ବାଦ ବିବାଦ

କୃଷିମନ୍ତ୍ରୀଙ୍କ ଇତିହାସ ଚର୍ଚ୍ଚା

ଓଡ଼ିଶା ମିଡିଆ ଏବେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ତୁଣ୍ଡକୁ ଚାହିଁ ବସିଛି। ପାଟି ଖୋଲିଲେ ହେଉଛି ଆଲୋଚନା। ଡିବେଟ, ଡିସ୍କସନ ଆଉ ପ୍ରତିକ୍ରିୟାର ନିଃଶ୍ବାସ ପାଉଛି ଗଣମାଧ୍ୟମ। କୃଷିମନ୍ତ୍ରୀ ଏହି ଫର୍ମୁଲାକୁ ନିଜର ପେଟେଣ୍ଟ କରିସାରିଲେଣି। ମିଡିଆକୁ ଦେଖିଲେ ପାଟିକୁ ଯାହା ଆସିଲା ତାହା କହିଦେଉଛନ୍ତି। କେବେ ନିଜ ବୟାନକୁ ମିଛ କହୁଛନ୍ତି ତ କେବେ ଦେଇଥିବା ବୟାନ ପାଇଁ ଦୁଃଖିତ କହି ସମାଲୋଚନାରୁ ନିଜକୁ ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି। ନିଜ ବୟାନକୁ ପୁଣିଥରେ ବଦଳାଇ ଦାମବାବୁ ଇତିହାସ ପୃଷ୍ଠା ଓଲଟାଇବାରେ ଲାଗିଛନ୍ତି। ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କୁ ନେଇ ବିବାଦୀୟ ବୟାନ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ଶନିବାର ରାଜ୍ୟର ସବୁ ଗଣମାଧ୍ୟମରେ ଛାଇ ହୋଇଯାଇଛନ୍ତି ଦାମବାବୁ।

କୁନ୍ଦୁଲି ଦୁଷ୍କର୍ମ ଅସମାହିତ ପ୍ରଶ୍ନର କିଏ କରି ସମାଧାନ

ଅକ୍ଟୋବର ୧୦ରେ ଘଟିଥିଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା। ମାସେ ପାକାପାଖି ସମୟ ଧରି ନୀରବ ରହିବା ପରେ ମାନବିକ ଅଧିକାର ଆୟୋଗ ଏଡିଜି ଗଣମାଧ୍ୟମକୁ ସୂଚନା ଦେଇ ଦୁଷ୍କର୍ମର ଚିହ୍ନବର୍ଣ୍ଣ ନ ଥିବାର ବିସ୍ଫୋରକ ବୟାନ ଦେଲେ। ଏଡିଜେଙ୍କ ବୟାନ ପରେ ସାରା ରାଜ୍ୟରେ ପୋଲିସର ନିଷ୍କ୍ରିୟତା, ପକ୍ଷପାତ ଓ ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ପ୍ରଦାନ କରି ଘଟଣାର ମୋଡ଼ ବଦଳାଇବା ପ୍ରୟାସ କଲେ। ମାନବିକ ଅଧିକାର ଆୟୋଗ ଏଡିଜି ମହେନ୍ଦ୍ର ପ୍ରତାପ କହିଥିଲେ ଯେ ନାବାଳିକାଙ୍କ ପ୍ରତି କୌଣସି ଦୁଷ୍କର୍ମ ହୋଇନାର୍ହି। ଏହାକୁ ସମର୍ଥନ କରିଥିଲେ କୋରାପୁଟ ଏସ୍‌ପି। ଘଟଣାର ମାସେ ପରେ ପୋଲିସର ଏଭଳି ବୟାନ ସାମଗ୍ରିକ ପ୍ରକ୍ରିୟାକୁ ବିବାଦ ଘେରକୁ ଟାଣିନେଇଛି। ପୋଲିସର ଭାବମୂର୍ତ୍ତି ଓ ବିଶ୍ବସନୀୟତା ଉପରେ ଲାଗିଛି ପ୍ରଶ୍ନବାଚୀ। ପୀଡ଼ିତାଙ୍କ ପରିବାର ପୋଲିସ ବୟାନରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆଉ ଆମକୁ ନ୍ୟାୟ ମିଳିବ ନାହିଁ। ଝିଅକୁ ଘରକୁ ଫେରାଇ ନେବା ଲାଗି ପରିବାର ମାନସିକ ପ୍ରସ୍ତୁତି ହେଉଥିବା ବେଳେ ଏ ଘଟଣାରୁ ସୃଷ୍ଟି ହୋଇଥିବା ଅସମାହିତ ପ୍ରଶ୍ନର ଉତ୍ତର ଚାହିଁଛନ୍ତି ଜନତା।

