ଗତ ବର୍ଷ ଅକ୍ଟୋବରରେ ମହାନଗର ମୁମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦେଖାଯିବା ପଛରେ ଚୀନର ସାଇବର୍ ଆଟାକ ଦାୟୀ ବୋଲି ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ସୋମବାର ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ସମର୍ଥନ କରିଥିଲେ। କିନ୍ତୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ ଏପରି ମତାମତକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇରେ ଯେଉଁ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦେଖାଦେଲା, ତା’ ପଛରେ ସାଇବର୍ ଆଟାକ୍ ଥିବାର କୌଣସି ପ୍ରମାଣ ନାହିଁ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଚୀନ୍ କିମ୍ବା ପାକିସ୍ତାନ ପକ୍ଷରୁ ସାଇବର୍ ଆଟାକ୍ ମାଧ୍ୟମରେ ଏପରି ବିଭ୍ରାଟ ସୃଷ୍ଟି କରାଯାଇଛି ବୋଲି ଆମେ ଆଦୌ କହିପାରିବା ନାହିଁ। କାରଣ ଆମ ପାଖରେ ଏପରି କହିବା ସକାଶେ କୌଣସି ପ୍ରମାଣ ନାହିଁ। ତେଣୁ ଏପରି ଅଭିଯୋଗକୁ ଚୀନ୍ ବେଶ୍ ସହଜରେ ଖାରଜ କରିଦେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି। ଅବଶ୍ୟ ଦେଶର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଥିବା ଶକ୍ତି ଯୋଗାଣ କ୍ଷେତ୍ରଗୁଡ଼ିକ ଉପରେ ସାଇବର୍ ଆଟାକ୍ ହୋଇଥିବା କେନ୍ଦ୍ର ଶକ୍ତି ମନ୍ତ୍ରୀ ସ୍ବୀକାର କରିଛନ୍ତି। କିନ୍ତୁ କୌଣସି ସାଇବର୍ ହ୍ୟାକର୍ ଶକ୍ତି ପରିଚାଳନା ବ୍ୟବସ୍ଥା ପାଖରେ ପହଞ୍ଚିପାରିବ ନାହିଁ ବୋଲି ମଧ୍ୟ ଶକ୍ତି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବେ ବୋଲି ଧମକ ଦେଇଛନ୍ତି ନିକଟରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଭି. ନାରାୟଣସାମୀ। ନାରାୟଣସାମୀ ସୋମବାର ଏହି ଧମକ ଦେଇଛନ୍ତି। ପୁଡୁଚେରୀର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ୧୫ ହଜାର କୋଟି ଟଙ୍କାକୁ ନାରାୟଣସାମୀ ସରକାର ହେରଫେର କରିଛନ୍ତି ବୋଲି ଶାହ ନିକଟରେ ଏକ ନିର୍ବାଚନୀ ପ୍ରଚାର ସଭାରେ କହିଥିଲେ। ଏପରିକି ଏହି ଅର୍ଥର କିଛି ଅଂଶ ଗାନ୍ଧି ପରିବାରକୁ ଦିଆଯାଇଛି ବୋଲି ମଧ୍ୟ ଶାହ ଅଭିଯୋଗ କରିଥିଲେ। ଶାହଙ୍କ ଏପରି ଅଭିଯୋଗ ଗୁରୁତର ଓ ନିଜର ଏପରି ଅଭିଯୋଗକୁ ସେ ପ୍ରମାଣିତ କରିବା ଦରକାର ବୋଲି ନାରାୟଣସାମୀ କହିବା ସହ ତାଙ୍କୁ ଚାଲେଞ୍ଜ୍ ମଧ୍ୟ ଦେଇଛନ୍ତି।
