିଛି। ଦଳର ସମସ୍ତ ସ୍ପେଶାଲିଷ୍ଟ୍ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିଅନ୍ ଫେରିସାରିଥିବାରୁ ଭାରତ ଫଲୋଅନ୍ ଆଶଙ୍କା ମଧ୍ୟ ଦେଇ ଗତି କରୁଛି। ଏବେ ବି ଫଲୋଅନ୍ ଏଡ଼ାଇବାକୁ ଭାରତ ଆହୁରି ୧୨୧ ରନ୍ ଆବଶ୍ୟକ କରୁଥିବା ବେଳେ ହାତରେ କେବଳ ୪ଟି ୱିକେଟ୍ ବାକି ରହିଛି। ଇଂଲିଶ୍ ସ୍ପିନର୍ ଡୋମିନିକ୍ ବେସ୍ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ଫଳରେ ଘରୋଇ ଦଳର ସ୍ଥିତି ଖରାପ ହୋଇଛି। ଅବଶ୍ୟ ଚେତେଶ୍ବର ପୂଜାରା ଓ ଋଷଭ ପନ୍ତ୍ ଅର୍ଦ୍ଧଶତକୀୟ ଇନିଂସ ସହ ଭାରତର ସ୍ଥିତିକୁ ସାମାନ୍ୟ ସୁଧାରିବାରେ ସକ୍ଷମ ହୋଇଛନ୍ତି। ମାତ୍ର ୭୩ ରନରେ ୪ ଜଣ ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିବା ଭାରତ ପାଇଁ ପୂଜାରା ୭୩ ଓ ପନ୍ତ୍ ୯୧ ରନ୍ କରିଛନ୍ତି। ସେହିପରି ଇଂଲଣ୍ଡ ପକ୍ଷରୁ ଅନ୍ୟ ଦୁଇଟି ୱିକେଟ୍ ପେସର୍ ଜୋଫ୍ରା ଆର୍ଚର ନେଇଛନ୍ତି। ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩୨୧ ରନରେ ଆଗୁଆ ଥିବା ବେଳେ ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ୩୩ ଓ ରବିଚନ୍ଦ୍ରନ୍ ଅଶ୍ବିନ୍ ୮ ରନ୍ କରି ଅପରାଜିତ ଅଛନ୍ତି।
ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍ ବିଜୟ ସହ ଆରମ୍ଭ କରିଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍। ୩୯୫ ରନର ବିଜୟ ଲକ୍ଷ୍ୟ ପାଇଥିବା ଇଣ୍ଡିଜ୍ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୧୦ ରନ୍ କରିଥିବାରୁ ଶେଷ ଦିନରେ ଅବଶିଷ୍ଟ ୨୮୫ ରନ ସଂଗ୍ରହ କରିବା ଦଳ ପାଇଁ କଷ୍ଟକର ହେବ ବୋଲି କ୍ରିକେଟପ୍ରେମୀ ଅନୁମାନ କରୁଥିଲେ। କିନ୍ତୁ ଡେବ୍ୟୁଟାଣ୍ଟ୍ କାଇଲ୍ ମାୟେର୍ସ ଏକ ଅବିଶ୍ବସନୀୟ ଇନିଂସ ଖେଳିବା ଫଳରେ ଇଣ୍ଡିଜ୍ ୭ ୱିକେଟ୍ ହରାଇ ୩୯୫ ରନ୍ କରି ସିରିଜରେ ୧-୦ରେ ଆଗୁଆ ରହିଛି। ମାୟେର୍ସ ୩୧୦ଟି ବଲ ଖେଳି ୨୦ଟି ଚୌକା ଓ ୭ଟି ଛକା ସହ ୨୧୦ ରନ୍ କରି ଅପରାଜିତ ରହିଥିବା ବେଳେ ଏନକ୍ରୁମାହ ବୋନର୍ ମଧ୍ୟ ୧୦ଟି ଚୌକା ଓ ଗୋଟିଏ ଛକା ଜରିଆରେ ୮୬ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଡେବ୍ୟୁ ଟେଷ୍ଟରେ ଦ୍ବିଶତକୀୟ ଇନିଂସ ଖେଳିଥିବା ମାୟେର୍ସ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ପ୍ରଥମ ଇନିଂସରେ ବାଂଲାଦେଶ ମେହିଦି ହସନ୍ଙ୍କ ୧୦୩ ରନ୍ ସହାୟତାରେ ୪୩୦ ରନ୍ କରିଥିବା ବେଳେ ଜବାରେ ଇଣ୍ଡିଜ୍ ୨୫୯ ରନ୍ କରିଥିଲା। ପ୍ରଥମ ଇନିଂସ ଭିତ୍ତିରେ ୧୭୧ ରନରେ ଆଗୁଆ ଥିବା ବାଂଲାଦେଶ ଦ୍ବିତୀୟ ଇନିଂସରେ ୮ ୱିକେଟ୍ ହରାଇ ୨୨୩ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ତେଣୁ ଇଣ୍ଡିଜ୍ ସମ୍ମୁଖରେ ୩୯୫ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ଫେବ୍ରୁଆରୀ ୧୧ରୁ ଢାକାସ୍ଥିତ ଶେର୍-ଏ-ବାଂଲା ଷ୍ଟାଡିୟମଠାରେ ଆରମ୍ଭ ହେବ।
