କୋଭିଡ୍‌-୧୯

ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ଟିକା ନେବେ ପ୍ରଧାନମନ୍ତ୍ରୀ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟିକାକରଣରେ ସାମିଲ ହେବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ କିମ୍ବା କୌଣସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏନେଇ ସରକାରୀ ଭାବେ ସୂଚନା ମିଳି ନାହିଁ। ମାତ୍ର ନିକଟତମ ସୂତରୁ ମିଳିଥିବା ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଓ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ହେବାକୁ ଥିବା ୨୭ କୋଟି ଲୋକଙ୍କ ତାଲିକାରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସରକାରଙ୍କ ଘୋଷଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ସରିବା ପରେ ଦ୍ବିତୀୟ ପର୍ଯ୍ୟାରେ ଦେଶରେ ୨୭ କୋଟି ଲୋକ ଟିକା ନେବେ। ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ଓ ଯେଉଁମାନଙ୍କର ବହୂବିଧ ରୋଗବ୍ୟାଧି ରହିଛି ସେମାନେ ଟିକାକରଣରେ ସାମିଲ ହେବେ।

କର୍ମଚାରୀଙ୍କୁ ଟିକା ଦେବାକୁ ଭାରତୀୟ କମ୍ପାନୀମାନଙ୍କର

ବେଙ୍ଗାଳୁରୁ: ଭାରତବର୍ଷରେ ବଶ୍ବର ସବୁଠାରୁ ବଡ଼ ଟିକାକରଣ ଆରମ୍ଭ ହୋଇଛି। ଲଗାତର ୩ୟ ଦିନ ପାଇଁ ଦେଶରେ କୋରୋନା ଟିକାକରଣ ହୋଇଛି। କେତେକ ରାଜ୍ୟରେ ଦ୍ବିତୀୟ ଦିନ ପାଇଁ ଟିକାକରଣ ହୋଇଥିଲା ବେଳେ ଆଉ କେତେକ ରାଜ୍ୟ ୩ୟ ଦିନରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ଦିଆଯାଉଥିବା ଟିକା ସମ୍ପୂର୍ଣ୍ଣ ଭାବେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ମାଗଣା ଦିଆଯାଉଛି। ତେଣୁ ଭାରତରେ ଅନୁମତି ପାଇଥିବା ଦୁଇଟି ଟିକା କମ୍ପାନୀ ବର୍ତ୍ତମାନ କେବଳ ସରକାରଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ନେଇ ଟିକା ଯୋଗାଉଛି। କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚାଲିଥିବା ପଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୨୫ ତାରିଖରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି ଲୋକଙ୍କୁ କୋରୋନା ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଦେଢ଼ ଶହ ତଳେ ଦୈନିକ ସଂକ୍ରମଣ: ୨ ହଜାର ତଳେ ସକ୍ରିୟ

ଭୁବନେଶ୍ବର: ହାରୁଛି କୋରୋନା, ଜିତୁଛି ଓଡ଼ିଶା। ରାଜ୍ୟରେ କୋରୋନା ଗ୍ରାଫ୍‌ ଦ୍ରୁତ ଗତିରେ ନିମ୍ନଗାମୀ ହେବାରେ ଲାଗିଛି। ଲଗାତର ୩ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୨ ଶହ ତଳେ ରହିବା ପରେ ଆଜି ଦେଢ଼ ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୨୧ ଜିଲ୍ଲା ଏବଂ ଷ୍ଟେଟ୍‌ ପୁଲ୍‌ରୁ ମାତ୍ର ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୦୧କୁ ବୃଦ୍ଧି ପାଇଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରୁ ଚିହ୍ନଟ ହୋଇଥିବାବେଳେ ୫୫ ଲୋକାଲ କେସ୍‌ ଥିବା ଜଣାଯାଇଛି। ତେବେ ଆଜି ସର୍ବାଧିକ କୋରୋନା ରୋଗୀ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟ ସର୍ବାଧିକ ଜିଲ୍ଲା ଭାବେ ସମ୍ବଲପୁରରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ଟି ଜିଲ୍ଲାରୁ ଦୈନିକ ସଂକ୍ରମଣ ୧୦ ତଳେ ରହିଥିବା ବେଳେ ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୨୮ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ଏବେ ୨ ହଜାର ତଳକୁ ଖସିଛି।

