ବାଦ ବିବାଦ

ଭୁଶୁଡ଼ିଲା ବିମାନବନ୍ଦରରେ ନିର୍ମାଣାଧୀନ କୋଠାର ଛାତ: ଶ୍ରମିକ

ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ଯୋଡ଼ିବା ଲାଗି ଏକ ଛାତର ନିର୍ମାଣ କାମ ଚାଲିଥିବାବେଳେ ଏହା ଅଚାନକ ଭୁଶୁଡ଼ି ପଡ଼ିଛି। ଫଳରେ ଏହି ଛାତ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ହେଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିର ହେଲପର୍ ଭାବେ ସେ କାମ କରୁଥିଲେ। କଂକ୍ରିଟ୍ ଅତଡ଼ା ଭିତରୁ ଗୁରୁତର ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଆହତ ଵ୍ୟକ୍ତି ଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ନବ କିଶୋର ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଝାଡ଼ଖଣ୍ଡରେ ସିଏଏ ସପକ୍ଷ ରାଲିରେ ହିଂସାକାଣ୍ଡ: କର୍ଫ୍ୟୁ ଜାରି

ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ପରେ ଏହା ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ରାଲିମାନ ଆୟୋଜନ କରାଯାଉଛି। ତେବେ ଗୁରୁବାର ଝାଡ଼ଖଣ୍ଡର ଲୋହାରଡାଗାଠାରେ ଏପରି ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ହିଂସାକାଣ୍ଡ ସୃଷ୍ଟି ହୋଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ୍‌ ଓ କଲେଜ ବନ୍ଦ ଘୋଷଣା କରାଯାଇଥିବା ବେଳେ କୌଣସି ସ୍ଥାନରେ ୪ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ବର୍ତ୍ତମାନ ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଦୁଇ ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି।

ପୁଣି ଶ୍ରୀମନ୍ଦିରରେ ନିୟମ ଉଲ୍ଲଙ୍ଘନ: ରୋଷଶାଳାକୁ ବାହାରୁ

ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ସୃଷ୍ଟି ହୋଇଛି ହଇଚଇ। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ବେଳେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ। ପୁରା ପ୍ରସଙ୍ଗରେ କିନ୍ତୁ ଚୁପ୍ ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ରୋଷ ଶାଳାକୁ ଜାଳେଣି ପାଇଁ ଯାଉଛି ବାହାରୁ ଅଙ୍ଗାର। ଏଣୁତେଣୁ ସଂଗୃହୀତ ଅଙ୍ଗାରରେ ପୁଣି ରନ୍ଧା ଯାଉଛି ମହାପ୍ରସାଦ। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଥିବା ଏ ଖବରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ହିଲାରୀଙ୍କ ବିରୋଧରେ ୫୦ ନିୟୁତ ଡଲାର୍‌ର ମାନହାନି

ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବଡ଼ ସମାଲୋଚକ ତଥା ଖୋଲାଖୋଲି ଭାବେ ନିଜସ୍ବ ଚିନ୍ତାଧାରା ପ୍ରକାଶ କରିଆସିଥିବା ଡେମୋକ୍ରାଟିକ୍‌ କଂଗ୍ରେସର ତୁଳସୀ ଗବାର୍ଡ ୫୦ ନିୟୁତ ଡଲାର୍‌ର ଏକ ମାନହାନି ମକଦ୍ଦମା ଦାଏର୍‌ କରିଛନ୍ତି। ଏହି ମକଦ୍ଦମା ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କ ପତ୍ନୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ୍‌ଙ୍କ ବିରୋଧରେ ରୁଜୁ କରିଛନ୍ତି। ହିଲାରୀ ତାଙ୍କୁ ‘ରୁଷୀୟ ସମ୍ପତ୍ତି’ ବୋଲି ଅଭିହିତ କରିଥିବାରୁ ଗବାର୍ଡ ଏପରି ମକଦ୍ଦମା ବୁଧବାର ମାନହଟ୍ଟନ୍‌ ଫେଡେରାଲ୍‌ କୋର୍ଟରେ ଦାଏର୍‌ କରିଛନ୍ତି। ପ୍ରଥମ ହିନ୍ଦୁ-ଆମେରିକୀୟ ଭାବେ କଂଗ୍ରେସ ଦଳରେ ସାମିଲ୍‌ ହୋଇଥିବା ଗବାର୍ଡଙ୍କର ଗତ ୨୦୧୬ଠାରୁ କ୍ଲିଣ୍ଟନ୍‌ଙ୍କ ସହ ମତଭେଦ ରହିଛି।

