Pratinidhi Odia

ନିର୍ବାଚନୀ ନିଆଁକୁ ମହାନଦୀ ପାଣି

ପଞ୍ଚାୟତ ନିର୍ବାଚନର ଭୋଟରଙ୍କୁ ହାତେଇବା ପାଇଁ ଚାଲିଛି ଶାସକ-ବିରୋଧୀଙ୍କ କାଦୁଅ ଫିଙ୍ଗା ପର୍ବ

ରାଜଧାନୀ ଉପକଣ୍ଠ ଏକ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର
କୁହାଯାଏ - ନିର୍ବାଚନ ଗଣତନ୍ତ୍ରର ଏକ ଉତ୍ସବ। କିନ୍ତୁ ଏ ନିର୍ବାଚନରୁ ଉତ୍ସବର ଉଦ୍ଦୀପନା ବଦଳରେ ପ୍ରତିହିଂସା ଓ ସ୍ବାର୍ଥପରତାର ପଚାଗନ୍ଧ ବାହାରୁଛି। ପଞ୍ଚାୟତ ମହାସମର ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ। ଥରେ ଫନ୍ଦି ଫିକର କରି ଜିତିଗଲେ ତେଣିକି ପାଞ୍ଚବର୍ଷ ଯାଏ କ୍ଷମତା ଓ ଅର୍ଥ ଭୋଗର ବ୍ୟାପକ ସୁବିଧା। ମାତିଛନ୍ତି ନେତା, ବିମୋହିତ ଜନତା।

କସରତ କରି ଧରା ପଡ଼ିଛନ୍ତି କେନ୍ଦ୍ରାପଡ଼ାର ଶାସକ ଦଳର ବିଧାୟକ ବିଭୁ ତରାଇ। ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀ ହୋଇଥିବା ପତ୍ନୀଙ୍କୁ ଜିତାଇବା ପାଇଁ ବିଧାୟକ ତରାଇ ପଟ୍ଟାମୁଣ୍ଡାଇ ବିଡିଓଙ୍କ ସହାୟତାରେ ଷଡ଼ଯନ୍ତ୍ର କରିଛନ୍ତି ବୋଲି କଂଗ୍ରେସର ପ୍ରସଙ୍ଗକୁ ନେଇ ରାଜନୈତିକ ଝଡ଼ ଥମିବାର ନା ନେଉ ନାହିଁ। ଘଟଣା ପ୍ରଘଟ ପରେ ବିଡିଓଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ଦିଆଯାଇଛି।

ସମୁଦାୟ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ଅନୁଧ୍ୟାନ କରୁଛନ୍ତି। ବିଧାୟକ ଓ ବିଡିଓ ଉଭୟଙ୍କ ନାଁରେ ଫୌଜଦାରି ମାମଲା ଦାଏର କରାଯିବାକୁ କଂଗ୍ରେସ ଦାବି କରିଛି। ପ୍ରାର୍ଥିପତ୍ର ବୈଧ ଥିବା ଦୁଇ ପ୍ରାର୍ଥିନୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେବାର ଦାବିକୁ ଏଡ଼ାଇ ଯାଇଛନ୍ତି କମିଶନ। ପତ୍ନୀ ବବିତା ତରାଇଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ବିଧାୟକ ଅନ୍ୟ ଦୁଇ ପ୍ରାର୍ଥୀ ଗାୟତ୍ରୀ ସେଠୀ ଓ ପ୍ରମିଳା ମଲ୍ଲିକଙ୍କ ଠାରୁ ବିଡିଓଙ୍କ ଜରିଆରେ ଆଗୁଆ ପ୍ରତ୍ୟାହାର ଫର୍ମରେ ଦସ୍ତଖତ କରାଇଥିଲେ ନା ନାହିଁ ଏ ପର୍ଯନ୍ତ୍ର ସ୍ପଷ୍ଟ ହୋଇପାରି ନାହିଁ। ସେମାନଙ୍କ ଦସ୍ତଖତ ଜାଲିଆତି ହୋଇଥିଲା କି ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ।

ଏଭଳି ଏକ ଝଡ଼ରୁ ରକ୍ଷା ପାଇବା ପାଇଁ ନବୀନ ପଟ୍ଟନାୟକ ଚତୁରତାର ସହ ମହାନଦୀ ପାଣିକୁ ଗୋଳିଆ କରିଛନ୍ତି। କେନ୍ଦ୍ର ସରକାର ଯେଉଁ ବୁଝାମଣା କମିଟି ଗଠନ ନିମନ୍ତେ ପଦକ୍ଷେପ ନେଇଥିଲେ ତାହାକୁ ପ୍ରତ୍ୟାଖ୍ୟାନ କରି ନବୀନ ସରକାର ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ବିରୋଧୀ ଗୋଟି ଚାଳନା କରି ଭୋଟ ଯୋଗାଡ଼ ଥୋପ ପକାଇଛନ୍ତି ବୋଲି ବିଜେପି କହିଛି।

