Pratinidhi Odia

ମନଛୁଆଁ ସଙ୍ଗୀତ ସର୍ଜନାରେ ହିଁ ମିଳେ ଆତ୍ମତୃପ୍ତି: ପ୍ରଫୁଲ୍ଲ କର

କାମକୁ ବ୍ରତ ଭାବେ ନେବା ସହ ଏହା ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖ

ପ୍ରଫୁଲ୍ଲ କରଙ୍କ ବାସଭବନରେ ତାଙ୍କ ସହ ହୋଇଥିବା ଆଳାପ

ଏକାଧାରରେ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, କବି, କଥାକାର, ସ୍ତମ୍ଭକାର ସେ। ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତରେ ଯେମିତି ପ୍ରବୀଣ, ସିନେମା ଓ ଆଧୁନିକ ସଙ୍ଗୀତରେ ସେମିତି ଲୋକପ୍ରିୟ। ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ସାଧନାରେ ନିମଗ୍ନ ଏହି ସଂସ୍କୃତିସମ୍ପନ୍ନ ବ୍ୟକ୍ତିତ୍ୱ ହେଉଛନ୍ତି ଡ.ପ୍ରଫୁଲ୍ଲ କର। ଏକମାତ୍ର ଓଡ଼ିଆ ଭାବେ ତାଙ୍କୁ ମିଳିଛି ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ଓ ୨୦୧୬ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଏହି ପ୍ରତିଭାବାନ୍‌ ବ୍ୟକ୍ତିତ୍ବଙ୍କୁ ଭେଟିଥିଲେ ପ୍ରତିନିଧି ଟିମ୍‌ର ପ୍ରଦୀପ୍ତ କେ. ପତି।

ଓଡ଼ିଆ ସଙ୍ଗୀତ କ୍ଷେତ୍ରର ଏକ ଜଣାଶୁଣା ନାମ ହେଉଛି ପ୍ରଫୁଲ୍ଲ କର। ଜାଜ୍ୱଲ୍ୟମାନ ପ୍ରତିଭା ବଳରେ ସେ ସୃଷ୍ଟି କରିଛନ୍ତି ୭୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଓ ୪ଟି ବଙ୍ଗଳା ସିନେମାର ସଙ୍ଗୀତ, ଓଡ଼ିଆ ଭାଗବତ, ଛାନ୍ଦ, ଚମ୍ପୁ, ଦେଶାମତ୍ବୋଧକ ଓ ଭକ୍ତି ରସାମତ୍କ ସଙ୍ଗୀତ ସମେତ ୧୦୦ରୁ ଊର୍ଦ୍ଧ୍ୱ ଅଣସିନେମା ସଙ୍ଗୀତ ଆଲ୍‌ବମ୍। ଓଡ଼ିଶୀ ଡ୍ୟାନ୍ସ ଡ୍ରାମା, ବ୍ୟାଲେ ଓ ଓଡ଼ିଶୀ ସଙ୍ଗୀତ ସଂଯୋଜନାରେ ବି ସେ ମାହିର। ଲଗାତର ୬ ଥର ସମେତ ମୋଟ ୮ ଥର ଓଡ଼ିଆ ସିନେମାର ଶ୍ରେଷ୍ଠ ସଙ୍ଗୀତକାର ଓ ଥରେ ଶ୍ରେଷ୍ଠ କଣ୍ଠଶିଳ୍ପୀର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ପ୍ରଫୁଲ୍ଲଙ୍କୁ ମିଳିଛି ରାଜ୍ୟ ସସ୍କୃତି ବିଭାଗର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ସହ ଅନେକ ସମ୍ମାନ ଓ ପୁରସ୍କାର। ତାଙ୍କ ସାହିତ୍ୟ କୃତି ମଧ୍ୟରେ ରହିଛି ଭକ୍ତିଗୀତ ପୁସ୍ତକ ‘ଅନିୟ ମାଳା’, ସାମ୍ପ୍ରତିକୀ ‘ଯାହା କହୁଛି ସତ କହୁଛି’ କ୍ଷୁଦ୍ରଗଳ୍ପ ସଂକଳନ ‘ସାଉଁଟା କାହାଣୀ’ (ସ୍ତମ୍ଭରେ ବି ପ୍ରକାଶିତ)। ୨୦ରୁ ଊର୍ଦ୍ଧ୍ୱ କଣ୍ଠଶିଳ୍ପୀଙ୍କୁ ପ୍ରଥମେ ସିନେମାରେ ଗାଇବାର ସୁଯୋଗ ଦେଇଥିବା ପ୍ରଫୁଲ୍ଲଙ୍କ ସଙ୍ଗୀତ ନିର୍ଦେଶନାରେ ୬ ଜଣ କଣ୍ଠଶିଳ୍ପୀ ଶ୍ରେଷ୍ଠ ସିନେ କଣ୍ଠଶିଳ୍ପୀ ଭାବେ ପାଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
୧୯୩୯ରେ ପୁରୀଠାରେ ଏକ ସଙ୍ଗୀତ ପରିବାରରେ ବୈଦ୍ୟନାଥ କର ଓ ସୁଶୀଳା କରଙ୍କ ଔରସରୁ ତାଙ୍କ ଜନ୍ମ। ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ କ୍ଷେତ୍ର ମୋହନ କରଙ୍କ ସେ ପୁତୁରା। ବାଲ୍ୟ କାଳରେ ପିତାଙ୍କ ଦେହାନ୍ତ ପରେ ଅଜା ଭଗବାନ ମିଶ୍ର ଓ ଆଈ ଅପନ୍ନା ଦେବୀଙ୍କ ତତ୍ତ୍ବାବଧାନରେ ସେ ବଡ଼ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରି ବର୍ଷେ କାଳ ସେ ହାଇକୋର୍ଟରେ ଓକିଲାତି କରିଛନ୍ତିା ମହାରାଷ୍ଟ୍ରର ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟରୁ ପଣ୍ଡିତ ମାର୍କଣ୍ଡେୟ ମହାପାତ୍ରଙ୍କ ତତ୍ତ୍ବାବଧାନରେ ସଙ୍ଗୀତ ବିଶାରଦ ଉପାଧି ଲାଭ କରିଛନ୍ତି ସେ। ୧୯୬୦ରେ ଆକାଶବାଣୀର କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦେଶକ ଓ ଗୀତିକାର ଭାବେ ସଙ୍ଗୀତ ଦୁନିଆକୁ ତାଙ୍କ ପ୍ରବେଶ। ରାଜ୍ୟ ତଥା ଦେଶ ବିଦେଶରେ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କ ମନ ମୋହିଥିବା ପ୍ରଫୁଲ୍ଲଙ୍କ ରୁଚି ଚିତ୍ରକଳା ଓ ରୋଷେଇରେ ବି ରହିଛିା ବିଳମ୍ବରେ ହେଉ ପଛେ ତାଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ତାଙ୍କ ସହ ହୋଇଥିବା ବାର୍ତ୍ତାଳାପର କିୟଦଂଶ...

ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମନରେ ବିଶେଷ ଆଗ୍ରହ ଜନ୍ମାଇଥିଲା କି? ପାଇବା ପରର ଅନୁଭୂତି?

ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ମନରେ ସେମିତି ଖାସ୍ ଆଗ୍ରହ ନ ଥିଲା। କାରଣ ଏହା ମିଳିବ ବୋଲି କେବେ ବି ଆଶା କରି ନ ଥିଲି। ପରିଣତ ବୟସରେ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସହ ପଦକ, ପୁରସ୍କାର ରାଶି କି ସୁବିଧା ସୁଯୋଗ ଜଡ଼ିତ ନାହିଁ। ଖାଲି ସଭିଏଁ ଜାଣିବା ପାଇଁ ଏହା ଏକ ମର୍ଯ୍ୟାଦାଜନକ ପୁରସ୍କାର। ଅବଶ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତାଙ୍କ ସମ୍ମାନାର୍ଥେ କିଛି ଅର୍ଥରାଶି ପ୍ରଦାନ କରାଯାଇଛି। ହଁ, ଶ୍ରୋତା ଓ ପ୍ରଶଂସକଙ୍କ ଆବେଗ ଓ ଉତ୍କଣ୍ଠା ହେତୁ ଏହା ପାଇ ମୁଁ ଆନନ୍ଦିତ। ତେବେ ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ଭଳି ମର୍ଯ୍ୟାଦାଜନକ ପୁରସ୍କାରର ପ୍ରଣାଳୀ, ଚୟନ ପ୍ରକ୍ରିୟା, ନିୟମାବଳୀ ଓ ଉଦ୍ଦେଶ୍ୟ କ’ଣ, ତାହା ଏଯାଏଁ ବୁଝି ପାରିନି।

