Pratinidhi Odia

ବହି : ପୋଡ଼ିବା ନା ପଢ଼ିବା?

ଶିକ୍ଷାନୁଷ୍ଠାନ ପରିସରରେ ଅଧ୍ୟୟନ ଓ ଗବେଷଣା ପାଇଁ ଉଦ୍ଦିଷ୍ଟ ଅତୀତର ଲେଖକ ଲେଖତ୍କାଙ୍କ ପୁସ୍ତକ ଓ ସ୍ମୃତିକୁ ପୋଡ଼ିବା ଅଯୌକ୍ତିକ

ଅନ୍ତର୍ଜାତୀୟ ମହିଳା ଦିବସରେ ଜେଏନ୍‌ୟୁ ପରିସରରେ ଛାତ୍ରଛାତ୍ରୀ ପ୍ରତୀକାତ୍ମକ ଭାବେ ପୋଡ଼ୁଛନ୍ତି ମନୁସ୍ମୃତି
ଗତବର୍ଷ ଆନ୍ତର୍ଜାତିକ ମହିଳା ଦିବସରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର କେତେକ ଛାତ୍ରଛାତ୍ରୀ ଏକାଠି ହୋଇ ପୋଡ଼ିଲେ ମନୁ ସଂହିତା। ନାରା ଦେଲେ ‘ମନୁବାଦ୍ ହୋ ବର୍ବାଦ୍’। ଜେଏନ୍‌ୟୁ ପ୍ରଗତିଶୀଳ ବିଚାରଧାରା ପାଇଁ ଜଣାଶୁଣା। ବାକ୍ ସ୍ବାଧୀନତା (ଫ୍ରିଡମ୍ ଅଫ୍ ସ୍ପିଚ୍) ପାଇଁ ଲଢ଼େଇ କରେ। ତେଣୁ କେତେକ ପ୍ରଶ୍ନ କରୁଛନ୍ତି ଏହି ସ୍ବାଧୀନତା (ଫ୍ରିଡମ୍) କ’ଣ ମନୁଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ! ସଲ୍ମନ୍ ରୁଶ୍‌ଦିଙ୍କ ବହି ‘ଦ ସାଟାନିକ୍ ଭର୍ସେସ୍’ ପୋଡ଼ାଗଲା ବିଭିନ୍ନ ଦେଶରେ। ତସ୍‌ଲିମା ନସ୍‌ରିନ୍‌ ତାଙ୍କ ମୁକ୍ତ ବିଚାର ପାଇଁ ଜନ୍ମଭୂମି ବାଂଲାଦେଶ ଛାଡ଼ି ଭାରତରେ ଆତ୍ମଗୋପନ କରି ରହିବାକୁ ପଡ଼ିଲା। କଳାକାର ଏମ୍.ଏଫ୍. ହୁସୈନ୍ ନିଜ ଚିତ୍ର ପାଇଁ ବିବାଦୀୟ ହୋଇ ଭାରତ ଛାଡ଼ି ଚାଲିଗଲେ। ଅଭିଯୋଗ ଥିଲା ସେ ଭାରତର ଦେବଦେବୀଙ୍କର ଅଶ୍ଳୀଳ ଛବି ଆଙ୍କୁଥିଲେ। ମନୁସ୍ମୃତି ତିନିହଜାର ବର୍ଷ ପୁରୁଣା। ଏହା ଆପଣଙ୍କ ପାଠ୍ୟକ୍ରମର ଅଂଶ ନୁହେଁ। ଲାଇବ୍ରେରୀରେ ଖୋଜିଲେ ମିଳେ ନାହିଁ। ଏକବିଂଶ ଶତାବ୍ଦୀର ଯୁବବର୍ଗ, ଛାତ୍ର, ଅଧ୍ୟାପକ ଏହାକୁ ଭୁଲିଗଲେଣି। ତେଣୁ ଅତୀତର ପୁରୁଣା ପୁସ୍ତକ ଓ ତା’ର ଲେଖକ ଲେଖତ୍କାମାନଙ୍କ ଛବି ଓ ସ୍ମୃତିକୁ ଖୋଳିତାଡ଼ି ପୋଡ଼ାଚଳା କରିବା ପାଇଁ ଏତେ ଉତ୍ସାହ କାହିଁକି ? ତାହା ପୁଣି ବିଶ୍ୱବିଦ୍ୟାଳୟ ପରିସରରେ। ଯେଉଁଠି ଉଭୟ ଛାତ୍ର ଓ ଅଧ୍ୟାପକ ପୁସ୍ତକକୁ ନେଇ ଅଧ୍ୟୟନ ଓ ଗବେଷଣା କରିବା କଥା।