ଚଳିତ ଭାରତ ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ୫୭୮ ରନରେ ଅଲ୍ଆଉଟ୍ ହୋଇଛି। ୩ୟ ଦିନ ଖେଳର ପ୍ରଥମ ସେସନରେ ଦଳ ତା’ର ଅବଶିଷ୍ଟ ୨ଟି ୱିକେଟ୍ ହରାଇଥିଲା। ଜବାବରେ ଭାରତ ତା’ର ପ୍ରଥମ ଇନିଂସରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଇଂଲଣ୍ଡ ପେସର୍ ଜୋଫ୍ରା ଆର୍ଚର୍ ଓ ସ୍ପିନର୍ ଡୋମିନିକ୍ ବେସ୍ ଦୁଇଟି ଲେଖାଏଁ ୱିକେଟ୍ ନେବା ଫଳରେ ଭାରତକୁ ପ୍ରାରମ୍ଭିକ ଝଟ୍କା ଲାଗିଛି। ଭାରତ ଦୁଇ ଓପନର ଶୁବମାନ ଗିଲ୍ ଓ ରୋହିତ ଶର୍ମାଙ୍କ ସହ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ହରାଇଛି। ଭାରତ ପକ୍ଷରୁ ଗିଲ୍ ଓ ରୋହିତ ୧୯ ରନ୍ ଯୋଡ଼ିବା ପରେ ଅଭିଜ୍ଞ ଓପନର ରୋହିତ ମାତ୍ର ୬ ରନ୍ କରି ବିଦାୟ ନେଇଥିଲେ। ସେ ଆର୍ଚରଙ୍କ ବାଉନ୍ସର୍ ବଲରେ ପରାସ୍ତ ହୋଇ ସିଧାସଳଖ ୱିକେଟକିପର୍ ଜୋସ ବଟଲରଙ୍କ ହାତକୁ କ୍ୟାଚ୍ ଦେଇଥିଲେ। ଗତ ଅଷ୍ଟ୍ରେଲିଆ ଟୁରରେ ପ୍ରଭାବିତ କରିଥିବା ଗିଲ୍ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ମିଡ୍ଅନ୍ ଅଞ୍ଚଳରେ ଜେମ୍ସ ଆଣ୍ଡରସନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ସେତେବେଳକୁ ସେ ୫ ଚୌକା ସହ ୨୯ ରନ୍ କରିଥିଲେ।
ଭାରତ ବିପକ୍ଷ ଚଳିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଦ୍ବିଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ରୁଟ ପ୍ରଥମ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟ ଇତିହାସରେ ୧୦୦ତମ ଟେଷ୍ଟରେ ଦ୍ବିଶତକ କରିବାର ବିରଳ ରେକର୍ଡ କରିଛନ୍ତି। ଏହାବାଦ ସେ ୧୦୦ତମ ଟେଷ୍ଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ- ହକଙ୍କ ନାଁରେ ସର୍ବାଧିକ ସ୍କୋରର ରେକର୍ଡକୁ ମଧ୍ୟ ପାର କରିଛନ୍ତି। ୨୦୦୫ରେ ଇଞ୍ଜମାମ ବେଙ୍ଗାଳୁରୁ ଟେଷ୍ଟରେ ତାଙ୍କ ୧୦୦ତମ ମ୍ୟାଚରେ ଭାରତ ବିପକ୍ଷରେ କରିଥିବା ୧୮୪ରନର ରେକର୍ଡକୁ ରୁଟ ୧୬ ବର୍ଷ ପରେ ପାର କରି ଏହି କୀର୍ତ୍ତିମାନ କରିଛନ୍ତି।