ଗତ ବର୍ଷ ଅକ୍ଟୋବରରେ ଅଚାନକ ମୁମ୍ବାଇ ସହରରେ ବିଦ୍ୟୁତ୍ କାଟ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତ୍ରବ୍ୟସ୍ତ ହୋଇପଡ଼ିଥିଲା। ବିଦ୍ୟୁତ୍ ଅଭାବରୁ ମୁମ୍ବାଇରେ କେଇ ଘଣ୍ଟା ପାଇଁ ସବୁକିଛି ଠପ୍ ହୋଇଯାଇଥିଲା। ଟ୍ରେନ୍ ଓ ହସ୍ପିଟାଲ୍ ଏବଂ ସର୍ବୋପରି ଷ୍ଟକ୍ ମାର୍କେଟରେ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ଜନସାଧାରଣ ଯାବତୀୟ ହଇରାଣ ହରକତ ହୋଇଥିଲେ। ଏପରିକି ସେଣ୍ଟ୍ରାଲ୍ ମୁମ୍ବାଇର ଉପକଣ୍ଠସ୍ଥ ଅଞ୍ଚଳଗୁଡ଼ିକରେ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହୋଇଥିଲା। ତେବେ ଏହା ପଛରେ ଚୀନର ସାଇବର୍ ଆଟାକର ମୁଖ୍ୟ ଭୂମିକା ରହିଛି ବୋଲି ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଚୀନରୁ ସାଇବର୍ ଆଟାକ୍ କରାଯାଇ ମହାରାଷ୍ଟ୍ରରେ ଘଣ୍ଟା ଘଣ୍ଟା ଧରି ଅନ୍ଧକାରମୟ ପରିବେଶ କରିଦିଆଯାଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ସତ ବୋଲି କହିଛନ୍ତି ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତିନ୍ ରାଉତ। ଏହି ଘଟଣାର ତଦନ୍ତ କରିବା ପାଇଁ ତୁରନ୍ତ ୩ଟି କମିଟି ଗଠନ କରାଯାଇଛି ଓ କମିଟିର ସଦସ୍ୟାମାନେ ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ଦାଖଲ କରିବେ ବୋଲି ରାଉତ କହିଛନ୍ତି।
ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ (ଏମ୍ବିଏସ୍)ଙ୍କ ସମ୍ପୃକ୍ତି ଥିବା ନେଇ ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକାଧିକବାର ଦାବି କରାଯାଇ ଆସିଛି। ତେବେ ଏନେଇ ଏକ ନୂଆ ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଉଦି ରାଜା ସଲମାନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲସ୍ଥିତ ସାଉଦି ବାଣିଜ୍ୟିକ ଦୂତାବାସରେ ଖଶୋଗୀଙ୍କୁ ହତ୍ୟା କରାଯାଇଥିଲା। ନିକଟରେ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଅନୁଯାୟୀ ସାଉଦି ଆରବର ହତ୍ୟାକାରୀ ସ୍କ୍ବାଡ୍ ବ୍ୟବହାର କରିଥିବା ଦୁଇଟି ଘରୋଇ ବିମାନ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କ ଅଧୀନରେ ଥିଲା। ଏକ ଘରୋଇ କମ୍ପାନୀର ଉକ୍ତ ବିମାନକୁ କ୍ରାଉନ୍ ପ୍ରିନ୍ସ ଜବତ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ହିମାଚଳ ପ୍ରଦେଶ ବିଧାନସଭାରେ ଏକ ଅଭାବନୀୟ ଘଟଣାକ୍ରମେ ରାଜ୍ୟପାଳଙ୍କୁ ବିରୋଧୀ କଂଗ୍ରେସ ବିଧାୟକ ଠେଲାପେଲା କରିବାର ଅଭିଯୋଗ ହୋଇଛି। ଫଳରେ ବାଚସ୍ପତି ଠେଲା ପେଲା କରିବା ଅଭିଯୋଗରେ ବିରୋଧୀଦଳ ନେତାଙ୍କ ସମେତ ୫ ଜଣ କଂଗ୍ରେସ ବିଧାୟକଙ୍କୁ ଚଳିତ ବଜେଟ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବନ କରିଛନ୍ତି। ବାଚସ୍ପତି ବିପିନ ପରମାର ବିରୋଧୀଦଳ ନେତା ମୁକେଶ ଅଗ୍ନିହୋତ୍ରୀ, ବିଧାୟକ ହର୍ଷବର୍ଦ୍ଧନ ଚୌହ୍ବାନ, ସୁନ୍ଦର ସିଂହ ଠାକୁର, ସତପାଲ ରଇଜାଦା ଓ ବିନୟ କୁମାରଙ୍କୁ ନିଲମ୍ବନ କରିଛନ୍ତି।