ରାମାୟଣ, ମହାଭାରତରେ ଅନେକ କାହାଣୀ ରହିଛି, ଯାହା ଆଜି ପାଇଁ ସମୟୋପଯୋଗୀ ନ ହୋଇପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ସେହି ପୁରାତନ ମହାକାବ୍ୟ ଗୁଡ଼ିକୁ ଜାଳି ପୋଡ଼ି ଦେବା।

ସେମିତି ବିଭିନ୍ନ ଧର୍ମଗ୍ରନ୍ଥମାନଙ୍କରେ ଉଲ୍ଲିଖିତ ମନ୍ତବ୍ୟ ଆଜିର ଯୁଗରେ ଗ୍ରହଣୀୟ ହୋଇ ନ ପାରେ। ଏ ସମ୍ପର୍କରେ ତର୍କ ଓ ବୌଦ୍ଧିକ ଆଲୋଚନା, ଗବେଷଣା କରାଯାଇପାରେ। କିନ୍ତୁ ସୀତା ଚୋରି ପାଇଁ ରାବଣକୁ, ଅଗ୍ନିପରୀକ୍ଷା ପାଇଁ ରାମଙ୍କୁ, ଦ୍ରେପଦୀ ବସ୍ତ୍ର ହରଣ ପାଇଁ ଦୁଃଶାସନକୁ ବା କୁରୁକ୍ଷେତ୍ର ଯୁଦ୍ଧ ପାଇଁ ଶ୍ରୀକୃଷ୍ଣଙ୍କୁ ଆଜିର ବିଚାରାଳୟରେ ଦୋଷୀ କରାଯାଇ ପାରିବ ନାହିଁ। ଏପରି କଲେ ଆଫଗାନିସ୍ତାନର ତାଲିବାନ୍ ବାମିୟା ବୁଦ୍ଧ ମୂର୍ତ୍ତିକୁ ଧ୍ୱଂସ କଲାଭଳି ହେବ। ଅତୀତ ସହଜରେ ମରେ ନାହିଁ, ସେଥିରୁ ଶିକ୍ଷା ନେଇ ଭବିଷ୍ୟତ ଗଢ଼ା ହୁଏ।

ବହି ପୋଡ଼ିବା ପୁରୁଣା ଅଭ୍ୟାସ

ଆମଠାରୁ ଅଲଗା ବିଚାରଧାରା ପ୍ରକାଶ କରୁଥିବା ବହି ଗୁଡ଼ିକୁ ପୋଡ଼ି ନଷ୍ଟ କରିବା ଏକ ପୁରୁଣା ଅଭ୍ୟାସ। ହିଟ୍‌ଲରଙ୍କ ଶାସନ ବେଳେ ନାଜିମାନେ ବହି ପୋଡ଼ା ଉତ୍ସବ କରି ହଜାର ହଜାର ମୂଲ୍ୟବାନ ପୁସ୍ତକ ଜାଳି ଦେଇଥିଲେ। ଖ୍ରୀଷ୍ଟପୂର୍ବ ୨୦୩ ମସିହାରେ ଚୀନ୍ ଦେଶର ଜଣେ ସମ୍ରାଟ କିନ୍ ଶି ହୁଆଙ୍ଗ ୪୬୦ ଜଣ ବିଦ୍ୱାନ ଓ ସେମାନେ ଅଧ୍ୟୟନ କରୁଥିବା ସହସ୍ରାଧିକ ପୁସ୍ତକ ଜାଳି ଦେଇଥିଲେ। ରୋମ୍‌ର ସମ୍ରାଟ କନ୍‌ଷ୍ଟାଣ୍ଟାଇନ୍‌ ତାଙ୍କ ବିରୋଧୀ ଆରିଅସ୍‌ଙ୍କ ଲିଖିତ ସବୁ ବହିକୁ ନିଆଁରେ ପକେଇ ଦେବାକୁ ଆଦେଶ ଦେଇଥିଲେ। ଖ୍ରୀଷ୍ଟପୂର୍ବ ୪୮ ମସିହାରେ ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ଲାଇବ୍ରେରୀରେ ଥିବା ନ’ ହଜାର ପୁସ୍ତକ ଜାଳି ଦେଇଥିଲେ ଜୁଲିଅସ୍ ସିଜାର।

