Pratinidhi Odia

ବିଭିନ୍ନ ପରିସ୍ଥିତିରେ ଆଥ୍‌ଲେଟ୍‌ଙ୍କୁ ଉତ୍ତମ ପ୍ରଦର୍ଶନ ବଜାୟ ରଖିବାକୁ ହେବ : ପି.ଟି.ଉଷା

୨୦୨୦ ଅଲିମ୍ପିକ୍‌ସରେ ସଫଳତା ହାସଲ କରିବାକୁ ସେ ବଦ୍ଧପରିକର

ଭୁବନେଶ୍ବର ଠାରେ ଏକ ଅନ୍ତରଙ୍ଗ ବାର୍ତ୍ତାଳାପରେ ଭାରତୀୟ ଦୌଡ଼ରାଣୀ ପି.ଟି.ଉଷା
ଭାରତୀୟ ଟ୍ରାକ୍‌ ଏଣ୍ଡ ଫିଲ୍ଡର ରାଣୀ ଆଖ୍ୟା ପାଇଥିବା ପି.ଟି.ଉଷା ଏବେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଉଷା ସ୍କୁଲ ଅଫ ଆଥଲେଟିକ୍ସରେ ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ତାଲିମ୍‌ ଦେଉଛନ୍ତି। ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଭାରତୀୟ କ୍ରୀଡ଼ା ସାମ୍ବାଦିକ ଫେଡେରେସନର ୩୯ତମ ଜାତୀୟ ସମ୍ମେଳନରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଭେଟିଥିଲେ ପ୍ରତିନିଧି ଟିମ୍‌ର ପ୍ରଦୀପ୍ତ କେ.ପତି।

ପାୟୋଲି ଏକ୍ସପ୍ରେସ ପି.ଟି.ଉଷା ଭାରତର ମହାନ୍‌ ଆଥ୍‌ଲେଟ୍‌ଙ୍କ ମଧ୍ୟରେ ଅନ୍ୟତମ। ୧୯୮୪ ମସିହା ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍‌ସ (ବାଧା ଦୌଡ଼) ସେମି ଫାଇନାଲରେ ପ୍ରଥମ ଓ ଫାଇନାଲରେ ଫଟୋ ଫିନିଶ ଟାଇମିଂ ୫୫.୪୨ ସେକେଣ୍ଡ ସତ୍ତ୍ବେ ଏକ ସେକେଣ୍ଡର ଏକ ଶତାଂଶ ଅଧିକ ସମୟ ଲାଗି କାଂସ୍ୟ ପଦକରୁ ବଞ୍ଚିତ ହେବା ଏବଂ ୧୯୮୫ ଜାକର୍ତ୍ତା ଏସୀୟ ଟ୍ରାକ୍‌ ଏଣ୍ଡ ଫିଲ୍ଡ ମିଟ୍‌ରେ ୫ଟି ସ୍ବର୍ଣ୍ଣ ପଦକ (୧୦୦, ୨୦୦, ୪୦୦ ମିଟର, ୪୦୦ ମିଟର ହର୍ଡଲ୍‌ସ ଓ ୪x୪୦୦ ମିଟର ରିଲେ) ହାସଲ ପୂର୍ବକ ଏକକ ଟ୍ରାକ୍‌ ମିଟ୍‌ରେ ସର୍ବାଧିକ ସ୍ବର୍ଣ୍ଣ ପଦକ ପାଇଥିବା ପ୍ରଥମ ମହିଳା ହେବାର ବିଶ୍ବ ରେକର୍ଡ ତାଙ୍କ କ୍ୟାରିଅରର ମାଇଲଖୁଣ୍ଟ। ଖାସ୍‌ ଏଇଥିପାଇଁ ତାଙ୍କୁ ଭାରତୀୟ ଟ୍ରାକ୍‌ ଏଣ୍ଡ ଫିଲ୍ଡର ରାଣୀ ରୂପେ ସମ୍ବୋଧନ କରାଯାଏ।

