ଆଇପିଏଲ୍‌-୧୩

ହାଇଦ୍ରାବାଦକୁ ୧୨ ରନ୍‌ରେ ହରାଇଲା ପଞ୍ଜାବ

ଦୁବାଇ: ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ ଜିତିବା ପାଇଁ ସନ୍‌ରାଇଜର୍ସ ହାଇଦରାବାଦ ୧୦ଟିଯାକ ୱିକେଟ ହାତରେ ଥାଇ ୮୪ ବଲ୍‌ରୁ ୭୫ ରନ୍ ଆବଶ୍ୟକ କରୁଥିଲା। ତେବେ ପରବର୍ତ୍ତୀ ୮୩ ବଲ୍‌ରେ ୬୨ ରନ୍‌କରି ୧୦ଟି ୱିକେଟ ହରାଇ କିଙ୍ଗ୍‌ସ ଏକାଦଶ ପଞ୍ଜାବ ହାତକୁ ମ୍ୟାଚ୍ ଟେକି ଦେଇଥିଲା ସନ୍‌ରାଇଜର୍ସ। ଏହି କମ୍ ସ୍କୋର୍‌ର ମ୍ୟାଚ୍‌ରେ ୧୨ ରନ୍‌ରେ ପଞ୍ଜାବ ବିଜୟୀ ହୋଇଛି। ୨୦ ଓଭରରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୭ ୱିକେଟ ହରାଇ ମାତ୍ର ୧୨୬ ରନ୍ କରିଥିଲା। ପରେ ଦୟନୀୟ ବ୍ୟାଟିଂକରି ଗୋଟିଏ ବଲ୍‌ ବାକିଥାଇ ସନ୍‌ରାଇଜର୍ସ ୧୧୪ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ୧୧ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ୫ମ ସ୍ଥାନରେ ଥିବା ପଞ୍ଜାବ ପ୍ଲେଅଫ୍ ଆଶା ବଜାୟ ରଖିଛି। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ସନ୍‌ରାଇଜର୍ସ ଚିନ୍ତାରେ ପଡ଼ିଯାଇଛି।

ବରୁଣଙ୍କ ଘାତକ ବୋଲିଂ: ଦିଲ୍ଲୀକୁ ୫୯ ରନ୍‌ରେ ହରାଇଲା

ଅବୁ ଧାବୀ: କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ପରାସ୍ତ କରିଛି। ଅବୁ ଧାବୀର ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ନିଜ ଟିମ୍‌ ପାଇଁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୪୭ ରନ୍‌ କରିଥିଲେ। ଏହି ରନ୍‌ ସଂଗ୍ରହ କରିବା ପାଇଁ ସେ ୩୮ଟି ବଲର ସମ୍ମୁଖୀନ ହୋଇ ୫ଟି ଚୌକା ମଧ୍ୟ ମାରିଥିଲେ। ଋଷଭ ପନ୍ତ ୩୩ଟି ବଲ୍‌ ଖେଳି ୨୭ ରନ୍‌ ଯୋଡ଼ିଥିଲେ। ପନ୍ତଙ୍କ ବ୍ୟାଟରୁ ୨ଟି ଚୌକା ଓ ଗୋଟିଏ ଛକା ମିଳିଥିଲା। ରବିଚନ୍ଦ୍ରନ ଅଶ୍ୱିନ ୧୩ଟି ବଲ ଖେଳି ୧୪ ରନ୍‌ କରିଥିଲେ। ସେହିପରି ସିମରନ୍‌ ହେଟ୍‌ମେୟର ୧୦ ରନ୍‌, ଅକ୍ଷର ପଟେଲ ଓ କାଗିସୋ ରବାଡ଼ା ୯ ରନ୍‌ ଲେଖାଏଁ ଯୋଡ଼ିଥିଲେ। ଏତଦ୍‌ ବ୍ୟତୀତ ଦଳର ଅନ୍ୟ ଖେଳାଳିମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ।ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ କ୍ୟାପିଟାଲ୍‌ସର ବ୍ୟାଟିଂ ଅର୍ଡର ଯେପରି ଭୁଷୁଡି ପଡିଥିଲା। ବରୁଣ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ୫ ୱିକେଟ ନେଇଥିଲେ। ପ୍ୟାଟ୍ କମିନ୍‌ସ ୩ଟି ଓ୍ଵିକେଟ୍‌ ନେଇଥିଲେ। ଲକି ଫରଗୁସନ୍‌ଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। ଘାତକ ବୋଲିଂ ପାଇଁ ବରୁଣଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

