ବାଦ ବିବାଦ

ଗୃହରେ ଅଚଳାବସ୍ଥା ଜାରି: ପଦଯାତ୍ରାରେ ବିଜେଡି

ଲଗାତାର ୫ମ ଦିନ ପାଇଁ ବିଧାନସଭାରେ ସମାନ ସ୍ଥିତି ଜାରି ରହିଛି। ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୋଟିଏ ମିନିଟ୍‌ ବି ଚାଲିପାରି ନାହିଁ ଗୃହ। ପର୍ଯ୍ୟୟକ୍ରମେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର୍‌ ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଥିଲେ ଶାସକ ଦଳର ବିଧାୟକ। ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ରାଜଭବନ ଅଭିମୁଖେ ପଦଯାତ୍ରା ହୋଇଥିଲା।

ଆଇଜିଏଚ୍‌କୁ ନେଇ ତେଜିଲା ରାଜନୀତି: ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ ମଲ୍ଲିକ

ରାଉରକେଲାରେ ଥିବା ଆର୍‌ଏସ୍‌ପି ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)ର ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ ପୂର୍ବରୁ ଆରମ୍ଭ ହୋଇଛି ରାଜନୀତି। ଆଇଜିଏଚ୍‌କୁ ଏକ ମେଡିକାଲ୍‌ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ବିକଶିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତ ଅବସରରେ ଏନେଇ ଘୋଷଣା ମଧ୍ୟ କରିଥିଲେ। ଘୋଷଣା ସତ୍ତ୍ବେ ଏହାକୁ ମେଡିକାଲ କଲେଜ ନ କରି ଖାଲି ସୁପର ସ୍ପେଶାଲିଟି ହସ୍ପିଟାଲ୍‌ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନରେ ଆରଏସ୍‌ପି କର୍ତ୍ତୃପକ୍ଷ ଅବହେଳା କରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଯିଏ ଯାହା ଜିଦ୍‌ରେ ଅଟଳ: ସ୍ବାଭାବିକ ହେଉନି ଗୃହ

ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଶାସକ-ବିରୋଧୀ ମୁହଁମୁହିଁ ହୋଇଛନ୍ତି। ବିରୋଧୀଙ୍କ ଧାନ କିଣା ଅବ୍ୟବସ୍ଥା ଏବଂ ଶାସକ ଦଳ ପକ୍ଷରୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ଦାବିରେ ୪ ଦିନ ଧରି ଅଚଳ ହୋଇ ପଡ଼ିଛି ବିଧାନସଭା। ଯେ ଯାହା ଜିଦ୍‌ରେ ଅଟଳ ଥିବାରୁ ପ୍ରଶ୍ନକାଳ ହୋଇପାରୁନି କି ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ମଧ୍ୟ କରାଯାଇପାରୁନାହିଁ। ଗତ ୩ ଦିନ ପରି ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ପୁଣି ମୁହାଁମୁହିଁ ହେଲେ ଶାସକ-ବିରୋଧୀ। ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଛି।

ପୁଣି ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମାନ୍ତରୀକରଣ ପରେ ବଳପୂର୍ବକ ବିବାହ!

ନିକଟରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳପୂର୍ବକ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ କରି ଦିଆଯାଇଥିବା ଜଣାପଡ଼ିଛି। କବିତା ବାଈ ନାମ୍ନୀ ଉକ୍ତ ୧୩ ବର୍ଷିଆନାବାଳିକାଙ୍କୁ ବାହାଲକାନି ଜନଜାତିର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଇଚ୍ଛା ନ ଥିଲେ ବି କବିତାଙ୍କୁ ବଳପୂର୍ବକ ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଯାଇଥିଲା। ପରେ ତାଙ୍କୁ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ କରି ଦିଆଯାଇଛି। ଏନେଇ ସାଉଥ୍‌ ଏସିଆ ମିଡିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ କରିଛି। ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ କାଶ୍ମୋର ଜିଲ୍ଲାର ତାଙ୍ଗ୍‌ଓ୍ଵାନି ଅଞ୍ଚଳରେ ଏହି ଘଟଣାଟି ଘଟିଛି। ବଳପୂର୍ବକ ଧର୍ମାନ୍ତରୀକରଣର ଏକ ଭିଡିଓ ମଧ୍ୟ ଏହି ମିଡିଆ ପକ୍ଷରୁ ଶେୟାର୍‌ କରାଯାଇଛି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଭୁବନେଶ୍ବର ଏକ ନମ୍ବର ହାଟର ୨୬୧ଟି ଦୋକାନ ମାଲିକାନା ଉପରେ ଅଭିଯୋଗ