ଦିନକରେ ୧୩ ହଜାର ୭୮୮ ନୂଆ ସଂକ୍ରମିତ ଚିହ୍ନଟ, ୧୪୫

ନୂଆଦିଲ୍ଲୀ: ଭାରତରେ ଗତ ଶନିବାରଠାରୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ପାଖାପାଖି ୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଏହି ଟିକା ଦିଆଯାଇସାରିଛି। ତା’ଛଡ଼ା ଭାରତରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି। ଗତ ୧୧ ଦିନ ହେଲା ଦେଶରେ ୨୪ ଘଣ୍ଟାରେ ୨୦ ହଜାରରୁ କମ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି କ୍ରମରେ ରବିବାର ଦିନକ ଭିତରେ ଦେଶର ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩ ହଜାର ୭୮୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୧ ହଜାର ୭୭୩ରେ ପହଞ୍ଚିସାରିଛି। ସେହିପରି ଗତ ଦିନକ ଭିତରେ ୧୪୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିବା ଫଳରେ ଦେଶରେ ଆଜି ପର୍ଯ୍ୟନ୍ତ ଏହି ଘାତକ ଭୂତାଣୁ ୧ ଲକ୍ଷ ୫୨ ହଜାର ୨୭୪ ଜଣଙ୍କ ଜୀବନ ନେଇସାରିଛି। ଆହୁରି ଦେଶରେ ଏବେ ବିଭିନ୍ନ ଚିକିତ୍ସାଳୟରେ ୨ ଲକ୍ଷ ୮ ହଜାର ୧୨ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ତା’ଛଡ଼ା ଗତ ୨୪ ଘଣ୍ଟାରେ ୧୪ ହଜାର ୪୫୭ ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ମୋଟ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ରେ ପହଞ୍ଚିଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୪୪୭ ଜଣଙ୍କ ଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା, ୩ ହସ୍ପିଟାଲରେ

ନୂଆଦିଲ୍ଲୀ: ଶନିବାର ଆରମ୍ଭ ହୋଇଥିବା କୋରୋନା ଟିକାକରଣର ଦ୍ବିତୀୟ ଦିନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ପ୍ରଥମ ଦିନରେ ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ ମଧ୍ୟରୁ ୪୪୭ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି ଓ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ଦ୍ବିତୀୟ ଦିନରେ ଅଧିକାଂଶ ରାଜ୍ୟ ଟିକାଦାନକୁ ବନ୍ଦ ରଖିଥିଲା ବେଳେ ୬ଟି ରାଜ୍ୟରେ ଟିକା ଦିଆଯାଇଛି। ଦ୍ବିତୀୟ ଦିନରେ ୧୭ ହଜାର ୭୨ ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳ ପକ୍ଷରୁ କୁହାଯାଇଛି। ଦ୍ବିତୀୟ ଦିନରେ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଣିପୁର ଓ ତାମିଲନାଡୁରେ ଲଗାତର ଦ୍ବିତୀୟ ଦିନରେ ଟିକାକରଣ କାର୍ଯ୍ୟ କରାଯାଇଛି।