ସିବିଆଇ-ପୋଲିସ ବିବାଦ

ରାଜ୍ୟ ପୋଲିସ ଓ ସିବିଆଇ ମଧ୍ୟରେ ଆରମ୍ଭ ହୋଇଛି ବିବାଦ। ଓଡ଼ିଶା ବିଚାର ବିଭାଗ ଇତିହାସରେ ପ୍ରଥମ ଥର ପାଇଁ ଘଟିଥିବା ଏପରି ଏକ ଅଘଟଣ କଟକ ଭୁବନେଶ୍ବର ସମେତ ରାଜଧାନୀ ଦିଲ୍ଲୀରେ ଉଷ୍ମତା ଭରିଦେଇଛି। ସିବିଆଇ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ଏକାଧିକ ଦଫାରେ କମିଶନରେଟ ପୋଲିସ ମାମଲା ରୁଜୁ କରିଛି। ତେଣେ ଜବାବ ରଖିଛି ସିବିଆଇ। ଓଡ଼ିଶା ପୋଲିସର କହିବା କଥା ହେଉଛି ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଘରକୁ ସିବିଆଇ ରାତିଅଧରେ ପଶିବା ଗୁରୁତର ଅପରାଧ। ଜବାବରେ ସିବିଆଇ କହିଛି ଭିତରକୁ ଯାଇ ନାହୁଁ। ଗେଟ୍‌ ଭିତର ପଟୁ ବନ୍ଦ ଥିଲା। ପଚାରି ଏହା ଆଉ ଜଣଙ୍କ ଘର ଜାଣିବା ପରେ ଗେଟ ପାଖରୁ ଫେରିଛୁ ବୋଲି ସିବିଆଇ ଦିଲ୍ଲୀ ଅଫିସ ଏକ ପ୍ରେସନୋଟ୍‌ରେ କହିଛି। ଜଣଙ୍କ ଘର ଖୋଜିବାକୁ ଯାଇ ସିବିଆଇ ବାଉଳାରେ ଆଉ ଜରଙ୍କ ଘରକୁ ବାଟବଣା ହୋଇ ପଶିଯିବାକୁ ରାଜ୍ୟରେ ଶାସକଦଳ ସିବିଆଇର ତ୍ରୁଟି ସାବ୍ୟସ୍ତ କରିବାରେ ହାତଧୋଇ ଲାଗିଯାଇଛି। ଦୁଇଦିନ ତଳେ ଶାସକ ଦଳର ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଗିରଫଦାରି ମଧ୍ୟ ସିବିଆଇ ବାଉଳାରେ କରିପକାଇଛି ବୋଲି ସାଧାରଣରେ ଧାରଣା ସୃଷ୍ଟି କରିବାକୁ ଏଭଳି ଉଦ୍ୟମ ଆରମ୍ଭ ହୋଇଯାଇଛି। ସାମନାକୁ ଆସିଛନ୍ତି ବିଜେଡି ଓକିଲ ସଂଘ। ତେଣେ ହାଇକୋର୍ଟ ବାର ଆସୋସିଏସନ ମଧ୍ୟ ସିବିଆଇ ଅଧିକାରୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦୁଇଦିନ ହେଲାଣି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥାକୁ ପୂର୍ବରୁ ପୋଷା ଶୁଆର ପରିଚିତି ମିଳିଥିଲା ବେଳେ ଏବେ ମିଳିଛି ବାଟବଣା ହୋଇଯାଉଥିବାର ପ୍ରମାଣପତ୍ର। ଦେଶର ସର୍ବୋଚ୍ଚ ଏକ ଅନୁସନ୍ଧାନକାରୀ ସଂସ୍ଥା ପଛରେ ରାଜ୍ୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଲାଗିଛି ନା ତାଙ୍କୁ ସିବିଆଇ ବିରୋଧରେ ନିୟୋଜିତ କରାଯାଇଛି ତାକୁ ନେଇ ପ୍ରଶ୍ନବାଚୀ ଉଠିଲାଣି।

ହରତାଳ ରାଜନୀତିର ଝାଞ୍ଜି

ସୋମବାର ଶାସକ ଦଳ ଡାକରାରେ ଯେଉଁ ୫ ଘଣ୍ଟିଆ ହରତାଳ ରାଜ୍ୟରେ ହୋଇଥିଲା ତାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଶାନ୍ତିପୂର୍ଣ୍ଣ ଭାବେ ହରତାଳ ଡାକରା ଦେଇ ତାକୁ ହିଂସାତ୍ମକ ମୋଡ଼ ଦେବା ବିଜେଡିକୁ ବୁମେରାଂ ହେବ ବୋଲି କୁହାଯାଉଛି। ରବିବାର ଦଳୀୟ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ତୈଳଦର ବୃଦ୍ଧି ପାଇଁ ସୋମବାର ସକାଳ ୭ରୁ ୧୨ଟା ଯାଏ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଥିଲା। ରାଜଧାନୀବାସୀ ଶେଯକୁ ଯିବା ପର୍ଯ୍ୟନ୍ତ ଜାଣିଥିଲେ ଯେ ଶାନ୍ତିପୂର୍ଣ୍ଣ ହରତାଳ ହେବ। ଲୋକେ ସକାଳୁ ନିତ୍ୟକର୍ମ ସାରି କାମକୁ ବାହାରିବା ବେଳକୁ ଦେଖିଲେ ଓଲଟା ଦୃଶ୍ୟ। କେଉଁଠି ଟାୟାର ଜଳୁଥିଲା ତ କେଉଁଠି ରାସ୍ତାରେ ଠେଙ୍ଗା ଧରି ଠିଆ ହୋଇଥିଲେ ବିଜେଡି ପତାକାଧାରୀ ଆନ୍ଦୋଳନକାରୀ। ଶାନ୍ତିପୂର୍ଣ୍ଣ ହରତାଳର ସଂଞାକୁ ନେଇ ଲୋକେ ଆନ୍ଦୋଳନକାରୀଙ୍କୁ ପଚାରି ପାହାର ଖାଇଲେ। ଲଜ୍ଜିତ ହୋଇ ଅଧାବାଟରୁ ଫେରିଲେ।

ଜଙ୍ଗଲ ଅଧିକାର ଦେବାରେ ଦେଶରେ ଓଡ଼ିଶା ଆଗରେ କ’ଣ
ବୈବାହିକ ବଳାତ୍କାର ଅପରାଧ କି?


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