ସଙ୍ଗୀତ କ୍ଷେତ୍ରକୁ କେମିତି ଆସିଲେ?
ଆଇନରେ ଡିଗ୍ରୀ ହାସଲ କରି ବିଜୟ ମହାନ୍ତି, ବାରିଷ୍ଟର ରଣଜିତ୍ ମହାନ୍ତିଙ୍କ ଭଳି ସେତେବେଳର ନାମୀ ଓକିଲଙ୍କ ଅଧୀନରେ ହାଇକୋର୍ଟରେ ବର୍ଷେ ଓକିଲାତି କରିବା ପରେ ସଙ୍ଗୀତ କ୍ଷେତ୍ରକୁ ଓହ୍ଲାଇଲିା ସଙ୍ଗୀତକୁ ପ୍ରେମ କରୁଥିଲେ ହେଁ ପେସା କରିବି ବୋଲି ଭାବି ନ ଥିଲି। ପ୍ରଥମେ ଅନେକଙ୍କ ଟାହି ଟାପରା ଶୁଣିଲିା ଅଜା କହୁଥିଲେ, ‘ରାସ୍ତାରେ ଯେତେ ପଥର ପଡ଼ିବ, ଗୋଡ଼ ସେତେ ଟାଣ ହେବା’ ଏଭଳି ବିରୋଧାଭାସକୁ ଭ୍ରୂକ୍ଷେପ ନ କରି ଏହାକୁ ଚ୍ୟାଲେଞ୍ଜ ସଦୃଶ ଗ୍ରହଣ କଲି।

ଏବର ଓଡ଼ିଆ ସଙ୍ଗୀତ ସମ୍ପର୍କରେ କ’ଣ କହିବେ?
ସାମ୍ପ୍ରତିକ ସମୟରେ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ପାଶ୍ଚାତ୍ୟ ସମେତ ତେଲୁଗୁ, ପଞ୍ଜାବୀ ଭଳି ଅନ୍ୟ ଭାଷାଭାଷୀ ସଙ୍ଗୀତର ଅଧିକ ପ୍ରଭାବ ଅନୁଭୂତ ହେଉଛି। ଫଳରେ ଆମେ ନିଜସ୍ବ ସତ୍ତା ଓ ମୌଳିକତା ହରାଉଛେ। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଏତେ ସମୃଦ୍ଧ ଯେ ଏହାକୁ ଆଧାର କରି ଆଜି ବି ମନଛୁଆଁ ସଙ୍ଗୀତ ସୃଷ୍ଟି କରାଯାଇ ପାରିବା କ’ଣ କଲେ ଚମତ୍କାରିତା ସୃଷ୍ଟି କରିହେବ, ସେହି ସନ୍ଧାନରେ ସବୁବେଳେ ସଙ୍ଗୀତଜ୍ଞ ରହିବା ଜରୁରୀ।

କେଉଁଠି ସଙ୍ଗୀତ ପରିବେଷଣ ପାଇଁ ଆଗ୍ରହୀ?

ମୟୁରଭଞ୍ଜର ବାରିପଦାରେ ସଙ୍ଗୀତ ପରିବେଷଣ କରିବାକୁ ଖୁବ୍ ଭଲ ଲାଗେ। କାରଣ ସେଠିକାର ଶ୍ରୋତା ବେଶ୍ ସଙ୍ଗୀତପ୍ରେମୀ। ସେହିପରି ବଙ୍ଗାଳୀ, ପଞ୍ଜାବୀ ଓ ଦକ୍ଷିଣ ଭାରତୀୟ ବି ସଙ୍ଗୀତକୁ ଭାରି ଆଦର କରନ୍ତି।

ଆପଣଙ୍କ ସଙ୍ଗୀତ ନିର୍ଦେଶନାରେ ଗାଇଥିବା ଲବ୍ଧପ୍ରତିଷ୍ଠ ଅଣଓଡ଼ିଆଙ୍କ ମଧ୍ୟରୁ କିଏ ପସନ୍ଦ?

ନିର୍ଦ୍ୱନ୍ଦ୍ୱରେ ବାଣୀ ଜୟରାମ। ସେ ବେଶ୍ ବୁଦ୍ଧିମତୀ, ଧୈର୍ଯ୍ୟବତୀ ଓ ପରିଶ୍ରମୀ।

କିଏ ଆପଣଙ୍କ ଘନିଷ୍ଠ ବନ୍ଧୁ?

ବାଲ୍ୟବନ୍ଧୁ କପିଳେଶ୍ୱରପୁରର ସଚ୍ଚି ମହାନ୍ତି,  ମଣିକନିକାର ବିଶ୍ୱନାଥ ଖୁଣ୍ଟିଆ ଓ ପୁରୀର କବି ତଥା ନାଟ୍ୟକାର ହରିହର ମିଶ୍ର ମୋର ଘନିଷ୍ଠା

କ’ଣ କରିବାକୁ ଭଲ ପାଆନ୍ତି?