ଚେନ୍ନାଇଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚର ଦ୍ବିତୀୟ ଦିନରେ ଭ୍ରମଣକାରୀ ଦଳ ୮ ୱିକେଟ୍ ହରାଇ ୫୫୫ ରନ୍ କରିଛି। ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ତଥା ଇଂଲିଶ୍ ଦଳର ଅଧିନାୟକ ଜୋ ରୁଟ୍ ଶନିବାର ଟେଷ୍ଟ୍ କ୍ୟାରିୟରରେ ପଞ୍ଚମ ଦ୍ବିଶତକୀୟ ଇନିଂସ ଖେଳିବା ଫଳରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ବେଶ୍ ବଡ଼ ସ୍କୋର୍ କରିପାରିଛି। ୧୨୮ ରନ୍ କରି ଅପରାଜିତ ଥିବା ରୁଟ୍ ଦ୍ବିତୀୟ ଦିନରେ ଆଉ ୯୦ ରନ୍ ଯୋଡ଼ିଥିଲେ। ସେ ବ୍ୟକ୍ତିଗତ ଭାବେ ୨୧୮ ରନ୍ କରି ଆଉଟ୍ ହେବା ପୂର୍ବରୁ ୧୯ଟି ଚୌକା ଓ ୨ଟି ଛକା ଲଗାଇସାରିଥିଲେ। ଏହାଛଡ଼ା କ୍ରମାଗତ ତିନିଟି ମ୍ୟାଚରେ ୧୫୦ରୁ ଊର୍ଦ୍ଧ୍ବ ରନ୍ କରି ପ୍ରଥମ ଇନିଂସ ଅଧିନାୟକ ହେବା ସହ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ସାର୍ ଡନ୍ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇଥିଲେ। ତାଙ୍କ ବ୍ୟତୀତ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ୮୨ ରନର ମଜଭୁତ ଇନିଂସ ଖେଳିଥିଲେ। ତେବେ ଶନିବାର ଖେଳର ଶେଷ ସେସନରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ ପୂର୍ବକ ଇଂଲଣ୍ଡର ୪ଟି ୱିକେଟ୍ ନେଇ ସାମାନ୍ୟ ଆତ୍ମସନ୍ତୁଷ୍ଟି ଲାଭ କରିଛନ୍ତି। ଭାରତର ୪ ଜଣ ବୋଲର ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।
ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବୋଲରମାନେ ନିରାଶ କରିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ଏହି ଧାରା ଜାରି ରହିଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମ ଦିନରେ ୧୨୮ ରନ୍ କରି ଅପରାଜିତ ଥିବା ବେଳେ ଦ୍ବିତୀୟ ଦିନରେ ସେ ତାଙ୍କର ଦୃଢ଼ ବ୍ୟାଟିଂ ଜାରି ରଖି ଦ୍ବିଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଦେଢ଼ ଶହ ରନ୍ ପୂରଣ କରିବା ପରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ସମକକ୍ଷ ମଧ୍ୟ ହୋଇଛନ୍ତି। ତାଙ୍କ ସହ ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଯୋଗ ଦେଇଥିବା ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିବା ଫଳରେ ଭାରତୀୟ ବୋଲରଙ୍କ ପୀଡ଼ା ବଢ଼ିଯାଇଥିଲା। ପ୍ରଥମ ଦିନରେ ଡୋମିନିକ୍ ସିବଲିଙ୍କ ସହ ୨ ଶହ ରନର ଭାଗିଦାରୀ କରିଥିବା ରୁଟ୍ ଚତୁର୍ଥ ୱିକେଟରେ ଷ୍ଟୋକ୍ସଙ୍କ ସହ ୧୨୪ ରନ୍ ଯୋଡ଼ିଥିଲେ। ଷ୍ଟୋକ୍ସ ୧୦ଟି ଚୌକା ଓ ୩ଟି ଛକା ସହ ୮୨ ରନ୍ କରିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଧିନାୟକ ରୁଟ୍ ୧୯ଟି ଚୌକା ଓ ଗୋଟିଏ ଛକା ସହ ୨୦୬ ରନ୍ କରି ଅପରାଜିତ ଅଛନ୍ତି। ତାଙ୍କ ସହ ଓଲି ପୋପ୍ ୨୩ ରନ୍ କରି ଅପରାଜିତ ଥିବାବେଳେ ଇଂଲଣ୍ଡ ୪ ୱିକେଟ୍ ହରାଇ ୪୪୯ ରନ୍ କରିଛି। ଭାରତ ପକ୍ଷରୁ ଦ୍ବିତୀୟ ଦିନରେ ପଡ଼ିଥିବା ଏକମାତ୍ର ୱିକେଟଟି ଶାହବାଜ୍ ନଦୀମ୍ ନେଇଛନ୍ତି।
