ଜଣା ଅଜଣା

ବିବର୍ତ୍ତନବାଦର ବିବର୍ତ୍ତନ
ଅସହିଷ୍ଣୁ କିଏ?

୨୦୦୫ ମସିହାରେ ଆମ ଦେଶର ୨୦୩ ଜଣ ବ୍ୟକ୍ତିଙ୍କ ସହ ନରେନ୍ଦ୍ର ମୋଦିଙ୍କୁ ଭିସା ପ୍ରଦାନ ନ କରିବା ପାଇଁ ଆମେରିକା ସରକାରଙ୍କୁ ପତ୍ର ଲେଖାଯାଇଥିଲା। ସେହି ପତ୍ରରେ ପ୍ରଥମ ଦସ୍ତଖତ କରିଥିବା ବ୍ୟକ୍ତି ହେଉଛନ୍ତି - ଅଭିନେତା ଆମୀର ଖାନ। ସେହି ପତ୍ରରେ ନରେନ୍ଦ୍ର ମୋଦିଙ୍କୁ ଗଣହତ୍ୟାକାରୀ ହିଟଲରଙ୍କ ସହ ତୁଳନା କରାଯାଇଥିଲା। ୨୦୦୬ ମସିହାରେ ଗୁଜୁରାଟର ଭଦୋଦରାରେ ଘଟିଥିବା ହିଂସାକାଣ୍ଡ ନିମନ୍ତେ ଆମୀର ଖାନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଠୋର ଶବ୍ଦରେ ଭର୍ତ୍ସନା କରିଥିଲେ। ତଥାପି ୨୦୧୧ ମସିହାରେ ଆମୀର ଖାନ ଅହମ୍ମଦାବାଦରେ ‘ଥ୍ରୀ ଇଡିୟଟ୍‌ସ’ ଫିଲ୍ମର ଧୁମ୍‌ ପ୍ରଚାର କରିଥିଲେ। ୨୬ ମେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଜୁନ୍ ୨୩ ତାରିଖରେ ତାଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦେଇଥିଲେ। ଆହୁରି ଆଶ୍ଚର୍ଯ୍ୟର କଥା ୨୦୧୪ ମସିହାରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ବଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମୀର ଖାନଙ୍କୁ ମଞ୍ଚରେ ବସିବା ପାଇଁ ଆମନ୍ତ୍ରଣ କରିଥିଲେ। ଏହା ସତ୍ତ୍ବେ ଆମୀର ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳକୁ ଅସହିଷ୍ଣୁ ବୋଲି ଚିତ୍ରଣ କରିଛନ୍ତି। କିନ୍ତୁ ବାସ୍ତବରେ ଅସହିଷ୍ଣୁ କିଏ - ପାଠକବନ୍ଧୁ ବିଚାର କରନ୍ତୁ।

ଆମେରିକାରେ ପ୍ରଥମ କ୍ରୀତଦାସ ମାଲିକ ଥିଲେ ଜଣେ କୃଷ୍ଣକାୟ

୧୬୧୯ ମସିହାରେ ହ୍ବାଇଟ ଲାୟନ ନାମକ ନେଦରଲାଣ୍ଡର ଗୋଟିଏ ଜାହାଜ ସ୍ପାନିସ୍ ଯୁଦ୍ଧରୁ ଫେରିବା ପଥରେ ଭର୍ଜିନିଆ ରାଜ୍ୟର ଜେମସ୍ ଟାଉନରେ ମରାମତି ନିମନ୍ତେ ଅଟକିଥିଲା। ଜାହାଜରେ ୨୦ ଜଣ କ୍ରୀତଦାସ ଥିଲେ । ମରାମତି ସରିବା ପରେ କ୍ୟାପଟେନଙ୍କ ପାଖରେ ସେହି ପରିମାଣର ଅର୍ଥ ନ ଥିବାରୁ, ସେହି ବାବଦକୁ ସେ କୋଡ଼ିଏ ଜଣ ବ୍ୟକ୍ତିଙ୍କୁ ଦେଇଦେଲେ। ସେମାନେ ହେଉଛନ୍ତି ଆମେରିକାର ପ୍ରଥମ କ୍ରୀତଦାସ। ସେତେବେଳେ ଆମେରିକାର ଆଇନ ଅନୁଯାୟୀ ଜଣେ ମାଲିକ ଗୋତି ଶ୍ରମିକକୁ ଅତି ବେଶୀରେ ସାତ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଖଟେଇ ପାରୁଥିଲେ। ୧୬୫୪ ମସିହାରେ ଆନ୍ଥୋନି ଜନସନ୍ ନାମକ କୃଷ୍ଣକାୟ ମାଲିକଙ୍କ ପାଖରେ ଜନ୍ କାସର ଶ୍ରମିକ କାମ କରୁଥିଲେ। ସେହି ସମୟରେ ସାତ ବର୍ଷ ପୂରି ଯିବାରୁ ଜନ୍ କାସର ନିଜକୁ ମୁକ୍ତ ବୋଲି ଘୋଷଣା କଲେ। କିନ୍ତୁ ଆନ୍ଥୋନି ତାଙ୍କ ନାମରେ ମକଦ୍ଦମା କରିବାରୁ ୧୯୫୬ ମସିହାରେ ଅଦାଲତ ଜନ୍ କାସରଙ୍କୁ ଆନ୍ଥୋନିଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାବେ ଘୋଷଣା କଲେ। ସେତେବେଳେ ଆଇନର ପରିଭାଷାରେ କ୍ରୀତଦାସମାନଙ୍କୁ ମଣିଷ ଭାବେ ନୁହେଁ, ବସ୍ତୁ ଏବଂ ସଂପତ୍ତି ଭାବେ ଗଣାଯାଉଥିଲା। ଆନ୍ଥୋନି ଜନସନ୍ ନିଜେ ଜଣେ ଗୋତି ଶ୍ରମିକ ଥିଲେ।

ସୂର୍ଯ୍ୟ ବିନା ଜୀବନ ସମ୍ଭବ

ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