କେରଳର କୋଜିକୋଡ୍‌ ଅନ୍ତର୍ଗତ ପାୟୋଲି ଗ୍ରାମରେ ୧୯୬୪ ମସିହାରେ ଜନ୍ମିତା ପି.ଟି.ଉଷା ମାତ୍ର ୧୨ ବର୍ଷ ବୟସରେ ରାଜ୍ୟ ମହିଳା ସ୍ପୋର୍ଟସ ସ୍କୁଲରେ ତାଙ୍କ ଜିଲ୍ଲାକୁ ଆଥ୍‌ଲେଟିକ୍ସରେ ପ୍ରତିନିଧିତ୍ବ କରିଥିଲେ। ୧୯୭୯ରେ ଜାତୀୟ ସ୍କୁଲ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ସମୟରେ ସେ କୋଚ୍‌ ଓ.ପି.ନାମ୍ବିଆରଙ୍କ ଦୃଷ୍ଟିରେ ପଡ଼ିଥିଲେ, ଯିଏକି ପୂରା କ୍ୟାରିଅରରେ ତାଙ୍କ ପ୍ରଶିକ୍ଷକ ରହିଥିଲେ। ୧୯୮୨ରେ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାର ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସେ ପାଇଥିଲେ ରୌପ୍ୟ ପଦକ। ଏହାପରେ ପଛକୁ ଫେରି ଚାହିଁ ନ ଥିଲେ ଉଷା। ୧୯୮୩ରେ କୁଏତ୍‌ ଏସୀୟ ଟ୍ରାକ୍‌ ଏଣ୍ଡ ଫିଲ୍ଡ (ଏଟିଏଫ୍‌) ଚାମ୍ପିଅନଶିପ୍‌ରେ ସେ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ପାଇବା ସହ ଏସୀୟ ରେକର୍ଡ କରିଥିଲେ।

୧୯୮୩ରୁ ୧୯୮୯ ମଧ୍ୟରେ ସେ ୧୩ଟି ଏଟିଏଫ୍‌ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୯୮୬ ସିଓଲ ଏସୀୟ କ୍ରୀଡ଼ାରେ ତାଙ୍କୁ ୪ଟି ସ୍ବର୍ଣ୍ଣ ପଦକ (୨୦୦ ଓ ୪୦୦ ମିଟର, ୪୦୦ ମିଟର ବାଧା ଦୌଡ଼ ଏବଂ ୪ x ୪୦୦ ମିଟର ରିଲେରେ) ଓ ଗୋଟିଏ ରୌପ୍ୟ ପଦକ (୧୦୦ ମିଟର) ମିଳିଥିଲା। ସେହିପରି ୧୯୯୦ରେ ବେଜିଂ ଏସୀୟ କ୍ରୀଡ଼ାର ୪୦୦ ଓ ୪ x ୧୦୦ ମିଟର ରିଲେ ଏବଂ ୧୯୯୪ ହିରୋସିମା ଏସୀୟ କ୍ରୀଡ଼ାର ୪ x ୪୦୦ ମିଟର ରିଲେରେ ସେ ରୌପ୍ୟ ପଦକ ପାଇଥିଲେ। ଦକ୍ଷିଣ ରେଳବାଇରେ ସେତେବେଳେ ଅଧିକାରୀ ରୂପେ କାର୍ଯ୍ୟରତ ଥିବା ଉଷା ୧୯୯୧ରେ ଅନ୍ତର୍ଜାତୀୟ କବାଡ଼ି ଖେଳାଳି ୱେଙ୍ଗାଲିଲ ଶ୍ରୀନିବାସନଙ୍କୁ ବିବାହ କରିଥିଲେ। ତାଙ୍କ କ୍ୟାରିଅରରେ ସେ ୪ଥର ଅଲିମ୍ପିକ୍ସ ଦଳରେ ଥିବା ସମେତ ମୋଟ ୧୦୧ଟି ଅନ୍ତର୍ଜାତୀୟ ପଦକ ପାଇଛନ୍ତି।

ଅଧୁନା ସେ କେରଳର କୋୟିଲାଣ୍ଡିଠାରେ ସ୍ବାମୀଙ୍କ ସହ ମିଶି ଉଷା ସ୍କୁଲ ଅଫ ଆଥଲେଟିକ୍ସର ପରିଚାଳନା କରୁଛନ୍ତି। ଦେଶ ପାଇଁ ନୂଆ ପ୍ରତିଭାଧରଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦେବା ତାଙ୍କ ମୂଳ ଆଭିମୁଖ୍ୟ। ସେ ଅର୍ଜୁନ ଓ ପଦ୍ମଶ୍ରୀ ସମେତ ଅନେକ ପୁରସ୍କାର ପାଇଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ୮୦୦ ମିଟର ଦୌଡ଼ରେ ସେମି ଫାଇନାଲ ପର୍ଯ୍ୟନ୍ତ ଯାଇଥିବା ଟିଣ୍ଟୁ ଲୁକା, ଜିସ୍ନା ମାଥ୍ୟୁସ, ଲଲିତାଙ୍କ ଭଳି ଉଦୀୟମାନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ୨୦୨୦ ଅଲିମ୍ପିକ୍ସ ପାଇଁ ଭାରତର ଲକ୍ଷ୍ୟ, ଖେଳାଳିଙ୍କ ପ୍ରସ୍ତୁତି ଓ ତାଙ୍କ ଯୋଜନା ଆଧାରରେ ତାଙ୍କ ସହ ହୋଇଥିବା ବାର୍ତ୍ତାଳାପର କିୟଦଂଶ...

