ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ଟୋକିଓ: ଅଲିମ୍ପିକ୍ସର ୩୨ତମ ସଂସ୍କରଣ ରବିବାର ଉଦଯାପିତ ହୋଇଥିବା ବେଳେ ଏଥିରେ ଆମେରିକା ଚାମ୍ପିଅନ୍ ହୋଇଛି। ଦଳ ୩୯ଟି ସ୍ବର୍ଣ୍ଣ ସମେତ ମୋଟ ୧୧୩ଟି ପଦକ ପାଇ ତାଲିକାର ଏକ ନମ୍ବରରେ ରହିଛି। ପୂର୍ବରୁ ଶନିବାର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଚୀନ୍ ଏକ ନମ୍ବରରେ ରହିଥିଲା। କିନ୍ତୁ ଶେଷ ଦିନରେ ଆମେରିକା ଏହି ଦେଶକୁ ପଛରେ ପକାଇବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଭାରତ ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ସର୍ବଶ୍ରେଷ୍ଠ ୪୮ତମ ସ୍ଥାନରେ ସଂସ୍କରଣ ଶେଷ କରିଛି। ଭାରତ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍ ପଦକ ସହ ମୋଟ ୭ଟି ପଦକ ହାସଲ କରିପାରିଛି। ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ଦିବସରେ ପ୍ରତିଯୋଗିତା ପହଞ୍ଚିବା ବେଳକୁ ଚୀନ୍ ପଦକ ତାଲିକାରେ ୩୮-୩୬ରେ ଆଗୁଆ ଥିଲା। କିନ୍ତୁ ୩ଟି ସ୍ବର୍ଣ୍ଣପଦକ ଜିତି ଆମେରିକା ଅଳ୍ପକେ ଏହାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଚୀନକୁ ପଛରେ ପକାଇ ଦେଇଥିଲା। ଶେଷ ଦିନରେ ଚୀନର କୌଣସି ସ୍ବର୍ଣ୍ଣପଦକ ମ୍ୟାଚ୍ ନ ଥିବାରୁ ଆମେରିକା ଚାମ୍ପିଅନ୍ ଭାବେ ପ୍ରତିଯୋଗିତା ଶେଷ କରିଛି। ରବିବାର ଆମେରିକାର ତା’ର ପ୍ରଥମ ସ୍ବର୍ଣ୍ଣଟି ମହିଳା ବାସ୍କେଟବଲରେ ହାସଲ କରିଥିଲା। ଆମେରିକା ଦଳ ଜାପାନକୁ ପରାସ୍ତ କରି ଏହି ସ୍ବର୍ଣ୍ଣପଦକଟି ହାସଲ କରିଥିଲା। ସେହିପରି ଦ୍ବିତୀୟ ସ୍ବର୍ଣ୍ଣ ପଦକଟି ଆମେରିକୀୟ ସାଇକ୍ଲିଷ୍ଟ୍ ଜେନିଫର୍ ଭାଲେଣ୍ଟ୍ ଦିନର ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିବା ପରେ ଚୀନ୍ ସହ ସ୍ବର୍ଣ୍ଣପଦକ ସଂଖ୍ୟା ସମାନ ହୋଇଥିଲା। ପରେ ମହିଳା ଭଲିବଲ୍ ଟିମ୍ ଅଲିମ୍ପିକ୍ସ ଇତିହାସରେ ତା’ର ପ୍ରଥମ ସ୍ବର୍ଣ୍ଣପଦକ ଜିତିବା ଫଳରେ ଆମେରିକା ଚୀନକୁ ଅତିକ୍ରମ କରିଯାଇଥିଲା।
ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଗତ ଶନିବାର ଭାରତ ପାଇଁ ଆଥଲେଟିକ୍ସରେ ଦ୍ବିତୀୟ ପଦକ ଓ ପ୍ରଥମ ସ୍ବର୍ଣ୍ଣପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା। ସେ ଜାଭେଲିନ୍ ଥ୍ରୋ’ରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏକ ନମ୍ବରରେ ରହିବା ସହ ସ୍ବାଧୀନ ଭାରତର ପ୍ରଥମ ଟ୍ରାକ୍ ଏଣ୍ଡ୍ ଫିଲ୍ଡ ସ୍ବର୍ଣ୍ଣପଦକ ବିଜେତା ହୋଇ ସମଗ୍ର ଦେଶବାସୀଙ୍କ ହୃଦୟ ଜିତିପାରିଛନ୍ତି। ସେ ମଧ୍ୟ ୧୨୦ ବର୍ଷ ପରେ ଦେଶ ପାଇଁ ଟ୍ରାକ୍ ଏଣ୍ଡ୍ ଫିଲ୍ଡରେ ପଦକ ଜିତି ସମଗ୍ର ବିଶ୍ବକୁ ଚକିତ କରିଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆବାଳବୃଦ୍ଧବନିତା ଗୌରବାନ୍ବିତ ଅନୁଭବ କରିଛନ୍ତି। ଏହି ସ୍ବର୍ଣ୍ଣିମ ସଫଳତା ମାଧ୍ୟମରେ ଅଲିମ୍ପିକ୍ସ ଇତିହାସରେ ମଧ୍ୟ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସମ୍ଭବପର ହୋଇପାରିଛି। ଗତ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିଲା, ଯାହାକି ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତର ଶ୍ରେଷ୍ଠ ସଫଳତା ରହିଥିଲା। କିନ୍ତୁ ଟୋକିଓରେ ଭାରତ ୭ଟି ପଦକ ପାଇବା ଫଳରେ ଏହି ସଂସ୍କରଣଟି ଦେଶବାସୀଙ୍କ ପାଇଁ ସ୍ମରଣୀୟ ହୋଇପାରିଛି। ଅପୂର୍ବ ସଫଳତା ପାଇଁ ନୀରଜଙ୍କୁ ଚାରିଆଡ଼ୁ ପୁରସ୍କାରର ସୁଅ ଛୁଟିଥିବା ବେଳେ ଏଥିରେ ସାମିଲ୍ ହୋଇଛନ୍ତି ଦେଶର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ରା। ସେ କର୍ପୋରେଟ୍ ଜଗତର ପ୍ରଥମ ବ୍ୟକ୍ତି ଭାବେ ନୀରଜଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ରହିଥିବା ମହିନ୍ଦ୍ରାଙ୍କ ଘୋଷଣା ଅନୁସାରେ, ଖୁବଶୀଘ୍ର ନୀରଜଙ୍କୁ ଏକ ଏକ୍ସୟୁଭି ୭୦୦ ପ୍ରଦାନ କରିବେ।
ନୂଆଦିଲ୍ଲୀ: ବିଗତ ଶତାଦ୍ଦୀରେ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଉନ୍ନୀତ ହୋଇ ଦେଶର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଆଉ ଏହି ସଫଳତା ତାଲିକାରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ ଥ୍ରୋ’ରେ ସ୍ପର୍ଣ୍ଣ ପଦକ ହାସଲ କରି ଶତାଦ୍ଦୀର ଶୋଷ ଦୂର କରିବାରେ ସଫଳ ହୋଇଛନ୍ତି। ଯାହା ୧୨୫ ବର୍ଷର ଅଲିମ୍ପିକ ଇତିହାସରେ ସମ୍ଭବ ହୋଇ ନ ଥିଲା, ତାହାକୁ ନୀରଜ ପୁରଣ କରି ଶତାଦ୍ଦୀର ମହାନାୟକ ଭାବେ ଉଭା ହୋଇଛନ୍ତି। ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ସ୍ବର୍ଣ୍ଣ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୦୦୮ରେ ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ଇଭେଣ୍ଟ ଶୁଟିଂରେ ସ୍ବର୍ଣ୍ଣ ଜିତିବା ପରେ ନୀରଜ ଦ୍ବିତୀୟ ବ୍ୟକ୍ତି ଭାବେ ଏପରି ସଫଳତା ପାଇଛନ୍ତି। ମାତ୍ର ସବୁଠୁ କଷ୍ଟକର ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତର ପ୍ରଦର୍ଶନକୁ କେହି ସମ୍ମାନ ଦେଉ ନ ଥିଲା ବେଳେ ତାହାକୁ ନୀରଜ ଆଜି ଦୂର କରିବା ସହ ୧୩୫ କୋଟି ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।