୧୨୫୮ ମସିହାରେ ମଙ୍ଗୋଲ୍‌ମାନେ ଆକ୍ରମଣ କରି ଅଧିକାର କଲେ ଇରାକ୍‌ର ବାଗ୍‌ଦାଦ ସହର। ଜାଳି ପୋଡ଼ି ଦେଲେ ଇସ୍‌ଲାମିକ୍‌ ପୁସ୍ତକାଳୟ। ବଡ଼ ବଡ଼ ବହିକୁ ଫିଙ୍ଗିଦେଲେ ଟାଇଗ୍ରିସ୍ ନଦୀକୁ। ବହିର କଳା ଅକ୍ଷରରେ ନଈ ପାଣି କଳା ହୋଇଯାଇଥିଲା। ରୁଷିଆର ସୋଭିଏଟ୍‌ମାନେ ମଙ୍ଗୋଲିଆ ଲାଇବ୍ରେରୀରେ ଥିବା ପାଞ୍ଚ ଲକ୍ଷ ବୌଦ୍ଧ ବିଚାରଗ୍ରନ୍ଥ ଜାଳି ଦେଇଥିଲେ। ସେମିତି ୧୧୯୩ ମସିହାରେ ତୁର୍କୀର ବଖ୍‌ତିଆର ଖିଲ୍‌ଜିଙ୍କ ନେତୃତ୍ୱରେ ପୃଥିବୀର ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ନାଳନ୍ଦାର ଲାଇବ୍ରେରୀକୁ ଜାଳି ଦିଆଯାଇଥିଲା। ସେଠାରେ ଏତେ ସଂଖ୍ୟକ ବିରଳ ପୁସ୍ତକମାନ ଥିଲା ଯେ ତାକୁ ପୋଡ଼ିବାକୁ ଲାଗିଥିଲା ଦୀର୍ଘ ତିନିମାସ।

ଜାଳିଦେଲେ ନାଳନ୍ଦା ଲାଇବ୍ରେରୀ
କାହିଁକି ବଖ୍‌ତିଆର ଏପରି କଲେ ? ଏ ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଥରେ ବଖ୍‌ତିଆରଙ୍କ ସ୍ବାସ୍ଥ୍ୟ ଖରାପ ହୋଇଗଲା ଓ ତାଙ୍କ ଡାକ୍ତର ଯେତେ ଚେଷ୍ଟା କଲେ ବି ଭଲ ହେଲା ନାହିଁ। ଯେତେବେଳେ ସ୍ବାସ୍ଥ୍ୟ ଆହୁରି ବିଗିଡ଼ିଗଲା, ତାଙ୍କ ମନ୍ତ୍ରୀ କହିଲେ, ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ରାହୁଲ ଶ୍ରୀ ଭଦ୍ରାଙ୍କୁ ଡକାଯାଉ। ବଖ୍‌ତିଆର ଖୁବ୍ ଗର୍ବୀ ଥିଲେ। ତାଙ୍କ ଧର୍ମରୁ ଅଲଗା ଧର୍ମୀ ଲୋକ କେମିତି ତାଙ୍କୁ ଚିକିତ୍ସା କରିବ ? କୁଳପତି ରାହୁଲ ଭଦ୍ରା ଥିଲେ ଆୟୁର୍ବେଦାଚାର୍ଯ୍ୟ। ବଖ୍‌ତିଆର ଶେଷରେ ରାଜିହେଲେ ଗୋଟିଏ କଣ୍ଡିସନ୍‌ରେ। ରାହୁଲ ତାଙ୍କୁ ଚିକିତ୍ସା କରିବେ, କିନ୍ତୁ ବିନା ଔଷଧରେ। ରାହୁଲ ଭଦ୍ରା ବି ରାଜି ହୋଇଗଲେ। ସେ ବଖ୍‌ତିଆରଙ୍କୁ ପବିତ୍ର ଧର୍ମଗ୍ରନ୍ଥ କୋରାନର ଏକ ନିର୍ଦ୍ଦିଷ୍ଟ ଅଧ୍ୟାୟ ଧ୍ୟାନର ସହ ପଢ଼ିବାକୁ କହିଲେ। ଏହା କଲାପରେ ବଖ୍‌ତିଆର ସୁସ୍ଥ ହୋଇଗଲେ। ସେଇଦିନ ସେ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ବଖ୍‌ତିଆର ଭାବିଲେ, ଯେଉଁ ବିଶ୍ୱବିଦ୍ୟାଳୟ କୋରାନ ଉପରେ ମଧ୍ୟ ଏତେ ଗଭୀର ଗବେଷଣା କରିଛି, ତା’ର ଜ୍ଞାନ ଭଣ୍ଡାର ଓ ଗବେଷକଙ୍କୁ ଧ୍ୱଂସ ନ କଲେ ଭାରତକୁ ପରାଜିତ କରିହେବ ନାହିଁ। ଗୌତମ ବୁଦ୍ଧ ନିଜେ ଅନେକ ଥର ନାଳନ୍ଦାରେ ରହିଥିଲେ। ହୁଏନ୍‌ସାଂ ଏଠାରୁ ଅନେକ ବିରଳ ପୁସ୍ତକ ଅନୁବାଦ କରି ନିଜ ଦେଶକୁ ନେଇ ଯାଇଥିଲେ। ସେ ମଧ୍ୟରେ ଥିଲା ମନୁସ୍ମୃତି।

