ବାଦ ବିବାଦ

ହାତଗୋଡ଼ ବନ୍ଧା ଅବସ୍ଥାରେ ଆମେରିକାରୁ ଫେରିଲେ ୧୪୫

ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ୧୪୫ ଜଣ ଭାରତୀୟ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆମେରିକାରୁ ଆସି ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କୁ ହାତଗୋଡ଼ ବାନ୍ଧି ବିମାନ ଯୋଗେ ଆମେରିକୀୟ ସରକାର ଫେରାଇ ଦେଇଥିବା ଜଣାପଡ଼ିଛି। ଏହି ୧୪୫ ଜଣ ଭାରତୀୟଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ, ହରିୟାଣା ଓ ଗୁଜରାଟର ବୋଲି ଜଣାପଡ଼ିଛି। ଏମାନଙ୍କର ବୟସ ୧୯ରୁ ୩୧ ମଧ୍ୟରେ ବୋଲି ମଧ୍ୟ ସୂଚନା ମିଳିଛି। ବିଦେଶରେ ଅଧିକ ରୋଜଗାର କରିବା ଲକ୍ଷ୍ୟରେ ଏଜେଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଏମାନେ ଠକି ହୋଇଯାଇଛନ୍ତି। ଆବଶ୍ୟକୀୟ ଡକ୍ୟୁମେଣ୍ଟ ନ ଥିବା କାରଣରୁ ସେମାନଙ୍କୁ ପ୍ରଥମେ ଆମେରିକାର ଶରଣାର୍ଥୀ ଶିବିରରେ ରଖାଯିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଦିଆଯାଇଛି।

ଦେଶ ଛାଡ଼ି ପଳାଇଛନ୍ତି ସ୍ବାମୀ ନିତ୍ୟାନନ୍ଦ: ଗୁଜରାଟ ପୋଲିସ

ଆତ୍ମଘୋଷିତ ଭଗବାନ ସ୍ବାମୀ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାୟନ କରିଛନ୍ତି। ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗମାନ ରହିଥିଲା ବେଳେ ସେ ଚତୁରାତର ସହ ଦେଶ ଛାଡ଼ି ପଳାଇବା ଗୁଜରାଟ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ବୁଧବାର ଗୁଜରାଟ ହାଇକୋର୍ଟ ସ୍ବାମୀ ନିତ୍ୟାନନ୍ଦ ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ କରିଥିଲା ବେଳେ ସ୍ବାମୀ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଥିବା କଥା ସାମ୍ନାକୁ ଆସିଛି। ଗୁଜରାଟ ଗୃହ ମନ୍ତ୍ରୀ ପ୍ରଦୀପସିଂ ଜାଡେଜା କହିଛନ୍ତି ଯେ ସ୍ବାମୀଙ୍କୁ ଖସାଇବା ପଛରେ ଯାହାର ବି ଭୂମିକା ଥିବ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସରକାର ବ୍ୟବସ୍ଥା କରିବେ। ଅନ୍ୟପକ୍ଷରେ ଅହମଦାବାଦ ଗ୍ରାମାଞ୍ଚଳ ଏସ୍‌ପି ଆର୍‌ ଭି ଅସାରୀ କହିଛନ୍ତି ଯେ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇବା କଥା ସତ୍ୟ। ତେଣୁ ତାଙ୍କୁ ଏଠାରେ ଖୋଜିବାର ଆବଶ୍ୟକତା ନାହିଁ। ତାଙ୍କୁ ଦେଶର ଆଇନ ବ୍ୟବସ୍ଥା ଅନୁସାରେ ଧରିବା ପାଇଁ ଚେଷ୍ଟା କରାଯିବ।