ପୂର୍ବରୁ ସରକାର ଅଦାଲତକୁ ଯିବା କଥା କହିଲେ, ମାତ୍ର ଅଦାଲତକୁ ଗଲେ ନାହିଁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜି ହେବା ପରେ ହଠାତ୍‌ ପୁଣି ନିଜର ମତ ବଦଳାଇ ଥିଲେ, ଯାହାକୁ ଆବଶ୍ୟକ ପଡ଼ିଲେ ସାର୍ବଜନୀନ କରାଯିବ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ଯେତେ ପାରୁଛ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଅ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାରକମାନଙ୍କୁ ପରାମର୍ଶ ଦେବା ପରେ ମହାନଦୀ ପ୍ରସଙ୍ଗକୁ ଉଠାଇବା ରହସ୍ୟ ଜଣାପଡ଼ିଯାଉଛି ବୋଲି ବିଜେପି ସମାଲୋଚନା କରିଛି। ଅପରପକ୍ଷରେ କେନ୍ଦ୍ର ଯୋଜନା ସଂକ୍ରାନ୍ତରେ ଯେତେ ପାରୁଛ ପ୍ରଚାର କର ବୋଲି ବିଜେପି ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସଦନ ସିଂଙ୍କ ଗୁରୁମନ୍ତ୍ରକୁ କଂଗ୍ରେସ ନିଷ୍ଫଳ ଉଦ୍ୟମ ବୋଲି କହିଛି। ବିମୁଦ୍ରାୟନ ହିଁ ବିଜେପିର ପ୍ରଗତିକୁ ରୋକିବ ଏବଂ ଲୋକଙ୍କ ଉତ୍ସାହ ଦେଖି କଂଗ୍ରେସ ବିପୁଳ ଭୋଟ ହାତଇେବ ବୋଲି ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ନିଜ ପିଠି ନିଜେ ଥାପୁଡ଼େଇଛନ୍ତି।

କମ୍ପୁଛି ଗାଁ ଦାଣ୍ଡ, ଜମିଲାଣି ଭୋଜି

ଜାତୀୟ ଓ ଆଞ୍ଚଳିକ ଦଳକୁ ମିଶାଇ ପ୍ରାୟ ୨୪ଟି ରାଜନୈତିକ ଦଳ ଏଥର ନିର୍ବାଚନର ରଣଭୂଇଁକୁ ଓହ୍ଲାଇଛନ୍ତି। ହୋର୍ଡିଂ, ପ୍ଲେକ୍ସ, ବ୍ୟାନର, ଲିଫଲେଟ, ପୁସିଂକାର୍ଡ ମାନ ଛାଇ ହୋଇଲାଣି। ମନ୍ଦିର, ମଣ୍ଡପ, କ୍ଲବ, ପିକ୍‌ନିକ୍‌ ସ୍ପଟ ଗୁଡ଼ିକରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ନେଇ ଚାଲିଛି ଭୋଜିଭାତ।

ଚାଲିଛି ଭଙ୍ଗା ଗଢ଼ା, ହସ-ଅଶ୍ରୁର ଖେଳ
ଗୋଟିଏ ପରିବାରର ସ୍ବାମୀ ଆଉ ସ୍ତ୍ରୀ ଲଢ଼ୁଛନ୍ତି ନିର୍ବାଚନ। ଖୁଡ଼ି-ଝିଆରୀ-ପୁତୁରାଙ୍କ ଲଢ଼େଇ ରୋଚକପୂର୍ଣ୍ଣ ହୋଇଛି। କେଉଁଠି ବାପ ପୁଅ ବି ଠିଆ ହୋଇଯାଇଛନ୍ତି ସମାନ ପଦବୀ ଲାଗି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ପରିବାରର ସଦସ୍ୟମାନଙ୍କ ଲଢ଼େଇ ସ୍ଥାନୀୟ ଅଞ୍ଚଳରେ ଯେତିକି କୌତୁହଳ ସୃଷ୍ଟି କରିଛି ସେତିକି ପରିମାଣର ବିଦ୍ବେଷର ବିଷ ମଞ୍ଜି ବୁଣିଛି।
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ଦୁମୁକା ପଞ୍ଚାୟତର ସମିତି ସଭ୍ୟ ପାଇଁ ଜଣେ ଆଇଆଇଟି ଇଞ୍ଜିନିୟର ଏବଂ ଜଣେ ଅଟୋଚାଳକ ପ୍ରାର୍ଥୀ ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି। ଔପଦା ବ୍ଲକ କାଣ୍ଡଗାରଡ଼ି ପଞ୍ଚାୟତର ସରପଞ୍ଚ ପଦବୀ ଲାଗି ଖୁଡ଼ିଶାଶୁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ଟକ୍କର ଦେବା ଲାଗି ନିଜ ପୁତୁରା ବୋହୂ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଲଢ଼େଇରେ ଶାଶୁ ନା ବୋହୂ କିଏ ବାଜିମାତ୍‌ କରିବ ଜଣାପଡ଼ିବ, ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ପରଠାରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଛି।