ଗତ ୨୦୧୮ ଅକ୍ଟୋବର ୨ ତାରିଖରେ ତୁର୍କୀ ରାଜଧାନୀ ଇସ୍ତାନବୁଲ୍ସ୍ଥିତ ସାଉଦୀ ଆରବ କନସୁଲେଟରୁ ନିଖୋଜ ହୋଇଥିବା ଆମେରିକା ନିବାସୀ ସାଉଦି ସାମ୍ବାଦିକ ଜମାଲ୍ ଖଶୋଗୀ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ନିଜ ବିବାହ ପାଇଁ ଅନୁମତିପତ୍ର ଆଣିବା ସକାଶେ କନସୁଲେଟ୍ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିଥିଲେ ହେଁ ଖଶୋଗୀ ବାହାରକୁ ଆସି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ନିୟମିତ ଭାବେ ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ୍ (ଏମବିଏସ୍)ଙ୍କର ଭୂମିକା ରହିଛି ବୋଲି କୁହାଯାଇଆସିଛି। ନିକଟରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ପୁଣିଥରେ ଏପରି ଏକ ରିପୋର୍ଟ ଦେଇଛି। ତେବେ ଏହି ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଫୋନ୍ ଯୋଗେ ଏମବିଏସ୍ଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବାଇଡେନ୍ ସାଉଦି ଆରବ ଯୁବରାଜଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଅବଶ୍ୟ ହ୍ବାଇଟ୍ ହାଉସ୍ ପକ୍ଷରୁ ଅଦ୍ୟାବଧି ବାଇଡେନଙ୍କ ଏହି ଆଲୋଚନା ସମ୍ପର୍କରେ ସୂଚନା ଦିଆଯାଇଥିଲେ ହେଁ ଖଶୋଗୀଙ୍କ ହତ୍ୟାକାଣ୍ଡ ପଛରେ ଏମବିଏସଙ୍କ ଭୂମିକା ରହିଥିବା ନେଇ ରିପୋର୍ଟ ଉପରେ କିଛି ବି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଜଣେ ସାଂସଦ ତାଙ୍କ ଟ୍ବିଟ ମାଧ୍ୟମରେ ହିନ୍ଦୁ ସମ୍ପ୍ରଦାୟର ଭାବାବେଗକୁ ଆଘାତ ପହଞ୍ଚାଇଥିବାର ଅଭିଯୋଗ ହୋଇଛି। ବିରୋଧୀଦଳ ନେତ୍ରୀ ମରିଅମ ନୱାଜଙ୍କୁ ଉପହାସ କରିବାକୁ ଯାଇ ପାକିସ୍ତାନ ତେହରିକ ଏ ଇନସାଫ ଦଳର ସାଂସଦ ଆଦିଲ ହୁସେନ୍ କରିଥିବା ଏହି ଟ୍ବିଟ ହିନ୍ଦୁମାନଙ୍କ ପାଇଁ ଅପମାନଜନକ ବୋଲି କୁହାଯାଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଏବେ ସେ ଏଥିପାଇଁ ସେ କ୍ଷମା ମାଗିଛନ୍ତି।
ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୂଆ ଅନ୍ଲାଇନ୍ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍ ଏବଂ (୫) ମୋ ଶିଶୁ ପୋର୍ଟାଲ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି। ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି। ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ନେତ୍ରୀମାନେ କହିଛନ୍ତି, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷ କରି ମହିଳାଙ୍କ ସମେତ ଗରିବ ଖଟିଖିଆ, କୃଷକ, ନିମ୍ନ ମଧ୍ୟବିତ୍ତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ବିଜେଡି ସରକାର ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି। ମୋଦୀ ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ଲାଗୁ ହେବା ଫଳରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି।
ନିକଟ ଅତୀତରେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ସୋସାଲ୍ ମିଡିଆଗୁଡ଼ିକର ଭୂମିକା ଉପରେ ଏକାଧିକ ବାର ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ଏନେଇ ସ୍ବତନ୍ତ୍ର ନିୟମାବଳୀ ଲାଗୁ କରିଛନ୍ତି। ସୋସାଲ୍ ମିଡିଆରେ ବିଭିନ୍ନ ସମୟରେ ନାନାଦି ବିବାଦୀୟ ଘଟଣା ସାମ୍ନାକୁ ଆସିବା ପରେ ଶେଷରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ କେତେକ କଟକଣା ଲଗାଯାଇଛି। ବିଶେଷକରି କୌଣସି କ୍ଷେତ୍ରରେ ସୋସାଲ୍ ମିଡିଆଗୁଡ଼ିକର ଦୋମୁହାଁ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ର ବେିଦ୍ୟୁତିକ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି ଯେ ସୋସାଲ୍ ମିଡିଆଗୁଡ଼ିକ ଉପରେ କଟକଣା ଲଗାଇବା ସକାଶେ ସ୍ବତନ୍ତ୍ର ଓ କଠୋର ମେକାନିଜମ୍ ପ୍ରସ୍ତୁତ କରାଯାଇଛି। ଏହାଛଡ଼ା କୌଣସି ପ୍ରକାର ବିବାଦର ତ୍ବରିତ ପ୍ରତିକାର ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା କରାଯାଇଛି। ସେହିପରି କୋରୋନା ସଂକ୍ରମଣ କାରଣରୁ ସିନେମା ହଲ୍ ଆଦି ବନ୍ଦ ରହିବା ପରେ ଚଳଚ୍ଚିତ୍ରଗୁଡ଼ିକ ଓଟିଟିରେ ରିଲିଜ୍ ହୋଇଆସିଛି। ଦେଶରେ ଓଟିଟି ପ୍ଲାଟ୍ଫର୍ମରେ ସକ୍ରିୟ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ସକାଶେ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଦେଶରେ ସୋସାଲ୍ ମିଡିଆର ଦୁରୁପଯୋଗ ହେଉଥିବା ନେଇ ପ୍ରସାଦ ଅଭିଯୋଗ କରିବା ସହ ସୋସାଲ୍ ମିଡିଆ ୟୁଜରଙ୍କ ବ୍ୟାପକ ଯାଞ୍ଚ୍ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ସୋସାଲ୍ ମିଡିଆରେ କୌଣସି ପ୍ରକାର ବିବାଦୀୟ ମେସେଜ୍ ପରିପ୍ରେକ୍ଷୀରେ କୋର୍ଟ କିମ୍ବା କେନ୍ଦ୍ର ସରକାର ନିର୍ଦେଶନାମା ଜାରି କଲେ, ଉକ୍ତ ସଂସ୍ଥାଗୁଡ଼ିକ ତୁରନ୍ତ ଉକ୍ତ ଟ୍ବିଟ୍ କିମ୍ବା ମେସେଜ୍ର ଜନକଙ୍କ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି।
ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଯଥେଷ୍ଟ ମାତ୍ରାରେ କମ୍ ଥିଲେ ମଧ୍ୟ ଭାରତରେ ଚଳିତ ମାସରେ କ୍ରମାଗତ ଭାବେ ଦର ବଢ଼ି ଚାଲିଛି। ଏପରିକି କେତେକ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଶହେ ଟଙ୍କା ଉପରେ ପହଞ୍ଚିଯାଇଛି। ଆଗାମୀ ଦିନରେ ଖାଉଟିଙ୍କୁ ଏହି ମହଙ୍ଗା ମାଡ଼ରୁ ତ୍ରାହି ମିଳିବ କି ନାହିଁ, ସେଥିନେଇ କିଛି କହିବା ବି ସମ୍ଭବପର ନୁହେଁ। ଅବଶ୍ୟ କେତୋଟି ରାଜ୍ୟରେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବା ସକାଶେ ଟିକସକୁ ସାମାନ୍ୟ ହ୍ରାସ କରାଯାଇଛି। ଏହି ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ଅନ୍ୟତମ ହୋଇଥିବା ବେଳେ ମମତା ବାନାର୍ଜୀ ସରକାର ଭାଟ୍ ଉପରେ ୧ ଟଙ୍କା ଛାଡ଼ କରିଛନ୍ତି। ତେବେ ତୈଳ ଦରର ଅହେତୁକ ବୃଦ୍ଧିକୁ ବିରୋଧ କରି ଟିଏମସି ମୁଖ୍ୟ ମମତା ଗୁରୁବାର ଏକ ଅଭିନବ ପନ୍ଥା ଆପଣାଇଥିବା ଦେଖିବାକୁ ମିଳିଛି। ମମତା ଗୁରୁବାର ନବାନ୍ନାସ୍ଥିତ ରାଜ୍ୟ ସଚିବାଳୟଠାରେ ପହଞ୍ଚିବା ସକାଶେ ରାଷ୍ଟ୍ର ମନ୍ତ୍ରୀ ଫିରହଦ୍ ହକିମ୍ଙ୍କ ପଛରେ ବସି ଆସିଥିଲେ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସେ ଏକ ଇଲେକଟ୍ରିକ୍ ସ୍କୁଟରରେ ବସି ସଚିବାଳୟରେ ପହଞ୍ଚିଥିଲେ। ସେହିପରି ମମତା ପଛ ସିଟରେ ବସିଥିବା ସମୟରେ ବେକରେ ଏକ ପ୍ଲାକାର୍ଡ ମଧ୍ୟ ଝୁଲାଇଥିଲେ। ସେହିପରି ହେଲମେଟ୍ ପିନ୍ଧିଥିବା ମମତା ସ୍କୁଟରରେ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଲୋକମାନଙ୍କୁ ହାତ ହଲାଇ ସ୍ବାଗତ ମଧ୍ୟ କରିଥିଲେ। ହାଜରା ମୋରେଠାରୁ ସଚିବାଳୟ ପର୍ଯ୍ୟନ୍ତ ୫ କିମି ରାସ୍ତା ମମତା ଇଲେକଟ୍ରିକ୍ ସ୍କୁଟରରେ ବସି ଯିବା ଘଟଣା ସ୍ଥାନୀୟ ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।
ପୁଣି ପଦାରେ ପଡ଼ିଲା କଂଗ୍ରେସ କଳି। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ। ପିସିସି ସଭାପତିଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ଗୋଷ୍ଠୀ। କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇ ଗୋଷ୍ଠୀ ଜଗତସିଂହପୁରର ହୋଇଥିବା ସୂଚନା ମିଳିଛି।