ପାନୀପତ: ହରିୟାଣାର ପାନୀପତରେ ଜନ୍ମିତ ନୀରଜ ଚୋପ୍ରାଙ୍କ ପାଇଁ ସାରା ଦେଶ ଉତ୍ସବ ମୁଖର। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ନୀରଜଙ୍କୁ ନେଇ ପ୍ରଶଂସାର ସୁଅ ଛୁଟିଛି। ମାତ୍ର ୨୩ ବର୍ଷ ବୟସରେ ନୀରଜ ଭାରତର ନାଁକୁ ବିଶ୍ବ ଦରବାରରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି। ମାତ୍ର ୪ ବର୍ଷର ଅଭିଯାନରେ ନୀରଜ ଅନ୍ତର୍ଜାତୀୟ ପ୍ରତିଯୋଗିତା ମାନଙ୍କରେ ପ୍ରଭାବୀ ପ୍ରଦର୍ଶନ କରି ଆଗକୁ ଏପରି ସଫଳତା ନେଇ ସମ୍ଭାବନାକୁ ଉଜ୍ଜ୍ବଳ କରିଛନ୍ତି। ୧୯୯୭ ଡିସେମ୍ବର ୨୪ରେ ଜନ୍ମିତ ନୀରଜଙ୍କୁ ବର୍ତ୍ତମାନ ମାତ୍ର ୨୩ ବର୍ଷ। ତେଣୁ ଆଗକୁ ତାଙ୍କର ଲମ୍ବା କ୍ୟାରିଅର ରହିଛି। ଆଉ ଗତ ୪ ବର୍ଷର ଜୁନିଅର ଓ ସିନିଅର ସ୍ତରର ପ୍ରଦର୍ଶନକୁ ଦେଖିଲେ ସେ କେବେ ବି ସ୍ବର୍ଣ୍ଣ ପଦକରୁ ତଳକୁ ଖସି ନାହାନ୍ତି। ତେଣୁ ବାସ୍ତବରେ ସେ ଦେଶପାଇଁ ଗୋଲ୍ଡେନ ବୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା କହିଛନ୍ତି, ମିଳିଥିବା ସଫଳତା ଅବିଶ୍ବସନୀୟ ଥିଲା। ସେ ପୋଡିୟମ ଚଢ଼ି ସ୍ବର୍ଣ୍ଣ ଜିତିବେ ବୋଲି ଭାବି ପାରି ନ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଫାଇନାଲକୁ ଉନ୍ନୀତ ହୋଇଥିବା ବିଶ୍ବ ରେକର୍ଡର ଅଧିକାରୀ ଜର୍ମାନୀର ଜୋହାନେସ ଭେଟରଙ୍କ ପ୍ରଦର୍ଶନ ନିକଟ ଅତୀତରେ ତାଙ୍କ ଠାରୁ ବହୁ ଆଗରେ ରହିଥିଲା। କାରଣ ଗତ ଏପ୍ରିଲରୁ ଜୁନ ଭିତରେ ଭେଟର ୭ ଥର ୯୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଥିବାରୁ ସ୍ବର୍ଣ୍ଣ ପଦକ ପାଇଁ ପ୍ରବଳ ଦାବିଦାର ଥିଲେ। ସେ ଯୋଗ୍ୟତା ପର୍ଯ୍ୟାୟରେ ନୀରଜଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ ବି ପଦକ ମୁକାବିଲାରେ ସେ ସ୍ବର୍ଣ୍ଣ ଜିତିବା ନେଇ ସବୁଠୁ ଆଗରେ ରହିଥିଲେ।