କେନ୍ଦୁଝର ଜିଲା ହାଟଡିହି ବ୍ଲକର ଉଚ୍ଚଶିକ୍ଷିତା ଆଦିବାସୀ ଇଞ୍ଜିନିୟରିଂ ଛାତ୍ରୀ ବିଜେପିରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। କନ୍ଧମାଳ ଜିଲା କଳିଙ୍ଗା ପଞ୍ଚାୟତରେ ବାପ-ପୁଅ ୧୦ ବର୍ଷ ସରପଞ୍ଚ ରହିବା ପରେ ଏବେ ବୋହୂ ହୋଇଛନ୍ତି ପ୍ରାର୍ଥୀ।

ଜୋର୍‌ରେ ଚାଲିଛି ମିଶ୍ରଣ ପର୍ବ
ସିନେ ତାରକା ଉତ୍ତମ ମହାନ୍ତିଙ୍କୁ କୋଳେଇଛି ଶାସକ ଦଳ। ବିଜେପିରେ ସାମିଲ ହେବାକୁ ବି ଅନେକଙ୍କ ଉତ୍ସୁକତା ଲକ୍ଷ୍ୟ କରାଯାଉଛି। ୱାର୍ଡ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ଦଳରେ ସାମିଲ ହେବାର ପର୍ବ ଦେଖିବାକୁ ମିଳୁଛି। ନିର୍ବାଚନରେ ଏହାର ପ୍ରଭାବକୁ ନେଇ ଗାଁରେ ଏବେ ଚର୍ଚ୍ଚା ଜୋର ଧରିଛି।

୨୦ ପ୍ରତିଶତ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କେତେ ବାସ୍ତବ
ଗଞ୍ଜାମ ଜିଲା ପୋଲସରାରେ ଜଣେ ଜିଲା ପରିଷଦ ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେଠି କଂଗ୍ରେସର ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକ ଛାଡ଼ି ଦେଇ ନ ଥିବେ। ବିରୋଧୀ ଦଳଙ୍କ ଅପାରଗତା ହିଁ ଶାସକ ଦଳଙ୍କୁ ପ୍ରଥମ ଖୁସି ଖବର ଦେଇଛି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟରେ ୩୬,୭୭୯ ଜଣ ପ୍ରାର୍ଥୀଙ୍କ ବିପକ୍ଷରେ କୌଣସି ପ୍ରତିଦ୍ବନ୍ଦ୍ବୀ କାହିଁକି ରହିଲେ ନାହିଁ ତା ପଛର କାରଣ ଖୋଜାଯିବା ଜରୁରୀ।

ସବୁଠି ବିଦ୍ରୋହୀ
୧୧୭ ବିଧାୟକ। ଅଧେ ହରାଇଲେଣି ଲୋକପ୍ରିୟତା। ଏହି ବିଧାୟକମାନଙ୍କର ୨୪୦ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୧୮୦ଟି ଜୋନ୍‌ରେ ଦଳୀୟ ପ୍ରାର୍ଥୀମାନଙ୍କୁ ଅସନ୍ତୁଷ୍ଟଙ୍କ ବିରୋଧର ସାମନା କରିବାକୁ ପଡ଼ୁଛି। ଦଳର ବିଧାୟକ ଓ ସାଂସଦମାନଙ୍କ ମଧ୍ୟରେ ବିଭେଦ ଥିବା ବେଳେ ଦଳର ବିଧାୟକମାନେ ସେହି ଦଳର ବିଧାୟକଙ୍କ ଲୋକପ୍ରିୟତାକୁ କ୍ଷୁଣ୍ଣ କରିବା ପାଇଁ ବିରୋଧୀ ପ୍ରାର୍ଥୀଙ୍କୁ ଠିଆ କରାଇଛନ୍ତି। ଖଲିକୋଟ ବିଧାୟକ ପୂର୍ଣ୍ଣ ସେଠୀଙ୍କ ପ୍ରାର୍ଥୀଙ୍କୁ ହରଇବା ପାଇଁ କବିସୂର୍ଯ୍ୟନଗରର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ସୁଜ୍ଞାନ ସେନା ଗାଁ ଗାଁରେ ବିରୋଧ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?