ରାଜଧାନୀରୁ ପ୍ରମୁଖ ୟୁନିଟ୍‌-୧ ହାଟରେ ଦୋକାନ ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ଦୋକାନ/ପିଣ୍ଡିର ପ୍ରକୃତ ମାଲିକ କିଏ, ବର୍ତ୍ତମାନ ପରିସ୍ଥିତିରେ କିଏ ବ୍ୟବସାୟ କରୁଛି, କେଉଁ କେଉଁ ଦୋକାନର ମାଲିକାନା ପରିବର୍ତ୍ତନ ହୋଇଛି ଏହାକୁ ନେଇ ବ୍ୟବସାୟୀ ଏବଂ ବିଏମ୍‌ସି ମଧ୍ୟ‌େ‌ର ଟଣାଓଟରା ଲାଗି ରହିଛି। ତେବେ ବିବାଦର ସମାଧାନ ନିମନ୍ତେ ବିଏମ୍‌ସି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ପୂର୍ବରୁ ୮ଶହରୁ ଅଧିକ ଦୋକାନ/ପିଣ୍ଡିର ମାଲିକାନା ନିୟମିତକରଣ ହୋଇସାରିଥିବାବେଳେ ବାକିଗୁଡ଼ିକର ନିୟମିତକରଣ ପ୍ରକ୍ରିୟା ଚାଲିଛି। ପରବର୍ତ୍ତୀ ପର୍ଯ୍ୟାୟ ଦୋକାନ ମାଲିକାନା ନିୟମିତକରଣ କରିବାକୁ ୧ ମାର୍ଚ୍ଚ, ୨୦୧୯ରେ ବିଏମ୍‌ସି ଦୋକାନୀଙ୍କଠାରୁ ଦରଖାସ୍ତ ଆହ୍ବାନ କରିଥିଲା। ଏହି ପ୍ରକ୍ରିୟାରେ ୫୨୮ଟି ଦରଖାସ୍ତ ବିଏମ୍‌ସିକୁ ମିଳିଛି। ଏଥିରୁ ୨୬୧ଟି ଦରଖାସ୍ତ ଉପରେ ଅଭିଯୋଗ ଆସିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଲିକ୍: ୭ ସଂକ୍ରମିତ ମୃତ, ଜୋର୍ଡାନ୍ ସ୍ବାସ୍ଥ୍ୟମନ୍ତ୍ରୀ ବହିଷ୍କୃତ