ଦଳର ପ୍ରଦର୍ଶନ ବାଧିଥିବା ମାନିଲେ ଧୋନି

ଶାରଜାହ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନୈରଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୦ ୱିକେଟରେ ପରାଜିତ ହେବା ପରେ ଧୋନି କହିଛନ୍ତି ଯେ ଆମେ କେତେ ରନ ଓ ୱିକେଟରେ ହାରିଲୁ ତାହା ବଡ଼ କଥା ନୁହେଁ, ମାତ୍ର ବର୍ତ୍ତମାନ ଆମର ଟିମ ପୋଜିସନକୁ ଦୁଃଖିତ। କ’ଣ ସବୁ ଭୁଲ ରହିଲା, ତାହା ଉପରେ ସମୀକ୍ଷା କରିବା ପାଇଁ ସମୟ ଆସିଛି। ଆସନ୍ତା ସିଜିନରେ କିପରି ଏହାର ପୁନରାବୃତ୍ତି ନ ହେବ, ତାହା ଉପରେ ଗୁରୁତ୍ବ ଦେବାକୁ ସେ କହିଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇବା ପରଠାରୁ ଆମେ ଖରାପ ପ୍ରଦର୍ଶନ କରି ଆସିଛୁ। ଅବଶ୍ୟ ବେଳେ ବେଳେ ଆମକୁ ଭାଗ୍ୟ ସାଥ ଦେଇନି। ଯେଉଁ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଚାହିଁଛୁ ସେହି ମ୍ୟାଚରେ ଆମେ ଟସ ହାରିବା କାରଣରୁ ଆଗ ବ୍ୟାଟିଂ କରିବାର ସୁଯୋଗ ପାଇନୁ। ସେହିପରି ଅମ୍ବାତି ରାୟୁଡୁ ଆହତ ହେବା ଓ ଆଉ କେତେକ ଖେଳାଳି ୨୦୦ ପ୍ରତିଶତ ଫିଟ ବୋଲି ପ୍ରମାଣିତ କରି ନ ପାରିବା ଆମ ପାଇଁ ବିପର୍ଯ୍ୟୟ ଆଣିଛି।

ସିରାଜ ଓ ଚହଲଙ୍କ ଚମତ୍କାରିତା: ବାଙ୍ଗାଲୋରର ସପ୍ତମ ବିଜୟ
ବଟଲରଙ୍କ ଡବଲ୍ ଖୁସି: ୨୦୦ତମ ମ୍ୟାଚ୍ ଜର୍ସି ଉପହାର

ଅବୁ ଧାବୀ: ଚଳିତ ଆଇପିଏଲ୍‌ରେ ସୋମବାର ଏଠାରେ ରାଜସ୍ଥାନ ରୟାଲ୍ସ ସହ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ହୋଇଥିଲା। ଏଥିରେ ରାଜସ୍ଥାନ ରୟାଲ୍ସ ବେଶ୍ ସହଜରେ ବିଜୟୀ ହୋଇଥିବା ବେଳେ ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଏହି ମ୍ୟାଚରେ ତାଙ୍କର ଅପରାଜିତ ୭୦ ରନର ଆକର୍ଷଣୀୟ ଇନିଂସକୁ ପାଥେୟ କରି ରାଜସ୍ଥାନ ୭ ୱିକେଟରେ ବିଜୟୀ ହୋଇଥିଲା। ଦଳକୁ ବିଜୟୀ କରାଇଥିବାରୁ ବଟଲରଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ ହୋଇଥିବା ବେଳେ ତାଙ୍କ ପାଇଁ ଆଉ ଏକ ଖୁସିର ମୁହୂର୍ତ୍ତ ଆଣିଦେଇଥିଲେ ପ୍ରତିପକ୍ଷ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ସୋମବାର ଧୋନି ଆଇପିଏଲ୍‌ରେ ତାଙ୍କର ୨ଶହତମ ମ୍ୟାଚ୍ ପୂରଣ କରିଥିଲେ। ଧୋନି ଆଜି ପର୍ଯ୍ୟନ୍ତ ୧୭୦ଟି ମ୍ୟାଚ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଓ ଅବଶିଷ୍ଟ ୩୦ଟି ମ୍ୟାଚ୍ ଗତ ୨୦୧୬ ଓ ୨୦୧୭ରେ ରାଇଜିଂ ପୁଣେ ସୁପରଜାଏଣ୍ଟ୍ସ ପକ୍ଷରୁ ଖେଳିଛନ୍ତି। ତେବେ ଧୋନି ତାଙ୍କର ଏହି ସ୍ମରଣୀୟ ମ୍ୟାଚର ଜର୍ସିଟିକୁ ଖେଳ ଶେଷ ହେବା ପରେ ବଟଲରଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି। ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ଜଣେ କିମ୍ବଦନ୍ତୀ ୱିକେଟକିପର ଭାବେ ପରିଚିତ ଥିବା ବେଳେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ବଟଲର୍ ଅନ୍ୟତମ। ତେଣୁ ଧୋନିଙ୍କଠାରୁ ଏହି ଜର୍ସିଟି ଗ୍ରହଣ କରିବା ପରେ ବଟଲରଙ୍କ ମୁହଁରେ ତଜ୍ଜନିତ ଖୁସିର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।