ଟୋକିଓ: ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ନୀରଜ ଚୋପ୍ରାଙ୍କ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଥିଲା ବେଳେ ନୀରଜ ତାଙ୍କର ଏହି ପଦକକୁ ମହାନ ଆଥଲେଟ ସ୍ବର୍ଗତ ମିଲଖା ସିଂହଙ୍କ ଉଦେଶ୍ୟରେ ସର୍ମପଣ କରିଛନ୍ତି। ଗତ ଜୁନରେ ମିଲଖା କୋଭିଡ ଆକ୍ରାନ୍ତ ହୋଇ ୯୧ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମିଲଖା ୧୯୬୦ ରୋମ ଅଲିମ୍ପିକ୍ସର ୪୦୦ ମିଟର ଦୌଡ଼ରେ ଏକ ଶତାଂଶ ସେକେଣ୍ଡ ବ୍ୟବଧାନରେ ୪ର୍ଥ ହୋଇ ପଦକ ହାତଛଡ଼ା କରି ଆଖିରୁ ଲୁହ ଗଡ଼ାଇଥିଲେ। ଆଉ ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତୀୟ ପଦକ ଜିତିବା ନେଇ ନିଜେ ଚେଷ୍ଟା କରିବା ସହ ଅନେକ ଆଥଲେଟଙ୍କୁ ମଧ୍ୟ ପ୍ରେରଣା ଦେଇଥିଲେ। ମାତ୍ର ତାଙ୍କ ଜୀବଦଶାରେ କେହି ଭାରତୀୟ ଆଥଲେଟ ଟ୍ରାକ ଆଣ୍ଡ ଫିଲ୍ଡରେ ପୋଡିଅମ ଚଢ଼ି ନ ପାରିବା ପାଇଁ ଅଲିମ୍ପିକ୍ସରେ ଜାତୀୟ ସଙ୍ଗୀତ ଗାନ ନ ହେବା ତାଙ୍କୁ ମର୍ମାହତ କରିଥିଲା।
ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟିଛି। ଜାଭେଲିନରେ ସ୍ବର୍ଣ୍ଣ ଜିତିଥିବା ନୀରଜଙ୍କ ପାଇଁ ଦେଶର ବିତ୍ତଶାଳୀ କ୍ରୀଡ଼ା ସଂଗଠନ ବିସିସିଆଇ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ନୀରଜ ସ୍ବଦେଶ ଫେରିବା ପରେ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ବୋର୍ଡ ସମ୍ପାଦକ ଜୟ ଶାହ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହାବାଦ ଟୋକିଓ ଅଲିମ୍ପିକ୍ସରେ ଅନ୍ୟ ପଦକ ବିଜେତାଙ୍କ ପାଇଁ ବି ବିସିସିଆଇ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ ଓ ରବି ଦହିଆଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଅଜାଡ଼ି ହୋଇ ପଡ଼ିଛି। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି ନୀରଜ ଚୋପ୍ରାଙ୍କ ବିଜୟ ଅଭୂତପୂର୍ବ। ଆପଣଙ୍କ ଜାଭେଲିନ ସ୍ୱର୍ଣ୍ଣ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଦେଇଛି ଓ ଇତିହାସ ସୃଷ୍ଟି କରିଛି। ଆପଣ ନିଜର ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। ଆପଣଙ୍କ ସଫଳତା ଯୁବଗୋଷ୍ଠୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଆଣି ଦେବ ବୋଲି ରାଷ୍ଟ୍ରପତି ଲେଖିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ ଲେଖିଛନ୍ତି ଅବିଶ୍ୱସନୀୟ ସଫଳତା।
ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କଠାରୁ ସମସ୍ତେ ପଦକ ଆଶା କରୁଥିବା ବେଳେ ସେ ଏହି ଆଶାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଦେଶ ପାଇଁ ଚଳିତ ସଂସ୍କରଣରେ ପ୍ରଥମ ସ୍ବର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏପରିକି ବ୍ୟକ୍ତିଗତ ଭାବେ ନୀରଜ ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହା ପୂର୍ବରୁ ଗତ ୨୦୦୮ ବେଜିଂ ଅଲିମ୍ପିକ୍ସରେ ଶୁଟର୍ ଅଭିନବ ବିନ୍ଦ୍ରା ୧୦ ମିଟର ଏୟାର୍ ରାଇଫଲ୍ ବର୍ଗରେ ପ୍ରଥମ ପ୍ରତିଯୋଗୀ ଭାବେ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଧିକନ୍ତୁ ନୀରଜ ଶହେ ବର୍ଷ ପରେ ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଟ୍ରାକ୍ ଏଣ୍ଡ୍ ଫିଲ୍ଡ ଇଭେଣ୍ଟରେ ଭାରତୀୟଙ୍କ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ପ୍ରଦାନ କରିବା ସହ ଶହେ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ତାଙ୍କ ସ୍ବର୍ଣ୍ଣପଦକ ସହ ଭାରତ ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗତ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିବା ବେଳେ ଏଠାରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ସହ ୪ଟି ବ୍ରୋଞ୍ଜ୍ ପଦକ ହାସଲ କରିଛି। ଟୋକିଓରେ ନୀରଜ ଐତିହାସିକ ସ୍ବର୍ଣ୍ଣପଦକ ଜିତିବା ପରେ ସମଗ୍ର ଦେଶବାସୀ ଖୁସିରେ ଉତଫୁଲ୍ଲିତ ହୋଇପଡ଼ିଛନ୍ତି ଓ ମାତ୍ର କେଇ ସେକେଣ୍ଡରେ ସେ ୧୩୦ କୋଟି ଭାରତୀୟଙ୍କ ପାଇଁ ସୁନାପୁଅ ପାଲଟିଯାଇଛନ୍ତି। ଏହି ରେକର୍ଡ ସଫଳତା ପାଇଁ ନୀରଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ୍. ଭେଙ୍କୈୟାନାଇଡୁ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରତିଟି କୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛିଛି। ସେହିପରି ଏକ ବିରଳ ଗ୍ରୁପରେ ସାମିଲ୍ ହୋଇଥିବାରୁ ତାଙ୍କୁ ବିନ୍ଦ୍ରା ମଧ୍ୟ ବଧେଇ ଜଣାଇଛନ୍ତି। ନୀରଜ ସ୍ବର୍ଣ୍ଣପଦକ ଜିତିବା ପରେ ଏହା ମଧ୍ୟ ଦେଶର ପ୍ରତିଟି ମିଡିଆ, ପ୍ରତିଟି ବ୍ୟକ୍ତିବିଶେଷଙ୍କ ପାଇଁ ସବୁଠାରୁ ବଡ଼ ଖବର ପାଲଟିଛି। ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ନୀରଜଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ଓ ପ୍ରଥମ ଶ୍ରେଣୀ ଚାକିରିରେ ନିଯୁକ୍ତି ଘୋଷଣା କରିଛନ୍ତି।