ପୋଡ଼ିବା ପୂର୍ବରୁ ପଢ଼ିବା ଜରୁରୀ

ତେଣୁ ମନୁସ୍ମୃତିକୁ ପୋଡ଼ିବା ପୂର୍ବରୁ ଭଲଭାବରେ ପଢ଼ିବା ଆବଶ୍ୟକ। ବିଖ୍ୟାତ ଭାଷାବିତ୍ ଓ ଇଣ୍ଡୋଲୋଜିଷ୍ଟ ପ୍ରଥମେ ମନୁସ୍ମୃତିକୁ ପାଶ୍ଚାତ୍ୟ ଜଗତର ବିଦ୍ୱାନମାନଙ୍କ ଆଗରେ ପେଶ୍ କରିଥିଲେ। ତାଙ୍କ ମତରେ ଏହି ଗ୍ରନ୍ଥର ରଚନାକାଳ ଖ୍ରୀଷ୍ଟପୂର୍ବ ୧୨୫୦ ମସିହାରୁ ୧୦୦୦ ମସିହା ମଧ୍ୟରେ। ଅର୍ଥାତ୍ ଆଜିକୁ ତିନି ହଜାରରୁ ଅଧିକ ବର୍ଷ ପୂର୍ବେ। ଏହାର ପ୍ରକୃତ ନାମ ଥିଲା ‘ମାନବ ଧର୍ମ ଶାସ୍ତ୍ର’।

ଗବେଷକମାନେ କହନ୍ତି ଏହି ଗ୍ରନ୍ଥର ରଚୟିତା ଜଣେ ବ୍ୟକ୍ତି ନୁହନ୍ତି, ଅନେକ ବ୍ୟକ୍ତି। କେବଳ ପ୍ରଥମ ୫୮ଟି ସୂତ୍ର ଲେଖିଛନ୍ତି ମନୁ। ଏହାର ଏକ ଲକ୍ଷ ଶ୍ଳୋକ ୧,୦୮୦ ଅଧ୍ୟାୟରେ ବିଭକ୍ତ ଏବଂ ଅନେକ ଶ୍ଳୋକ ପ୍ରକ୍ଷିପ୍ତ ଓ ଗ୍ରନ୍ଥର ମୂଳ ଅଙ୍ଗ ନୁହେଁ। ତେଣୁ ଅନେକ ଜାଗାରେ ବିରୋଧାଭାସ ରହିଛି।

ଯେମିତି ଗୋଟିଏ ଶ୍ଳୋକ ଓ ସୂତ୍ରରେ କୁହାଯାଇଛି- ନାରୀକୁ ବାଲ୍ୟାବସ୍ଥାରେ ପିତା, ଯୌବନ ଅବସ୍ଥାରେ ସ୍ବାମୀ ଓ ବୃଦ୍ଧାବସ୍ଥାରେ ପୁତ୍ର ରକ୍ଷା କରିବେ ଏବଂ ଅନ୍ୟତ୍ର ଏକ ଶ୍ଳୋକରେ (୩.୫୫ ଓ ୩.୫୬) କୁହାଯାଇଛି - ଯେଉଁଠି ନାରୀକୁ ସମ୍ମାନ କରାଯାଏ ସେଇଠି ଦେବତାମାନେ ଆନନ୍ଦରେ ବିଚରଣ କରିବାକୁ ଆସନ୍ତି। ନାରୀଙ୍କ ଉପସ୍ଥିତି ବିନା ସବୁ ଧର୍ମ କାର୍ଯ୍ୟ, ଜାଗ, ଯଜ୍ଞ ନିଷ୍ଫଳ। ନାରୀ, ସମାଜ ଓ ପରିବାରର ଅଭିନ୍ନ ଅଙ୍ଗ, ତେଣୁ ସ୍ବତନ୍ତ୍ର ବା ସ୍ବାଧୀନ ନୁହନ୍ତି।

