Pratinidhi Odia

ବୁଝି ବିଚାରି କାମ କଲେ...

ଦେଶର ସବୁଠୁ ଆବଶ୍ୟକ ସମୟରେ ସବୁ ଦଳର ନେତାଏ ଏକ ସ୍ବରରେ ମତ ନ ରଖିବା ଲଜ୍ଜାଜନକ

ସମୟ ବଡ଼ ବଳବାନ୍‌। ଅତୀତର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନର ପରିସ୍ଥିତିକୁ ପରଖି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଗ୍ରହଣ କଲେ ସଭିଙ୍କ ମଙ୍ଗଳ ସାଧନ ହୋଇଥାଏ। ଭାରତ-ପାକିସ୍ତାନ ମଧ୍ୟରେ, ଉପୁଜିଥିବା ତିକ୍ତତାପୂର୍ଣ୍ଣ ପରିବେଶରେ ସରକାର, ବିରୋଧୀ, ବିଭିନ୍ନ ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ ଓ କଳାକାରଙ୍କ ବୟାନବାଜି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ସମଗ୍ର ଦେଶବାସୀ ମନେରଖିବା ଉଚିତ ଯେ ରାଷ୍ଟ୍ରର ସ୍ବାର୍ଥକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ତୁଣ୍ଡରୁ କଥା ଖସିଗଲେ ଗଲା। ଯୁଦ୍ଧଠାରୁ ବି ଏହାର ଭୟାବହତା ଅଧିକ। କାରଣ ଦାୟିତ୍ବହୀନ ମନ୍ତବ୍ୟ ପରସ୍ପର ମଧ୍ୟରେ ସନ୍ଦେହ ସୃଷ୍ଟିକରେ। କଥା କଟାକଟି ହୋଇ ବାଦବିବାଦ ହୁଏ। ଗୋଷ୍ଠୀକନ୍ଦଳ ଉପୁଜେ, ଏକତା ଭଙ୍ଗ ହୁଏ। ଦେଶରେ ଅରାଜକତା ସୃଷ୍ଟି ହେଲେ ଶତ୍ରୁ ଏହାର ଭରପୂର ଫାଇଦା ଉଠାଏ। ଶାନ୍ତି ପ୍ରତିହତ ହୁଏ।

ଉରିରେ, ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଏହାର କଡ଼ା ଜବାବ ଦେଇଛି। ପାକିସ୍ତାନ ଏହାକୁ ମିଥ୍ୟାର ଆଖ୍ୟା ଦେଇ ଅନ୍ତର୍ଜାତୀୟ ସ୍ତରରେ ନିଜ ଏକଘରିଆପଣକୁ ଲୁଚାଇବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କଂଗ୍ରେସ ନେତା ପି.ଚିଦାମ୍ବରମ୍‌ ଓ ସଞ୍ଜୟ ନିରୂପମ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଉ ପାଦେ ଆଗେଇ ଯାଇଛନ୍ତି। ଏଥିପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସେନାଙ୍କୁ ପ୍ରଶଂସା କରିଥିବା ରାହୁଲ ଏବେ କହୁଛନ୍ତି ଯେ ଦେଶ ପାଇଁ ଲଢ଼ୁଥିବା ଯବାନଙ୍କ ରକ୍ତ ବିନିମୟରେ ମୋଦି ରାଜନୈତିକ ଦଲାଲୀ କରୁଛନ୍ତି। ସରକାର ତ ସେନାଠାରୁ ଏହାର ପ୍ରମାଣ ପାଇଲେଣି। ତେବେ ଦେଶର ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ଓ ପରାମର୍ଶଦାତାଙ୍କ ସହ ବିଚାର ବିମର୍ଶ କରି ପ୍ରମାଣ (ଭିଡିଓ ଫୁଟେଜ)ର ସାର୍ବଜନୀନ ପ୍ରଦର୍ଶନ ସମ୍ପର୍କିତ ନିଷ୍ପତ୍ତି ନେବା ଦାୟିତ୍ବ ପ୍ରଧାନମନ୍ତ୍ରୀ ଓ ସରକାରଙ୍କର। କିନ୍ତୁ ଦେଶର ସବୁଠୁ ଆବଶ୍ୟକ ସମୟରେ ବିଶ୍ବର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁ ଦଳର ନେତାଏ ଏକ ସ୍ବରରେ ମତ ନ ରଖିବା ଲଜ୍ଜାଜନକ।

ଅପରପକ୍ଷେ ଶାସକ ବିଜେପିର ମନ୍ତ୍ରୀ ଓ ନେତାଏ ମଧ୍ୟ ପଛରେ ପଡ଼ି ନାହାନ୍ତି। ମୁଣ୍ଡ ଉପରେ ଉତ୍ତରପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାରୁ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତାଏ। ଏହା ରୋକିବାକୁ ପ୍ରଧାନମନ୍ତ୍ରୀ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ କ୍ୟାବିନେଟ୍‌ ସହଯୋଗୀ, ଦଳୀୟ କର୍ମକର୍ତ୍ତା ଓ ରଣନୀତି ପ୍ରସ୍ତୁତକାରୀଙ୍କୁ ଏ ସମ୍ପର୍କିତ ବୟାନବାଜିରୁ ନିବୃତ୍ତ ରହିବାକୁ ତାଗିଦ୍‌ କରିଛନ୍ତି। ଏହା ଏକ ସୁଚିନ୍ତିତ ପଦକ୍ଷେପ। କାରଣ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଏହାଦ୍ବାରା ମାନବଜାତିର ଅଭାବନୀୟ କ୍ଷତିହୁଏ। ତେବେ ସବୁ ପରିସ୍ଥିତିରେ ଦେଶର ମାନ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାର ପ୍ରୟାସ ହେବା ଆବଶ୍ୟକ। ଭାବି ଚିନ୍ତି କାର୍ଯ୍ୟ କଲେ ହିଁ ସମସ୍ୟାର ସମାଧାନ ହୁଏ। ଏଣୁ କଥାରେ ଅଛି - ବୁଝି ବିଚାରି କାମ କଲେ, ବିପଦ ନ ପଡ଼ଇ ଭଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?