ବାଦ ବିବାଦ

ମିଆଁମାରରେ ସେନାର ଦମନମୂଳକ କାର୍ଯ୍ୟ ଜାରି

ମିଆଁମାରରେ କ୍ଷମତା ପରିବର୍ତ୍ତନ ପରେ ସାମରିକ ସରକାରଙ୍କ ଦମନମୂଳକ ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଛଘୁଞ୍ଚା ଦେଇନାହାନ୍ତି କି ଧୈର୍ଯ୍ୟ ହରାଇ ନାହାନ୍ତି। ଦେଶର ଦ୍ୱିତୀୟ ବଡ଼ ସହର ମାଣ୍ଡଲେରେ ସୁରକ୍ଷା ବଳ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ରବିବାର ଅନେକ ସହରରେ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ଏହି ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ ସ୍ୟୁକି'ଙ୍କ ସରକାରକୁ ସେନା ହଟାଇଦେଇ ଶାସନ କ୍ଷମତା ନିଜ ହାତକୁ ନେଇଥିଲା। ସେବେଠାରୁ ମିଆଁମାରରେ ରାଜନୈତିକ ସଙ୍କଟ ଲାଗିରହିଛି। ହଜାର ହଜାର ଲୋକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ରବର ବୁଲେଟ୍‌, ଓ୍ବାଟର କ୍ୟାନନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଆସୁଥିବା ସେନା ଏବେ ଗୁଳି ଚଳାଇବା ଆରମ୍ଭ କରିଛି।

କାର୍ଯ୍ୟକାରୀ ହେବନି ୧୬ ବର୍ଷ ପୁରୁଣା ବାଙ୍ଗଲାଦେଶୀ ନାଗରିକଙ୍କୁ ରାଜ୍ୟ ଛାଡ଼ ‌ନିର୍ଦେଶ: ହାଇକୋର୍ଟଙ୍କ

ବାଙ୍ଗଲାଦେଶୀ ନାଗରିକଙ୍କୁ ଭାରତ ଛାଡି ଯିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ପ୍ରଦାନ କରିଛନ୍ତି। ୨୦୦୪ ଡିସେମ୍ବର ୨୮ରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ବାଙ୍ଗଲାଦେଶୀ ନାଗରିକଙ୍କୁ ୩୦ ଦିନ ଭିତରେ ଭାରତ ଛାଡି ଯିବାକୁ ଦେଇଥିବା ନିର୍ଦେଶ କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏପରି ନିର୍ଦେଶନାମା ବିରୋଧରେ ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୦୪ ଡିସେମ୍ବର ୨୮ର ଏହି ନିର୍ଦେଶକୁ କାର୍ଯ୍ୟକାରୀ ପାଇଁ ଗଲା ୧୬ ବର୍ଷ ଭିତରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଏହି ନିର୍ଦେଶ ପ୍ରଭାବ ହରାଇଛି ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଫରେନରର୍ସ ଆକ୍ଟ ଅଧୀନରେ ଥିବା କ୍ଷମତା ପ୍ରୟୋଗ କରି ଏହି ପ୍ରସଂଗରେ ସାନି ପଦକ୍ଷେପ ଆଇନ ଅନୁସାରେ ସଂପୃକ୍ତ କର୍ତ୍ତୃପକ୍ଷ ଗ୍ରହଣ କରି ପାରବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଜିତ ବୈଧ୍ୟ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅଷ୍ଟ୍ରେଲିଆରେ ଫେସ୍‌ବୁକ୍‌ ବନ୍ଦ, ନୂଆ ଆଇନକୁ ବିରୋଧ

ବିଶ୍ବର ପ୍ରମୁଖ ସୋସାଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ ଏବେ ବିଭିନ୍ନ ଦେଶରେ ସମସ୍ୟା ଉପୁଜିଛି। ଭାରତରେ ଟ୍ବିଟର ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ଏବେ ଅଷ୍ଟ୍ରେଲିଆରେ ଏପରି କିଛି ଦେଖିବାକୁ ମିଳିଛି। ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍‌ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍‌ବୁକ୍‌ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପାଣିପାଗ ବିଭାଗର ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏତିକି ନୁହେଁ, ଅଷ୍ଟ୍ରେଲିଆରେ ଫେସ୍‌ବୁକ୍‌ ନିଜ ପେଜ୍‌କୁ ମଧ୍ୟ ବନ୍ଦ କରିଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କମ୍ପାନୀର ଏହି ପଦକ୍ଷେପକୁ ଅହଂକାରୀ ଓ ନୈରାଶ୍ୟଜନକ ବୋଲି ଅଭିହିତ କରିଛନ୍ତି।