ଶର୍ମାଙ୍କ ବିରୋଧରେ ତଦନ୍ତ ଏକ ଡ୍ରାମା: କଂଗ୍ରେସ

ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡିଜି ଓ ପୋଲିସ୍‌ମାନଙ୍କ ବିରୋଧରେ ଚଲାଉଥିବା ତଦନ୍ତ କେବଳ ଲୋକ ଦେଖାଣିଆ। ରାଜ୍ୟ ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ପୋଲିସ୍‌ ଅଧିକାରୀମାନଙ୍କୁ ବଞ୍ଚାଇବା ପାଇଁ ତଦନ୍ତ ରିପୋର୍ଟକୁ ହଜେଇ ଦେବେ, ଅନ୍ୟପଟେ ବାହାବା ନେବା ପାଇଁ ତଦନ୍ତ କମିଟି ଗଠନର ଗଳା ଫଟେଇ ନିର୍ଦେଶ ଦେବେ। ଏସବୁ ତଦନ୍ତ ଡ୍ରାମା ପଛରେ ରହିଛି ବିରାଟ ପ୍ରଶାସନିକ ଷଡ଼ଯନ୍ତ୍ର। କେବଳ ବୋଲକରା କରିବା ପାଇଁ ଜାଣିଶୁଣି ଅଭିଯୋଗ ଥିବା ବରିଷ୍ଠ ପୋଲିସ୍‌ ଅଧିକାରୀମାନଙ୍କୁ ସରକାର ପୋଲିସ୍‌ ମହାନିର୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ବିଦା କରୁଛନ୍ତି। ନିଜର ମନ୍ଦ ଅଭିପ୍ରାୟ କୁଆଡ଼େ ପଦାରେ ପଡ଼ିଯିବ, ସେଥିରୁ ଦୃଷ୍ଟି ହଟାଇବା ପାଇଁ ବିଭିନ୍ନ ଅଭିଯୋଗ ଦେଖାଇ ତଦନ୍ତ ନିର୍ଦେଶ ଦେବା ରାଜ୍ୟ ସରକାରଙ୍କ ଏକ ପ୍ରକାର ଧାରାବାହିକ କାର୍ଯ୍ୟ ହୋଇଗଲାଣି। ବରିଷ୍ଠ ପୋଲିସ ଅଧିକାରୀ ବିଜୟ କୁମାର ଶର୍ମାଙ୍କ ବିରୋଧରେ ବହୁ ଅଭିଯୋଗ ଥିବା ଦର୍ଶାଇ ତାହାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦେଶ ମଧ୍ୟ ଦିଆଯାଇଛି।

ଟୋକନ୍‌ ବ୍ୟବସ୍ଥାକୁ ବିରୋଧ: ଏନ୍‌ଏଚ୍‌ରେ ଧାନ ଗଦାକଲେ

ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ସମଗ୍ର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ସମ୍ବଲପୁର ପରେ ଏବେ ବରଗଡ଼ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ବ୍ୟବସ୍ଥା ପ୍ରତ୍ୟାହାର ଜିଦ୍‌ରେ ଅଟଳ ଥିବା ଚାଷୀଙ୍କ ସହ ଉତ୍ତରାଞ୍ଚଳ ଡିଆଇଜିଙ୍କ ବୈଠକ ଫେଲ୍ ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବା ପାଇଁ ବୁଧବାର ଅତାବିରା ଥାନାରେ ଏକ ଆଲୋଚନା ହୋଇଥିଲା। ଏଥିରେ ପୋଲିସ୍‌‌, ପ୍ରଶାସନ ଓ ଚାଷୀ ସାମିଲ୍‌ ହୋଇଥିଲେ। ତେବେ ଆଲୋଚନା ବିଫଳ ହେବାପରେ ବରଗଡ଼ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି। ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ୍‌ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ଏନ୍‌ଏଚ୍‌ ଉପରେ ଧାନଗଦା କରିଛନ୍ତି ଚାଷୀ।

ସରକାର ମାନିଲେ: ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ

ଗୋଟିଏ ପଟେ ସୁନା ମୂଲ୍ୟ ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଉଥିବା ବେଳେ ଅନ୍ୟପଟେ ଓଜନ ଓ ଗୁଣବତ୍ତା ନାରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ। ରାଜ୍ୟରେ ଗ୍ରାହକମାନଙ୍କୁ ସୁନା ଦୋକାନୀ ଠକୁଛନ୍ତି। ଖୋଦ୍‌ ଏହାକୁ ସ୍ବୀକାର କରିଛନ୍ତି ସରକାର। ବୁଧବାର ବିଧାନସଭାରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏହି ସୂଚନା ଦେବା ସହିତ ସୁନା ଦୋକାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚଢ଼ାଉ କରାଯାଉଥିବା କହିଛନ୍ତି। ହେଲେ ମନ୍ତ୍ରୀଙ୍କ ଉତ୍ତରରେ କିନ୍ତୁ ବିରୋଧୀ ସନ୍ତୁଷ୍ଟ ହୋଇ ନ ଥିଲେ। କେବଳ ଛୋଟ ଛୋଟ ବେପାରୀଙ୍କୁ ଧରି ବଡ଼ ବ୍ୟବସାୟୀଙ୍କୁ କାହିଁକି ଯାଞ୍ଚ ହୋଇନି ବୋଲି ପ୍ରଶ୍ନ ଉଠାଇଥିଲେ। ତେବେ ଏହି ଘଟଣାରେ ସନ୍ଦେହ ପ୍ରକଟ କରି ବାଚସ୍ପତି ରୁଲିଙ୍ଗ୍‌ ବି ଦେଇଛନ୍ତି।