ଜୋର୍ଡାନରେ ଗତ ଶନିବାର ଏକ କୋଭିଡ୍ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଉପଲବ୍ଧ ଥିବା ଅକ୍ସିଜେନ୍ ସିଲିଣ୍ଡରରୁ ଅକ୍ସିଜେନ୍ ଲିକ୍ ହେବା ଫଳରେ ଏଥିରେ ୭ ଜଣ କୋଭିଡ୍ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଛି। ଏହି ଘଟଣା ପ୍ରତିବାଦରେ ସଂକ୍ରମିତମାନଙ୍କର ସମ୍ପର୍କୀୟମାନେ ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଯାବତୀୟ ଅଘଟଣ ଘଟାଇଛନ୍ତି। ତେଣୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ହସ୍ପିଟାଲରେ ବ୍ୟାପକ ପରିମାଣର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଏଥିପାଇଁ ବହିଷ୍କାର ମଧ୍ୟ କରାଯାଇଛି। ରାଜଧାନୀ ଅମ୍ମାନ୍‌ସ୍ଥିତ ନୂଆ ସଲ୍ଟ ସରକାରୀ ହସ୍ପିଟାଲ୍‌ର ଆଇସିୟୁ, ମ୍ୟାଟରନିଟି ଓ କୋରୋନା ଭୂତାଣୁ ୱାର୍ଡ ଅକ୍ସିଜେନ୍ ଲିକ୍ ଦ୍ବାରା ପ୍ରଭାବିତ ହୋଇଛି। ଏହି ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନାଥିର୍ ଓବେଇଦାତ୍‌ଙ୍କୁ ବହିଷ୍କାର କରିଥିବା ପ୍ରଧାନମନ୍ତ୍ରୀ ବିଶେର୍ ଅଲ୍ ଖାସୱାନେହ କହିଛନ୍ତି। ସେହିପରି ଜନସାଧାରଣଙ୍କ ନିକଟରେ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଏପରି ଅଘଟଣ ପାଇଁ ସେ ନିଜ ସରକାରଙ୍କୁ ଦାୟୀ କରିଛନ୍ତି।

ଚରମ ଅସହିଷ୍ଣୁତା: ଆଲିଙ୍ଗନ ପାଇଁ ପାକିସ୍ତାନର ୨ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରୁ ନିଲମ୍ବିତ
କେନ୍ଦ୍ର, ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଇସି ହୋଇପାରିବେନି: ସୁପ୍ରିମକୋର୍ଟ

କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କୌଣସି ଅଧିକାରୀ ଉଉକ୍ତ ରାଜ୍ୟର ନିର୍ବାଚନ କମିଶନର (ଇସି) ପଦରେ ନିଯୁକ୍ତି ପାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଇସି ପଦରେ ନିଯୁକ୍ତି ପାଉଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସ୍ବାଧୀନ ଓ ଏହି ବ୍ୟକ୍ତି ସମସ୍ତ ପ୍ରକାର ସରକାରୀ ପ୍ରଭାବରୁ ମୁକ୍ତ ରହିବା ନିହାତି ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଗୋଆ ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟ ଦେଇଥିବା ରାୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉପରୋଉକ୍ତ ରାୟ ଦେଇଛନ୍ତି। ଜଷ୍ଟିସ ଆର.ଏଫ୍. ନରିମନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୧୦ ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିବା ସହ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଗୋଆ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଡୋରମ୍ୟାଟରେ ଶ୍ରୀଲଙ୍କା ଜାତୀୟ ପତାକା, ଚୀନ୍ ଦୂତାବାସରେ ଅଭିଯୋଗ ଦାଏର୍