ଏମଏସ ଧୋନି @ ୨୦୦ ନଟଆଉଟ୍

ଅବୁ ଧାବୀ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମ.ଏସ. ଧୋନି ଆଇପିଏଲରେ ପ୍ରଥମ ଖେଳାଳି ଭାବେ ୨୦୦ତମ ମ୍ୟାଚ ଖେଳିବା ଗୌରବର ଅଧିକାରୀ ହୋଇଛନ୍ତି। ସୋମବାର ଧୋନି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ ଖେଳିବା ଅବସରରେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ର୍ଶମା ୧୯୭ଟି ମ୍ୟାଚ ଖେଳି ଦ୍ବିତୀୟ ସ୍ଥାନରେ ରହିଥିଲାବେଳେ ସୁରେଶ ରୈନା ଓ ଦିନେଶ କାର୍ତ୍ତିକ ପ୍ରତେକ ୧୯୧ଟି ମ୍ୟାଚ ଖେଳି ମିଳିତ ଭାବେ ୩ୟ ସ୍ଥାନରେ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଅଧିନାୟକ ବିରାଟ କୋହଲି ୧୮୬ ମ୍ୟାଚ ଖେଳି ୪ର୍ଥ ସ୍ଥାରେ ରହିଛନ୍ତି। ଏହି ଲମ୍ବା ପଥ ଯାତ୍ରାରେ କେବଳ ଧୋନି ଦୁଇଟି ଦଳର ଜର୍ସି ପରିଧାନ କରିଛନ୍ତି। ଚେନ୍ନାଇ ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲା ବେଳେ ଧୋନି ପୁନେ ସୁପରଜ୍ୟାଣ୍ଟ ପକ୍ଷରୁ ମ୍ୟାଚ ଖେଳିଥିଲେ।

ରୋମାଞ୍ଚକର: ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇକୁ ହରାଇଲା

ଦୁବାଇ: ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦୁଇ ଦୁଇଟି ସୁପର ଓଭର ଦେଖିବାକୁ ମିଳିଥିଲା। ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୫ତମ ମ୍ୟାଚ୍‌କୁ କୋଲକାତା ନାଇଟ୍‌ ରାଇଡର୍ସ ସୁପର ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଜିତିଥିବା ବେଳେ ୩୬ତମ ମ୍ୟାଚ୍‌କୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମ ସୁପର ଓଭର ଟାଇ ହେବା ପରେ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ହରାଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। କ୍ବିଣ୍ଟନ୍‌ ଡି' କକ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍ କରିଥିଲା। ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୬ ୱିକେଟରେ ସମାନ ୧୭୬ ରନ୍ କରି ପାରିଥିଲା। ଫଳରେ ଉଭୟ ଦଳର ରନ୍‌ ସମାନ ହେବାରୁ ମ୍ୟାଚ ଟାଇ ହୋଇଥିଲା। ଆଇପିଏଲ୍ ନିୟମ ଅନୁଯାୟୀ ସୁପର ଓଭର ଖେଳା ଯାଇଥିଲା। ଏଥିରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୫ ରନ୍‌ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଜସପ୍ରୀତ ବୁମରା ୨ଟି ୱିକେଟ ନେଇଥିଲେ। ଅନ୍ୟପକ୍ଷରେ ବିସ୍ମୟଜନକ ଭାବେ ମୁମ୍ବାଇ ମଧ୍ୟ ସୁପର ଓଭରରେ ସେହି ୨ଟି ୱିକେଟ ହରାଇ ୫ ରନ୍‌ କରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମଦ ଶମୀ ୨ଟି ୱିକେଟ ନେଇଥିଲେ। ଫଳରେ ଉଭୟ ଦଳର ରନ୍‌ ପୁଣି ଥରେ ସମାନ ହେବାରୁ ନିୟମ ଅନୁଯାୟୀ ଆଉ ଏକ ସୁପର ଓଭର ଖେଳା ଯାଇଥିଲା। ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୧ ରନ୍ ସଂଗ୍ରହ‌ କରିଥିଲା। ମାତ୍ର ମୁମ୍ବାଇର ଟ୍ରେଣ୍ଟ ବୋଲ୍‌ଟଙ୍କ ଓଭରର ୪ଟି ବଲ୍‌ରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କ୍ରିସ ଗେଲ୍ ଗୋଟିଏ ଛକା ସହିତ ୭ ରନ୍ ଓ ମୟଙ୍କ ଅଗ୍ରଓ୍ୱାଲ୍ ଦୁଇଟି ଚୌକା ମାରି ଏହି ରୋମାଞ୍ଚକ ମ୍ୟାଚରେ ଦଳକୁ ବିଜୟ ଦେଇଥିଲେ। ଏହାକୁ ମିଶାଇ ୯ମ ମ୍ୟାଚ୍‌ରେ ପଞ୍ଜାବ ୩ୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ସମାନ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି। ମ୍ୟାଚ୍‌ରେ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପଞ୍ଜାବ ଅଧିନାୟକ ରାହୁଲଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