ଭାରତୀୟ କ୍ରୀଡ଼ା ଜଗତର ସ୍ଥିତି ଆପଣଙ୍କ ସମୟରେ ଓ ଏବେ ମଧ୍ୟରେ କିଛି ପରିବର୍ତ୍ତନ ହୋଇଛି?
ସେତେବେଳର ଓ ଏବର ସ୍ଥିତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି। ଆମ ସମୟରେ ଖେଳାଳିଙ୍କୁ ଉପକରଣ, ପ୍ରଶିକ୍ଷଣ କେନ୍ଦ୍ର ଓ ଆର୍ଥିକ ସାହାଯ୍ୟ ମିଳିପାରୁ ନ ଥିଲା। ଏବେ ସରକାରଙ୍କର ଟାର୍ଗେଟ୍‌ ଅଲିମ୍ପିକ୍ସ ପୋଡ଼ିୟମ (ଟିଓପି) ଭଳି ଯୋଜନା ରହିଛି। ଅବଶ୍ୟ କେତେକ ଏଥିରୁ ଫାଇଦା ପାଉଛନ୍ତି ତ ଆଉକେତେକ ପାଉ ନାହାନ୍ତି। ମୁଁ ଟ୍ରାକ୍‌ ଏଣ୍ଡ ଫିଲ୍ଡ୍‌ରେ ସକ୍ରିୟ ଥିବାବେଳେ କେବଳ ଦିଲ୍ଲୀ ଓ ପଟିଆଲାରେ ସିନ୍ଥେଟିକ୍‌ ଟ୍ରାକ୍‌ ଥିଲା। ଅଭ୍ୟାସ କରିବାକୁ ହେଲେ ସେଠାକୁ ହିଁ ଯିବାକୁ ପଡ଼ୁଥିଲା। ଫଳରେ ଏକେ ତ ସମୟ ଅପଚୟ ହେଉଥିଲା। ଦ୍ବିତୀୟରେ ପରିବାରଠାରୁ ଦୂରରେ ଲମ୍ବା ସମୟ ଧରି ରହିବାକୁ ପଡ଼ୁଥିଲା। ଏଣୁ ସମୟର ତାଳେ ତାଳେ ଭାରତୀୟ କ୍ରୀଡ଼ା ଜଗତର ସ୍ଥିତିରେ ଢେର୍‌ ପରିବର୍ତ୍ତନ ଆସିଛି। ଖେଳାଳି ଏହାକୁ ଉପଯୋଗ କରି ଆଗକୁ ବଢ଼ିବା ଉଚିତ।

ଜଣେ ଅଭିଜ୍ଞ ଖେଳାଳି ଭାବେ କହିବେ କି ଭାରତୀୟ ଖେଳାଳିମାନଙ୍କ ପାଇଁ ଅଲିମ୍ପିକ୍ସ କିମ୍ବା କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ସମସ୍ୟା କାହିଁକି ହେଉଛି?
ଦେଖନ୍ତୁ, ଭାରତରେ ପ୍ରତିଭାଧରଙ୍କ ଅଭାବ ନାହିଁ। ଖାଲି ନିରପେକ୍ଷତାର ସହ ସେମାନଙ୍କୁ ଚିହ୍ନଟ କରି ସୁଯୋଗ ଦେବା ଜରୁରୀ। ଏ ଦିଗରେ ସରକାର ଓ ଶିଳ୍ପାନୁଷ୍ଠାନ ସବୁ ଆଗଭର ହେବା ଉଚିତ। ତା’ହେଲେ ଯାଇ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଆବଶ୍ୟକ ଭିତ୍ତିଭୂମି ମିଳିପାରିବ, ଯାହାକି ସେମାନଙ୍କୁ କଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ। ଆମ ଖେଳାଳିମାନେ ଦେଶରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଫେଲ୍‌ ମାରୁଛନ୍ତି। ଏହାସତ୍ତ୍ବେ ସେମାନେ ତାଙ୍କ ପ୍ରଦର୍ଶନକୁ ଗୁରୁତ୍ବର ସହ ନେଉନାହାନ୍ତି। ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ସାଙ୍ଗକୁ ଅହରହ ଉଦ୍ୟମ ଜାରି ରଖିବାକୁ ହେବ। ଏହି ଖେଳାଳିମାନଙ୍କର ଯତ୍ନ ନେବାର ସମୟ ଆସିଛି।

