ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ଚାମ୍ପିଅନ: ପ୍ରଥମ ଥର ହାତେଇଲା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଛି। ଟି-୨୦ ଫର୍ମାଟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ହୋଇଛି ବିଶ୍ବ ଚାମ୍ପିଅନ। ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଆଉ ପ୍ରଥମ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନ ନ୍ୟୁଜିଲ୍ୟାଣ୍ଡ ହାତରୁ ଖସିଯାଇଛି ଟି-୨୦ ବିଶ୍ବକପ୍ ଟ୍ରଫି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେ୍‌ଟ ହରାଇ ୧୭୨ ରନ୍‌ କରିଥିଲା। ଜବାବରେ ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ୍‌ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ଟି ୱିକେ୍‌ଟ ହରାଇ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ବିସ୍ଫୋରକ ଅର୍ଦ୍ଧଶତକ କରିଥିବା ମିଚେଲ୍‌ ମାର୍ଶ ପ୍ଲେୟର ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଚଳିତ ଟି-୨୦ ବିଶ୍ୱକପ୍‌ରେ ଧୂଆଁଧାର ବ୍ୟାଟିଂ କରି ୨୮୯ ରନ୍‌ କରିଥିବା ଡେଭିଡ୍‌ ୱାର୍ଣ୍ଣର ପ୍ଲେୟର ଅଫ୍ ଦ ସିରିଜ୍‌ ବିବେଚିତ ହୋଇଥିଲେ।

ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

ଅବୁ ଧାବୀ: ଚଳିତ ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଅବୁ ଧାବୀଠାରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ମୋଇନ୍ ଅଲୀଙ୍କ ଅପରାଜିତ ଅର୍ଦ୍ଧଶତକ ସହ କିଛି ଉପଯୋଗୀ ଯୋଗଦାନ ବଳରେ ୨୦୧୦ର ଚାମ୍ପିଅନ୍ ଇଂଲଣ୍ଡ ୪ ୱିକେଟରେ ୧୬୬ ରନ୍‌ କରିଥିଲା। ଏକଦା କଷ୍ଟସାଧ୍ୟ ସ୍ଥିତିରେ ଥିବା ନ୍ୟୁଜିଲ୍ୟାଣ୍ଡ ଡାରିଲ୍ ମିଚେଲ, ଡେଭନ୍ କନ୍‌ୱେ ଓ ଜେମ୍‌ସ ନୀଶମ୍‌ଙ୍କ ଚମତ୍କାର ବ୍ୟାଟିଂ ବଳରେ ୧୬୭ ରନର ବିଜୟ ଲକ୍ଷ୍ୟକୁ ୬ଟି ବଲ୍‌ ବାକିଥାଇ ୧୯ତମ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ବିସ୍ଫୋରକ ଅର୍ଦ୍ଧଶତକ କରିଥିବା ଡାରିଲ୍ ମିଚେଲ ପ୍ଲେୟର ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ପୂର୍ବରୁ ୨ ଥର ଟି-୨୦ ବିଶ୍ବକପ୍‌ ସେମିଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଛି। ପୁଣି ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ରେ ପରାଜୟର ପ୍ରତିଶୋଧ ନେଇପାରିଛି। ପାକିସ୍ତାନ-ଅଷ୍ଟ୍ରେଲିଆ ୨ୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ବିରୋଧରେ ନ୍ୟୁଜିଲ୍ୟାଣ୍ଡ ରବିବାର ଫାଇନାଲ ମୁକାବିଲା ଖେଳିବ।

ଭାରତ ବିଦା, ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍, ପାକିସ୍ତାନ-ଅଷ୍ଟ୍ରେଲିଆ ସେମି

