ବାଦ ବିବାଦ

କଂଗ୍ରେସ ହାତରେ କର୍ଣ୍ଣାଟକ ଏଟିଏମ୍‌
ମହାନଦୀ: କେବେ ଖାଉଥିଲା କୂଳ, ଏବେ ଲଗାଉଛି କନ୍ଦଳ

ଝାରସୁଗୁଡ଼ା ଶୁଖାସୋଡ଼ା ଏବଂ ବରଗଡ଼ ଚିଖଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳ ଓ ଜୀବନ ପ୍ରବାହକୁ ଅବ୍ୟାହତ ରଖିବାକୁ ଏହାର ସୁରକ୍ଷା ଜରୁରୀ ବୋଲି କହିଛନ୍ତି ନବୀନ। ମହାନଦୀ ଭଳି ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାର ଚୁପ ରହିଛନ୍ତି। ଓଡ଼ିଶାର ବିଜେପି ଦଳୀୟ ନେତାମାନେ ଛତିଶଗଡ଼ ସରକାରଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ଓଡ଼ିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଭଳି ଦୋମୁହାଁ ନୀତି ଗ୍ରହଣ କରୁଥିବା ନେତାମାନଙ୍କର ଯଦି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ପ୍ରକଳ୍ପକୁ ବିରୋଧ କରନ୍ତୁ। ଏସବୁର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ଚାପ ପକାନ୍ତୁ ବୋଲି ନବୀନ କହିଥିଲେ। ଓଡ଼ିଶା ସରକାର ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବା ପରେ କୋର୍ଟଙ୍କ ନିର୍ଦେଶମତେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଓଡ଼ିଶାବାସୀ ଏହି ସଚେତନତା ଯାତ୍ରା ବେଳେ ଏକାଠି ହୋଇ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେଥିପାଇଁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏହି ଲଢ଼େଇ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭା ପୂର୍ବରୁ ୨୦ରୁ ଊର୍ଦ୍ଧ୍ବ ବିଧାୟକ, ସାଂସଦ ଓ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଥିଲେ।

ତୁତିକୋରିନ ବିବାଦ ତେଜୁଛି

ତାମିଲନାଡ଼ୁର ତୁତିକୋରିନରେ ବେଦାନ୍ତ ଷ୍ଟରଲାଇଟ୍‌ କପର ପ୍ଲାଣ୍ଟର ପ୍ରଦୂଷିତ ଜଳ ସ୍ଥାନୀୟ ଅଞ୍ଚଳରେ କର୍କଟ ରୋଗ ସୃଷ୍ଟି କରୁଥିବା ଅଭିଯୋଗ ଦେଇ ଜନସାଧାରଣ ସଡ଼କ ଉପରକୁ ଓହ୍ଲାଇଥିଲେ। ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ପରେ ପୋଲିସ ଗୁଳିଚାଳନା କରିଥିଲା। ଏଥିରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ଚିକିତ୍ସାଳୟମାନଙ୍କରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି। ତାମିଲନାଡ଼ୁ ସରକାର ସୋସାଲ ମିଡିଆରେ ଗୁଜବ ରୋକିବା ସହିତ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ତିର୍ଣ୍ଣେଲବେଲି ଓ କନ୍ୟାକୁମାରୀ ଜିଲାରେ ଇଣ୍ଟରନେଟ ସେବା ଉପରେ ରୋକ ଲଗାଇଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ଓ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି।

ମହାଭିଯୋଗ ପ୍ରସଙ୍ଗ: ପଛକୁ ଫେରିଲା କଂଗ୍ରେସ ପାଦ

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ଅନ୍ୟ ୬ଟି ରାଜନୈତିକ ଦଳ ଆଣିଥିବା ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ। ଉପରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ। କଂଗ୍ରେସର ଦୁଇଜଣ ସାଂସଦ ପ୍ରତାପ ସିଂହ ବାଦବା ଏବଂ ଅମି ହର୍ଷାଦ୍ରୟ ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ପାଞ୍ଚଜଣିଆ ଖଣ୍ଡପୀଠଙ୍କ ନିକଟରେ ମାମଲାଟି ଶୁଣାଣି ହେବାକୁ ଥିବାବେଳେ ହଠାତ୍‌ କଂଗ୍ରେସ ଏହି ମହାଭିଯୋଗ ପ୍ରସ୍ତାବକୁ ଫେରାଇ ନେଇଥିଲା। ପ୍ରସ୍ତାବ ଫେରାଇ ନିଆଯିବା ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲ ସାମ୍ବାଦିକମାନଙ୍କୁ ଯେଉଁ ସୂଚନା ଦେଇଛନ୍ତି, ତାହା ବିବାଦ ସୃଷ୍ଟି କରିଛି।