ଲକି କୋଲକାତା ପାଇଁ ଲକି: ସୁପର ଓଭରରେ ହାଇଦ୍ରାବାଦ୍‌କୁ

ଅବୁ ଧାବୀ: ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ ଜିତିଛି କୋଲକାତା ନାଇଟ୍‌ ରାଇଡର୍ସ। ଅବୁ ଧାବୀର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିବା ପରେ ସୁପର ଓଭର ଖେଳାଯାଇଥିଲା। କୋଲକାତା ପକ୍ଷରୁ ପ୍ରଥମ ଥର ମ୍ୟାଚ୍‌ ଖେଳିଥିବା ବୋଲର ଲକି ଫର୍ଗୁସନ୍ ଦଳ ପାଇଁ ଲକି ପ୍ରମାଣିତ ହୋଇଛନ୍ତି। ସେ ପ୍ରଥମେ ମ୍ୟାଚ୍‌ରେ ୪ ଓଭରରେ ୧୫ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ସୁପର ଓଭରର ପ୍ରଥମ ଓ ତୃତୀୟ ବଲରେ ୨ଟି ୱିକେଟ ନେଇ ହାଇଦ୍ରାବାଦ୍‌କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଫଳରେ କୋଲକାତା ନାଇଟ୍‌ ରାଇଜର୍ସ ବିଜୟୀ ହୋଇଛି। ଘାତକ ବୋଲିଂ ପାଇଁ ଲକି ଫର୍ଗୁସନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। କୋଲକାତା ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବଲରେ ୧୦ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ସୁରକ୍ଷିତ ରହିଛି।

ଧୱନଙ୍କ ଧମାଲ୍‌: ଚେନ୍ନାଇକୁ ହରାଇ ପୁଣି ଶୀର୍ଷରେ ଦିଲ୍ଲୀ

ଶାରଜାହ: ଶନିବାର ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣର ୩୪ତମ ମ୍ୟାଚ୍ ଶାରଜାହ କ୍ରିକେଟ ଷ୍ଟାଡିୟମଠାରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଛି। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧୱନଙ୍କ ବିସ୍ଫୋରକ ଶତକ ବଳରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ଦିଲ୍ଲୀ ୧୪ ପଏଣ୍ଟ ସହ ପୁଣି ଥରେ ଟେବଲର ଶୀର୍ଷକୁ ଉନ୍ନୀତ ହୋଇଛି। ଚେନ୍ନାଇ ୬ ପଏଣ୍ଟ ସହ ଟେବଲର ଷଷ୍ଠ ସ୍ଥାନରେ ରହିଛି। ଦିଲ୍ଲୀ ଧାର୍ଯ୍ୟ ୧୮୦ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୫ ଓଭର୍‌ରେ ହାତରେ ୫ଟି ଓ୍ୱିକେଟ୍ ଥାଇ ହାସଲ କରିନେବା ଫଳରେ ସଂସ୍କରଣରେ ଦଳ ତା’ର ସପ୍ତମ ବିଜୟ ହାସଲ କରିଛି। ମାତ୍ର ୫୮ଟି ବଲ୍‌ରେ ଅପରାଜିତ ୧୦୧ ରନ୍ କରିଥିବା ଧୱନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