ଶୁକ୍ରବାରଠାରୁ ସ୍ଥାନୀୟ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଏଥିସହ କୋଭିଡ୍ ସଂକ୍ରମଣ କାରଣରୁ ପାଖାପାଖି ୧୦ ମାସ ପରେ ଭାରତ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇ ପ୍ରଥମ ଦିନରେ ନିଜର ସ୍ଥିତିକୁ ବେଶ୍ ସୁଦୃଢ଼ କରିପାରିଛି। ଅଧିନାୟକ ଜୋ ରୁଟ୍ ତାଙ୍କର ଉତ୍ତମ ଫର୍ମ ଜାରି ରଖି ଶହେତମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଛନ୍ତି। ଏହାଛଡ଼ା ଓପନର ଡୋମିନିକ୍ ସିବଲି ମଧ୍ୟ ୮୭ ରନ୍ କରି ତାଙ୍କୁ ଉପଯୁକ୍ତ ସହାୟତା ଦେଇଛନ୍ତି। ପ୍ରଥମ ଦିନ ଖେଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ରୁଟ୍ ୧୨୮ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଜସ୍ପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି।
ଶୁକ୍ରବାରଠାରୁ ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଓ ଇଂଲଣ୍ଡ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଅବତୀର୍ଣ୍ଣ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଆହତ ସମସ୍ୟା ଭାବେ ପ୍ରଥମ ଝଟକା ଲାଗିଛି। ମ୍ୟାଚ୍ ଆରମ୍ଭର ଦିନକ ପୂର୍ବରୁ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରଲି ଆହତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଥିଲେ। ମ୍ୟାଚ୍ ଆରମ୍ଭର କେଇ ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଅଲରାଉଣ୍ଡର୍ ଅକ୍ଷର ପଟେଲ୍ ଆହତ ହୋଇଛନ୍ତି। ଆହତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ୍ କରାଯିବା ସକାଶେ ନିଷ୍ପତ୍ତି ହୋଇଥିଲେ ହେଁ ତାଙ୍କ ଆଣ୍ଠୁରେ ଆଘାତ କାରଣରୁ ଏହି ବାମହାତୀ ଅଫସ୍ପିନର୍ ଓ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡ ସ୍ପିନର୍ ଶାହବାଜ୍ ନଦୀମ୍ ସ୍ଥାନ ପାଇଛନ୍ତି। ନଦୀମ୍ ଓ ରାହୁଲ୍ ଚହର୍ ଟିମ୍ ସହ ଷ୍ଟାଣ୍ଡବାଇ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ ଅକ୍ଷରଙ୍କ ସ୍ଥାନରେ ଶାହବାଜ୍ ପାଖାପାଖି ଦେଢ଼ ବର୍ଷ ପରେ ଟିମକୁ ଫେରିଛନ୍ତି। ଗତ ୨୦୧୯ ଅକ୍ଟୋବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ଘରୋଇ ଗ୍ରାଉଣ୍ଡରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟସ୍ ଜିତି ଭ୍ରମଣକାରୀ ଇଂଲଣ୍ଡ ଟିମ୍ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ରିପୋର୍ଟ ଲେଖାଯିବା ସୁଦ୍ଧା ୫୨ ଓଭର୍ ଖେଳି ୨ଟି ୱିକେଟ୍ ହରାଇ ୧୨୫ ରନ୍ କରିଛି। ସିବଲି ୫୧ ଓ ଅଧିନାୟକ ରୁଟ୍ ୩୪ ରନ୍ କରି ଅପରାଜିତ ଅଛନ୍ତି।