ଚୀନରେ ଆଇସକ୍ରିମ୍ ପେଟିରେ କୋରୋନା ଭୂତାଣୁ ଠାବ,

ବେଜିଂ: ଗତ ୨୦୧୯ ଡିସେମ୍ବର ୧୫ ତାରିଖରେ ପ୍ରଥମ ଥର ପାଇଁ ଚୀନର ଉହାନ୍ ସହରରେ କୋଭିଡ୍ ଭୂତାଣୁ ଚିହ୍ନଟ କରାଯାଇଥିଲା। ଏହି ଭୂତାଣୁ କ୍ରମଶଃ ବିଶ୍ବର ୩ ଶହରୁ ଊର୍ଦ୍ଧ୍ବ ଦେଶରେ ବ୍ୟାପିବା ସହ କୋଟି କୋଟି ଲୋକଙ୍କ ଶରୀରରେ ସଂକ୍ରମିତ ହୋଇସାରିଛି। ଏହି ଭୂତାଣୁକୁ ନିପାତ କରିବା ସକାଶେ କ୍ରମଶଃ ଗୋଟିଏ ପରେ ଗୋଟିଏ କୋଭିଡ୍ ଟିକା ମଧ୍ୟ ପ୍ରସ୍ତୁତି ହୋଇଚାଲିଛି। ଅନ୍ୟପକ୍ଷରେ ଚୀନ୍ ସରକାର ଏହି ଭୂତାଣୁର ଉତ୍ପତ୍ତି ନେଇ ତଥ୍ୟ ଲୁଚାଇଥିବା ଅଭିଯୋଗ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଡାକ୍ତରୀ ଟିମ୍ ଉହାନରେ ପହଞ୍ଚି ଏହି ଭୂତାଣୁର ସଠିକ୍ ଉତ୍ପତ୍ତି ସ୍ଥଳ ଠାବ କରିବା ସକାଶେ ଯାଞ୍ଚ୍ ଜାରି ରଖିଛନ୍ତି। କିନ୍ତୁ ଇତିମଧ୍ୟରେ ଚୀନରେ ଏକ ଆଇସକ୍ରିମ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ଆଇସକ୍ରମ୍ କାର୍ଟନ୍ ବା ପେଟିରେ କୋରୋନା ଭୂତାଣୁ ଠାବ କରାଯାଇଛି। ତିଆନଜିନ୍ ସହରସ୍ଥିତ ଦାକିଆଓଦାଓ ଫୁଡ୍ କୋ. ଲିମିଟେଡ୍‌ରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ କମ୍ପାନୀକୁ ବନ୍ଦ କରିଦିଆଯିବା ସହ ସମସ୍ତ କର୍ମଚାରୀଙ୍କ କୋଭିଡ୍ ନମୁନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ନମୁନାର ଫଳାଫଳ ଆସି ନ ଥିଲେ ହେଁ କେହି ବି ଉକ୍ତ ପେଟି ସଂସ୍ପର୍ଶରେ ଆସି ନ ଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ କୁହଯାଇଛି।

ଦିଲ୍ଲୀରେ ଟିକା ନେଇ ଜଣେ ଅସୁସ୍ଥ, ୫୧ ଜଣଙ୍କଠାରେ

ନୂଆଦିଲ୍ଲୀ: ଭାରତରେ ଗତ ଶନିବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୧ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ବ ଟିକା ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକତା ଭିତ୍ତିରେ ଏହି ଟିକା ଦିଆଯାଇଛି। ଏହି ପ୍ରକ୍ରିୟାରେ ସର୍ବମୋଟ ୩ କୋଟି ଟିକା ଦିଆଯିବାର ଲକ୍ଷ୍ୟ ରହିଛି। ଟିକାକରଣର ପ୍ରଥମ ଦିନରେ କୌଣସି ଅସୁସ୍ଥତା ଖବର ଆସି ନ ଥିଲେ ହେଁ ଦ୍ବିତୀୟ ଦିନରେ ଅର୍ଥାତ୍ ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହାଛଡ଼ା ୫୧ ଜଣଙ୍କଠାରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା କୁହାଯାଇଛି। ପ୍ରଥମ ଦିନରେ ରାଜଧାନୀରେ ୪ ହଜାର ୩୧୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଅସୁସ୍ଥ ହୋଇପଡ଼ିଥିବା ସ୍ବାସ୍ଥ୍ୟକର୍ମୀ ଜଣକ ନର୍ଦର୍ଣ୍ଣ ରେଲୱେ ସେଣ୍ଟ୍ରାଲ୍ ହସ୍ପିଟାଲରେ ଟିକା ନେଇଥିଲେ। ତେବେ ଟିକା ନେବାର କେଇ ଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନର୍ଦର୍ଣ୍ଣ ରେଲୱେର ସିପିଆରଓ ଦୀପକ କୁମାର କହିଛନ୍ତି। ଅବଶ୍ୟ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କର ଅନ୍ୟାନ୍ୟ ଶାରୀରିକ ସମସ୍ୟା ରହିଥିଲେ ମଧ୍ୟ ସେ ଟିକା ନେବା ବେଳେ କିଛି ବି ସୂଚନା ଦେଇ ନ ଥିବା ଦୀପକ କୁମାର କହିଛନ୍ତି।