ବିବାଦରେ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ ପ୍ରସ୍ତାବ

କ୍ରୀଡ଼ା ସଚିବ ବିଶାଳ ଦେବ କଳିଙ୍ଗ ଷ୍ଟୁଡିଓ ସଂଲଗ୍ନ ବଳକା ଜମିରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିବା ପରେ ବିବାଦ ତୀବ୍ର ରୂପ ଧାରଣ କରିଛି। କଳାକାରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମଧ୍ୟ ନିଜ ଅସନ୍ତୋଷ ଜାହିର କରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଷ୍ଟୁଡିଓର ଇଞ୍ଚେ ବି ଜମି ଅନ୍ୟ କେଉଁ ଉଦ୍ଦେଶ୍ୟ ପାଇଁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯାହାର ଜମି ଦରକାର ସେ ଅନ୍ୟତ୍ର ଦେଖନ୍ତୁ, ଷ୍ଟୁଡିଓ ଭିତରେ ନୁହେଁ ବୋଲି ସଫା ସଫା କହିଛନ୍ତି ମୁନ୍ନା ଖାଁ। କଳିଙ୍ଗ ଷ୍ଟୁଡିଓର ଜମି କେବଳ କଳିଙ୍ଗ ଷ୍ଟୁଡିଓର। ସେଠି ଯାହା କିଛି ହେବ ଷ୍ଟୁଡିଓର ଉନ୍ନତି ଏବଂ ସିନେମା ଶିଳ୍ପର ଭିତ୍ତିଭୂମି ପାଇଁ। ସେ ଜମିରେ ଅନ୍ୟ କାହାର ଅଧିକାର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ବିଚାରପତି ପଦ ବିବାଦ

ସୁପ୍ରିମକୋର୍ଟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଏ ବିବାଦ କାହାରି ମନ୍ତବ୍ୟକୁ ବା ରାୟକୁ ନେଇ ନୁହେଁ। ନିଯୁକ୍ତିକୁ ନେଇ ହୋଇଛି ବିବାଦ। କଲେଜିଅମ ସୁପାରିସକୁ ଗ୍ରହଣ କରି କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେଇଥିବା ବେଳେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏମ.ଯୋଶେଫଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଯୋଶେଫଙ୍କ ଭଳି ବିଭିନ୍ନ ହାଇକୋର୍ଟରେ ବହୁ ବରିଷ୍ଠ ବିଚାରପତି ଥିବା ବେଳେ ଯୋଶେଫଙ୍କୁ ନିଯୁକ୍ତି ଦେଲେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆଉଥରେ ବିଚାର କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ଏବଂ ସୁ୍ପ୍ରିମକୋର୍ଟ ବାର ଆସୋସିଏସନ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଜଷ୍ଟିସ ମିଶ୍ର କହିଛନ୍ତି ଯେ ଏଭଳି ସୁପାରିସ ଫେରାଇବାକୁ କେନ୍ଦ୍ରର ଅଧିକାର ରହିଛି।

ମହାଭିଯୋଗ ଖାରଜ ପରେ ଟଣାଓଟରା

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଥିବା କଂଗ୍ରେସକୁ ସୋମବାର ଏକ ବଡ଼ ଝଟ୍‌କା ମିଳିଛି। କଂଗ୍ରେସ ଏବଂ ଅନ୍ୟାନ୍ୟ ୬ଟି ବିରୋଧୀଦଳ ଗୁଡ଼ିକ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଦୀପକ ମିଶ୍ରଙ୍କୁ ହଟାଇବା ପାଇଁ କଂଗ୍ରେସର ପ୍ରସ୍ତାବକୁ ଖାରଜ କରାଯିବା ପରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେଡି ଏହାର ଦୃଢ଼ ନିନ୍ଦା କରିଛି। ମୁଖ୍ୟ ବିଚାରପତିଙ୍କ ମନମାନୀ ଓ ମୋଦିଙ୍କ ସମ୍ବିଧାନ ଉପରେ ହସ୍ତକ୍ଷେପକୁ ନେଇ ବର୍ଷିଛନ୍ତି ରାହୁଲ।

ଜାଗୀ ମଙ୍ଗତ କ’ଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ କ୍ଷମତାଶାଳୀ!

ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ବିତୀୟ ସଂସ୍କରଣରେ ଭାରତୀୟ ଶିଳ୍ପ ମହାସଂଘ ସହଯୋଗ କରିବ ନାହିଁ ବୋଲି ଘୋଷଣା କରିବା ପରେ ବିଗତ ତିନିଦିନ ଧରି ରାଜ୍ୟ ସରକାର ବନାମ ବୈଜୟନ୍ତ ପଣ୍ଡା ପରିବାର ମଧ୍ୟରେ ବିବାଦ ଘନେଇଛି। ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଶିଳ୍ପ ମହାସଂଘ କନ୍‌କ୍ଲେଭ ବାବଦରେ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସୁଥିବା ବେଳେ ହଠାତ୍‌ ଏଭଳି ନିଷ୍ପତ୍ତି ନେବା ପଛରେ ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ନିହିତ ଥିବା ବିଜେଡି ଅଭିଯୋଗ କରିଛି। ବିଜେଡି ସାଂସଦ ପ୍ରତାପ ଦେବ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହଧର୍ମିଣୀ ଜାଗୀ ମଙ୍ଗତ ପଣ୍ଡା ଗତ ମାର୍ଚ୍ଚ ମାସରେ ମହାସଂଘର ପୂର୍ବାଞ୍ଚଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ମହାସଂଘ ଏଭଳି ଓଡ଼ିଶା ବିରୋଧୀ ମନୋଭାବ ପୋଷଣ କରିଥିବା ନେଇ ସିଧାସଳଖ ଅଭିଯୋଗ କରିଛନ୍ତି।

ପୁଣି ଲେଉଟିଲା ମହାନଦୀ ଜଳ ସଂଗ୍ରାମ

ଗତକାଲି ସୋମବାର ବିଜେଡି ତା’ର ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହି ମହାନଦୀର ଜଳସ୍ତର କମିଯିବା ନେଇ ଛତିଶଗଡ଼ ଉପରେ ବର୍ଷିଥିଲେ। ଦିନକୁ ଦିନ ମହାନଦୀ ଜଳସ୍ତର କମିବାରେ ଲାଗିଛି। ତଳ ମୁଣ୍ଡରେ ଜଳ ପ୍ରବାହ ସାଂଘାତିକ ପ୍ରଭାବିତ ହୋଇଛି। ଜଳବିଦ୍ୟୁତ ଉତ୍ପାଦନ ମଧ୍ୟ କମି ଆସିଲାଣି। ଆସନ୍ତା ୧୫ ଏପ୍ରିଲରେ ମହାନଦୀ ପାଇଁ ମହାସଂଗ୍ରାମର ରଣନୀତି ପ୍ରସ୍ତୁତ ହେବ। ମହାନଦୀ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲାର ମନ୍ତ୍ରୀ, ବିଧାୟକ ଓ ସାଂସଦ, ଜିଲା ସଭାପତି, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି, ଯୁବଛାତ୍ର ଓ ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତାଙ୍କୁ ଏକାଠି ନେଇ ଲଢ଼େଇର ରଣନୀତି ପ୍ରସ୍ତୁତ ହେବ ବୋଲି ସେମାନେ ସୂଚାଇଥିଲେ।

ଏସ୍‌ସି,ଏସ୍‌ଟି ଆକ୍ଟ ବିବାଦ: ନିଆଁ ଜଳିଲା, ହେଲେ ମିଳିଲାନି

ଏସ୍‌ସି,ଏସ୍‌ଟି ଆଇନରେ ଅଣାଯାଇଥିବା ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ପୁନର୍ବିଚାର ଆବେଦନକୁ ମଙ୍ଗଳବାର ଶୁଣାଣି କରି ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ପାରିବେ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି। ଅଦାଲତଙ୍କ ଏହି ନିଷ୍ପତ୍ତି ବିକ୍ଷୋଭକାରୀଙ୍କୁ ଏକ ଶକ୍ତ ଝଟ୍‌କା ଦେଇଛି। ଶୁଣାଣି ସମୟରେ ଅଦାଲତ କହିଛନ୍ତି ଆମେ ଏହି ଆଇନର ବିରୋଧରେ ନାହୁଁ। କିନ୍ତୁ ନିର୍ଦ୍ଦୋଷକୁ ସଜା ମିଳିବା ଉଚିତ ନୁହେଁ। ସୁପ୍ରିମକୋର୍ଟ ସମସ୍ତ ଦଳଙ୍କୁ ଦୁଇଦିନ ମଧ୍ୟରେ ବିସ୍ତୃତ ଜବାବ ଦେବା ପାଇଁ କହିଛନ୍ତି। ୧୦ ଦିନ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଏଥିପାଇଁ ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଏବଂ ଜଷ୍ଟିସ ୟୁ ୟୁ ଲଳିତଙ୍କ ନେତୃତ୍ବରେ ଖଣ୍ଡପୀଠ ଗଠନ କରିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