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରମୁଖ ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ସେମିଫାଇନାଲ୍ ମୁକାବିଲାରେ ପରାସ୍ତ ହୋଇ ବ୍ରୋଞ୍ଜ୍ ପଦକ ପାଇବା ସକାଶେ ଲଢ଼ିଥିଲେ। ଶନିବାର ଅପରାହ୍ନରେ ଅନୁଷ୍ଠିତ ତାଙ୍କର ଏହି ମୁକାବିଲାରେ କିର୍ଗିଜସ୍ତାନର ଦୌଲତ୍ ନିୟାଜବେକୋଭଙ୍କ ସହ ଲଢ଼େଇ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ଭାବେ ବଜରଙ୍ଗ ପ୍ରଭାବ ବିସ୍ତାର କରି ସହ ୮-୦ରେ ବିଜୟୀ ହୋଇ ସଂସ୍କରଣରେ ପଦକ ସଂଖ୍ୟାକୁ ୬ରେ ପହଞ୍ଚାଇଛି। ବଜରଙ୍ଗ ୬୫ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିବା ଫଳରେ ଭାରତ ଗତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ସଫଳତାକୁ ଏଠାରେ ଦୋହରାଇପାରିଛି। ଚଳିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତ ଅଦ୍ୟାବଧି ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍ ପଦକ ଜିତିପାରିଛି। ତେଣୁ ଏଠାରେ ଭାରତ ତା’ର ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ସମକକ୍ଷ ହୋଇଛି। ତା’ଛଡ଼ା ସେ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପଦକ ହାସଲ କରିଥିବା ଷଷ୍ଠ ରେସଲର୍ ହୋଇପାରିଛନ୍ତି। ଏଥିସହ ଦୌଲତଙ୍କୁ ପରାସ୍ତ କରି ବଜରଙ୍ଗ ଗତ ୨୦୧୯ ୱାର୍ଲ୍ଡ ଚାମ୍ପିଅନଶିପ୍ ଫାଇନାଲରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛନ୍ତି।
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଅଦ୍ୟାବଧି ୫ଟି ପଦକ ପାଇଁ ତାଲିକାର ୬୬ତମ ସ୍ଥାନରେ ରହିଛି। ଏବେ ବି ଦଳ ଆହୁରି ଦୁଇଟି ପଦକ ପାଇବାର ସମ୍ଭାବନା ରହିଛି। କାରଣ ଶନିବାର ଅପରାହ୍ନରେ ଆଥଲେଟିକ୍ସରେ ନୀରଜ ଚୋପ୍ରା ଓ ରେସଲିଂରେ ବଜରଙ୍ଗ ପୁନିଆ ଯଥାକ୍ରମେ ଫାଇନାଲ୍ ଓ ବ୍ରୋଞ୍ଜ୍ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଅବତୀର୍ଣ୍ଣ ହେବେ। କିନ୍ତୁ ପ୍ରତିଯୋଗିତାର ଷୋଡ଼ଶ ଦିନରେ ଭାରତର ମହିଳା ଗଲ୍ଫ ଖେଳାଳି ପଦକ ଜିତିବା ସମ୍ଭାବନା ସୃଷ୍ଟି କରିଥିଲେ ହେଁ ଶେଷରେ ଚତୁର୍ଥ ସ୍ଥାନରେ ରହି ଐତିହାସିକ ସଫଳତା ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ବିଶ୍ବ ରାଙ୍କିଙ୍ଗରେ ୨୦୦ତମ ସ୍ଥାନରେ ଥିବା ସତ୍ତ୍ବେ ସେ ଚଳିତ ଅଲିମ୍ପିକ୍ସରେ ଏକଦା ଶୀର୍ଷ ୩ ପ୍ରତିଯୋଗୀଙ୍କ ମଧ୍ୟରେ ରହିଥିଲେ। ଗତ ରିଓ ଅଲିମ୍ପିକ୍ସରେ ସେ ୪୧ତମ ସ୍ଥାନରେ ରହିଥିବା ବେଳେ ପାଞ୍ଚ ବର୍ଷ ଭିତରେ ତାଙ୍କ ପ୍ରଦର୍ଶନରେ ଆଶାତୀତ ସୁଧାରଆଣିପାରିଛନ୍ତି। ତେଣୁ ଅଲିମ୍ପିକ୍ସରେ ଅଦ୍ୟାବଧି ଭାରତୀୟ ଗଲ୍ଫରଙ୍କ ମଧ୍ୟରେ ଅଦିତିଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିଛି। ଏଥିସହ ଅଦିତି ଭାରତର କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂ, ପିଟି ଉଷା, ଅଭିନବ ବିନ୍ଦ୍ରା, ଦୀପା କର୍ମାକର ଓ ଜୟଦୀପ କର୍ମାକରଙ୍କ ପରି ଚତୁର୍ଥ ସ୍ଥାନରେ ରହିବା ସତ୍ତ୍ବେ ସମଗ୍ର ଦେଶବାସୀଙ୍କ ପ୍ରଶଂସା ଲାଭ କରିଛନ୍ତି। ବିଶ୍ବର ଏକ ନମ୍ବର ତଥା ଏଲପିଜିଏ ଚାମ୍ପିଅନଶିପ୍ ବିଜେତା ଆମେରିକାର ନେଲି କୋରଡା ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଜାପାନର ଇନାମି ମୋନି ରୌପ୍ୟ ଏବଂ ନ୍ୟୁଜିଲାଣ୍ଡର ଲିଡିଆ କୋ’ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।
ଟୋକିଓ: ଅଲିମ୍ପିକ-୨୦୨୦ରେ ଭାରତର ସଫଳତା ଏଯାବତ ରୌପ୍ୟ ଓ ବ୍ରୋଞ୍ଜ ପଦକରେ ସୀମିତ ରହିଛି। ମାତ୍ର ଶନିବାର ପଦକ ତାଲିକାରେ ସ୍ବର୍ଣ୍ଣ ଯୋଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ଜାଭେଲିନ୍ ଥ୍ରୋରେ ଭାରତ ଅଲିମ୍ପିକ୍ସରେ ପ୍ରଥମ କରି ସ୍ବର୍ଣ୍ଣ ଜିତି ଇତିହାସ ରଚିବା ନେଇ ଆଶା କରାଯାଉଛି। ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିବା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କଠାରୁ ଏପରି ସଫଳତା ଆଶା କରାଯାଉଛି। ଯଦି ନୀରଜ ଏହା ପୂରଣ କରିବାରେ ଅସଫଳ ହୁଅନ୍ତି, ତାହେଲେ ଭାରତ ଟୋକିଓ ଅଲିମ୍ପିକ୍ସରୁ କେବଳ ରୌପ୍ୟ ଓ ବ୍ରୋଞ୍ଜ ପଦକ ସହ ଫେରିବା ଏକପ୍ରକାର ନିଶ୍ଚିତ। କାହିଁକି ନା ସ୍ବର୍ଣ୍ଣ ଜିତିବା ନେଇ ଆଉ କାହାଠାରୁ ଆଶା କରାଯାଇ ନ ପାରେ।
ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତର ଆଉ ଜଣେ ପ୍ରମୁଖ ରେସଲର୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ସେ ସେମି ମୁକାବିଲାରେ ଆଜରବୈଜାନର ହାଜି ଆଲିୟେଭଙ୍କଠାରୁ ୫-୧୨ରେ ପରାସ୍ତ ହୋଇଛନ୍ତି। ଫଳସ୍ବରୂପ ଏବେ ସେ ବ୍ରୋଞ୍ଜ୍ ପଦକ ପାଇଁ ଶନିବାର ଲଢ଼େଇ କରିବେ। ପୁନିଆ ୬୫ କିଗ୍ରା ପୁରୁଷ ଫ୍ରିଷ୍ଟାଇଲ୍ ଲାଇଟୱେଟ୍ ସେମିଫାଇନାଲରେ କିର୍ଗିଜସ୍ତାନର ଏରନାଜାର ଆକମାତାଲିଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ପ୍ରଥମ ରାଉଣ୍ଡ୍ ମ୍ୟାଚରେ ଇରାନର ମୋର୍ତେଜା ଘାଇସିଙ୍କୁ ହରାଇଥିଲେ। ତେବେ ୨୭ ବର୍ଷୀୟ ଏସିଆନ୍ ଚାମ୍ପିଅନ୍ ବଜରଙ୍ଗଙ୍କ ପାଇଁ ସେମିଫାଇନାଲ୍ ମୁକାବିଲାଟି ଯଥେଷ୍ଟ କଷ୍ଟସାଧ୍ୟ ଥିଲା। ବଜରଙ୍ଗ ପ୍ରଥମ ବାଉଟରେ ୧-୪ରେ ପଛୁଆ ରହିଥିଲେ। ଏହି ସମୟରେ ବଜରଙ୍ଗଙ୍କୁ ବ୍ୟବଧାନ କମାଇବା ସକାଶେ ସ୍ବତନ୍ତ୍ର ପ୍ରଦର୍ଶନ କରିବାର ଥିଲା। କିନ୍ତୁ ଦ୍ବିତୀୟ ରାଉଣ୍ଡରେ ବଜରଙ୍ଗଙ୍କ ଗୋଡ଼କୁ ଧରି ତାଙ୍କୁ ତଳେ ପକାଇବା ସହ ଅଗ୍ରଣୀକୁ ୮-୧ରେ ପହଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ବଜରଙ୍ଗ ୪ ପଏଣ୍ଟ୍ ଅର୍ଜନ କରିଥିଲେ। କିନ୍ତୁ ଆଲିୟେଭ୍ ୭ ପଏଣ୍ଟ୍ ଅଧିକ ପାଇ ସ୍ବର୍ଣ୍ଣପଦକ ମୁକାବିଲାରେ ସ୍ଥାନ ପକ୍କା କରିଛନ୍ତି। ଏବେ ବଜରଙ୍ଗ ବ୍ରୋଞ୍ଜ୍ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ।
ଟୋକିଓ: ଚଳିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତର ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଷଷ୍ଠ ପଦକ ଆଶା ଦେଇଛନ୍ତି। କାରଣ ସେ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଶୁକ୍ରବାର ବଜରଙ୍ଗ ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ତାଙ୍କ ଅଭିଯାନ ଆରମ୍ଭ କରି ପ୍ରିକ୍ବାର୍ଟରରେ କିର୍ଗିଜସ୍ତାନର ଏମାଜାର୍ ଅକମାଟାଲିଭ୍ଙ୍କୁ ଭେଟିଥିବା ବେଳେ ଏହାକୁ ୩-୩ରେ ଡ୍ର’ ରଖିଥିଲେ। ତେବେ ପଏଣ୍ଟ୍ ହାସଲ କରିବାରେ ତାଙ୍କର ପ୍ରଦର୍ଶନ ଉନ୍ନତ ରହିଥିବାରୁ ରେଫରି ବଜରଙ୍ଗଙ୍କୁ ବିଜେତା ଘୋଷଣା କରିଥିଲେ। ଏଥିସହ ସେ କ୍ବାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ। କ୍ବାର୍ଟରରେ ତାଙ୍କର ଭେଟ ଇରାନର ମୋର୍ତେଜା ଘିଆସିଙ୍କ ସହ ହୋଇଥିଲା, ଯେଉଁଥିରେ ପ୍ରଥମ ରାଉଣ୍ଡରେ ୦-୧ରେ ପଛୁଆ ରହିଥିଲେ। ୨୭ ବର୍ଷୀୟା ଘିଆସି ୨୦୧୯ ୱାର୍ଲ୍ଡ କପରେ ରୌପ୍ୟ ପଦକ ଜିତିଥିବା ବେଳେ ବଜରଙ୍ଗଙ୍କୁ ସେ କଡ଼ା ଚାଲେଞ୍ଜ୍ ଦେଇଥିଲେ। ଦ୍ବିତୀୟ ସିଡ୍ ବଜରଙ୍ଗ ପ୍ରଥମ ରାଉଣ୍ଡରେ ପଛୁଆ ରହିଥିଲେ ମଧ୍ୟ ଘିଆସିଙ୍କ ଏକାଧିକ ଆକ୍ରମଣକୁ ପ୍ରତିହତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ବଜରଙ୍ଗ ଫଲ୍ ମାଧ୍ୟମରେ ଘିଆସିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
ଅଧିକ ଦେଖନ୍ତୁ