ନିର୍ଭୟା କାଣ୍ଡ ପ୍ରସଙ୍ଗରେ ଇନ୍ଦିରାଙ୍କୁ କଙ୍ଗନାଙ୍କ ଭର୍ତ୍ସନା

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବାର ସମୟ ନିକଟତର ହେଉଥିବା ବେଳେ ସେମାନଙ୍କୁ ନିର୍ଭୟାଙ୍କ ମା’ ଆଶା ଦେବୀ କ୍ଷମା କରିଦେବା ଉଚିତ ବୋଲି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ପରାମର୍ଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀକୁ ସୋନିଆ ଗାନ୍ଧି ଉଦାରତାର ପରିଚୟ ଦେଇ କ୍ଷମା କରିଦେଇଥିବା ବେଳେ ଆଶା ଦେବୀ ତାଙ୍କୁ ଅନୁସରଣ କରିବା ଉଚିତ ବୋଲି ଇନ୍ଦିରା କହିଥିଲେ। ଏହାକୁ ସେତେବେଳେ ଆଶା ଦେବୀ କଡ଼ା ଭାଷାରେ ସମାଲୋଚନା କରିବା ସହ ଇନ୍ଦିରାଙ୍କ ପରି ମହିଳାଙ୍କ ସକାଶେ ଦେଶରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଛି ବୋଲି କହିଥିଲେ। ସେମାନେ ଟଙ୍କା ରୋଜଗାର କରିବା ସକାଶେ ଦୁଷ୍କର୍ମକାରୀମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଆଶା ଦେବୀ କହିବା ସହ ତାଙ୍କର କାହା ପରାମର୍ଶର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଏବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ୍‌ ଆଶା ଦେବୀଙ୍କୁ ସମର୍ଥନ କରିବା ସହ ଇନ୍ଦିରାଙ୍କୁ ଭର୍ତ୍ସନା କରିଛନ୍ତି।

ଇମ୍ଫା ମାମଲାରେ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ

ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ୍‌.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରବର୍ତ୍ତୀ ଶୁଣାଣି ଦିନ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଚୌଦ୍ୱାର ପୌରପାଳିକା ଅଧୀନ ୧୬ ନମ୍ବର ୱାର୍ଡର ଶ୍ରୀକାନ୍ତ ବେହେରାଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି।

ପିଓକେ ବିକିବାକୁ ପାକ୍‌ର ଚକ୍ରାନ୍ତ: ଭାରତର ତୀକ୍ଷ୍‌ଣ ନଜର

ନିଜ ଦେଶରୁ କିଛି ଅଂଶ ବିକ୍ରି କରିପାରେ ପାକିସ୍ତାନ। ପାକିସ୍ତାନର ଅର୍ଥବ୍ୟବସ୍ଥା ଏମିତି ଭୁଶୁଡ଼ି ପଡିଛି ଯେ ଚୀନର ଋଣ ଶୁଝିବା ପାଇଁ ଅନେକ ବାଟ କାଢିବାକୁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଉ ଋଣ ପରିଶୋଧ ଲାଗି ନିଜ ଦେଶରୁ କିଛି ଅଂଶ ଚୀନକୁ ବିକ୍ରି କରିଦେବ ପାକିସ୍ତାନ। ପାକିସ୍ତାନ ଅଧୀକୃତ କଶ୍ମୀରରୁ କିଛି ଅଂଶ ଚୀନକୁ ଦେଇପାରନ୍ତି ଇମ୍ରାନ ସରକାର। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପାକିସ୍ତାନ ଏଭଳି ନିଷ୍ପତ୍ତି ନିଏ, ତେବେ ଭାରତ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିବ। ପୂର୍ବରୁ ପିଓକେକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି। ଭାରତ ସବୁବେଳେ ନିଜ ବିରୋଧ ଜଣାଇବା ସହ ପିଓକେ ଜମ୍ମୁକଶ୍ମୀରର ଅଂଶ ବୋଲି ଦାବି କରିଆସୁଛି। ଆଉ ଏମିତି ସ୍ଥିତିରେ ଯଦି ପିଓକେର କିଛି ଅଂଶ ପାକିସ୍ତାନ ଚୀନକୁ ଦେଇଦିଏ, ତେବେ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