ସନାତନୀ ସମାଜରେ ଜାତି, ବର୍ଣ୍ଣ ଭେଦଭାବ ସୃଷ୍ଟି ହେବାର ପ୍ରାୟ ସାତଶହ ବର୍ଷ ପୂର୍ବେ ‘ମାନବ ଧର୍ମ ଶାସ୍ତ୍ର’ ରଚନା କରାଯାଇଥିଲା।

ତେଣୁ ଆଉ ଏକ ‘ସୂତ୍ର’ରେ ଲେଖାଯାଇଛି ପ୍ରତ୍ୟେକ ମଣିଷର ଶରୀର ଚାରୋଟି ଭାଗରେ ବିଭକ୍ତ - ଯଥା ମସ୍ତିଷ୍କ ବ୍ରାହ୍ମଣ, ବାହୁ ଓ ବକ୍ଷ କ୍ଷତ୍ରୀୟ, ଉଦର ଓ ନାଭି ବୈଶ୍ୟ ତଥା ଜଙ୍ଘ ଓ ପାଦ ଶୁଦ୍ର। ପରବର୍ତ୍ତୀ କାଳରେ ଏହାକୁ ଜାତିର ରଙ୍ଗ ଦେଇ ଉଚ୍ଚନୀଚ ଭେଦଭାବ ସୃଷ୍ଟି କରାଗଲା ଓ ସାମାଜିକ ସ୍ବୀକୃତି ପାଇଁ ମନୁସ୍ମୃତିରେ ସୂତ୍ର ଓ ଶ୍ଳୋକରୂପେ ଭର୍ତ୍ତି କରିଦିଆଗଲା। କାରଣ ଗ୍ରନ୍ଥର ଶେଷ ଭାଗରେ ସ୍ପଷ୍ଟ ଭାଷାରେ ଲେଖାଯାଇଛି: ଯେ ନିଜକୁ ସମସ୍ତ ପ୍ରାଣୀଙ୍କ ଭିତରେ ଦେଖନ୍ତି ଓ ସମସ୍ତ ପ୍ରାଣୀଙ୍କୁ ନିଜ ଭିତରେ ଦେଖନ୍ତି ସେ ହିଁ ପ୍ରକୃତ ସମଦ୍ରଷ୍ଟା ଓ ବ୍ରହ୍ମଜ୍ଞାନୀ - (୧୨.୧୨୫)।
ଏହି ମାନବ ଧର୍ମ ଶାସ୍ତ୍ରରେ ପ୍ରଶ୍ନୋତ୍ତର ମାଧ୍ୟମରେ ମୂଖ୍ୟ ଚର୍ଚ୍ଚାର ବିଷୟ ହେଲା ପୃଥିବୀର ସୃଷ୍ଟି, ଧର୍ମର ମୂଳ, ସାଧାରଣ ନାଗରିକ, ପ୍ରଶାସକ ଓ ଧର୍ମାଚାର୍ଯ୍ୟମାନଙ୍କର କର୍ତ୍ତବ୍ୟ ତଥା କର୍ମ ଯୋଗ, ପୁନର୍ଜନ୍ମ ଓ ମୋକ୍ଷ ପ୍ରସଙ୍ଗ। ପୁଣି କୁହାଯାଇଛି ଧର୍ମର ପ୍ରକୃତ ଅର୍ଥ ହେଲା: ଅହିଂସା, ବେଦ ଜ୍ଞାନ, ପବିତ୍ର ପରମ୍ପରା, ସଦାଚାର, ଆତ୍ମଶାନ୍ତି ଓ ମହତ୍ ଜନଙ୍କ ପନ୍ଥା ଅନୁସରଣ (୨-୧୨)। ମହାତ୍ମା ଗାନ୍ଧିଙ୍କ ଭାଷାରେ ‘ମୁଁ ମନୁସ୍ମୃତିକୁ ଏକ ଧର୍ମ ଶାସ୍ତ୍ର ଭାବରେ ସମ୍ମାନ କରେ, କିନ୍ତୁ ଏହାର ପ୍ରତ୍ୟେକ ବାକ୍ୟ, ଶ୍ଳୋକ ବା ସୂତ୍ରକୁ ଗ୍ରହଣ କରେ ନାହିଁ।
ବହି ଅଧ୍ୟୟନ ପାଇଁ, ଦହନ ପାଇଁ ନୁହେଁ। ଭ୍ରମର ଫୁଲରୁ କେବଳ ମହୁ ସଂଗ୍ରହ କରି ଆଉ ସବୁ ଛାଡ଼ି ଦେଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?