ଦିନକରେ ୧୫ ହଜାର ୧୪୪ ନୂଆ ସଂକ୍ରମିତ, ୨ ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ ଶନିବାରଠାରୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ କେହି ଜଣେ ବି ଅସୁସ୍ଥତା ଅନୁଭବ କରି ନ ଥିବା ଜଣାପଡ଼ିଛି। ଫଳରେ ବିଶ୍ବର ଏହି ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ସଫଳତା ଦିଗରେ ଆଗେଇ ଚାଲିଛି। ତେବେ ଗୋଟିଏ ପଟେ ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ ଗତ ଶନିବାର ଦିନକ ଭିତରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୫ ହଜାର ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୮୧ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ହେବା ଫଳରେ ମୋଟ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେଶରେ ଏବେ ବିଭିନ୍ନ ହସ୍ପିଟାଲରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତରୁ ବି କମ୍ ଚିକିତ୍ସାଧୀନ ଅଛନ୍ତି। କାରଣ ରବିବାର ପ୍ରାତଃ ୮ଟା ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୮୨୬ ଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଜଣ ସଂକ୍ରମିତ କୋଭିଡ୍ ଭୂତାଣୁକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟାର ଏହା ୯୬.୫୮ ପ୍ରତିଶତ ହୋଇଥିବା ବେଳେ ୧.୪୪ ପ୍ରତିଶତ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଏବେ ୧.୯୮ ପ୍ରତିଶତ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

କ୍ରମାଗତ ତୃତୀୟ ଦିନରେ ୨୦୦ରୁ କମ୍ ସଂକ୍ରମିତ ଚିହ୍ନଟ,

ଭୁବନେଶ୍ୱର: ଓଡ଼ିଶାରେ ଶନିବାରଠାରୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୨ ଶହରୁ କମ୍ ନୂଆ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ପରିବାର ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ଗତ ଶନିବାର ଦିନକ ଭିତରେ ୧୮୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ବାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୭୭ଟି ମାମଲା ଲୋକାଲ୍ କେସ୍‌ ବୋଲି ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୦ ଜଣ ଅନୁଗୁଳ ଜିଲ୍ଲାର ହୋଇଥିବା ବେଳେ ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ୧୦ ଜଣ, ଭଦ୍ରକରୁ ଜଣେ ଓ ବଲାଙ୍ଗିରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କଟକ ଜିଲ୍ଲାରୁ ୭, ଦେବଗଡ଼ରୁ ୨, ଗଜପତିରୁ ୩, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୧ ଏବଂ କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ କନ୍ଧମାଳରୁ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଠାବ କରାଯାଇଛି। ଆହୁରି କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୧୯, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୧୮, ପୁରୀରୁ ୧୩, ସମ୍ବଲପୁରରୁ ୧୯ ଓ ସୁନ୍ଦରଗଡ଼ରୁ ୧୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଜଗତସିଂହପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ପ୍ରାଣଘାତୀ ଫାଇଜର୍: ନରୱେରେ ନେଲା ୨୩ ଜୀବନ,

ଓସଲୋ: ନିକଟ ଅତୀତରେ କୋରୋନା ଭୂତାଣୁକୁ ମାତ୍ ଦେବା ସକାଶେ ସଂଖ୍ୟାଧିକ ଟିକାର ଉପଯୋଗ ଆରମ୍ଭ ହୋଇସାରିଥିବା ବେଳେ ସର୍ବପ୍ରଥମ ଟିକା ଭାବେ ଫାଇଜର୍ ବ୍ୟବହାର କରାଯାଇଥିଲା। ଆମେରିକାର ଜଣାଶୁଣା ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଫାଇଜର୍ ଓ ଜର୍ମାନୀର ବାୟୋଏନଟେକ୍ ପକ୍ଷରୁ ମିଳିତ ଭାବେ ଏହି ଟିକା ତିଆରି କରାଯାଇଥିବା ବେଳେ ସର୍ବପ୍ରଥମେ ଯୁକ୍ତରାଜ୍ୟ ଏହାର ଜରୁରୀକାଳୀନ ଉପଯୋଗ ପାଇଁ ଅନୁମତି ଦେଇଥିଲା। ପରେ ସାଉଦି ଆରବ, କାନାଡା ଓ ବାହରିନ୍ ଆଦି ଦେଶରେ ମଧ୍ୟ ଏହି ଟିକାର ଜରୁରୀକାଳୀନ ଉପଯୋଗ ପାଇଁ ଅନୁମତି ଦିଆଯାଇଥିଲା। ତେବେ ନରୱେରେ ଏହି ଟିକା ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଏହି ଟିକା ନେଇ ଘାତକ କୋରୋନା ଭୂତାଣୁକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଥିବା ହିତାଧିକାରୀମାନେ ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁସାରେ, ନିକଟରେ ଫାଇଜର୍ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୨୩ ଜଣ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଆହୁରି ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିବା ‘ଦ ବ୍ଲୁମବର୍ଗ’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ଟିକା ନେଇଥିବା ଲୋକମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କଠାରେ ନାନାଦି ସମସ୍ୟା ଦେଖାଦେଇଛି ବୋଲି ଡାକ୍ତରମାନେ କହିବା ସହ ୨୩ ଜଣ ବୟସ୍କ ବ୍ୟକ୍ତି ମୃତ୍ୟୁବରଣ କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ପ୍ରଥମ ଦିନରେ ଟିକା ନେଲେ ୮୪ ପ୍ରତିଶତ: ଜଣକ ଠାରେ