ନେପାଳରେ ଶାସନ କ୍ଷମତାରେ ଥିବା ନେପାଳ କମୁନିଷ୍ଟ ପାର୍ଟି (ଏନସିପି) ଦୁଇ ଭାଗ ହେବା ସ୍ଥିତିରେ ଉପନୀତ ହୋଇଛି। ଦେଶର ସୁପ୍ରିମକୋର୍ଟ ପାର୍ଲାମେଣ୍ଟକୁ ପୁନଃ କ୍ଷମତାସୀନ କରିବା ପାଇଁ ନିର୍ଦେଶ ଦେବା ପରେ ଏନସିପି ଦୁଇ ଭାଗ ହେବା ନେଇ ବାଟ ଫିଟିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିଜ ଦଳ ଭିତରେ ବିରୋଧୀ ଭାବେ ପରିଚିତ ପ୍ରଚଣ୍ଡ ଓ ମାଧବ ନେପାଳ ଗୋଷ୍ଠୀ ମିଳିତ ଭାବେ ଗୋଟି ଚାଳନା କରିବା ଆରମ୍ଭ କରିଛନ୍ତି। ସେମାନେ ବିରୋଧୀ ନେପାଳୀ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦୁଏବାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏଥିସହ ପ୍ରଚଣ୍ଡ-ମାଧବ ନେପାଳ, ଜନତା ସମାଜବାଦୀ ପାର୍ଟି (ଜେଏସପି) ନେତା ବାବୁରାମ ଭଟ୍ଟରାଇଙ୍କ ସହ ମଧ୍ୟ ବିଚାରବିମର୍ଶ ଆରମ୍ଭ କରିଛନ୍ତି। ନେପାଳରେ ଓଲିଙ୍କୁ ହଟାଇ ଏକ ମିଳିତ ସରକାର ପ୍ରତିଷ୍ଠା ପାଇ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ନିଜ ଆସନ ସୁରକ୍ଷିତ କରିବା ନେଇ ନେପାଳୀ କଂଗ୍ରେସର ନେତାମାନଙ୍କ ସହ ଗୁପ୍ତ ମନ୍ତ୍ରଣା କରୁଥିବା ସୂଚନା ମିଳିଛି।
କେନ୍ଦ୍ର ସରକାର ଯଦି ତୁରନ୍ତ ୩ଟିଯାକ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନ କରନ୍ତି, ତା’ହେଲେ ଆଗାମୀ ଦିନରେ ସାଂସଦ ଘେରାଉ କରାଯିବ। ଏଥିରେ ୪୦ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ ଚେତାବନୀ ଦେଇଛନ୍ତି। ସାମ୍ପ୍ରତିକ ସମୟରେ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀମାନଙ୍କୁ ସମର୍ଥନ କରିବା ସକାଶେ ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲାରେ ଟ୍ରାକ୍ଟର ରାଲି ହୋଇଥିଲା। ଉକ୍ତ ରାଲିରେ ପରବର୍ତ୍ତୀ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ଓ ଆନ୍ଦୋଳନରତ ଚାଷୀମାନଙ୍କ ମଧ୍ୟରୁ କେତେକ ଲାଲକିଲ୍ଲାରୁ ତିରଙ୍ଗା ହଟାଇ ଖଲିସ୍ତାନକୁ ସମର୍ଥନ କରୁଥିବା ପତାକା ଲଗାଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଚାପ ପକାଇବା ସକାଶେ ଦିଲ୍ଲୀ ମାର୍ଚ୍ଚ ପାଇଁ ଚାଷୀମାନେ ପ୍ରସ୍ତୁତ ରହିବାକୁ ଟିକାୟତ ଆନ୍ଦୋଳନ ଚାଷୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଯେକୌଣସି ସମୟରେ ସେମାନଙ୍କୁ ଦିଲ୍ଲୀ ମାର୍ଚ୍ଚ ପାଇଁ ଡାକରା ମିଳିପାରେ ବୋଲି ମଧ୍ୟ ଟିକାୟତ କହିଛନ୍ତି।
ପାକିସ୍ତାନର ଜନୈକ ସାଂସଦ ଜଣେ ନାବାଳିକାଙ୍କୁ ବିବାହ କରିବା ଘଟଣା ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ପାକିସ୍ତାନ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟରୁ ପ୍ରକାଶ, ଜମାତ୍ ଉଲେମା-ଇ-ଇସଲାମର ନେତା ତଥା ବେଲୁଚିସ୍ତାନର ସାଂସଦ ସାଲାହୁଦ୍ଦିନ ଆୟୁବି ବେଲୁଚିସ୍ତାନର ଜନୈକା ୧୪ ବର୍ଷୀୟା ନାବାଳିକାକୁ ବିବାହ କରିବା ପରେ ବିବାଦ ମୁଣ୍ଡ ଟେକିଛି।
ଅଧିକ ଦେଖନ୍ତୁ