ସଙ୍ଗୀତ, ସାହିତ୍ୟ, ରୋଷେଇ ସବୁଥିରେ ମୋର ଆଗ୍ରହ। ନିଜକୁ ପରମାନନ୍ଦ ବୋଲି ଭାବୋ ଯିଏ ଅନ୍ୟକୁ ଆନନ୍ଦ ଦିଏ, ସେ ପରମାନନ୍ଦ। ମୋ ପେସା ଓ ରୁଚିରେ ଏହାର ପ୍ରତିଫଳନ ରହିଆସିଛି।

ରୋଷେଇ ପ୍ରତି କ’ଣ ପ୍ରଚଣ୍ଡ ଆବେଗ? ବିରିୟାନି ବଢ଼ିଆ ରାନ୍ଧନ୍ତି ପରା!
ଭଲ ଖାଇବା ପ୍ରତି ମୋର ପ୍ରବଳ ଆଗ୍ରହା ପିଲାବେଳୁ ଦେଖିଆସିଛି, ଆମ ଘରେ ଭଲ ଖାଇବା ହୁଏ। ଅନ୍ୟକୁ ଭଲ ଖୁଆଇବାର ଇଚ୍ଛା ମୋତେ ରୋଷେଇ ଆଡ଼କୁ ଟାଣେ। ବଟା ମସଲା, ମାଟି ହାଣ୍ଡି ଓ କାଠ ଚୁଲି ସ୍ବାଦିଷ୍ଟ ଓଡ଼ିଆ ଖାଦ୍ୟର ମୁଖ୍ୟ ଆଧାର। ଏବେ ବି ମୋ ଘରେ ଏସବୁ ଉପକରଣ ରହିଛି। ମନ୍ଦିର ପ୍ରସାଦଠାରୁ ଆରମ୍ଭ କରି ମଟ୍ଟନ ବିରିୟାନି ପର୍ଯ୍ୟନ୍ତ ସବୁ ଭଲ ରାନ୍ଧି ପାରେ। ଧନିଆ ପତ୍ର ଚିକେନ୍ ବି ମୋ ପସନ୍ଦ।

ଜୀବନର ଅଭୁଲା ସ୍ମୃତି ସମ୍ପର୍କରେ କିଛି କୁହନ୍ତୁ...
ପିଲାଦିନର କଥାଟିଏ ମୋ ପାଇଁ ନିଆରା ଅନୁଭୂତି ଆଣିଦେଇଥିଲା। ମୋତେ ୫ ବର୍ଷ ବୟସ ହୋଇଥିବା ବେଳେ ନନା (ବାପା)ଙ୍କ ଦେହାନ୍ତ ହେଲା, ବୋଉକୁ ସେତେବେଳେ ୨୨ ବର୍ଷ ବୟସା ମୂକ ପାଲଟି ଯାଇଥିଲେ ସେ। ସେତେବେଳେ ସେ ଥିଲେ ଅନିନ୍ଦ୍ୟ ସୁନ୍ଦରୀ। ବ୍ରାହ୍ମଣ ଘରେ ବହୁତ କଟକଣା। ବିଧବା ସ୍ତ୍ରୀ ଲୋକ ଧଳା ଲୁଗା ପିନ୍ଧିବା ସାଙ୍ଗକୁ ହବିଷ ଖାଇବାକୁ ବାଧ୍ୟ। ପିଆଜ ରସୁଣ, ଆମିଷକୁ ଶକ୍ତ ବାରଣ। କମ୍ ବୟସରେ ବୋଉଙ୍କୁ ଶ୍ୱେତ ବସ୍ତ୍ରରେ ଦେଖି ମୋ ମନରେ ଆସିଥିଲା ଅପୂର୍ବ ଆନନ୍ଦ। ତାକୁ ବଖାଣିବା ମୁସ୍କିଲ୍। କାରଣ ସେ ମୋତେ ଠିକ୍ ବୀଣାପାଣି ସରସ୍ବତୀଙ୍କ ସଦୃଶ ମନେ ହେଉଥିଲେ। ସେଇ ନିଆରା ଅନୁଭୂତି ଆଜି ବି ସତେଜ ମୋ ମାନସପଟରେ।