ଅବୁ ଧାବୀ: ଚଳିତ ଟି-୨୦ ବିଶ୍ବକପ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ଭାରତ। ଦଳ ତା’ର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ନକଆଉଟ୍ ପର୍ଯ୍ୟାୟ ସମ୍ଭାବନା କ୍ଷୀଣ ହୋଇଥିବା ବେଳେ ଶେଷରେ ଏହା ହିଁ ଘଟିଛି। ଚତୁର୍ଥ ଦଳ ଭାବେ ରବିବାର ନ୍ୟୁଜିଲାଣ୍ଡ୍ ସେମିଫାଇନାଲରେ ପ୍ରବେଶ କରିବା ପରେ ଭାରତର ବାଟ ବନ୍ଦ ହୋଇଯାଇଛି। ଭାରତ ସେମିଫାଇନାଲରେ ପହଞ୍ଚିବା ସକାଶେ ଆଫଗାନିସ୍ତାନଠାରୁ ଏକ ଚମତ୍କାର ବିଜୟ ଆଶା କରୁଥିଲା। କିନ୍ତୁ ନ୍ୟୁଜିଲାଣ୍ଡ୍ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ସହ ଶେଷ ୪ ଦଳ ମଧ୍ୟରେ ସାମିଲ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୮ ୱିକେଟରେ ୧୨୪ ରନ୍ କରିଥିଲା। ଦଳ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ। ନଜିବୁଲ୍ଲାହ ଚମତ୍କାର ବ୍ୟାଟିଂ କରି ୭୩ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୩ଟି ଛକା ରହିଥିଲା। ଏହାଛଡ଼ା ଗୁଲାବଦିନ୍ ନାଏବ ଓ ଅଧିନାୟକ ମହମ୍ମଦ ନବୀ ୧୪ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ପେସର୍ ଟ୍ରେଣ୍ଟ୍ ବୋଲ୍ଟ ସର୍ବାଧିକ ୩ଟି ଓ ଟିମ୍ ସାଉଦି ୨ଟି ୱିକେଟ୍ ନେଇଥିଲେ।

ଟି-୨୦ ବିଶ୍ବକପ୍‌: ଭାରତ ପୁଣି ଧରାଶାୟୀ, ୮ ୱିକେଟ୍‌ରେ

ଦୁବାଇ: ଭାରତର ପୁଣି ଥରେ ଶୋଚନୀୟ ପରାଜୟ ହୋଇଛି। ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ୱକପ୍‌ର ଅନ୍ୟତମ ମୁକାବିଲାରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ରବିବାର ଟିମ୍‌ ଇଣ୍ଡିଆକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୧୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାକୁ ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି। ସୂଚନାଯୋଗ୍ୟ, ଭାରତ ଗତ ୨୪ ତାରିଖରେ ପାକିସ୍ତାନ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା। ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆଉଟ୍ କରିଥିବା ଇଶ୍ ସୋଢ଼ିଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।

ଟି-୨୦ ବିଶ୍ବକପ: ଆଫଗାନିସ୍ତାନ ୧୩୦ ରନରେ ସ୍କଟଲାଣ୍ଡକୁ

ଶାରଜାହ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ସୋମବାର ଶାରଜାହ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ-ବିର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୧୩୦ ରନର ବିଶାଳ ବ୍ୟବଧାନରେ ସ୍କଟଲାଣ୍ଡକୁ ପରାସ୍ତ କରିଛି। ଆଫଗାନିସ୍ତାନର ଘାତକ ବୋଲିଂର ସାମନା ସ୍କଟଲାଣ୍ଡର ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ। ନଜିବୁଲ୍ଲା ଜଦରାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ହଜରାତୁଲ୍ଲା ଜଜାଇ ଓ ରହମାନୁଲ୍ଲା ଗୁରବାଜଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୧୯୦ ରନ୍‌ କରିଥିଲା। ଜବାବରେ ସ୍କଟଲାଣ୍ଡ ୧୦.୨ ଓଭରରେ ମାତ୍ର ୬୦ ରନ କରି ଅଲଆଉଟ ହୋଇଯାଇଥିଲା। ଦମ୍‌ଦାର ବୋଲିଂ ପାଇଁ ଆଫଗାନିସ୍ତାନର ମୁଜୀବ ଉର ରହମାନଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।