ଟିଏମସି ସାଂସଦଙ୍କ ମାନହାନି ମକଦ୍ଦମା ମାମଲାରେ ଶାହଙ୍କୁ ସ୍ବତନ୍ତ୍ର କୋର୍ଟଙ୍କ ସମନ୍

ପାଖାପାଖି ଅଢ଼େଇ ବର୍ଷ ତଳେ ଟିଏମସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏଠାକାର ଏକ ସ୍ବତନ୍ତ୍ର କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ୍ ଶାହଙ୍କ ବିରୋଧରେ ସେ ଏହି ମକଦ୍ଦମା ଦାଏର୍ କରିଥିବା ବେଳେ ଏବେ କୋର୍ଟ ଶାହଙ୍କ ନାମରେ ସମନ୍ ଜାରି କରିଛନ୍ତି। ଏହି ସମନ୍ ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ଗତ ୨୦୧୮ ଅଗଷ୍ଟରେ କୋଲକାତାରେ ଅନୁଷ୍ଠିତ ଏକ ରାଲିରେ ବାନାର୍ଜୀଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ବୋଲି ତାଙ୍କ ମକଦ୍ଦମାରେ ଦାଏର୍ କରିଛନ୍ତି। ଗତ ୨୦୧୮ ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ବିଜେପିର ଯୁବ ସ୍ବାଭିମାନ ସମାବେଶ ରାଲିରେ ବାନାର୍ଜୀଙ୍କ ବିରୋଧରେ ଶାହ ଦୁର୍ନୀତି ଅଭିଯୋଗ ଆଣିଥିଲେ। ନାରଦା, ସାରଦା, ରୋଜ୍ ଭ୍ୟାଲି, ସିଣ୍ଡିକେଟ୍ ଦୁର୍ନୀତିରେ ମମତାଙ୍କ ନେତୃତ୍ବାଧୀନ ଟିଏମସି ନେତାଙ୍କର ସଂପୃକ୍ତି ରହିଛି ବୋଲି ଶାହ ଉକ୍ତ ରାଲିରେ କହିଥିଲେ।

ମଞ୍ଚକୁ ଫେରିବେ ସାରଥୀ: ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ
ଏଲଏସିରୁ ଭାରତ ଓ ଚୀନ୍ ପ୍ରତ୍ୟାହାର କଲେ ସେନା

ଦୀର୍ଘଦିନ ଧରି ଭାରତ ଓ ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚାଲିଥିବା ସୀମା ବିବାଦଜନିତ ଉତ୍ତେଜନା ବୁଧବାର ସାମାନ୍ୟ ପ୍ରଶମିତ ହୋଇଛି। ଏଲଏସିରୁ ଉଭୟ ଭାରତ ଓ ଚୀନ୍ ସେନା ପ୍ରତ୍ୟାହାର କରିଛନ୍ତି। ପୂର୍ବ ଲଦାଖରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ପ୍ରତ୍ୟାହାର କରି ନେଇଛନ୍ତି ଉଭୟ ଦେଶ। ପ୍ୟାଙ୍ଗଗଙ୍ଗ୍ ହ୍ରଦ କୂଳରୁ ସମର ସଜ୍ଜା ପାଇଁ ପ୍ରସ୍ତୁତ ହେଉଥିବା ଉଭୟ ଦେଶର ସୈନିକ ଓ ଯୁଦ୍ଧ ଟ୍ୟାଙ୍କକୁ ଖାଲି କରିଛନ୍ତି ଦୁଇ ଦେଶର ସେନା ବାହିନୀ। ଏ ନେଇ ଆଜି ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖ ଅନ୍ତର୍ଗତ ଦକ୍ଷିଣ ପାଙ୍ଗୋଙ୍ଗର ନୂଆ ଫଟୋ ଓ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଚୀନ ପକ୍ଷରୁ ଏ ପ୍ରକ୍ରିୟା ଜାରି ରହିଥିବା ଦେଖିବାକୁ ମିଳିଛି। ଯୁଦ୍ଧ ଟ୍ୟାଙ୍କଗୁଡ଼ିକୁ ଚୀନ ଫେରାଉ ନେଉଥିବା ବେଳେ ସେନାକୁ ଫେରାଇ ନେବା ଲାଗି ବଡ଼ ବଡ଼ ଭାରୀଯାନ ମଧ୍ୟ ଅପେକ୍ଷା କରିଛି। ଭାରତର ଦାବି ଅନୁସାରେ ଚୀନର ସେନା ପ୍ରତ୍ୟାହାର ଫଳରେ ଏଲଏସିରେ ବର୍ଷକ ତଳେ ସୃଷ୍ଟି ହୋଇଥିବା ସୀମା ବିବାଦ ଓ ଏହି କାରଣରୁ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ଏବେ ଶାନ୍ତ ପଡ଼ିବାକୁ ଯାଉଛି। ଉଭୟ ଦେଶ ପକ୍ଷରୁ ଏଲଏସିରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଗତ ସପ୍ତାହରୁ ଆରମ୍ଭ ହୋଇଛି।

ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ର ପ୍ରସ୍ତାବିତ ଚିଠା ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର। ବାଇ-ଲ’କୁ ନେଇ ଭକ୍ତ, ସେବାୟତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀରେ ଜାରି ହୋଇଥିବା ବାଇ-ଲ’ ପ୍ରତ୍ୟାହାର ହୋଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ-ଲ’ ପ୍ରତ୍ୟାହାର ନେଇ ଜୋରଦାର୍‌ ହେବାକୁ ଯାଉଛି ପ୍ରତିବାଦ। ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ମଙ୍ଗଳବାର ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ ହୋଇ ପ୍ରତିବାଦ କରାଯିବ। ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