ଜେଏନ୍‌ୟୁ ଅଶାନ୍ତ: ଛାତ୍ର ସଂସଦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ

ଆଜି ବି ଜାରି ରହିଛି ଫି ବୃଦ୍ଧି ପ୍ରତ୍ୟାହାର ଦାବିରେ ଦୀର୍ଘ ତିନି ସପ୍ତାହ ଧରି ଚାଲିଥିବା ଜବାହରଲାଲ ନେହରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ର ଆନ୍ଦୋଳନ। ୧୪୪ ଧାରା ଜାରି ହୋଇଥିବା ସତ୍ତ୍ବେ ଗତକାଲି ଜେଏନ୍‌ୟୁ ଛାତ୍ରଛାତ୍ରୀମାନେ ସଂସଦ ଭବନ ବାହାରେ ଥିବା ବ୍ୟାରିକେଡ୍‌କୁ ଡେଇଁ ବଳପୂର୍ବକ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏଣୁ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଛାତ୍ର ସଂସଦର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆଜି କିଷନଗଡ଼ ଥାନାରେ ଆଇପିସିର ଧାରା ୧୮୬ ଏବଂ ୩୫୩ ଧାରା ଅନୁସାରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି ବୋଲି ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି। ପୋଲିସ୍‌ର କହିବା ଅନୁଯାୟୀ, ଗତକାଲିର ଘଟଣାରେ ୩୦ ପୋଲିସ୍‌ କର୍ମଚାରୀ ଏବଂ ୧୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗତକାଲି ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍‌ର ଲାଠିମାଡ଼ ଘଟଣାକୁ ଜେଏନ୍‌ୟୁ ଛାତ୍ର ସଂସଦ ନିନ୍ଦା କରିଛି।

ସବରୀମାଲାରେ ୧୨ ବର୍ଷୀୟ ଝିଅକୁ ଅଟକାଇଲା ପୋଲିସ

ମଙ୍ଗଳବାର ସକାଳେ ସବରୀମାଲା ଆୟପ୍ପା ମନ୍ଦିର ଦର୍ଶନ ପାଇଁ ପରିବାର ସହ ଯାଉଥିବା ଜଣେ ୧୨ ବର୍ଷୀୟ ଝିଅକୁ ପୋଲିସ୍‌ ପାମ୍ବାରେ ଅଟକାଇଛି। ପରିବାରର ଅନ୍ୟ ସଦସ୍ୟଙ୍କୁ ଆୟପ୍ପା ଦର୍ଶନ ପାଇଁ ଅନୁମତି ଦେଇ ୧୨ ବର୍ଷୀୟ ଝିଅକୁ ଅଟକାଇ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ରହିବାର ସୁବିଧା କରିଛି। ମାତ୍ର ପୋଲିସ ପକ୍ଷରୁ ଏହାକୁ ଅସ୍ବୀକାର କରାଯଇଥିଲା ବେଳେ ଏହାର ଭିଡିଓ ସୋସାଲ ମିଡିଆରେ ପ୍ରକାଶ ପାଇଛି। ଝିଅଟି ଆୟପ୍ପାଙ୍କ ଦର୍ଶନ ପାଇଁ ଚାହୁଁଥିଲା ବେଳେ ପୋଲିସ ତାଙ୍କୁ ବାରଣ କରୁଥିବା ଭିଡିଓ ପଦାକୁ ଆସିଛି। ଝିଅଟିକୁ ପ୍ରବେଶ ପାଇଁ ମିଳିଥିବା ଟୋକନ୍‌ରେ ୧୦ ବର୍ଷ ଦର୍ଶାଯାଇଥିଲେ ବି ତା’ର ଆଇଡିରୁ ବୟସ ୧୨ ବର୍ଷ ବୋଲି ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଅଟକାଇଥିଲା। ବାଳିକା ଜଣକର ପରିବାର ପୁଡୁଚେରୀରୁ ଅସିଥିବା ମଧ୍ୟ ଜଣାପଡ଼ିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