ଭୁବନେଶ୍ବର: କୋରୋନାକୁ ନେଇ ଦୀର୍ଘ ୧୦ ମାସ ଧରି ଲାଗି ରହିଛି ଭୟର ବାତାବରଣ। ଦେଶରେ କୋରୋନା ଦେଖାଦେବା ଦିନଠାରୁ କୋରୋନା ଟିକାକୁ ଚାତକ ପରି ଚାହିଁ ରହିଥିଲେ ଲୋକେ। ଦୀର୍ଘ ୧୦ ମାସି ଧରି ଧୈର୍ଯ୍ୟର ସହ ଅପେକ୍ଷା କରିବା ପରେ ଆଜି ତାହାର ଅନ୍ତ ହୋଇଛି। ମହାମାରୀ କୋରୋନା ବିରୋଧରେ ଆରମ୍ଭ ହୋଇଯାଇଛି ମହାଅଭିଯାନ। ଏହି ମହାମାରୀ ବିରୋଧରେ ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ। ରାଜ୍ୟର ମୋଟ ୧୬୧ଟି କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମ ଦିନରେ ଟିକା ନେଇଛନ୍ତି ୧୩ ହଜାର ୭୪୫ ଜଣ। ପ୍ରଥମ ପର୍ଯ୍ୟାୟରେ ଶନିବାର ୧୬ ହଜାର ୩୭୭ ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ୮୪ ପ୍ରତିଶତ ଟିକାଦାନ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୋରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ଲୋକଙ୍କୁ କୋରୋନା ଟିକା ଦିଆଯାଇଥିବା ଜଣାପଡ଼ିଛି।

‘କୋଭାକ୍ସିନ୍‌’ କ୍ଷତିପୂରଣ ଗ୍ୟାରେଣ୍ଟି: ଗୁରୁତର ପାର୍ଶ୍ବ

ନୂଆଦିଲ୍ଲୀ: ଶନିବାରଠାରୁ ଦେଶରେ କୋରୋନା ଭୂତାଣୁ ବିରୋଧରେ ଅନ୍ତିମ ଯୁଦ୍ଧ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ ଜଡ଼ିତ ଲୋକମାନଙ୍କୁ ଏହି ଟିକା ପ୍ରଦାନ କରାଯାଉଛି। ଭାରତରେ ଦୁଇଟି ଟିକାର ଜରୁରୀକାଳୀନ ଉପଯୋଗ ପାଇଁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନିରାପଦ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ଶନିବାର ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଦ୍ବାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ଉପଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ରହିବ ଓ ଏହାର ପ୍ରଭାବରେ ଟିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇସାରିଛି। ତେବେ କୋଭାକ୍ସିନ୍ ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ଯଦି କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୁଏ, ତା’ହେଲେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିସକାଶେ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରାଯାଇଛି ଓ କେତେକ ସର୍ତ୍ତ ସହ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି। ତେଣୁ ଆଗ୍ରହୀ ଲୋକମାନେ ଟିକା ନେବା ପୂର୍ବରୁ ଏହି ଫର୍ମରେ ଦସ୍ତଖତ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