ନିକଟରେ ସୋସାଲ୍ ମିଡିଆରେ ଶ୍ରୀଲଙ୍କାର ଜାତୀୟ ପତାକା ସ୍ଥାନିତ ଥିବା ଡୋରମ୍ୟାଟ୍ ବେଶ୍ ଭାଇରାଲ୍ ହୋଇଛି। ଏକ ଚୀନ୍ କମ୍ପାନୀ ଏହି ଡୋରମ୍ୟାଟ୍ ପ୍ରସ୍ତୁତ କରିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଛି। ଏପରିକି ଚୀନ୍ ଦୂତାବାସରେ ଶ୍ରୀଲଙ୍କା ପକ୍ଷରୁ ଅଭିଯୋଗ ମଧ୍ୟ ଦାଏର୍ କରାଯାଇଥିବା ଜଣାପଡ଼ିଛି। କଲମ୍ବୋ ପକ୍ଷରୁ ବୈଦେଶିକ ସଚିବ ଆଡମିରାଲ୍ ଜୟନାଥ କଲମ୍ବଏଜ୍ ଏକ ବିବୃତି ଜାରି କରି ସେଥିରେ ବେଜିଂସ୍ଥିତ ଶ୍ରୀଲଙ୍କା ଦୂତାବାସ ସହ ଯୋଗାଯୋଗ କରିବାକୁ କହିଛନ୍ତି। ବେଜିଂସ୍ଥିତ ଚୀନ୍ ଦୂତାବାସ ପକ୍ଷରୁ ଉକ୍ତ ଡୋରମ୍ୟାଟ୍ ପ୍ରସ୍ତୁତ କରିଥିବା କମ୍ପାନୀକୁ ତାଗିଦ୍ କରିବାକୁ ମଧ୍ୟ ଆଡମିରାଲ୍ କଲମ୍ବଏଜ୍ କହିଛନ୍ତି। ଏହାଛଡ଼ା ଏହି ପ୍ରସଙ୍ଗ ନେଇ ଆଡମିରାଲ୍ କଲମ୍ବୋଜ୍ କଲମ୍ବୋସ୍ଥିତ ଚୀନ୍ ଦୂତାବାସର ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି। ଅଧିକନ୍ତୁ ୱାଶିଂଟନ୍ ଡିସି’ରେ ଥିବା ଶ୍ରୀଲଙ୍କା ଦୂତାବାସକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି। କାରଣ ଏହି ଡୋରମ୍ୟାଟର ବିଜ୍ଞାପନ ଆମେରିକୀୟ ଇ-ଶପିଙ୍ଗ୍ କମ୍ପାନୀ ଆମାଜନରେ କରାଯାଉଛି। ଏ ସଂକ୍ରାନ୍ତରେ ଆମାଜନ୍ ସହ କଥାବାର୍ତ୍ତା କରିବାକୁ ୱାଶିଂଟନ୍ ଡିସିସ୍ଥିତ ଶ୍ରୀଲଙ୍କା ଦୂତାବାସକୁ କୁହାଯାଇଥିବା ଆଡମିରାଲ୍ କଲମ୍ବଏଜ୍ କହିଛନ୍ତି।

ସୁ କି’ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଲା ଜୁଣ୍ଟା ସରକାର

ମିଆଁମାରରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ସରକାରକୁ କ୍ଷମତାଚ୍ୟୁତ କରି ସାମରିକ ଶାସନ ଲାଗୁ କରିଥିବା ଜୁଣ୍ଟା ସରକାର ଦେଶର ପ୍ରମୁଖ ନେତ୍ରୀ ଆଙ୍ଗ ସାନ୍ ସୁ କି’ ଓ ତାଙ୍କର କେତେକ ସହଯୋଗୀଙ୍କୁ ଅଟକ ରଖିଛି। ଏହି ସରକାର ବିରୋଧରେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ଆନ୍ଦୋଳନକୁ ବଳପୂର୍ବକ ଚାପି ଦେବା ସକାଶେ ମଧ୍ୟ ସରକାର ଉଦ୍ୟମ ଚଳାଇଛି। ଏପରିକି ଦେଶର ସେନା ଆନ୍ଦୋଳନ କରୁଥିବା ସାଧାରଣ ଜନତା ଉପରକୁ ଗୁଳି ଚଳାଇବାକୁ ବି ପଛାଉନାହିଁ। ଏଥିସକାଶେ ଇତିମଧ୍ୟରେ ଏହି ଆନ୍ଦୋଳନରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ବୋଲି ଜାତିସଂଘ ଏକ୍ସପର୍ଟ ମତ ଦେଇଛନ୍ତି। ଗୁରୁବାର ଜୁଣ୍ଟା ସରକାର ସୁ କି’ଙ୍କ ଉପରେ ଲାଞ୍ଚ ଗ୍ରହଣ ଅଭିଯୋଗ ମଧ୍ୟ ଲଗାଇଛି। ଉକ୍ତ ଦିନ ମଧ୍ୟ ଜୁଣ୍ଟା ସରକାରର ଯବାନମାନେ ୧୨ ଜଣ ଆନ୍ଦୋଳନକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଫଳରେ ଗୁରୁବାର ଦେଶ ପାଇଁ କଳା ଦିବସ ପାଲଟିଛି ବୋଲି ଗଣତାନ୍ତ୍ରିକ ଶାସନର ସମର୍ଥକମାନେ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