ଆପଣଙ୍କ ନିଆରା ସଙ୍ଗୀତ ମଧ୍ୟରୁ ଗୋଟିଏ...
‘ଶେଷ ଶ୍ରାବଣ’ ସିନେମାର ଏକ ଦୃଶ୍ୟରେ କାଳିସୀ ଗାଉଥିବା ଏକ ଗୀତ କରିବାକୁ କୁହାଗଲା ଅସଲରେ କାଳିସୀ କେବେ କେଉଁଠି ଗୀତ ଗାଏନିା ଏଣୁ ଅନେକ ଗବେଷଣା ପରେ ବି ସେଭଳି ଗୀତଟିଏ ପାଇଲି ନାହିଁ। ଶେଷରେ ନିଜେ ଲେଖିଲି - କାଳୀ କପାଳୀ ନରମୁଣ୍ଡ ମାଳି ମୁଁ...। ମାଡ୍ରାସର ପ୍ରସାଦ ଷ୍ଟୁଡିଓରେ ଏହାର ରେକର୍ଡିଂ ଚାଲିଥାଏ। ଯେଉଁ ଢଙ୍ଗରେ ଏହାକୁ ଗାଇବା କଥା କେହି ଗାଇ ନ ପାରିବାରୁ ମୋତେ କଣ୍ଠଦାନ କରିବାକୁ ପଡ଼ିଲାା ଏହାର ଲୋକପ୍ରିୟତା ସମ୍ପର୍କରେ ସଭିଏଁ ଜାଣନ୍ତି।

ଯୁବପିଢ଼ିଙ୍କୁ କ’ଣ ପରାମର୍ଶ ଦେବେ?
କ୍ୟାରିଅରରେ ଯେଉଁ କ୍ଷେତ୍ରକୁ ବାଛୁଛ, ତାହାକୁ ବ୍ରତ ଭାବେ ନିଅ। କାମ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖା ଧର୍ମ-ଅଧର୍ମ ଫରକକୁ ଜାଣ। ଲକ୍ଷ୍ୟ ସ୍ଥିର କର। ସଫଳତା ନିଶ୍ଚୟ ମିଳିବ।

ଆଗାମୀ ଯୋଜନା କ’ଣ?
ନିର୍ଦେଶକ ସ୍ବର୍ଗତ ଗୋବିନ୍ଦ ତେଜଙ୍କ ପରିକଳ୍ପିତ ତଥା ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ସଜ୍ଜିତ ‘ରାମାୟଣ’ ଡ୍ୟାନ୍ସ ଡ୍ରାମାର ସଙ୍ଗୀତ ସଂଯୋଜନା କରୁଥିଲି। ଗୋବିନ୍ଦଙ୍କ ଦେହାନ୍ତ ପରଠାରୁ କାମ ଅଧାରେ ରହିଛି। ସାଧୁ ମେହେରଙ୍କ ନିର୍ଦେଶିତ ‘ନୀଳ ଶୈଳ’ ସିନେମାର ସଙ୍ଗୀତ ରିଲିଜ୍‌ ହୋଇଥିଲେ ବି ଫିଲ୍ମଟି ମୁକ୍ତିଲାଭ ହୋଇ ନ ଥିବାରୁ ଏହା ଲୋକଙ୍କ ନିକଟରେ ପହଞ୍ଚି ପାରି ନାହିଁ।

ସେହିପରି ଦାରୁ ଚିହ୍ନଟ ଓ ସଂଗ୍ରହ ସମୟରେ ମନୋନୀତ ନିମ୍ବ ଗଛର ଅଭିବ୍ୟକ୍ତିକୁ ନେଇ କିଛି ଲେଖିବାକୁ ଇଚ୍ଛା ହେଉଛି। କାଉ ପକାଇଥିବା ମଞ୍ଜିରୁ ଗଛ ହୋଇଥିବା ନିମ୍ବକୁ କେହି କେବେ ପାଣି ଟୋପାଏ ଦେଇ ନାହାନ୍ତି। ପ୍ରକୃତି କୋଳରେ ବଢ଼ିଥିବା ଏହି ନିମ୍ବ ଏବେ ଦାରୁ ରୂପେ ଚିହ୍ନିତ। ହଣା ଖାଇ ଧରାଶାୟୀ ହେବା ଅପେକ୍ଷାରେ ଦିନ ଗଣୁଛି ନିମ୍ବ। କ’ଣ ତା’ର ବେଦନା? ବୁଝୁଛି କିଏ? ଏହା ମୋର ନୂଆ ସାଉଁଟା କାହାଣୀର ବିଷୟବସ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?