ଅଷ୍ଟ୍ରେଲିଆ ମହିଳା ଦଳର ପୂର୍ବତନ ଅଧିନାୟିକା ଲିସା ସ୍ଥାଲେକର ଶୁକ୍ରବାର ଅଷ୍ଟ୍ରେଲିଆନ୍ କ୍ରିକେଟ୍ ହଲ୍ ଅଫ୍ ଫେମରେ ସାମିଲ୍ ହୋଇଛନ୍ତି। ମହିଳା କ୍ରିକେଟରେ ଜଣେ ପ୍ରମୁଖ ଅଲରାଉଣ୍ଡର୍ ଭାବେ ପରିଚିତ ଲିସା ତାଙ୍କ କ୍ୟାରିୟରରେ ୮ଟି ଟେଷ୍ଟ୍ ସହ ୧୨୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୪୧୬ ଟେଷ୍ଟ୍ ରନ୍ ଓ ୨ ହଜାର ୭୨୮ ଦିନିକିଆ ରନ୍ କରିଛନ୍ତି। ଏହାଛଡ଼ା ସେ ୫୪ଟି ଟି-୨୦ ମ୍ୟାଚ୍ ଖେଳି ୭୬୯ ରନ୍ ସଂଗ୍ରହ କରିପାରିଛନ୍ତି। ସେହିପରି ଜଣେ ଅଫସ୍ପିନର୍ ଭାବେ ଲିସା ଅନ୍ତର୍ଜାତୀୟ କ୍ରିକେଟରେ ୨ ଶହରୁ ଊର୍ଦ୍ଧ୍ବ ୱିକେଟ୍ ମଧ୍ୟ ନେଇପାରିଛନ୍ତି। ୨୦୦୧ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଲିସା ଦୁଇ ଦୁଇ ଥର ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟରେ ବିଶ୍ବକପ୍ ବିଜୟୀ ଅଷ୍ଟ୍ରେଲିଆ ଟିମର ସଦସ୍ୟା ଥିଲେ। ପ୍ରଥମେ ୨୦୦୪-୦୫ରେ ଓ ପରେ ୨୦୧୨-୧୩ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଥିଲା। ସେହିପରି ୨୦୧୦ ଓ ୨୦୧୨ରେ ଅନୁଷ୍ଠିତ ଟି-୨୦ ବିଶ୍ବକପରେ ମଧ୍ୟ ତାଙ୍କ ଦଳ ଚାମ୍ପିଅନ୍ ହୋଇଥିଲା। ୨୦୧୨-୧୩ରେ ବିଶ୍ବକପ୍ ବିଜୟ ପରେ ପରେ ଲିସା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ମଧ୍ୟ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ୩ଟି ମ୍ୟାଚରେ ଅଧିନାୟିକା ଦାୟିତ୍ବ ତୁଲାଇଥିଲେ। ଲିସା ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ହଜାରେ ରନ୍ ଓ ଶହେ ୱିକେଟର ସଫଳତା ପାଇଥିଲେ। ତା’ଛଡ଼ା କେବଳ ୫ ଜଣ ମହିଳା କ୍ରିକେଟର୍ ୨ ହଜାର ରନ୍ ସହ ୧୦୦ ୱିକେଟ୍ ନେଇଥିବା ବେଳେ ଲିସା ମଧ୍ୟ ତାଙ୍କ ଭିତରେ ଅନ୍ତର୍ଭୁକ୍ତ।
ଗତ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଭାରତୀୟ କ୍ରିକେଟ୍ ପ୍ରେମୀମାନେ ଟିମ୍ ଇଣ୍ଡିଆକୁ ଆକ୍ସନରେ ଦେଖିବାକୁ ଅନାଇ ବସିଥିଲେ ମଧ୍ୟ ଧର୍ମଶାଳା ଷ୍ଟାଡିୟମରେ ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ବାତିଲ୍ ହୋଇଥିଲା। ଏହାପରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବା ପୂର୍ବରୁ କୋରୋନା ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାକୁ ବିନା ମ୍ୟାଚରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା। ଏହାପରେ ଯଦିଓ ବିଶ୍ବର ଅନ୍ୟାନ୍ୟ ଦେଶରେ ଇତିମଧ୍ୟରେ କ୍ରିକେଟ୍ ପଡ଼ିଆକୁ ଫେରିପାରିଛି, କିନ୍ତୁ ଭାରତରେ ଶୁକ୍ରବାରଠାରୁ ପ୍ରଥମ ଥର ପାଇଁ କ୍ରିକେଟ୍ ପ୍ରେମୀମାନେ ଟିମ୍ ଇଣ୍ଡିଆକୁ ନିଜ ମାଟିରେ ଖେଳୁଥିବାର ଦେଖିବାକୁ ପାଇବେ। ସମ୍ପ୍ରତି ଭାରତ ଗସ୍ତରେ ଥିବା ଇଂଲଣ୍ଡ ବିପକ୍ଷ ପୂର୍ଣ୍ଣ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଟେଷ୍ଟ୍ ସିରିଜ୍ ସହ ଏହି ଗସ୍ତ ଆରମ୍ଭ କରୁଥିବା ଇଂଲଣ୍ଡ ଶୁକ୍ରବାର ଏଠାକାର ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତକୁ ଭେଟିବ। ଏଥିସହ ଭାରତରେ ୩୩୦ ଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହି ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜରେ ଭାରତ ଓ ଇଂଲଣ୍ଡ ମଧ୍ୟରୁ କେଉଁ ଟିମ୍ ଆସନ୍ତା ଜୁନରେ ଲର୍ଡ୍ସଠାରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ଭେଟିବ, ତାହା ସ୍ଥିର ହେବ।
ଶୁକ୍ରବାର ଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିଲା ବେଳେ ଟିମ ଇଣ୍ଡିଆ ମିଟିଂରେ ଦେଶର ଚାଷୀ ଆନ୍ଦୋଳନ କଥା ଉଠିଛି। ମାତ୍ର ଟିମ୍ ବୈଠକରେ ଏନେଇ କ’ଣ ଆଲୋଚନା ହୋଇଛି, ତାହା ପ୍ରକାଶ କରିବା ପାଇଁ ଅଧିନାୟକ କୋହଲି ମନା କରିଛନ୍ତି। ହେଲେ ଟିମ ବୈଠକରେ ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଆୟୋଜିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ଦୁଇମାସ ହେଲା ଚାଷୀମାନେ ଆନ୍ଦୋଳନ କରୁଥିବାରୁ ଦଳର ଖେଳାଳିମାନେ ଉଦବେଗ ପ୍ରକାଶ କରିଥିବା କଥା ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବୁଧବାର ଯେଉଁ କେତେକ ସେଲିବ୍ରିଟି ଓ ଖେଳାଳି ସୋସାଲ ମିଡିଆ ଜରିଆରେ ଚାଷୀ ପ୍ରସଙ୍ଗକୁ ନେଇ ଟ୍ବିଟ କରିଥିଲେ ସେମାନଙ୍କ ଭିତରେ ଅଧିନାୟକ କୋହଲି ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନାଁ ରହିଥିଲା।
ରାଜସ୍ଥାନ ରୟାଲ୍ସର ବାମହାତୀ ପେସର୍ ତଥା ଟିମ୍ ଇଣ୍ଡିଆ ପକ୍ଷରୁ ସୀମିତ ଓଭର୍ କ୍ରିକେଟ୍ ଖେଳିଥିବା ଜୟଦେବ ଉନାଦକତ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ ଫେବ୍ରୁଆରୀ ୨ ତାରିଖରେ ସେ ରିନିଙ୍କୁ ବିବାହ କରିଥିବା ନେଇ ଗତ ବୁଧବାର ସୋସାଲ୍ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଜୟଦେବଙ୍କର ନିର୍ବନ୍ଧ ହୋଇଥିଲା। ଏହାପରେ ମଙ୍ଗଳବାର ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ତାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଜୟଦେବ ନିଜର ବିବାହ ସମ୍ପର୍କରେ ସୂଚନା ଦେବା ସହ ସୋସାଲ୍ ମିଡିଆରେ ବିବାହ ପରବର୍ତ୍ତୀ ସମୟର ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ସେ ଉକ୍ତ ଫଟୋରେ କ୍ୟାପସନ୍ ଭାବେ ଲେଖିଛନ୍ତି ଯେ ଆମ ବିବାହ ବିଷୟରେ ସମସ୍ତଙ୍କୁ ଜଣାଇ ଆମେ ବେଶ୍ ଖୁସି। ଆପଣମାନେ ଆମକୁ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ କୃତଜ୍ଞ। ଆମର ନୂଆ ଯାତ୍ରା ପାଇଁ ଆମେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ। ଜୟଦେବ ଏହି ଟ୍ୱିଟ୍ କରିବା ପରେ ତାଙ୍କ ପାଖକୁ ସୋଶାଲ୍ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଥିଲା।
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଟିମ୍ ଇଣ୍ଡିଆକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ଟେଷ୍ଟ ସିରିଜରେ ପରାଜିତ କରିବା ପରେ ୱିଲିୟମସନ୍ ଏହାକୁ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ବୋଲି ଦର୍ଶାଇଛନ୍ତି।
ଭାରତ-ଇଂଲଣ୍ଡ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୫ରୁ ୯ ପର୍ଯ୍ୟନ୍ତ ପ୍ରଥମ ଓ ୧୩ରୁ ୧୭ ପର୍ଯ୍ୟନ୍ତ ଦ୍ବିତୀୟ ଟେଷ୍ଟ ଚେନ୍ନାଇର ଚେପକ ଷ୍ଟାଡିଅମରେ ଖେଳାଯିବ। ୫ ତାରିଖରୁ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ କିଏ ସାମିଲ ହେବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିରାଟ କୋହଲି ଅଧିନାୟକ ପଦକୁ ଫେରିବା ପରେ ଅଷ୍ଟ୍ରେଲିଆ ଗସ୍ତରେ ସଫଳତା ପାଇଥିବା ଜଣେ ବ୍ୟାଟ୍ସମ୍ୟାନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ପଡ଼ିବ। କାରଣ ଯେଉଁ ନମ୍ବର-୪ରେ ଅଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆରେ ଦଳର ନେତୃତ୍ବ ନେଇ ବ୍ୟାଟିଂ କରୁଥିଲେ, ସେହି ସ୍ଥାନ ପୁଣି ଥରେ କୋହଲିଙ୍କ ପାଖକୁ ଫେରିଯିବ। ଏହିପରି ସ୍ଥିତିରେ ଉପଅଧିନାୟକ ରାହାଣେ ପୁଣି ଥରେ ତାଙ୍କ ନିୟମିତ ୫ମ ସ୍ଥାନକୁ ଫେରିବେ। ଭାରତ ୫ ଜଣ ବୋଲରଙ୍କୁ ନେଇ ମ୍ୟାଚ ଖେଳିବାକୁ ଥିବାରୁ ନମ୍ବର ୬ରେ ୱିକେଟ କିପର ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ। ଏହାବାଦ ବ୍ୟାଟିଂ ସ୍ଲଗ ଅନୁସାରେ ଚେତେଶ୍ବର ପୂଜାରା ତାଙ୍କ ନିୟମିତ ନମ୍ବର ୩ରେ ବ୍ୟାଟିଂ କରିବେ। ରୋହିତ ଶର୍ମା ଓ ଶୁବମନ ଗିଲ ଇନିଂସ ଓପନ କରିବେ।
ଅଧିକ ଦେଖନ୍ତୁ