ଓଡ଼ିଶା ସମ୍ପର୍କରେ କ’ଣ କହିବେ?
ମୁଁ ଏଠାକୁ ଏକାଧିକ ଥର ଆସିଛି। ଯଦିଓ ବେଶୀ ସ୍ଥାନ ବୁଲି ଦେଖିପାରି ନାହିଁ, ତେବେ ନିର୍ଦ୍ବନ୍ଦ୍ବରେ କହିହେବ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ସ୍ଥାନ। ଏହି ରାଜ୍ୟର ଅଧିବାସୀ ବେଶ୍‌ ମିଷ୍ଟଭାଷୀ ଓ ମେଳାପି। ସେମାନଙ୍କ ଆତିଥେୟତା ପାଇ ମୁଁ ଆପ୍ୟାୟିତ।

ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଭଳି ଆଗଧାଡ଼ିର ଆଥ୍‌ଲେଟ୍‌ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପରେ ବି ଅଲିମ୍ପିକ୍ସରେ ଆଖିଦୃଶିଆ କୃତିତ୍ବ ହାସଲ କରିପାରିଲେନି। ସେମାନଙ୍କ କ୍ଷେତ୍ରରେ କେଉଁଠି ତ୍ରୁଟି ରହିଲା ବୋଲି ଭାବୁଛନ୍ତି?
ଦୂତୀଙ୍କର ଉଚ୍ଚତା କମ୍‌। ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବାକୁ ହେଲେ ସୁଗଠିତ ଶରୀର, ନିୟମିତ ଅଭ୍ୟାସ, ଉପଯୁକ୍ତ ପ୍ରଶିକ୍ଷଣ ଓ ଜିତିବାର ଝୁଙ୍କ୍‌ ଦରକାର। ୧୦୦ ମିଟରରେ ୧୧.୨୬ ସେକେଣ୍ଡର ଶ୍ରେଷ୍ଠ ବ୍ୟକ୍ତିଗତ ଟାଇମିଂ ହାସଲ କରିବା ପରେ ପ୍ରଦର୍ଶନ ନିମ୍ନଗାମୀ ହେବା ଚିନ୍ତାର ବିଷୟ। ଥରେ ନୁହେଁ ଲଗାତର ବିଭିନ୍ନ ପରିସ୍ଥିତିରେ ଏଭଳି ପ୍ରଦର୍ଶନ ବଜାୟ ରଖିବାକୁ ହେବ। ତେବେ ଯାଇ ସଫଳତା ମିଳିବ। ସେହିପରି ଶ୍ରାବଣୀ ନନ୍ଦ ଜଣେ ଭଲ ଆଥ୍‌ଲେଟ୍‌। ତେବେ ପ୍ରଦର୍ଶନ କାହିଁକି ବଜାୟ ରଖିପାରୁ ନାହାନ୍ତି, ତାହାର ବିଶ୍ଳେଷଣ କରିବା ଜରୁରୀ।

ଆପଣଙ୍କ ପ୍ରଶିକ୍ଷଣ ସ୍କୁଲ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ କିଛି କୁହନ୍ତୁ...
ନିଜସ୍ବ ଅଭିଜ୍ଞତାକୁ ପାଥେୟ କରି ଉଦୀୟମାନ ଖେଳାଳିଙ୍କ ମାର୍ଗ ଦର୍ଶନ ପାଇଁ ଆଥ୍‌ଲେଟିକ ସ୍କୁଲ ଖୋଲିଛି। ଏଥିରେ ମୋ ସ୍ବାମୀ ମୋତେ ଢେର ସହଯୋଗ କରିଆସୁଛନ୍ତି। ୧୪ ବର୍ଷରୁ କମ୍‌ ବିଭାଗରେ ପ୍ରାୟ ୨୫୦ରୁ ୩୦୦ ଏବଂ ୧୧ରୁ ୧୪ ବର୍ଷ ମଧ୍ୟରେ ପାଖାପାଖି ୫୦୦ରୁ ୬୦୦ ବାଳିକା ପ୍ରତିବର୍ଷ ଚୟନ ପାଇଁ ଆସୁଛନ୍ତି। ପ୍ରତି ଫେବୃଆରୀ ପ୍ରଥମ ଶନିବାର ଚୟନ ପ୍ରକ୍ରିୟା ଆରମ୍ଭ ହୁଏ। ୪/୫ଟି ଡାକ୍ତରୀ, ବ୍ୟାଟେରୀ ଓ ଶାରୀରିକ ପରୀକ୍ଷା କରାଯାଏ। ପ୍ରତି ବର୍ଗରେ ୩୦ରୁ ୪୦ ଜଣଙ୍କୁ ବଛାଯିବା ପରେ ସେମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଏ।

୨୦୨୦ ଅଲିମ୍ପିକ୍ସ ପାଇଁ କ’ଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି?
ତୃଣମୂଳ ସ୍ତରରୁ ୩୦ରୁ ୪୦ ଆଥ୍‌ଲେଟ୍‌ଙ୍କୁ ଚିହ୍ନଟ କରି ସେମାନଙ୍କୁ ଭିତ୍ତିଭୂମି ଯୋଗାଇ ଦେବା ସହ ଉପଯୁକ୍ତ ତାଲିମ୍‌ ଦେବାକୁ ହେବ। ଜୁନିୟର ଓ ୟୁଥ୍‌ ସ୍ତରରେ ଏଭଳି ସୁବିଧା ସୁଯୋଗ ଉପଲବ୍ଧ କରାଯିବା ଜରୁରୀ। ଚାରିସୂତ୍ରୀ କାର୍ଯ୍ୟକ୍ରମରେ ସେମାନଙ୍କର ଯତ୍ନ ନିଆଯିବା ଆବଶ୍ୟକ। ଉତ୍ସର୍ଗୀକୃତ ପ୍ରଶିକ୍ଷଣ ଓ ଭିତ୍ତିଭୂମି, ପ୍ରତିଭା ଚିହ୍ନଟ, ସେମାନଙ୍କ ଉପଯୁକ୍ତ ଯତ୍ନ ଓ ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣ, ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିଶାଦ୍ରବ୍ୟ ସେବନର ନିୟନ୍ତ୍ରଣ ପାଇଁ ପ୍ରୟାସ ଓ ସଠିକ୍‌ ସମୟରେ ଉପଯୁକ୍ତ ଏକ୍ସପୋଜର ଏହି ଚାରି ସୂତ୍ରୀ କାର୍ଯ୍ୟକ୍ରମର ଅନ୍ତର୍ଗତ। ତେବେ ଯାଇ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମିଳିପାରିବ।

ଆଗାମୀ ଦିନରେ ଭାରତୀୟ ଦୌଡ଼କୁଦ କ୍ଷେତ୍ରର କିଏ ଉଜ୍ଜ୍ବଳମୟ ତାରକା ବୋଲି ଭାବୁଛନ୍ତି?
୪୦୦ ମିଟରରେ ୧୭ ବର୍ଷୀୟା ଜିସ୍ନା ମାଥ୍ୟୁସ, ୮୦୦ ମିଟରରେ ୨୦ ବର୍ଷୀୟ ଜସ୍ସି ଜୋସେଫ ଓ ଟିଣ୍ଟୁ ଲୁକା ଆଗାମୀ ଦିନରେ ଦେଶର ନାଁ ରଖିବେ ବୋଲି ଆଶା କରୁଛି।

ଆଥ୍‌ଲେଟ୍‌ଙ୍କ ପାଇଁ ୩ଟି ଜରୁରୀ ଟିପ୍‌ସ କ’ଣ?

ଉତ୍ସର୍ଗୀକୃତ ମନୋଭାବ, ଫୋକସ୍‌, କଠିନ ଅଧ୍ୟବସାୟ ଓ ଧୈର୍ଯ୍ୟ ପ୍ରତ୍ୟେକ ଆଥ୍‌ଲେଟ୍‌ଙ୍କ ପାଇଁ ଜରୁରୀ।

ଯୁବପିଢ଼ିକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରତିଭା ଅନେକଙ୍କ ପାଖରେ ରହିଛି। ତେବେ ବିଭିନ୍ନ ପରିସ୍ଥିତିରେ ପ୍ରତିବନ୍ଧକକୁ ସାମ୍ନା କରିବାର ସାହସ ରଖିବାକୁ ହେବ। ଅସଫଳତା ହାତ ଲାଗିଲେ ବି ଧୈର୍ଯ୍ୟ ନ ହରାଇ ବାରମ୍ବାର ଚେଷ୍ଟାକରନ୍ତୁ। ସଫଳତା ଅବଶ୍ୟ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?